Thu. Oct 15th, 2026

ଶୁକ୍ରବାର ଦିନ ୪୪ ଡିଗ୍ରି ତାପମାତ୍ରା ସହ ବାରିପଦା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଶନିବାର କିନ୍ତୁ ବାରିପଦାରେ ତାପମାତ୍ରା ହଠାତ୍‌ ୭.୪ ଡିଗ୍ରି କମି ୩୬.୬ ଡିଗ୍ରିକୁ ଖସିଯାଇଛି। ଶୁକ୍ରବାର ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶା ନିଆଁପିଣ୍ଡ ପାଲଟିଥିଲା। ଶନିବାର କିନ୍ତୁ ପଶ୍ଚିମ ଓଡ଼ିଶାର ସମସ୍ତ ସ୍ଥାନର ତାପମାତ୍ରା ପ୍ରାୟ ଶୂନରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ କମିଥିଲା।

ତଥାପି ପଶ୍ଚିମ ଓଡ଼ିଶାବାସୀଙ୍କୁ ଗରମରୁ ନିସ୍ତାର ମିଳିନଥିଲା। ସେହିଭଳି ସମାନ ଅକ୍ଷାଂଶ ଓ ଦ୍ରା‌ଘିମାରେ ଥିବା ଦ୍ବୈତନଗରୀ କଟକ ଓ ଭୁବନେଶ୍ବର ତାପମାତ୍ରାରେ ମଧ୍ୟ ତାରତମ୍ୟ ଦେଖାଯାଇଛି। କଟକର ଗତକାଲି ଓ ଆଜି ତାପମାତ୍ରା ଅପରିବର୍ତ୍ତିତ (୪୧.୨ ଡିଗ୍ରି) ରହିଥିବା ବେଳେ ଭୁବନେଶ୍ବରର ପାରଦସ୍ତର ଆଜି ୧.୧ ଡିଗ୍ରି ବଢ଼ି ୪୧.୭ ଡିଗ୍ରି ରେକର୍ଡ ହୋଇଛି। ଉତ୍ତର ଓଡ଼ିଶାର କେଉଁଠି ତାତି ବଢ଼ିଛି ତ’ କେଉଁଠି ପାରଦସ୍ତର ତଳମୁହାଁ ହୋଇଛି। ଆଭ୍ୟନ୍ତର ଓଡ଼ିଶାର ବି ସେଇ ଅବସ୍ଥା। ରାଜ୍ୟରେ ପାଣିପାଗର ଏହି ଅସାମଞ୍ଜସ୍ୟ ରାଜ୍ୟବାସୀଙ୍କୁ ତାଜୁବ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରବିବାର ଦିନ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖ ଦିନ ଉପକୂଳ ସମେତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବ। ବାଲେଶ୍ବରଠାରୁ ଆରମ୍ଭ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଫଳରେ ରାଜ୍ୟର ତାପମାତ୍ରା କିଛି ପରିମାଣର କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *