ଭାରତବର୍ଷ ତାର ୭୮ତମ ସ୍ୱାଧୀନତା ସପ୍ତାହ ପାଳନ କରୁଥିବା ବେଳେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ “ମାତୃଭୁମିକୁ ପ୍ରଣାମ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ସମସ୍ତ ବ୍ୟକ୍ତିବିଶେଷ ଧଳା ବସ୍ତ୍ର ପିନ୍ଧିବା ସହିତ ତ୍ରିରଙ୍ଗାରେ ସଜେଇ ହେଇ ଆସିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଏଇ ଦେଶ ଏଇ ମାଟି” ଦର୍ଶକଙ୍କ ଭିତରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରିଥିଲା । ବାସ୍ତବରେ କହିବାକୁ ଗଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସେଠାରେ ଗୋଟିଏ ସ୍ୱତନ୍ତ୍ର ଦେଶଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।

ଏକାମ୍ର, ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମୁଖ୍ୟ ଅତିଥି, ଓଡିଶା ରାଜ୍ୟ ବିଜେପିର ଉପସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମୁଖ୍ୟବକ୍ତା ଏବଂ ରୋଟାରୀଆନ ତଥା ଶିଳ୍ପପତି ଓ ସମାଜସେବୀ ଶ୍ରୀଯୁକ୍ତ ଯଜ୍ଞାଶିଷ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ବିଷୟବସ୍ତୁ “ନିଜର ସ୍ବପ୍ନକୁ ସାକାର କରିବି ଦେଶ ଗଠନରେ ଭାଗୀଦାର ହେବି” ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଆମର ଭବିଷ୍ୟତ ପିଢ଼ି ତଥା ଆଜିର ଛାତ୍ରଛାତ୍ରୀମାନେ କିପରି ନିଜକୁ ଗଢି ତୋଳିବେ ଓ ଦେଶସେବାରେ ନିୟୋଜିତ ହେବେ ସେହି ଉପରେ ସମ୍ମାନିତ ଅତିଥିଗଣ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଭାରତମାତାଙ୍କର ପୂଜନ ଓ ଆରତୀ କରିଥିଲେ, ଯାହାକି ଆଜିର କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ରହିଥିଲା । ସଭାକାର୍ଯ୍ୟ ଆରମ୍ଭରେ ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

ଅନୁଷ୍ଠାନର ଉପାଧ୍ୟାକ୍ଷା ଡ଼ା. ସସ୍ମିତା ରାଉତଙ୍କ ସୂଚନା ଅନୁଯାୟୀ ପାନାସିଆ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଚଳିତ ମାସ ୧୧ ତାରିଖ ଦିନ ଜୟଦେବ ଭବନରେ ହୋଇଯାଇଥିବା ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ୫୯ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାତୃଭୂମିକୁ ପ୍ରଣାମ ଉତ୍ସବ ପାଳନ ଅବସରରେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ଦିଆଗଲା । ସଭାପତିତ୍ବ କରିବା ସହିତ ସଭାକାର୍ଯ୍ୟକୁ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ା ବିଶ୍ଵରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ଓ ଓୟୁଟିଆର ପଦାର୍ଥ ବିଜ୍ଞାନ ସ୍ନାତକର ମେଧାବୀ ଛାତ୍ର ସୌମ୍ୟପ୍ରିୟଦର୍ଶୀ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଆଜିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଲିନା ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ଦାସ, ଉପସଭାପତି ଦିପ୍ତିମୟୀ ମିଶ୍ର, ସହସମ୍ପାଦକ ସନତ କୁମାର ବଟୁ ତଥା ସମସ୍ତ ସଦସ୍ୟ ସଦସ୍ୟା ଆଦିତ୍ୟ ପ୍ରସାଦ ଚୌଧୁରୀ, ଅର୍ଚ୍ଚନା ଚୌଧୁରୀ, ସଂଯୁକ୍ତା ବିଶ୍ୱାଳ ପ୍ରମୁଖ ସୁପରିଚାଳନା କରିଥିଲେ । ବିଚାରକ ମଣ୍ଡଳୀର ସଦସ୍ୟା ତଥା ଓଡ଼ିଆ ଭାଷା ସାହିତ୍ୟର ସୁପରିଚିତା କବି ଓ ଲେଖିକା ସୁଚେତା ନନ୍ଦ, ରୋଜାଲିନ ଶତପଥୀ, ଚମକ ଚାନ୍ଦିନୀ ଦାଶ, ରଶ୍ମି ସାମଲ ଓ ଶାନ୍ତି ଲତା ରଥଙ୍କୁ ଏହି ଅବସରରେ ପ୍ରଶଂସା ପତ୍ର ଦିଆଗଲା । ଜୟଦେବ ଭବନ କାର୍ଯ୍ୟାଳୟର କନିଷ୍ଠ ସହାୟକ ଦୀପ୍ତି ରଞ୍ଜନ ପରିଡାଙ୍କୁ “ନିରବଛିନ୍ନ କର୍ମଯୋଗୀ” ପରିଚୟ ପ୍ରଦାନ କରାଗଲା । କିମ୍ସର ପ୍ରଧ୍ୟାପକ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା ଜିତେନ୍ଦ୍ର କୁମାର ରାଉତ ଓ ନିଗମ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ଼ା. ଅନୁପମ ବେହେରାଙ୍କୁ “ଦେବଦୂତ” ସମ୍ମାନରେ ସମ୍ବର୍ଦ୍ଧିତ କରାଗଲା । ଶେଷରେ ଅନୁଷ୍ଠାନର ଉପାଧ୍ୟାକ୍ଷା ଡ଼ା. ସସ୍ମିତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।