କଏନକୁ କରି ହେବନି ମନା : ଆରବିଆଇ

କଏନକୁ ମନା କରିପାରିବେ ନାହିଁ ବ୍ୟବସାୟୀ  । ଏଭଳି କରିଲେ  ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କଏନେଜ୍ ଆକ୍ଟ ୨୦୧୧ରେ କଏନ୍କୁ ନେଇ ବିଭିନ୍ନ ପ୍ରକାର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି । ରିଜର୍ଭ ବ୍ୟାଙ୍କ ଆଂଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ଜଣେ ଅଧିକାରୀଙ୍କ କହିବା ଅନୁସାରେ ,ରିଜର୍ଭ ବ୍ୟାଙ୍କର ଦାୟିତ୍ୱ ହେଉଛି କେବଳ କଏନ ବିତରଣ କରିବା । କଏନକୁ ଭାରତ ସରକାର ତିଆରି କରନ୍ତି । କେବଳ ବାଂଟିବା ପାଇଁ ଆମକୁ ଦିଆଯାଏ । ୨୦୧୧ର କଏନେଜ୍ ଆକ୍ଟରେ କଏନ ପ୍ରଚଳନକୁ ନେଇ ବିଭିନ୍ନ ବ୍ୟବସ୍ଥା ନିର୍ଧାରଣ କରାଯାଇଛି । ବେଆଇନ ଭାବେ ରଖିବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ପାଇଁ ସେଥିରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କଏନ୍ ସମ୍ପର୍କିତ କିଛି ଅପରାଧରେ ୭ ବର୍ଷ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ କଏନ୍ ଗ୍ରହଣ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ଦଣ୍ଡ ତାହା କଏନେଜ୍ ଆକ୍ଟରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ କଏନ ଚଳୁନଥିବା ନେଇ ଖବର ପ୍ରକାଶିତ ହେବା ପରେ ରିଜର୍ଭ ବ୍ୟାଙ୍କ ଏନେଇ ସ୍ପଷ୍ଟୀକରଣ ଦେଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୫୦ ପଇସା ଓ ତା ଠାରୁ ଅଧିକ ମୂଲ୍ୟର ସମସ୍ତ କଏନ ଆଇନଗତ ଭାବେ ବୈଧ । ତାହାକୁ ଗ୍ରହଣ କରିବା ଲାଗି କେହି ମନା କରିପାରିବେ ନାହିଁ । କଏନର ବୈଧତାକୁ ନେଇ ବିଭିନ୍ନ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନତା ମେଳା ଆୟୋଜନ କରାଯାଉଛି । କଏନେଜ୍ ଆକ୍ଟ ୨୦୧୧ ଅନୁସାରେ ଜଣେ ଏକକାଳୀନ ଏକ ହଜାର ଟଙ୍କା ପର୍ଯ୍ୟନ୍ତ କଏନ୍ କାରବାର କରିପାରିବେ । ସମସ୍ତ ବ୍ୟାଙ୍କ ଶାଖା କଏନକୁ ଗ୍ରହଣ କରିବେ । କଏନର ବିନିମୟ ଲାଗି ମଧ୍ୟ ସ୍ୱତନ୍ତ୍ର ନିୟମ ଓ ସର୍ତାବଳୀ ରହିଛି । ଭାରତ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର କଏନ୍ ପ୍ରସ୍ତୁତ କରିଥାନ୍ତି । ତାହାକୁ ବିତରଣ କରିବାର ଦାୟିତ୍ୱ ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଥାଏ । ଦେଶରେ ୫୦ ପଇସି, ଟଙ୍କିକିଆ, ଦୁଇ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ କଏନ ପ୍ରଚଳନରେ ରହିଛି ।

ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନକୁ ବିଭିନ୍ନ ସ୍ଥାନରେ ଗ୍ରହଣ କରାଯାଉନାହିଁ । କଏନ ପ୍ରଚଳନକୁ ନେଇ ଜନ ସଚେତନତା ସୃଷ୍ଟି କରିବା ସ୍ଥାନୀୟ ପ୍ରଶାସନର ସହଯୋଗ ମଧ୍ୟ ଲୋଡାଯାଇଛି । କେବଳ ବ୍ରହ୍ମପୁର ନୁହେଁ ରାଜ୍ୟର ବହୁ ସ୍ଥାନରେ କଏନକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି । କଏନକୁ ଗ୍ରହଣ କରାଯାଉନଥିବାରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୋକାନି ଓ ବ୍ୟବସାୟୀମାନେ କଏନ ନେବାକୁ ଚାହୁଁନାହାନ୍ତି । ଏଭଳି ପରିସ୍ଥିତିରେ ଯେଉଁମାନଙ୍କ ପାଖରେ କଏନ୍ ରହିଛି, ସେମାନେ ବେଶ ଚିନ୍ତିତ ହୋଇପଡୁଛନ୍ତି । କଏନ ବୈଧ ଏବଂ କୌଣସି କଏନ ପ୍ରଚଳନ ବନ୍ଦ କରାଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ ବାରମ୍ବାର କହୁଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ବଜାର ଉପରେ ଦେଖିବାକୁ ମିଳୁନାହିଁ ।

You May Also Like

More From Author

+ There are no comments

Add yours