Wed. Oct 14th, 2026

ସଙ୍ଗୀତ କଥା ଆସିଲେ ମନେ ପଡ଼େ ତାଙ୍କ କଥା, ଯିଏ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସଙ୍ଗୀତ ପାଇଁ । ଭଜନ ତାଙ୍କ ବିନା ଅଧୁରା । ଜଗନ୍ନାଥଙ୍କ ଭକ୍ତି ତାଙ୍କ କଣ୍ଠାଦାନ ବିନା ଅଧୁରା । ସେ ଆଉ କେହି ନୁହଁନ୍ତି । ନାଁ ଥିଲା ଭିକାରୀ। କିନ୍ତୁ ଭଜନ ପ୍ରେମୀଙ୍କ ହୃଦୟରେ ସେ ଥିଲେ ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ। ମହାପ୍ରଭୁଙ୍କ ଭଜନ ଥିଲା ତାଙ୍କ ଗଳାମାଳି। ଦର୍ଶନ ପାଇଁ ଇଚ୍ଛା ହେଲେ ଅନାୟାସରେ ଧାଇଁ ଆସୁଥିଲେ ଶ୍ରୀକ୍ଷେତ୍ର। ଗରୁଡ଼ ସ୍ତମ୍ଭ ପାଖରେ ବାହା ପ୍ରସାରି ଭଜନ ଗାଇଲା ବେଳେ ନିଗିଡ଼ି ଆସୁଥିଲା ଅଶ୍ରୁଧାର। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏହି ନିବିଡ଼ତା ଯିଏ ଦେଖିଛି, ସେ ଅଭିଭୂତ ହୋଇଛି।
କେନ୍ଦ୍ରାପଡ଼ା ଜିଲ୍ଲା (ତତ୍କାଳୀନ କଟକ ଜିଲ୍ଲା)ର ସୋବଳ ଗ୍ରାମର ରାମଚନ୍ଦ୍ର ବଳ, ଗେଲ୍ଲାରଣୀ ଦେବୀଙ୍କଠାରୁ ୧୯୨୯ ମସିହା ମେ’ ମାସ ୨୫ ତାରିଖରେ ଜନ୍ମ ନେଇଥିଲେ ଭିକାରୀ। ପିଲା ବେଳେ ତାଙ୍କ ପିତାମାତା ଆରପାରିକୁ ଚାଲିଗଲେ। ପିଲାବେଳୁ ଗାଁ’ରେ ଗଢ଼ି ଉଠିଥିବା ଯାତ୍ରା ପାର୍ଟିରେ ସେ ଯୋଗଦେଇ ଗୀତ ଓ ଅଭିନୟ ଶିଖିବା ସହ ହାର୍ମୋନିୟମ ବଜାଇଲେ। ପରିବାର ବୋଝ ସମ୍ଭାଳିବାକୁ ୬୦ ଟଙ୍କା ବିନିମୟରେ ୧୯୬୦ ମସିହାରେ କଟକ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଭାବେ ଯୋଗଦେଲେ। ଆକାଶବାଣୀରେ ସୁଯୋଗ ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ ‘ପ୍ରାଣ ମିତଣି ବାରେ ଚାହାଁରେ..’ ଗୀତ ପାଇଁ ସେ ‘ଏ ଗ୍ରେଡ୍’ କଣ୍ଠଶିଳ୍ପୀର ମାନ୍ୟତା ପାଇଲେ। ସତୁରି ଦଶକରେ ‘କୋଠଭୋଗ ଖିଆ ମୋ ଚକା ଆଖିଆ.. ଓ ‘ଷାଠିଏ ପଉଟି ଭୋଗରୁ ତୁମର..’ ଭଳି ଗୀତ ତାଙ୍କୁ ଅଜସ୍ର ପ୍ରସିଦ୍ଧି ଆଣି ଦେଇଥିଲା। ପୁରୀର ଗଜପତି ମହାରାଜା ତାଙ୍କ ଭଜନରେ ପ୍ରୀତ ହୋଇ ତାଙ୍କୁ ଭଜନ ସମ୍ରାଟ ଉପାଧି ଦେଇଥିଲେ। ୨୫ରୁ ଅଧିକ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଗାଇଥିଲେ ଭିକାରୀ ବଳ। ଭକ୍ତ ସାଲବେଗ, ଅଗ୍ନି ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ରରେ ଗୀତ ଗାଇ ଇତିହାସ ରଚିଥିଲେ। ୨୦୧୦ ମସିହା ନଭେମ୍ବର ୨ରେ ସେ ପ୍ରାଣତ୍ୟାଗ କରିଥିଲେ। ତାଙ୍କ କଣ୍ଠ ସବୁଦିନ ପାଇଁ ବିରାମ ନେଇଥିଲେ ମଧ୍ୟ ସଂଗୀତପ୍ରେମୀ ଓ ଜଗନ୍ନାଥଙ୍କ ଭକ୍ତ ମହଲରେ ତାଙ୍କର ସୁମଧୂର କଣ୍ଠ ସ୍ମରଣୀୟ ହୋଇ ରହିଛି। ଏବେ ବି କାର୍ତ୍ତିକ ପୂର୍ଣ୍ଣମୀ ଆସିଲେ ପତିତପାବନଙ୍କ ସମ୍ମୁଖରେ ଚାଲିଥିବା ଭଜନ ସମାରୋହରେ ମନେପଡ଼ନ୍ତି ଭିକାରୀ। ତାଙ୍କ ଅବର୍ତ୍ତମାନରେ ବି ସେଇଠୁ ଶୁଭେ ‘ମିଛ ଦୁନିଆରେ ଗୋଟିଏ ସତ, ଜଗନ୍ନାଥ ସେ ତ ଜଗନ୍ନାଥ..’।

Leave a Reply

Your email address will not be published. Required fields are marked *