Thu. Oct 15th, 2026

ସଡ଼କ ଦୁର୍ଘଟଣାରେ ଅମୂଲ୍ୟ ଜୀବନ ଯିବା ସହ ବ୍ୟାପକ ଧନ ହାନୀ ମଧ୍ୟ ଘଟୁଛି। ବିଶେଷ ଭାବେ ୧୫-୪୫ ବର୍ଷ ବୟସର ବ୍ୟକ୍ତିଙ୍କ ବିୟୋଗ ମାତ୍ରାଧିକ। ତେଣୁ ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଅପ୍ରେଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ। ସର୍କିଟ ହାଉସ ଠାରେ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଲୋକମାନଙ୍କୁ ସଚେତନ କରିବା ଓ ଅମାନିଆମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିନା ହେଲମେଟ, ବିନା ସିଟବେଲ୍ଟ, ମାଦକ ଦ୍ରବ୍ୟ ସେବନ, ମୋବାଇଲ ବ୍ୟବହାର ଇତ୍ୟାଦି କରି ଗାଡି ଚାଳନା, ଓଭର ଲୋଡିଂ, ଦ୍ରୁତ ଗାଡିଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି। ତେଣୁ ଏ କ୍ଷେତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗର ନିୟମ ଅନୁସାରେ ଫାଇନ ଆଦାୟ, ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ଇତ୍ୟାଦି କଟକଣାକୁ କଡ଼ାକଡ଼ି କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ୨୦୨୧ ମସିହାରେ ୧୯୭ ଦୁର୍ଘଟଣା ଘଟି ୧୨୬ ମୃତ୍ୟୁ ହୋଇଥିଲା ବେଳେ ୨୦୨୨ ର ୧୯୭ ଟି ଦୁର୍ଘଟଣା ଘଟି ୧୪୬ ଜଣଙ୍କ ମୃତ୍ୟୁ ସୋଇଥିଲା।

୨୦୨୩ ଫେବୃଆରୀ ଶେଷ ସୁଦ୍ଧା ୨୬ ଟି ଦୁର୍ଘଟଣା ରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୨ରେ ବିନା ହେଲମେଟ, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ମୋବାଇଲ ବ୍ୟବହାର ଓ ମାଦକ ଦ୍ରବ୍ଯ ସେବନ କରି ଗାଡି ଚାଳନା, ଦ୍ରୁତ ଗତିରେ ଗାଡ଼ି ଚାଳନା ଇତ୍ୟାଦି କ୍ଷେତ୍ରରେ ୭୭୩୦ ଜଣଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଓ ୧୩୦୭ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି। ୨୦୨୩ରେ ଫେବ୍ରୁଆରୀ ଶେଷ ସୁଦ୍ଧା ୧୯୮୦ ଟି ଘଟଣାରେ ୩୯୭ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଟ୍ରାଫିକ ଡିଏସପି ନିରଞନ ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଏସି ଏସ ଓ ଜାନକୀ ବଲ୍ଲଭ ହାବଡା ସିଂହ, ବସ ମାଲିକ ସଂଘର କର୍ମକର୍ତ୍ତା, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *