ଆଜି ଅପରା ଜଳକ୍ରୀଡ଼ା ଏକାଦଶୀ

ଆଜି ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଜଳକ୍ରୀଡ଼ା ଏକାଦଶୀ ଏହାର ଅନ୍ୟନାମ  ” ଅପରା ଏକାଦଶୀ ” ବା  ” ଶମ୍ଭୁ ଏକାଦଶୀ ” ଭାବେ ଆଜିର ଦିନକୁ  ପାଳନ କରାଯାଏ । କାରଣ ଏହି ଏକାଦଶୀ ବ୍ରତ ପାଳନ ଫଳରେ ବ୍ରତୀ ଅପାର ସଂସାର ସମୂହକୁ ସହଜରେ ପାରି ହୋଇଥାଏ ।

ଯେତେ ଯେତେ ମହାପାପ ଯଥା କ୍ଷତ୍ରୀୟମାନେ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେବା, ମାତା, ପିତା ତଥା ଗୁରୁଜନଙ୍କ ନିନ୍ଦା କରିବା, ବ୍ରହ୍ମହତ୍ୟା କରିବା, ଗୋହତ୍ୟା କରିବା, ପରସ୍ତ୍ରୀକୁ ହରଣ କରିବା, ମିଥ୍ୟା କହିବା ମିଥ୍ୟା ବେଦ ପଢ଼ିବା, ମିଥ୍ୟା ଶାସ୍ତ୍ର ଲେଖିବା ଏବଂ ମିଥ୍ୟା ବିଦ୍ୟା ଇତ୍ୟାଦି ଅଭ୍ୟାସ କରିବା ଜନିତ ଯେତେ ଅପରାଧ ଓ ପାପ ଯେଉଁଥିରେ ନର୍କଦଶା ହେବା କଥା, ଏହି ଏକାଦଶୀ ପାଳନରେ ତାହା ନାଶ ହୋଇ ବ୍ରତୀକୁ ବୈକୁଣ୍ଠାସନ ମିଳେ । ପୁନଶ୍ଚ କୁହାଯାଇଛି ଯେ ଏହି ଏକାଦଶୀ ପାଳନ କରିବା ଫଳରେ ତିନି ପୁଷ୍କର ସ୍ନାନ, କାର୍ତ୍ତିକ ସ୍ନାନ ଏବଂ ଗଙ୍ଗା ସ୍ନାନ ଇତ୍ୟାଦିର ପୁଣ୍ୟଫଳ ମିଳିଥାଏ । ସିଂହରାଶିର ଲୋକେ ଗୁରୁବାର ଦିନ ଗୋମତୀରେ ସ୍ନାନ କରିବା, କୁମ୍ଭରାଶିର ଲୋକେ କେଦାରନାଥଙ୍କୁ ଦର୍ଶନ କରିବା ଏବଂ ବଦ୍ରିକା ଆଶ୍ରମରେ ବାସ କରିବା ଫଳରେ ଯେଉଁଫଳ ମିଳେ ଅଥବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ କୁରୁକ୍ଷେତ୍ରରେ ସ୍ନାନକଲେ ଯେଉଁ ପୁଣ୍ୟଫଳ ମିଳେ, ତାହା କେବଳ ଏହି ଏକାଦଶୀ ବ୍ରତ ପାଳନ ଫଳରେ ମିଳିଥାଏ । ଏକଥା ମଧ୍ୟ କୁହାଯାଇଛି ଯେ ହାତୀ, ଘୋଡ଼ା ତଥା ଯଜ୍ଞରେ ସ୍ୱର୍ଣ୍ଣଦାନ କଲେ ଯେଉଁ ଫଳ ମିଳେ, ତାହାମଧ୍ୟ ଏହି ଏକାଦଶୀ ପାଳନରେ ମିଳିଥାଏ । ଏହି ଏକାଦଶୀ ପାଳନ ଫଳରେ ଭୂମି, ସ୍ୱର୍ଣ୍ଣ, ଗୋ ବା କନ୍ୟାଦାନ ପୁଣ୍ୟର ଆବଶ୍ୟକତା ନଥାଏ । ପାପରୂପୀ ବୃକ୍ଷ ଛେଦନ ପାଇଁ ଏହା ଏକ କୁରାଢ଼ି ସ୍ୱରୂପ ଅଥବା ସିଂହକୁ ଦେଖି ମୃଗ ପଳାଇବା ପରି, ଏହି ଏକାଦଶୀ ଯିଏ ପାଳନ କରେ ତାକୁ ପାପ ସ୍ପର୍ଶ କରେନାହିଁ ଅର୍ଥାତ୍‌ ତାଠାରୁ ଦୂରେଇ ଯାଏ l 

