ବିଶ୍ୱର ଏକମାତ୍ର ହିନ୍ଦୁ ଦେଶ ଭାବେ ଖୁବ ପରିଚିତ ନେପାଳ। ପଡୋଶୀ ଦେଶ ହିସାବରେ ତଥା ଧର୍ମ ଓ ପରମ୍ପରାରେ ସାମଞ୍ଜସ୍ୟ ଥିବାରୁ ଭାରତ-ନେପାଳ ମଧ୍ୟରେ ସୁସମ୍ପର୍କ ଦେଖିବାକୁ ମିଳେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନେପାଳ ରାଜପରିବାର ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡ଼ିତ ହେବାର ଗୌରବ ଲାଭ କରିଛନ୍ତି । ମହାପ୍ରଭୂଙ୍କ ସେବା ପୂଜାରେ ନେପାଳ ରାଜାଙ୍କୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଇଥାଏ। ଏମିତିକି ରତ୍ନବେଦୀରେ ନେପାଳ ରାଜା ଶ୍ରୀଜଗନ୍ନାଥଙ୍କୁ ପୂଜା କରିଥା’ନ୍ତି । କିମ୍ବଦନ୍ତୀ ଅନୁଯାୟୀ, ପ୍ରଥମ ଯଯାତି କେଶରୀ ବା ମହାଶିବ ଗୁପ୍ତ ଶ୍ରୀମନ୍ଦିରକୁ ଦ୍ୱିତୀୟ ଥର ନିର୍ମାଣ କରିଥିଲେ। ରତ୍ନସିଂହାସନରେ ସେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସେହିପରି ମାଦଳ ପାଞ୍ଜି ଅନୁଯାୟୀ, ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକ୍ରମେ ନେପାଳ ନରପତି ଶଙ୍କର ଦେବଙ୍କ ପାଖକୁ ଭାରତୀ ଆଚାର୍ଯ୍ୟଙ୍କୁ ପଠାଯାଇଥିଲା। ସେଠାରୁ ଦୁଇଟି ଦୁର୍ଲ୍ଲଭ ଶାଳଗ୍ରାମ ସଂଗ୍ରହ କରାଯାଇ ବିଶେଷ ସେବାପୂଜା ପରେ ରତ୍ନମଣ୍ଡପ ଉପରେ ସ୍ଥାପନ କରାଯାଇଥିଲା । ଶଙ୍କରାଚାର୍ଯ୍ୟଙ୍କ ମତରେ ମହାଦେବଙ୍କୁ ଶିଳାଭଦ୍ର, ଶିବପତ୍ନୀ ଯୋଗମାୟାଙ୍କୁ ସୁଭଦ୍ରା ଓ ପୁରୁଷୋତ୍ତମଙ୍କୁ ଶ୍ରୀଜଗନ୍ନାଥ ଭାବେ ପୂଜା କରାଯାଉଛି । ଶ୍ରୀକୃଷ୍ଣଙ୍କ ଆୟୂଧ ସୁଦର୍ଶନ ଚକ୍ରଙ୍କୁ ମଧ୍ୟ ପୂଜା କରାଯାଉଛି । ଦୁଇଟି ମହାର୍ଘ୍ୟ ତଥା ଦୁର୍ଲ୍ଲଭ ବୈଷ୍ଣବ ସନ୍ତକ ସ୍ୱରୂପ ଶିଳା ଦ୍ୱୟ ନେପାଳ ରାଜା ପ୍ରଦାନ କରିଥିଲେ। ରାଜା ଶଙ୍କରଦେବ ପବିତ୍ର ନଦୀ ଗର୍ଭରୁ ଏହି ଶାଳଗ୍ରାମ ପାଇଥିଲେ। ଏହି ଶାଳଗ୍ରାମ ଉଭୟମୁଖୀ ଓ ସୁବର୍ଣ୍ଣଗର୍ଭା । ସେହି ଶାଳଗ୍ରାମ ଦ୍ୱୟ କୁଣ୍ଡଳିନୀ ଚିହ୍ନିତ ଶିଳା। ବିରଳ ଓ ଦୁର୍ଲ୍ଲଭ ଉପହାର ପାଇବା ପରେ ନେପାଳ ଓ ପୁରୀ ରାଜ ପରିବାର ମଧ୍ୟରେ ବିବାହ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ମଧ୍ୟ ଏହି ପରମ୍ପରା ସୁରକ୍ଷିତ ରହିଛି ।
ନେପାଳର ରାଜବଂଶୀୟ ଓ ଜନସାଧାରଣ ସୁବିଧାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବା ପାଇଁ ନେପାଳ ରାଜା ସ୍ୱତନ୍ତ୍ର ପଣ୍ଡାଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ଲାଲମୋହରିଆ ପଣ୍ଡା ବୋଲି କୁହାଯାଉଥିଲା । ସେହି ପଣ୍ଡାମାନଙ୍କୁ ନେପାଳ ରାଜା ରାଜକୀୟ ମୋହର ଦିଆ ଲାଲରଙ୍ଗର ହୁଦା କାନ୍ଧରେ ପକାଇବାକୁ ଦେଉଥିଲେ । ସେହି ମୋହର ରୂପାରେ ତିଆରି ହୋଇଥିବାବେଳେ ସେଥିରେ ରାଜକୀୟ ସନ୍ତକ ରହୁଥିଲା । ପୁରୁଷାନୁକ୍ରମେ ନେପାଳର ଯାତ୍ରୀଙ୍କ ସମ୍ପର୍କରେ ସେମାନଙ୍କ ପାଖରେ ନଥି ରହିଛି । ନେପାଳର ରାଜା ମଧ୍ୟ ମହାପ୍ରଭୂଙ୍କୁ ବହୁ ସୁନା ଗହଣା, ଅଳଙ୍କାର ଦାନ କରିଛନ୍ତି ।
ନେପାଳ ରାଜାଙ୍କ ବ୍ୟତୀତ ସେହି ଦେଶର ଧନୀକମାନେ ମଧ୍ୟ ଶ୍ରୀଜଗନ୍ନାଥ ଦର୍ଶନ କରି ଦାନ କରିଥିବାର ପ୍ରମାଣ ରହିଛି । ୧୯୦୩ରେ ନେପାଳର ଶ୍ରୀନିତଗୋବିନ୍ଦ ନାମକ ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ବିରାଟ ପିତ୍ତଳ ଘଣ୍ଟି ପ୍ରଦାନ କରିଥିଲେ । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଘର ପାଖରେ ଏହି ଘଣ୍ଟି ଏକ ବଡ଼ ଲୌହସ୍ତମ୍ଭରେ ଝୁଲିରହିଛି । ଶ୍ରୀମନ୍ଦିର ପୂଜା ପଦ୍ଧତିରେ ନେପାଳ ରାଜା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସୁଛନ୍ତି ।
ମହାପ୍ରଭୂଙ୍କ ସେବାରେ କସ୍ତୁରୀ ବି ଆବଶ୍ୟକ ହୋଇଥାଏ । ନେପାଳର ରାଜାମାନେ ଏହି କସ୍ତୁରୀ ଯୋଗାଇ ଦେଇଆସୁଥିଲେ । କିନ୍ତୁ ଏବେ ଆଉ ନେପାଳ ରାଜପରିବାରରୁ ଆଗଭଳି କସ୍ତୁରୀ ଆସୁନାହିଁ । ବିଶେଷକରି ବିଗତ କିଛି ବର୍ଷ ଧରି ନେପାଳର ରାଜପରିବାର ଓ ଦେଶର ରାଜନୀତିରେ ଅସ୍ଥିରତା ଲାଗିରହିଛି । ଯେଉଁଥିପାଇଁ ରାଜ ପରିବାରର ଦବଦବା କମିଯାଇଛି । ପୁରୀ ଗଜପତି ମହାରାଜା ମଧ୍ୟ ପୂର୍ବରୁ ନେପାଳରେ ରହୁଥିଲେ । ଏହିପରି ଭାବେ ନେପାଳ ଓ ପୁରୀ ରାଜ ପରିବାର ଘନିଷ୍ଠ ବନ୍ଧୁ ରହିଥିଲେ। ଏବେବି ନେପାଳ ରାଜପରିବାର ଶ୍ରୀମନ୍ଦିର ଆସିଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଦର୍ଶନର ବ୍ୟବସ୍ଥା କରାଯାଇଥାଏ ।
+ There are no comments
Add yours