ରାୟଗଡ଼ାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରମୁଖ ଯୋଗ ଦେଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ସେହିପରି ସଂଧ୍ୟାରେ ଅନୁଷ୍ଠିତ ସାଧାରଣ ସଭା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ପ୍ରଦେଶ ଗଠନରେ ଓଡିଆ ମହାପୁରୁଷମାନଙ୍କ ଭୂମିକା ଏବଂ ଆଜିର ପ୍ରଗତିଶୀଳ ଓଡିଶାରେ ସମସ୍ତ ବର୍ଗର ବିକାଶ ଉପରେ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସେହିପରି ବିଶିଷ୍ଠ ଅତିଥି ବୃନ୍ଦ ମଧ୍ୟରେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଜିଲ୍ଳାପାଳ ସ୍ୱଧାଦେବ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ ଏବଂ ମୁଖ୍ୟ ବକ୍ତା ଭାବେ ଡିଏଭି ସ୍ୱଂୟଶାସିତ ମହାବିଦ୍ୟାଳୟ, ଟିଟିଲାଗଡର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଛାୟାକାନ୍ତ ଷଡଙ୍ଗୀ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ବେଳେ ଆଜକୁ ୮୮ବର୍ଷ ବିତିଗଲାଣି । ବର୍ତମାନ ରାଜ୍ୟ ସରକାର ଓଡିଶାକୁ ବିଶ୍ୱସ୍ତରରେ ପରିଚିତ କରାଇ ପାରିଥିବା ବେଳେ ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ନିଯୁକ୍ତି କ୍ଷେତ୍ରରେ ତଥା ଶିକ୍ଷିତ ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଯୋଜନା ପ୍ରଣୟନ କରି ସମସ୍ତଙ୍କୁ ଉପକୃତ କରିପାରିଛନ୍ତି । ତେଣୁ ଓଡିଶାରେ ଓଡ଼ିଆ ଭାଇ ଭଉଣୀମାନେ ଏବେ ଆଗେଇ ଚାଲିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ । ଉପାନ୍ତ ରାୟଗଡା ଜିଲ୍ଳା ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମୋର କର୍ମଭୂମି ଭାବେ ମୋତେ ଜିଲ୍ଳାପାଳ ଭାବେ ନିଯୁକ୍ତ ଦେଇ ଏହି ଜିଲ୍ଳାର ବିକାଶକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ସୁଯୋଗ ଦେଇଥିବାରୁ ମୁଁ କୃତଞତା ଜଣାଉଛି ବୋଲି ଜିଲ୍ଳାପାଳ ସ୍ୱଧାଦେବ ସିଂ କହିଥିଲେ । ସେହିପରି ଅନ୍ୟ ଅତିଥିମାନେ ଓଡିଆ ଭାଷା ଓ ସଂସ୍କୃତିକୁ ଉଜ୍ଜୀବିତ ତଥା ସମୃଦ୍ଧ କରିବା ପାଇଁ ଆହ୍ୱନ ଦେଇଥିବା ବେଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷମାନଙ୍କ ଉଦ୍ୟମକୁ ସ୍ମୃତି ଚାରଣ କରିଥିଲେ ।

ଓଡିଶା ଦିବସ ପାଳନ ଅବସରରେ ଅପରାହ୍ନରେ ମା ସାରଳା ସ୍ୱଂୟ ସହାୟିକା ଗୋଷ୍ଠୀ ଆନୁକୂଲ୍ୟରେ ଓଡିଆ ଥାଳିରେ ଓଡିଆ ଖାଦ୍ୟ ଏବଂ ମହିଳାଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ ଚେୟାର, ମେହେନ୍ଦି, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରେ ପଂଚବଟି ସାହିତ୍ୟ ସଂସଦ, ରାୟଗଡା ତରଫରୁ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାର ବିଭିନ୍ନ କୋଣ ଅନୁକୋଣରୁ କବି ଓ ଲେଖକମାନେ ଯୋଗ ଦେଇ ସୁନ୍ଦର କବିତା ପାଠୋତ୍ସବ କରିଥିଲେ । ସେହିପରି ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକୃତା, ପ୍ରବନ୍ଧ, କଣ୍ଠ ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ପ୍ରତିଯୋଗୀଙ୍କ ସମେତ ଅନ୍ୟ ବର୍ଗଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ଲାଭ କରିଥିବା ପ୍ରତିଯୋଗୀଙ୍କୁ ସଭା ମଂଚରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ଜିଲ୍ଳାରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ରହିଥିବାରୁ ଆଦର୍ଶ ଶିକ୍ଷକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଜଗଦୀଶ ଦୋରାଙ୍କୁ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ମାନପତ୍ର ଓ ୨୫ହଜାର ଟଙ୍କା ଆର୍ଥିକ ପୁରସ୍କାର ରାଶି ସହ ଉପଢୈାକନ ଦିଆଯାଇ ମଂଚରେ ସମ୍ମାନୀତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

You May Also Like

More From Author

+ There are no comments

Add yours