

ରାୟଗଡା ( ଅଜିତେଶ ପଟ୍ଟନାୟକ ) : ରାୟଗଡ ଜିଲ୍ଲାରେ ଆଦିବାସୀଙ୍କୁ ଠକି ଆସୁଥିବା ଡାକ୍ତର ରାମମୋହନ ରାଓଙ୍କୁ ଓଡିଶା ସରକାରଙ୍କ କୋରାପୁଟ ଜିଲ୍ଲା ଭେଟି । ବର୍ଷ ବର୍ଷ ଧରି ପାମୋଲିନ ଚାଷ କରି ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖିଥିବା ଆନ୍ଧ୍ର ବ୍ୟବସାୟୀଙ୍କୁ କୋରାପୁଟରେ ପୁଣି ନିଜର କାୟା ବିସ୍ତାର ପାଇଁ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗର ଅହେତୁକ ଅନୁକମ୍ପା । ବିଜ୍ଞପ୍ତି ନଥାଇ କୋରାପୁଟ ଜିଲ୍ଲାପାଇଁ ରାଜ୍ୟ ଉଦ୍ୟାନ ବିଭାଗ ସହ ଚୁକ୍ତି ବା ଏମଓୟୁ ଦସ୍ତଖତ ଯୋଜନାଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲାରେ ସରକାରୀ ଜମିକୁ ବଳପୂର୍ବକ ଜବର ଦଖଲ କରିଥିବା ନେଇ ଡାକ୍ତରଙ୍କ ନାମରେ ବନ୍ଧୁଗାଁ ତହସିଲଦାରଙ୍କ ଏତଲା ଦେଇସାରିଛନ୍ତି । ତଥାପି ଗତ ମେ ୩୦ ତାରିଖରେ ଚୁକ୍ତିପାଇଁ କାହିଁକି ତତ୍ପର ହେଲା ବିଭାଗ ତାହା ଘୋର ସନ୍ଦେହ ଘେରରେ । ସରକାରଙ୍କ ଏହି ନିଷ୍ପତ୍ତି ଥମି ଯାଇଥିବା ଜମି ଆନ୍ଦୋଳନର ପୁନରାବୃତ୍ତି କରି କଡ ଲେଉଟାଇବାର ସମ୍ଭାବନା ଦେଖାଦେଇଛି ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପୁଣି କଡ ଲେଉଟାଇବନି ତ ଜମି ଆନ୍ଦୋଳନ ? ଶାନ୍ତ ପରିବେଶ ଅଶାନ୍ତ ହେଇଯିବନି ତ ? ଜିଲ୍ଲାବାସୀଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରିବା ସ୍ଵାଭାବିକ । ଆନ୍ଧ୍ରର ଡାକ୍ତର ଡି.ରାମମୋହନ ରାଓଙ୍କ ସହ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗର ହେବାକୁ ଥିବା ଏମଓୟୁ ଦସ୍ତଖତ ପରେ ଶାନ୍ତ ପରିବେଶ ଅଶାନ୍ତ ହୋଇଯିବାର ବର୍ତ୍ତମାନ ଆଶଙ୍କା ଦେଖାଦେଇଛି ।
ରାମମୋହନ ରାଓ କର୍ଷକ ମହର୍ଷି ଅଏଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ । ଆନ୍ଧ୍ର ପ୍ରଦେଶ ରାଜ୍ୟ ସୀମାନ୍ତ ପାର୍ବତିପୁରମର ବାସିନ୍ଦା । ପେଷାରେ ଜଣେ ଡାକ୍ତର । କିନ୍ତୁ ସୀମା ପାରହୋଇ ଓଡିଶା ଆଦିବାସୀ ଜମି ଉପରେ ଲୋଲୁପ ଦୃଷ୍ଟି । ବେଆଇନ ରୂପେ ଜମିସବୁକୁ ନିଜ କବଜାରେ ରଖି ପାମୋଲିନ ଚାଷ କରିବାର ନିଶା ପ୍ରବଳ ଘାରିଛି ଏହି ବାବୁଙ୍କୁ । ଲିଜ ନାମରେ ଆଦିବାସୀ ଜମିକୁ ଗତ ୧୭ରୁ ୨୫ବର୍ଷ ଧରି ନିଜ ଅଧିନରେ ରଖି ରାୟଗଡା ଜିଲ୍ଲାରେ ପାମୋଲିନ ଚାଷ ନାମରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି ଏହି ଡାକ୍ତର । ଜିଲ୍ଲାର ଗୁଣପୁର ଓ ରାୟଗଡ ଉପଖଣ୍ଡରେ ହଜାର ହଜାର ଏକର ଆଦିବାସୀ ଜମି ସହ ଅଣ ଆଦିବାସୀ ଜମିକୁ ନିଜ କବଜାରେ ରଖିଛନ୍ତି । ସରକାରଙ୍କ ଘୋଷିତ କୌଣସି ବିଧିବଦ୍ଧ ଚୁକ୍ତିନାମା ନାହିଁ କି ରାଜସ୍ୱ ବିଭାଗ ବା ନିବନ୍ଧକ କାର୍ଯ୍ୟାଳୟରେ କୌଣସି ପଞ୍ଜିକରଣ ମଧ୍ୟ ନାହିଁ । ୪ରୁ ୬ହଜାର ଟଙ୍କାଦେଇ ବର୍ଷ ବର୍ଷ ଧରି ରାୟଗଡ ଜିଲ୍ଲାର ଆଦିବାସୀଙ୍କୁ ଠକି ଚାଲିଛନ୍ତି ଏହି ଡାକ୍ତର ଜଣକ ଯାହାକୁ ନେଇ ଗତ ୧ମାସ ଧରି ବିଭିନ୍ନ ଗଣମାଧ୍ୟମରେ ଡାକ୍ତରଙ୍କ କାରନାମାର ଖୁଲାସା ହୋଇଆସୁଛି । କୋରାପୁଟ ଜିଲ୍ଲାର ୩୦ରୁ ୪୦ଏକର ସରକାରୀ ଓ ଗୋଚର ଜମିକୁ ମଧ୍ୟ ଏହି ଡାକ୍ତର ଛାଡିନାହାନ୍ତି । ଆଉ ଏଇଥିପାଇଁ ଉକ୍ତ ଜମିରେ ନାଲି ପତାକା ପୋତି ବନ୍ଧୁଗାଁର ତହସିଲଦାର ସେଠାରେ ୧୪୪ ଧାରା ଜାରି କରିବା ସହ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରିଥିବା ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚହଳ ପଡିଯାଇଥିଲା ।
ପ୍ରାୟ ୨୦୦୩ ମସିହାରୁ ଓଡିଶା ସୀମାନ୍ତ ଓ ଏଠାକାର ଆଦିବାସୀ ଜମିକୁ ହଡପ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଦିବାସୀ ଜମିକୁ ବେନାମୀ ଲିଜ ଆକାରରେ ନେବା ସହ ଉଦ୍ୟାନ କୃଷି ବିଭାଗ ସହ ହାତ ମିଳେଇ ପାମୋଲିନ ମଞ୍ଜିରୁ ତେଲ ଉତ୍ପାଦନ କରୁଥିବା ମିଲ୍ ସୀମାନ୍ତ ଅତଡା ଗାଁରେ ସ୍ଥାପନ କରି ବ୍ୟାଙ୍କରୁ ପ୍ରାୟ ୧୧.୫୦ କୋଟି ଟଙ୍କା ଋଣ କରି ଏଥିରୁ ଓଡିଶା ସରକାରଙ୍କ ପ୍ରଦତ୍ତ ପ୍ରାୟ ୫ କୋଟି ଟଙ୍କା ରିହାତି ଅର୍ଥକୁ ହଡପ କରିଛନ୍ତି ଏହି ଡାକ୍ତର । କିଛି ବର୍ଷ ପରେ ତାହାକୁ ରୁଗଣ ଦର୍ଶାଇ ସମସ୍ତ ଯନ୍ତ୍ରାଂଶକୁ ଆନ୍ଧ୍ର ପ୍ରଦେଶ ନେଇ ସେଠାରେ ବେଧଡକ ଭାବେ ୨୦ କୋଟି ଟଙ୍କାରେ ବିକ୍ରି କରି ଦେଇଛନ୍ତି । ଆଉ ଓଡିଶାର ସମସ୍ତ ଉତ୍ପାଦିତ କଂଚାମାଲକୁ ସେଠାକୁ ନେଇ ତେଲ ପ୍ରସ୍ତୁତ କରି ଲାଭବାନ ହେଉଥିବା ବେଳେ ଓଡିଶାର ଆଦିବାସୀ ଜମି ମାଲିକମାନେ ବାର୍ଷିକ ୪ରୁ ୬ହଜାର ଟଙ୍କା ମାତ୍ର ଜମି ଲିଜ ବାବଦକୁ ପାଇ ଜଳକା ସାଜିଛନ୍ତି । ଆଉ ଏହି ବେଆଇନ କାର୍ଯ୍ୟର ଦେଖଣାହାରୀ ସାଜିଛନ୍ତି ଏଠାକାର ପ୍ରଶାସନ ।
