
ଦୀର୍ଘ ୨ ବର୍ଷ ଧରି ଦେଶରେ ତାଣ୍ଡବ ରଚିଥିଲା ମହାମାରୀ କରୋନା । ତାର ପ୍ରକୋପ କମି ଆସିଥିବା ବେଳେ ଏବେ ମୁଣ୍ଡ ଟେକିଛି ଏଚ୍୩.ଏନ୍୨ ଭାଇରସ । ଭାରତରେ ଏହି ଭାଇରସର ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ଏଥିରେ ୨ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏହି ୨ମୃତକଙ୍କ ହେଉଛନ୍ତି କର୍ଣ୍ଣାଟକ ଓ ହରିଆଣାର ବାସିନ୍ଦା । ଦେଶରେ ଏଚ୍୩.ଏନ୍୨ରେ ପ୍ରଥମେ କର୍ଣ୍ଣାଟକର ୮୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ସେ ଫେବୁଆରୀ ୨୪ରେ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ ତାଙ୍କର ମାର୍ଚ୍ଚ୧ରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବର୍ତମାନ ସୁଦ୍ଧା ଦେଶରେ ୯୦ଜଣ ଏଚ୩ଏନ୨ ରେ ଆକ୍ରାନ୍ତି ହୋଇଛନ୍ତି ।

କାଶ ଓ ଛିଙ୍କ ଜରିଆରେ ବ୍ୟାପିଛୁ ଏହା । କଫ,ଜର, ଥଣ୍ଡା, ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଆଦି ଲକ୍ଷଣ ରହିଛି ଏହି ଭାଇରସର । ଦେଶରେ ଗତ ୨ମାସ ଧରି ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ହଙ୍ଗକଙ୍ଗ ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।ଏଚ୍୩ଏନ୍୨ ହେଉଛି ‘ଇନଫ୍ଲ୍ୟୁଏଞ୍ଜା ଭାଇରସ୍।ଯାହା ପ୍ରତିବର୍ଷ ଏହି ସମୟରେ ଆସିଥାଏ ।ଜନଗହଳିପୂର୍ଣ୍ଣ ଇଲାକାରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା କରନ୍ତୁ ରକ୍ଷା ଲାଗି ପରାମର୍ଶ ଦେଲେ ଦିଲ୍ଲୀ ଏମସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସଂକ୍ରମଣ ନେଇ ଆଇ.ସି.ଏମ.ଆର ଗାଇଡଲାଇନ ଜାରି କରିଛି । ନିୟମିତ ଭାବେ ହାତକୁ ବାରମ୍ବାର ଧୁଅନ୍ତୁ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ । କାହା ସହିତ ହାତ ମିଳାନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ ।ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ଫ୍ଲୁ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଏହି ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ଏହି ଭାଇରସ୍ ଦ୍ୱାରା ତଣ୍ଟି ଦରଜ ହୋଇଥାଏ, କାଶ ହେଉଥିଲେ, ଦେହ ହାତ ଘୋଳାବିନ୍ଧା ହେବା ସହିତ ନାକରୁ ପାଣି ବାହାରିଥାଏ । କେବଳ ଏତିକି ନୁହେଁ ଏହି ଭାଇରସର ମ୍ୟୁଟେସନ ବାରମ୍ବାର ହେଉଥିବାରୁ ଏହା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତି କମି ଯାଉଥିବାର ଜଣାପଡ଼ିଛି । ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ସତର୍କ ରହିବାକୁ ବିଶେଷଜ୍ଞମାନେ କହିଛନ୍ତି ।
