
ଆଧୁନିକ ଯୁଗରେ ବୃଦ୍ଧାବସ୍ଥା କି ଯୁବାବସ୍ଥା ସବୁ ସମୟରେ ମାଡି ବସୁଛି ରୋଗ । ହୃତଘାତ ,ମସ୍ତିଷ୍କଘାତ ଓ କର୍କଟ ବର୍ତମାନ ସମୟରେ ଘାତକ ସାଜିବାରେ ଲାଗିଛି । ନାଚୁଥିବା, ଗାଉଥିବା, କାମ କରୁଥିବା ସମୟରେ ହଠାତ ଟଳି ପଡୁଛନ୍ତି ଯୁବ ଠୁ ବୟସ୍କ । ବର୍ତମାନ ଏନେଇ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ତଥ୍ୟ । ଷ୍ଟ୍ରୋକ ଯୋଗୁଁ ଭାରତରେ ପ୍ରତି ୪ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି । ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଷ୍ଟୋକ ପାଲଟିଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅପ ମେଡିକାଲ ସାଇନ୍ସର ନ୍ୟୁରୋଲୋଜିଷ୍ଟ ପ୍ରଫେସର ଏମ୍.ଭି. ପଦ୍ମା ଶ୍ରୀବାସ୍ତବ କହିଛନ୍ତି । ଦେଶରେ ପ୍ରତିବର୍ଷ ୧,୮୫,୦୦୦ ଜଣ ଷ୍ଟ୍ରୋକ୍ର ଶିକାର ହେଉଛନ୍ତି। ସେହିପରି ପ୍ରତି ୪୦ ସେକେଣ୍ଡରେ ଜଣଙ୍କୁ ଷ୍ଟ୍ରୋକ୍ ଆସିଥାଏ। ଭାରତର ଅନେକ ହସ୍ପିଟାଲରେ ଷ୍ଟୋକ ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ । ଏହି ସମସ୍ୟା ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସା କେନ୍ଦ୍ରରେ ରହିଛି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।ଷ୍ଟୋକର ଶିକାର ହେଉଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସା ଆବଶ୍ୟକ କରନ୍ତି । ଏଥିରେ ବିଳମ୍ବ ହେଲେ ଜଣେ ବ୍ୟକ୍ତି ଅକ୍ଷମ କିମ୍ବା ଜୀବନ ଚାଲିଯିବାର ଭୟ ଥାଏ ବୋଲି କହିଥିଲେ ।ସେ ଆହୁରି ମଧ୍ୟ କହିଥିଲେ ଗ୍ଲୋବାଲ୍ ବଡର୍ନ ଡିଜିଜ୍ ତଥ୍ୟ ମୁତାବକ ୬୮.୬% ଷ୍ଟ୍ରୋକ୍ ଭାରତୀୟଙ୍କଠାରେ ଦେଖାଯାଉଥିବାବେଳେ ଏଥିରୁ ୭୦.୯%ଙ୍କ ଷ୍ଟ୍ରୋକ୍ ଯୋଗୁ ମୃତ୍ୟୁ ହେବା ସହ ୭୭.୭% ଅସୁସ୍ଥ ହୋଇପଡ଼ୁଛନ୍ତି। ଡାକ୍ତରଖାନାଗୁଡ଼ିକରେ ସ୍ବାସ୍ଥ୍ୟସେବାର ଅଭାବ ଯୋଗୁ ଷ୍ଟ୍ରୋକ୍ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ଘଟୁଥିବା ଲକ୍ଷ୍ୟ କରାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକମାନେ ଏହା ଦ୍ୱାରା ଅଧିକମାତ୍ରାରେ ପ୍ରଭାବିତ ହେଉଛନ୍ତି। ମାନସିକ ଚାପ ଷ୍ଟ୍ରୋକ୍ର ମୁଖ୍ୟ କାରଣ। ବର୍ତ୍ତମାନ ସମୟରେ ବୟସ୍କଙ୍କ ତୁଳନାରେ କମ୍ ଓ ମଧ୍ୟ ବୟସ୍କଙ୍କ ପାଇଁ ଷ୍ଟ୍ରୋକ୍ ଘାତକ ସାଜିଛି।ଜିବିଡି ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ୨୦ ବର୍ଷରୁ କମ୍ ବୟସର ୫୨ ଲକ୍ଷ ପିଲା ଷ୍ଟ୍ରୋକ୍ର ଶିକାର ହେଉଛନ୍ତି।କୋଭିଡ୍ ମହାମାରୀ ପରଠାରୁ ଷ୍ଟ୍ରୋକ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଆମେରିକାର ଥୋମାସ ଜେଫରଶନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

