Wed. Oct 14th, 2026

ବେଦ ଆମର ମୂଳଦୁଆ । ସେଥିରୁ ହିଁ ଆରମ୍ଭ ହୋଇଛି ବିକାଶର ଧାରା । ସଂସ୍କୃତ ଭାଷାରେ କଥା ହୋଇ ବୈଜ୍ଞାନିକମାନେ କରୁଥିଲେ ନୂଆ ନୂଆ ପରୀକ୍ଷା ନିରୀକ୍ଷା । ଏପରି କିଛି କହିଛନ୍ତି ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ।ବୀଜ ଗଣିତ, ବର୍ଗମୂଳ, ସମୟର ଧାରଣା, ସ୍ଥାପତ୍ୟ, ବ୍ରହ୍ମାଣ୍ଡର ଆକାର, ଧାତୁ-ଶୋଧନ ଏବଂ ବିମାନଚଳନ ଆଦି ପ୍ରସଙ୍ଗ ପ୍ରଥମେ ବେଦରେ ଥିଲା। କ୍ରମେ ତାହା ଆରବ ଦେଶ ମାଧ୍ୟମରେ ୟୁରୋପକୁ ଯାଇ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ଆବିଷ୍କାର ଭାବେ ପୁନଃଉପସ୍ଥାପ କରାଯାଇଛି ବୋଲି ବୁଧବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ୟା ହେଲା ସେ ସମୟରେ ଭାତୀୟ ବୈଜ୍ଞାନିକମାନେ ବ୍ୟବହାର କରୁଥିବା ଭାଷା ଥିଲା ସଂସ୍କୃତ। ସଂସ୍କୃତ ଭାଷାର ଲିପି ନ ଥିଲା। ପାଠ ଶୁଣି ଶୁଣି ମନେ ରଖାଯାଉଥିଲା। ଏମିତି ଭାବେ ସଂସ୍କୃତ ଭାଷା ତିଷ୍ଠି ରହିଥିଲା। ପରେ ଲୋକେ ‘ଦେବନାଗରୀ’ ଲିପି ବା ଅକ୍ଷରକୁ ସଂସ୍କୃତ ଭାଷା ପାଇଁ ବ୍ୟବହାର କଲେ।ବୁଧବାର ଦିନ ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ‘ମହର୍ଷି ପାଣିନି ସଂସ୍କୃତ ଏବଂ ବୈଦିକ ବିଶ୍ବବିଦ୍ୟାଳୟ’ର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦୀକ୍ଷାନ୍ତ ଭାଷଣ ଦେବା ବେଳେ ସୋମନାଥ ଉପରୋକ୍ତ କଥା କହିଛନ୍ତି। ପାଣିନି ସଂସ୍କୃତ ବ୍ୟାକରଣର ପ୍ରଣେତା ବୋଲି ବିଶ୍ବାସ କରାଯାଏ।ସୋମନାଥ କହିଛନ୍ତି, ବୈଜ୍ଞାନିକମାନଙ୍କୁ ସେମାନଙ୍କ ଭାବନା ଓ ପ୍ରକ୍ରିୟା ପରିପ୍ରକାଶ ପାଇଁ ସଂସ୍କୃତ ଭାଷା ସୁହାଇଲା। ତେଣୁ, ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ମାନେ ସଂସ୍କୃତ ଭାଷାକୁ ଖୁବ୍ ପସନ୍ଦ କଲେ। କମ୍ପ୍ୟୁଟର୍ ଉପଯୋଗୀ ହୋଇଥିବାରୁ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍’ ଶିକ୍ଷା କରୁଥିବା ଶିକ୍ଷାର୍ଥୀମାନେ ଏବେ ସଂସ୍କୃତ ଶିଖୁଛନ୍ତି। ଏ କ୍ଷେତ୍ରରେ ସଂସ୍କୃତକୁ କିଭଳି ବ୍ୟବହାର କରାଯାଇ ପାରିବ, ସେଥିପାଇଁ ବ୍ୟାପକ ଗବେଷଣା ଚାଲିଛି।ବିଜ୍ଞାନ ବ୍ୟତିରେକେ, ସଂସ୍କୃତ ଭାଷାରେ ଲିଖିତ ଭାରତୀୟ ସାହିତ୍ୟ ତା’ର ମୌଳିକତା ଏବଂ ଦାର୍ଶନିକତା ରୂପରେ ଖୁବ୍ ସମୃଦ୍ଧ। ସଂସ୍କୃତରେ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଅଧ୍ୟୟନରେ ପୃଥକୀକରଣ ନାହିଁ ବୋଲି ସୋମନାଥ କହିଛନ୍ତି।ସଂସ୍କୃତ ଭାଷାରେ ଲିଖିତ ଜ୍ୟୋତିର୍ବିଜ୍ଞାନ, ଔଷଧ, ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ବିମାନ-ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଅନୁସନ୍ଧାନ ଓ ଗବେଷଣା କରାଯାଇନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *