ମହୁ ଚାଷରେ ସ୍ବାବଲମ୍ବୀ ହୋଇପାରିବେ ଯୁବପୀଢ଼ି

ବିଶ୍ବ ମହୁମାଛି ଦିବସ ଅବସରରେ ମହୁମାଛିକୁ ସାଥିରେ ନେଇ ଯୁବ ପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତ ବ୍ୟକ୍ତ କରିଛନ୍ତି ।

ଆନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ରହିଥିବା ବେଳେ ଭାରତରେ ସେହି ବଜାରକୁ ମହୁ ଯୋଗାଇଦେବା ପାଇଁ ଭିତ୍ତିଭୂମି ରହିଛି । ତେବେ ଭାରତବର୍ଷରେ ଭେଜାଲ ମହୁର ମାତ୍ରା ଅଧିକ ଥିବା ଯୋଗୁଁ କୋରାପୁଟ ଜିଲ୍ଲା ଭଳି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଅଞ୍ଚଳରେ ସ୍ବଚ୍ଛ ମହୁ ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରି ଉନ୍ନତ ମାନର ମହୁ ରପ୍ତାନି କରିବା ପାଇଁ ଯୋଜନା ଚାଲିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

କୋରାପୁଟ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠୀ /କୃଷକ ଉତ୍ପାଦକ କମ୍ପାନୀ ଏବଂ ଅଗ୍ରଣୀ କୃଷକମାନଙ୍କ ପାଇଁ ମହୁ ରପ୍ତାନୀ ଭିଭିକ ଦକ୍ଷତା ବିକାଶ କରିବା ସହ କୋରାପୁଟ ଜିଲ୍ଲା ରେ ଉତ୍ପାଦିତ ମହୂର କିପରି ପ୍ରକ୍ରିୟାକରଣ ଓ ଭବିଷ୍ୟତରେ କୃଷକ ଉତ୍ପାଦକ ଗୋଷ୍ଠୀ/କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ରପ୍ତାନି ନିମନ୍ତେ ପ୍ରସ୍ତୁତ କରିବା ଏବଂ କୃଷି ଉଦ୍ୟୋଗୀକରଣକୁ ପ୍ରବର୍ତାଇବା ନିମନ୍ତେ ସରକାରୀ ଓ ବେସରକାରୀ ଉଦ୍ୟମ ଜାରି ରହିଥିବା ଶ୍ରୀ ମହାନ୍ତି ସୁଚନା ଦେଇଛନ୍ତି |

ଏହା ଦ୍ବାରା କୋରାପୁଟର କୃଷକଙ୍କର ମହୁ ଯଦି ଅନ୍ୟ ଦେଶ କୁ ରପ୍ତାନି ହୁଏ ତେବେ କୃଷକ ମାନେ ନିଶ୍ଚିତ ଭାବରେ ଉପକୃତ ହେବେ ଏବଂ ସେମାନଙ୍କର ଆୟ ମଧ୍ଯ ବୃଦ୍ଧିପାଇବ ବୋଲି କହିଛନ୍ତି। ତେବେ ବିଗତ ଦିନ ଗୁଡିକରେ କୋରାପୁଟ ଜିଲ୍ଲା ମହୁ ଚାଷ ପାଇଁ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତମାନ ପ୍ରାକୃତିକ ଜଙ୍ଗଲ ର ପରିମାଣ କମିଥିବା ଯୋଗୁଁ ମହୁ ମାଛି ପାଇଁ ମଧୁ ସଂଗ୍ରହ କରିବା କମିଯାଇଛି ବୋଲି ଶ୍ରୀ ମହାନ୍ତି ଚିନ୍ତା ବ୍ୟକ୍ତ କରିଛନ୍ତି ।

କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ୪ ରୁ ୫ ଟନ ମହୁ ଉତ୍ପାଦନ ହେଉଥିବା ବେଳେ ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରୟୋଗ କଲେ ଏହି ଅଂଚଳରେ ଏହାର ଦଶ ଗୁଣରୁ ଅଧିକ ଉତ୍ପାଦନ ହୋଇପାରିବାର ଭିତ୍ତିଭୂମି ଥିବା ନେଇ ସେ ମତପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାରେ ଥିବା ଉନ୍ନତ ମାନର ଜୈବ ବିବିଧତା ବର୍ଷ ତମାମ ବିଭିନ୍ନ ଫୁଲ ଯୋଗାଇ ଦେଇଥାଏ ।ତେଣୁ ମହୁ ଚାଷ ଲୋକଙ୍କ ପାଇଁ ଜୀବନ ଜୀବିକା ପୋଷଣ କରିବା ପାଇଁ ଏକ ସୁନ୍ଦର ସୁଯୋଗ ଆଣିଦେଇଛି ବୋଲି ସେ ମତ ରଖିଛନ୍ତି । ବର୍ତମାନ କୋରାପୁଟ ଜିଲ୍ଲାରେ ଶତାଧିକ ସାଧାରଣ ଚାଷୀ ଦେଶୀ ମହୁମାଛି ପାଳି ମହୁଚାଷ କରୁଥିବା ବେଳେ କିଛି ଅଗ୍ରଣୀ ଚାଷୀ ବିଦେଶୀ ମହୁମାଛି ଚାଷ କରିବା ମାଧ୍ୟମରେ ଉନ୍ନତ ମାନର ମହୁଚାଷ କରିବାରେ ସକ୍ଷମ ହୋଇଛନ୍ତି। ବର୍ଷର ବିଭିନ୍ନ ଋତୁକୁ ଆଖିରେ ରଖି ଫୁଟୁଥିବା ଫୁଲ ର କ୍ଷେତ ନିକଟକୁ ନିଜର ସମସ୍ତ ମହୁବାକ୍ସ ଗୁଡିକୁ ନେଇ ମହୁ ସଂଗ୍ରହ କରିପାରୁଛନ୍ତି । ଋତୁ ଅନୁଯାୟୀ ଫୁଟୁଥିବା ଫୁଲ ର କ୍ଷେତ ଓ ଜଙ୍ଗଲ ନିକଟକୁ ମହୁ ବାକ୍ସ ଗୁଡିକୁ ନେଇ ଅନେକ ଚାଷୀ ବର୍ଷ ତମାମ ଆୟ ବୃଦ୍ଧି କରୁଥିବା ଶ୍ରୀ ମହାନ୍ତି ଜଣାଇଛନ୍ତି ।

ଯୁବପିଢି କେବଳ ଚାକିରୀ କରିବା ପାଇଁ ଲାଳାୟିତ ନ ହୋଇ ଚାଷ କରିବା ଆଡକୁ ମନ ବଳାଇଲେ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କୁ ମଧ୍ୟ କାମ ଯୋଗାଇପାରିବେ । ମହୁମାଛି ମହୁ ସଂଗ୍ରହ କରିବା ସହ ପରାଗ ସଂଗମରେ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଯୋଗୁଁ ସରକାର ମଧ୍ୟ ମହୁଚାଷ କୁ ଉଦ୍ୟାନ ବିଭାଗ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଉ ଥିବା ସେ ଜଣାଇଛନ୍ତି । ମହୁମାଛିର ପ୍ରକାରଭେଦରେ କୋରାପୁଟ ଜିଲ୍ଲାରେ ଦୁଇ ପ୍ରକାର ମହୁ ମାଛି ଚାଷ କରାଯାଏ । ଇଟାଲିଆନ ମହୁମାଛିର ଉତ୍ପାଦନ କ୍ଷମତା ଇଣ୍ଡିକା ମହୁମାଛି ଠାରୁ ଅଧିକା । ଇଟାଲିଆନ ମହୁମାଛି ବର୍ଷକୁ ବାକ୍ସ ପିଛା ୨୦ -୨୫ କିଲୋ ମହୁ ସଂଗ୍ରହ କରିପାରୁଥିବା ବେଳେ ଇଣ୍ଡିକା ମହୁମାଛି ୧୦ -୧୨ କିଲୋ ମହୁ ସଂଗ୍ରହ କରିପାରେ ।ବଣୁଆ ମହୁମାଛି ଓ ବାକ୍ସ ମହୁମାଛି ମଧ୍ୟରେ ବଣୁଆ ମହୁମାଛିର ମହୁ ଫେଣାରୁ ମହୁ ସଂଗ୍ରହ କରିବା କଷ୍ଟକର । କିନ୍ତୁ ବାକ୍ସରେ ଚାଷ କରାଯାଉଥିବା ମହୁ ସଂଗ୍ରହ କରିବା ସହଜ । କୋରାପୁଟରେ ମହୁଚାଷର ଇତିହାସରୁ ଜଣା ଯାଏ ୧୯୭୦ରେ କୋରାପୁଟରେ ସର୍ବୋଦୟ ସମିତି ଦ୍ୱାରା ମହୁଚାଷ ସମ୍ପର୍କରେ ତାଲିମ ଦିଆଯିବା ପରେ ବାକ୍ସ ମହୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି । ସରକାରୀ ପ୍ରୋତ୍ସାହନରେ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ମହୁ ଚାଷ କରିବା ପାଇଁ ସାହାଯ୍ୟ ଓ ରିହାତି ପ୍ରଦାନ ଯୋଜନା କାର୍ଯ୍ୟକାରୀ ହେଉଛି ।

You May Also Like

More From Author

+ There are no comments

Add yours