ll ଏକାଦଶୀ ମାହାତ୍ମ୍ୟ ll 

              ll ଯୁଧିଷ୍ଠିର ଉବାଚ ll 

ପଚାରୁଛନ୍ତି ପଣ୍ଡୁସୁତ  l କହନ୍ତୁ ହେ ପ୍ରଭୁ ଅଚ୍ୟୁତ ll 

ଜ୍ୟେଷ୍ଠର କୃଷ୍ଣ ଏକାଦଶୀ l ତାହାର ମହିମା ବିଶେଷି ll 

            ll ଶ୍ରୀକୃଷ୍ଣ ଉବାଚ ll 

କୃଷ୍ଣ କହନ୍ତି ଯୁଧିଷ୍ଠିର l  ଉତ୍ତମ ପ୍ରଶ୍ନ ତୁମ୍ଭେ କର ll

ଯହିଁରେ ଲୋକଙ୍କର ହିତ l ଜାଣ ହୋଇବ ଏ ନିୟତ ll

ଜ୍ୟେଷ୍ଠର କୃଷ୍ଣ ଏକାଦଶୀ l ନାମେ ଅପରା ବୋଲି ଭାଷି ll 

ଏ ବହୁ ପୁଣ୍ୟକୁ ଦିଅଇ l  ମହାପାତକ ବିନାଶଇ ll

ଗୋହତ୍ୟା ବ୍ରହ୍ମହତ୍ୟା କରି l ଗୋତ୍ରହ ଅବା ମିତ୍ର ମାରି  ll 

ଭୃଣହା ପର ସ୍ତ୍ରୀ ରସିକ l ଯେ ପରାପବାଦ କଥକ ll 

ଇତ୍ୟାଦି ମହାପାପ କରି l ଅପରା ସେବି ଯାଏ ତରି ll

ସେ କଟୁ ପାପ କୁଟମାନ l କୁଟରୁ କୁଟ କଲେ ଜନ୍ମ ll

ଯେ ପଢେ କୁଟ ବେଦଶାସ୍ତ୍ର l ଯେ କୁଟଗଣଙ୍କ ବିଖ୍ୟାତ ll

କୁଟାୟ ବେଦଜ୍ଞ ଭକ୍ଷକ l ସେ କୁଟ ପରସ୍ତ୍ରୀ ବଞ୍ଚକ ll

ଇତ୍ୟାଦି ନାରକୀ ନିୟତ l  ଅପରା ସେବି ହେବେ ମୁକ୍ତ ll

ଯେ କ୍ଷତ୍ରୀ ଧର୍ମକୁ ନ ଚାହିଁ l ଯୁଦ୍ଧୁ ପଳାଏ ପ୍ରାଣ ପାଇ ll

ସ୍ୱାମୀର ଅର୍ଥ ବିନାଶଇ l  ସେ କ୍ଷତ୍ରୀ ନରକେ ପଡଇ ll

ଅପରା ବ୍ରତ କରି ସେହି l ନିଷ୍ପାପୀ ହୋଇ ସ୍ୱର୍ଗ ଯାଇ ll 

ପଢି ପାଠକୁ ଯେଉଁ ଶିଷ୍ୟ l ଗୁରୁ ନିନ୍ଦାରେ ହୋଇ ବଶ ll 

ସେ ମହାପାପୀର ନିୟତ l ଦାରୁଣ ନରକ ନିପାତ ll 

ଅପରାବ୍ରତ ସେବା କରି l ଯାଏ ସେ ନରକୁ ନିସ୍ତରି ll

ଅପରାବ୍ରତର ମହିମା l ଅପାର କରିଣ ଜାଣିମା ll 

କାର୍ତ୍ତିକ ପୂର୍ଣ୍ଣିମାରେ ଜାଣି l ପୁଷରେ କରେ ସ୍ନାନ ତିନି ll 

ମାଘେ ମକରେ ରବି ଥାଇ l ପ୍ରୟାଗେ ସ୍ନାନ ଯେ କରଇ ll 

କାଶୀରେ ଶିବରାତ୍ରି ଦିନ l ଜାଗର ପୂଜା ଉପାସନ ll

ଘେନି ଉଚିତ ଦ୍ରବ୍ୟମାନ l ଗୟାରେ କରି ପିଣ୍ଡ ଦାନ ll

ସିଂହରେ ବୃହସ୍ପତି ଥାଇ l ଗୌତମୀ ସ୍ନାନ ଯେ କରଇ ll 

କୁମ୍ଭରେ କେଦାର ଦର୍ଶନ l ବଦର୍ଯଶ୍ରମ ନିବେସନ ll

କୁରୁ କ୍ଷେତ୍ରରେ ଏ ବିଗ୍ରହ l ଯେ ସ୍ନାନ ଦାନ ଅସନ୍ଦେହ ll 

ଯଥେଷ୍ଟ ବିଧି ଯଜ୍ଞହୋମ l ଗଜାଶ୍ଵ ଦାନ ହୁଏ ସମ ll

ସମସ୍ତ ଫଳ ଏ ଅପରା l ଦିଅନ୍ତି ସର୍ବ ପାପହରା ll

ଉଭୟ ମୁଖୀ ପୟସ୍ଵୀନ l କି ଅବା ଉର୍ବରା ମେଦିନୀ ll 

ଉପରାଗରେ ଯେଉଁ ଫଳ l ଅପରା ଦିଅଇ ସକଳ ll 

ପାପଦ୍ରୁମକୁ ଏ କୁଠାରି l ପାପ ଇନ୍ଧନେ ଦାବା ପରି ll

ଯେ ପୁରେ ପ୍ରାପତେ ଲଙ୍ଘଣୀ l ଜନ୍ମ ମରଣ ମାତ୍ର ଜାଣି ll 

ଅପରା ଉପୋଷଣ କରି l ତ୍ରିବିକ୍ରମକୁ ପୂଜା କରି ll

ସମସ୍ତ ପାପୁ ମୁକ୍ତ ହୁଏ l ବିଷ୍ଣୁ ଲୋକରେ ପୂଜା ପାଏ ll

ଏହାକୁ ପଢିଲେ ଶୁଣିଲେ l ଧେନୁ ସହସ୍ର ଫଳ ମିଳେ ll 

   ଇତି ଶ୍ରୀ ବ୍ରହ୍ମାଣ୍ତ ପୁରାଣେ ଜ୍ୟୋଷ୍ଠ ଅପୋରୈକାଦଶୀ ମାହାତ୍ମ୍ୟେ ତ୍ରୟୋଦଶୋଽଧ୍ୟାୟଃ ll

You May Also Like

More From Author

+ There are no comments

Add yours