ଏଭଳି କଳା କାରନାମାକୁ କାନ୍ଧେଇଥିବା ଡାକ୍ତରଙ୍କୁ ନିକଟରେ ପୁଣି କୋରାପୁଟ ଜିଲ୍ଲାରେ ପାମୋଲିନ ଚାଷ ଓ ଚାଷୀକୁ ଶସକ୍ତ କରିବାର ଦାୟୀତ୍ୱ ଦେଇଛି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ । ରାୟଗଡ ଜିଲ୍ଲାରେ ଆଦିବାସୀ ଜମିରେ ଗଛ ଲଗାଇ କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ଏହି ଡାକ୍ତର କୋରାପୁଟ ଜିଲ୍ଲାରେ କରିବେ ପାମୋଲିନ ଚାଷର ପ୍ରଚାର ଓ ପ୍ରସାର କରି ପୁଣି ସରକାରଙ୍କ ମିଲି ଭଗତରେ କୋଟି କୋଟି ଟଙ୍କା ହଡପ କରିବେ । ରାଜ୍ୟ ଉଦ୍ୟାନ କୃଷି ବିଭାଗ ସମ୍ପୃକ୍ତ ଡାକ୍ତରଙ୍କ ସହ ଚୁକ୍ତିନାମାରେ ସ୍ୱାକ୍ଷର କରିବାପାଇଁ ଚଳିତ ବର୍ଷ ମେ ମାସର ୨୦ ତାରିଖରେ ଚିଠି ନମ୍ବର-୫୪୫୦ରେ ତାଙ୍କୁ ପଠାଇଛି । ଆଉ ସେହି ଚିଠିରେ କର୍ଷକ ମହର୍ଷି ଅଏଲ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କୁ ଭୂବନେଶ୍ୱର ଡକାଇ ଓଡିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ସହ ହେବାକୁ ଥିବା ଏମଓୟୁ ଦସ୍ତଖତ କରିବାର ପ୍ରୟାସ କରାଯାଇଛି । ପରିଣାମ ସ୍ୱରୁପ ଜମି ଆନ୍ଦୋଳନକୁ ନେଇ ବହୁ ଚାଷୀଙ୍କ ବଳିଦାନ ପରେ ଶାନ୍ତି ଫେରିଥିବା କୋରାପୁଟ ଜିଲାରେ ପୁଣି ଅଶାନ୍ତିର ବହ୍ନି ଜଳିବାର ଗନ୍ଧ ସ୍ପଷ୍ଟରୂପେ ବାରିହୋଇପଡୁଛି । ପୁଣି ଆଦିବାସୀ ଜମିରେ ସାହୁକାର ରାଜ ଆରମ୍ଭ ହେବାକୁ ମସୁଧା ଚାଲିଥିବା ପରିଲକ୍ଷିତ ହେଉଛି । ଆଉ ଜମି ଆନ୍ଦୋଳନ ମୁଣ୍ଡ ଟେକିବାର ଯଥେଷ୍ଟ ଆଶଙ୍କା ରହିଥିବା ଜଣେ ସ୍ୱେଚ୍ଛାସେବୀ ରାଧାକୃଷ୍ଣ ଆଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି ।
କର୍ଷକ ମହର୍ଷି ଅଏଲ ପ୍ରାଇଭେଟ ଲିମିଟେଡ ମାତ୍ର ବର୍ଷେ ଦୁଇ ମାସ ତଳେ ଭାରତ ସରକାରଙ୍କ କର୍ପୋରେଟ ଏଫାୟାର୍ସ ମନ୍ତ୍ରଣାଳୟ ଦ୍ଵାରା ପଞ୍ଜୀକୃତ ହୋଇଛି । ନିୟମ ଅନୁସାରେ ଯେଉଁ କମ୍ପାନୀ ଏହି କାର୍ଯ୍ୟ ପାଇବ, ତାର ପାମୋଲିନ ଚାଷ ଉପରେ ଅଭିଜ୍ଞତା, ଓଡିଶାରେ ଫଳ ଚାଷ ଉପରେ ଅଭିଜ୍ଞତା, ଗତ ଆର୍ଥିକ ବର୍ଷରେ ୧୫୦ କୋଟି ଟଙ୍କାର କାରବାର ଓ ଏକ ପାମୋଲିନ ତେଲ ଫ୍ୟାକ୍ଟ୍ରି ଥିବା କଥା; କିନ୍ତୁ କର୍ଷକ କମ୍ପାନୀ ଏସବୁ ମାନଦଣ୍ଡ ବାହାରେ ଥାଇ ମଧ୍ୟ ସରକାର ଏହା ସହ କିଭଳି ଚୁକ୍ତି କରୁଛନ୍ତି, ତାହା ଘୋର ସନ୍ଦେହ ସୃଷ୍ଟି କରୁଛି । ଏହି କମ୍ପାନୀର ଚୁକ୍ତି ବାତିଲ କରି ଆଉ ଏକ ଯୋଗ୍ୟ କମ୍ପାନୀକୁ ଦାୟିତ୍ୱ ଦେବାକୁ ଓଡିଶା ସରକାରଙ୍କ କୃଷି ବିଭାଗ ଦ୍ଵାରା ପୁରସ୍କୃତ ହୋଇଥିବା ଜିଲ୍ଲାର ଅଗ୍ରଣୀ ଚାଷୀ ବିଜୟ ମିଶ୍ର ଦାବି ଜଣାଇଛନ୍ତି ।
ରାୟଗଡ଼ାରୁ ଅଜିତେଶ୍ ପଟ୍ଟନାୟକ,ଶବ୍ଦ ମିଡିଆ