ଟ୍ରେନରେ କାହିଁକି ରହିଥାଏ କବଚ?

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ୧୨୮୪୧-ଶାଲିମାର୍-ଚେନ୍ନାଇ କରମଣ୍ଡଳ ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର୍ ଓ ୧୨୮୬୪- ସାର୍ ଏମ୍. ବିଶ୍ବେଶ୍ବରାୟ ଟର୍ମିନାଲ୍-ହାୱଡ଼ା ସୁପର୍ଫାଷ୍ଟ୍ ଏକ୍ସପ୍ରେସ ୧୨୬ କିଲୋମିଟର୍ ବେଗରେ ଚାଲୁଥିଲା ବୋଲି ‘ଡିଏମ୍ଓ’ ଅଧିକାରୀମାନେ କହିଛନ୍ତି। ଏହାଛଡ଼ା, ବାହାନଗା ବଜାର ଷ୍ଟେସନ୍ରେ ଗୋଟାଏ ମାଲ୍ଗାଡ଼ି ପୂର୍ବରୁ ଅଟକିଥିଲା।

କିନ୍ତୁ, ସେତେବେଳେ ଉଭୟ ଟ୍ରେନ୍ ଲାଗି ସର୍ବାଧିକ ଘଣ୍ଟାପ୍ରତି ବେଗ (ମ୍ୟାକ୍ସିମମ୍ ପର୍ମିସେବଲ୍ ସ୍ପିଡ୍) ୧୩୦ କିଲୋମିଟର୍ଥିଲା। କିନ୍ତୁ, ଦୁର୍ଘଟଣାର ଘଟିବାର ପ୍ରକୃତ କାରଣ ଉଚ୍ଚ-ସ୍ତରୀୟ ତଦନ୍ତ ପରେ କୁହାଯିବ ବୋଲି କୁହାଯାଇଥିଲେ ବି ଏହି ‘ରୁଟ୍’ରେ ‘କବଚ’ ବ୍ୟବସ୍ଥା ନ ଥିଲା ବୋଲି ରେଳବାଇ ସୁନିଶ୍ଚିତ କରିଛି। ‘କବଚ’ ଥିଲେ ହୁଏତ ଏକ୍ସପ୍ରେସ୍ ଟ୍ରେନ୍ ଦୁଇଟି ପରସ୍ପର ସହିତ ଧକ୍କା ଖାଇବାରୁ ବର୍ତ୍ତି ଯାଇ ଥାଆନ୍ତେ।

ସୂଚନାଯୋଗ୍ୟ, ଏ ଧରଣର ଦୁର୍ଘଟଣାରୁ ‘କବଚ’ ବ୍ୟବସ୍ଥା ଟ୍ରେନ୍କୁ ବଞ୍ଚାଇଥାଏ। ‘ଆତ୍ମନିର୍ଭର ଭାରତ’ ଉପକ୍ରମ ଭାବେ ୨୦୨୨ ବଜେଟ୍ରେ ‘କବଚ’ ବ୍ୟବସ୍ଥା ଘୋଷଣା କରାଯାଇଥିଲା। ଏହି ବୈଷୟିକ ଜ୍ଞାନକୌଶଳ ସମୁଦାୟ ୨୦୦୦ କିଲୋମିଟର୍ ରେଳ ନେଟ୍ୱାର୍କରେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଥିଲା।

୨୦୨୨ ମାର୍ଚ ୨୩ରେ ରେଳ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିଥିଲା ଯେ, ଭାରତରେ ଟ୍ରେନ୍ ଚଳାଚଳର ସୁରକ୍ଷା ନିମନ୍ତେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍’ (ଏଟିପି) ବା ‘କବଚ’ ପଦକ୍ଷେପ ନିଆଯାଉଛି। ‘ରିସର୍ଚ ଡିଜାଇନ୍ସ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅର୍ଗାନାଇଜେସନ୍’ ଏବଂ ଅନ୍ୟ ତିନିଟି ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଭାରତୀୟ ରେଳ ପାଇଁ ଏହି ‘ଏଟିପି’ ବିକଶିତ କରାଯାଇଥିଲା।

‘ସିଗ୍ନାଲ୍ ପାସିଙ୍ଗ୍ ଆଟ୍ ଡେଞ୍ଜର୍’ (ଏସ୍ପିଏଡି) ଏଡ଼ାଇବା ନିମନ୍ତେ ଟ୍ରେନ୍ ଚାଳକଙ୍କୁ ସହାୟତା କରିବା ଏବଂ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଗରେ ଟ୍ରେନ୍ ଚଳାଚଳରେ ସହାୟତା କରିବା ପାଇଁ ‘କବଚ’ ବ୍ୟବସ୍ଥା ଡିଜାଇନ୍ କରାଯାଇଥିଲା। ଆବଶ୍ୟକସ୍ଥଳେ ଆପଣାଛାଏଁ ବ୍ରେକ୍ ମାରି ଏହି ‘କବଚ’ ସମ୍ଭାବ୍ୟ ଦୁର୍ଘଟଣା ଏଡ଼ାଇ ପାରେ।

You May Also Like

More From Author

+ There are no comments

Add yours