ସଫଳ ହେଲା ବାହୁବଳୀ ମିଶନ

ସଫଳତାର ଆଉ ଏକ ପାହାଚ ଚଢିଛି ଇସ୍ରୋ । ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିଶନରେ ହାତେଇଛି ସଫଳତା । ଶନିବାର ଦିନ ସବୁଠାରୁ ଭାରୀ ରକେଟ ଏଲଏମଭି-୩ ଦ୍ୱାରା ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଅନ୍ୟ ଅର୍ଥରେ କହିପାରିବା ଯେ, ସଫଳ ହୋଇଛି ଇସ୍ରୋର ବାହୁବଳୀ ମିଶନ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଏଲଭିଏମ୩-ଏମ୨ । ଯେଉଁଥିରେ ଥିଲା ୩୬ଟି ବ୍ରଡବ୍ର୍ୟାଣ୍ଡ ଯୋଗଯୋଗ ଉପଗ୍ରହ । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏହି ପ୍ରକ୍ଷେପଣ ଯାନ ନିଜ ସହ ନେଇଥିବା ୩୬ ଉପଗ୍ରହକୁ ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରିଛି । ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ସମ୍ବୋଧନ କରି କହିଛନ୍ତି ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ ଯାହାକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଏଲଭିଏମ – ୩ ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି । ଏହାର ପରୀକ୍ଷା ନିରୀକ୍ଷା ସରିଛି । ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ.ସୋମନାଥ କହିଛନ୍ତି । ତେବେ କ’ଣ ଏହି ମିଶନ ବାହୁବଳି ? ଆସନ୍ତୁ ଜାଣିବା ଏହି ମିଶନର ସରଂଜାମ ବିଷୟରେ । ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା । ଏଲଭିଏମ୩-ଏମ୨ରେ ରହିଛି ୩୬ଟି ବ୍ରଣ୍ଡବ୍ୟାଣ୍ଡ ଯୋଗଯୋଗ ଉପଗ୍ରହ ଯାହାର ଓଜନ ୫,୭୯୬ କି.ଗ୍ରା । ତେବେ ଏଲଭିଏମ୩-ଏମ୨ ୮ ହଜାର କି.ଗ୍ରାରୁ ଅଧିକ ଓଜନ ନେଇପାରିବ । ଏଥିରେ ରହିଛି ତିନୋଟି ପ୍ରକାର ଇନ୍ଧନ । ପ୍ରଥମ ପର୍ୟ୍ୟାୟରେ କଠିନ, ମଝିରେ ତରଳ ଏବଂ ଶେଷରେ କ୍ରାୟୋଜେନିକ ଇଞ୍ଜିନ ରହିଛି ।ଏହା ହେଉଛି ଇସ୍ରୋର ବ୍ୟବସାୟିକ ସଂସ୍ଥା ନ୍ୟୁସ୍ପେଶ ଇଣ୍ଡିଆ ଲିମିଟେଡର ପ୍ରଥମ ବ୍ୟବସାୟିକ ମିଶନ । ନ୍ୟୁ ସ୍ପେଶ ଇଣ୍ଡିଆ ସହ ବ୍ରିଟେନର ସଞ୍ଚାର ନେଟୱାର୍କ ୱାନୱେବ ଏମଓୟୁର ଏହା ଅଂଶବିଶେଷ । ପୂର୍ବରୁ ୱାନୱେବର ଉପଗ୍ରହକୁ ଋଷ ମହାକାଶକୁ ପଠାଉଥିଲା । କିନ୍ତୁ ଯୁଦ୍ଧ ପାଇଁ ଋଷ ଉପରେ ନାଟୋ କଟକଣା ଲଗାଇଥିଲା । ବର୍ତମାନ ୱାନୱେବ ଇସ୍ରୋ ସହିତ ବୁଝାମଣା କରିଛି । ଏହା ସହ ୧୯୯୯ରୁ ଏଯାବତ ୩୮୧ ବିଦେଶ ଉପଗ୍ରହକୁ କକ୍ଷପଥରେ ଅବସ୍ଥାପିତ କରିଛି।

You May Also Like

More From Author

+ There are no comments

Add yours