ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ମା’ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥିସହ ବିବିଧ ସ୍ୱର୍ଣ୍ଣ ଅଳଙ୍କାର ଯଥା ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି, ଶ୍ରୀପୟର ଶ୍ରୀଭୁଜ, ହରିଡ଼ା ମାଳି, ବାହାଡା ମାଳି ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ବିଗ୍ରହମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ ।ଏହା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର, ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ । ଜଗନ୍ନାଥ, ବଳଭଦ୍ରଙ୍କୁ ଲୁଗାକଛା ମାରି ପିନ୍ଧାଇ ଦିଆଯାଏ । ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କ ଦ୍ବାରା ଏହି ବେଶର ପ୍ରଚଳନ ହୋଇଥିଲା । ପବିତ୍ର କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ପଞ୍ଚୁକର ପାଞ୍ଚ ଦିନ ଭିନ୍ନ ଭିନ୍ନ ବେଶରେ ସଜେଇ ହୋଇଥାନ୍ତି ମହାପ୍ରଭୁ । ତେବେ ପବିତ୍ର ପଞ୍ଚୁକ ଅବସରରେ ଅତି ନିଷ୍ଠାର ସହ ଯେଉଁମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।