Thu. Oct 15th, 2026

ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ ! ଏହା ଏକ ବିପଦପୂର୍ଣ୍ଣ କାମ ! କାରଣ ଅନେକ ସମୟରେ ସାମ୍ବାଦିକ ମାନେ ଆକ୍ରୋଶ ଓ ଆକ୍ରମଣର ଶିକାର ହୁଅନ୍ତି ! ଏହାର ଅନେକ ଉଦାହରଣ ମଧ୍ୟ ସମଗ୍ର ବିଶ୍ୱରେ ରହିଛି ! କିଛି ସାମ୍ବାଦିକ ମାନେ ସତ୍ୟକୁ ସାମ୍ନାକୁ ଆଣିବାକୁ ଏବଂ ସେମାନଙ୍କର ଦାୟିତ୍ୱକୁ ଠିକ୍ ଭାବେ ପୂରଣ କରିବାକୁ ନିଜ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା ମଧ୍ୟ କରନ୍ତି ନାହିଁ !ତେଣୁ ନିଜ ଜୀବନକୁ ବାଜି ଲଗେଇ କାମ କରୁଥିବା ସାମ୍ବାଦିକ ମାନଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ଦାବି ନଦିଏ ଏନେଇ ସେମାନଙ୍କୁ ସ୍ୱାଧୀନତା ଦେବା ଅତ୍ୟନ୍ତ ଜରୁରୀ ! ପୂର୍ଣ୍ଣ ସ୍ୱାଧୀନତା ପରେ ହିଁ ସେମାନେ ସେମାନଙ୍କ କାମକୁ ସୂଚାରୁ ରୂପେ କରିବାକୁ ସମର୍ଥ ହେବେ ! ତେଣୁ ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩ ମେ’ରେ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ପାଳନ କରାଯାଏ !ପ୍ରତିବର୍ଷ ମେ’ ୩ରେ ଗିଲେରମୋ କାନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ପୁରସ୍କାର ୟୁନେସ୍କୋ ଦ୍ୱାରା ପ୍ରଦାନ କରାଯାଇଥାଏ ! ଏହି ପୁରସ୍କାର ଜଣେ ବ୍ୟକ୍ତି ବା ଅନୁଷ୍ଠାନକୁ ଦିଆଯାଏ, ଯିଏ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଉଲ୍ଲେଖନୀୟ କାମ କରିଥାନ୍ତି ! ପ୍ରତିବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ପାଇଁ ଏକ ଥିମ୍ ସ୍ଥିର କରାଯାଏ ! ଗତ ବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ଥିମ୍ ଥିଲା- ‘ଡିଜିଟାଲ୍ ଅବରୋଧରେ ସାମ୍ବାଦିକତା’ ! ଚଳିତ ବର୍ଷ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ର ୩୦ତମ ବାର୍ଷିକୀ ! ଚଳିତ ବର୍ଷର ଥିମ୍ ହେଉଛି- “ଅଧିକାରର ଭବିଷ୍ୟତ ଗଠନ: ଅଭିବ୍ୟକ୍ତିର ସ୍ୱାଧୀନତା ଅନ୍ୟ ସମସ୍ତ ମାନବିକ ଅଧିକାରର ଚାଳକ ଭଳି !”

୧୯୯୧ ମସିହାରେ ପ୍ରଥମ ଥର ପାଇଁ ଆଫ୍ରିକୀୟ ସାମ୍ବାଦିକ ମାନେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ! ମେ ୩ରେ, ଗଣମାଧ୍ୟମର ସ୍ୱାଧୀନତାର ନୀତି ସମ୍ବନ୍ଧରେ ଏକ ବିବୃତ୍ତି ଜାରି କରାଯାଇଥିଲା, ଏହାକୁ ୱିଣ୍ଡ୍‌ହୋକ୍ ଘୋଷଣାନାମା କୁହାଯାଏ ! ଏହାର ଦୁଇ ବର୍ଷ ପରେ, ୧୯୯୩ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳନ କରିବାକୁ ଘୋଷଣା କଲା ! ସେବେଠାରୁ ମେ ୩କୁ ‘ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ’ ଭାବେ ପାଳନ କରାଯାଏ !

Leave a Reply

Your email address will not be published. Required fields are marked *