Thu. Oct 15th, 2026

ଯଦି ଘରର ଝିଅକୁ ବିବାହ ସମୟରେ ଯୌତୁକ ଦିଆଯାଇଥାଏ ତଥାପି ସେ ପାରିବାରିକ ସମ୍ପତ୍ତିରେ ତାର ଅଧିକାର ଜାହିର କରିପାରିବ। ଏକ ମାମଲାର ଶୁଣାଣିରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଏହା କହିଛନ୍ତି। ଆବେଦନକାରୀ ତାଙ୍କୁ ୪ ଭାଇ ଓ ମାଙ୍କ ପକ୍ଷରୁ ସମ୍ପତ୍ତିରେ ଭାଗ ଦିଆଯାଉ ନଥିବା ଅଭିଯୋଗ କରିଥିଲେ।ତେବେ ଗୋଆ ବେଞ୍ଚର ଜଷ୍ଟିସ୍ ମହେଶ ସୋନକ ତର୍କକୁ ଖାରଜ କରିଦେଇଛନ୍ତି। କହିଛନ୍ତି ଯେ ଯଦି ଝିଅମାନଙ୍କୁ କିଛି କିଛି ଯୌତୁକ ଦିଆଯାଇଥିଲା ଏହାର ଅର୍ଥ ନୁହେଁ ଝିଅମାନଙ୍କର ପାରିବାରିକ ସମ୍ପତ୍ତିରେ କୌଣସି ଅଧିକାର ନାହିଁ। ସେହିପରି ପୀଠ କହିଛନ୍ତି ଯେ ପିତାଙ୍କ ପରଲୋକ ପରେ ଭାଇମାନେ ଯେପରି ଝିଅମାନଙ୍କର ଅଧିକାର ସମାପ୍ତ କଲେ ସେପରି ସମାପ୍ତ କରାଯିବା କଥା ନୁହେଁ। ତେବେ ସବୁଠୁ ବଡ଼ କଥା ହେଉଛି ଝିଅମାନଙ୍କୁ ବିବାହ ସମୟରେ ପର୍ଯ୍ୟାପ୍ତ ଯୌତୁକ ଦିଆଯାଇଥିଲା କି ନା ତାହା ମଧ୍ୟ କୋର୍ଟରେ ସ୍ପଷ୍ଟ ହୋଇ ନାହିଁ ବୋଲି ପୀଠ କହିଛନ୍ତି।ଆବେଦନକାରୀ କୋର୍ଟରେ ତାଙ୍କ ପରିବାର ସମ୍ପତ୍ତିରେ ଭାଇମାନେ ଓ ମାଙ୍କ ପକ୍ଷରୁ ଥାର୍ଡପାର୍ଟି ରାଇଟ୍‌ କରାଯିବା ବିରୋଧରେ ଆଦେଶ ଦାବି କରିଥିଲେ। ମହିଳା କହିଛନ୍ତି ଯେ ତାଙ୍କ ମା ଓ ଅନ୍ୟ ଭଉଣୀମାନେ ୧୯୯୦ ମସିହାରେ ହୋଇଥିବା ଟ୍ରାନ୍ସଫର ଡିଡରେ ଭାଇମାନଙ୍କ ସପକ୍ଷରେ ସହମତି ଦେଇଥିଲେ। ସେହି ଅନୁସାରେ ପରିବାରର ଦୋକାନ ଓ ଘର ଭାଇମାନଙ୍କୁ ମିଳିଯାଇଛି।

ତେବେ ଆବେଦନକାରୀଙ୍କୁ ଏ ସମ୍ପର୍କରେ ୧୯୯୪ ମସିହାରେ ଜଣା ପଡିଥିଲା ଓ ଏହା ବିରୋଧରେ ସେ ସିଭିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଭାଇମାନଙ୍କର କହିବା କଥା ହେଲା ପୈତୃକ ସମ୍ପତ୍ତିରେ ଭଉଣୀମାନଙ୍କର କୌଣସି ଅଧିକାର ନାହିଁ। ଭାଇମାନେ ଏହା ମଧ୍ୟ ତର୍କ ଦେଇଥିଲେ ଯେ ଲିମିଟେସନ ଆକ୍ଟରେ ସେତେବେଳେ କାର୍ଯ୍ୟାନୁଷ୍ଠାନକୁ ରୋକା ଯାଇଥିଲା। ଏହା ଉପରେ ଜଷ୍ଟିସ୍ ସୁନକ କହିଛନ୍ତି ଯେ ଆବେଦନକାରୀ ପୂର୍ବରୁ ଜଣାଇଛନ୍ତି ଯେ ଘଟଣା ସମ୍ପର୍କରେ ତାଙ୍କୁ ୧୯୯୪ ମସିହାରେ ଜଣା ପଡିଥିଲା ଓ ଏ ବାବଦେ ସେ ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେଇଥିଲେ। ଏହା ଛଡା ଭାଇମାନେ ଏହା ମଧ୍ୟ ପ୍ରମାଣିତ କରି ପାରି ନାହାନ୍ତି ଯେ ହୋଇଥିବା ଡିଡ୍ ସମ୍ପର୍କରେ ଭଉଣୀ ୧୯୯୦ ମସିହାରେ ଅବଗତ ଥିଲେ। ଏଣୁ କୋର୍ଟ ଟ୍ରାନ୍ସଫର ଡିଡକୁ ରଦ୍ଦ କରିଦେଇଛନ୍ତି ଓ ଆବେଦନକାରୀଙ୍କ ସପକ୍ଷରେ ଆଦେଶ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *