ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରୁଛନ୍ତି ଏହି ପଖାଳ ଦିବସ । ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ତେବେ କଣ ରହିଛି ପଖାଳ ଦିବସର ଇତିହାସ? କ’ଣ କହୁଛି ଜଗନ୍ନାଥ ସଂସ୍କୃତି? ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ । ଖରାଦିନରେ ପଖାଳ ସେତ ଯେମିତି ଅମୃତ । ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ ।
ପଖାଳ ଶଦ୍ଦଟି ‘ପାଲି’ ଭାଷାର ‘ପଖାଳିବା’ ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ଏହାର ମାଧୁର୍ଯ୍ୟ ବଢିଯାଏ । କାରଣ ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ । ତେବେ ଜଗନ୍ନାଥ ସଂସ୍କୃତିରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ । ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।
ମିଳିଥିବା ସୂଚନା ଅନୁସାରେ ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।
କେବଳ ଓଡ଼ିଶା ବୋଲି ନୁହେଁ, ପଡୋଶୀ ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ ଓ ତାମିଲନାଡ଼ୁ ସମେତ ପଡ଼ୋଶୀ ବାଂଲାଦେଶରେ ମଧ୍ୟ ଲୋକେ ପଖାଳ ଖାଇ ଥାଆନ୍ତି । ଓଡିଶାରେ ଯଦିଓ ଛୁଙ୍କ ଦହି ପଖାଳ ଭାବେ ସମସ୍ତେ ଜାଣନ୍ତି, ହେଲେ ଆସାମରେ ଏହାକୁ ‘ପୋଇତା ଭାତ’, ପଶ୍ଚିମ ବଙ୍ଗରେ ‘ପାନ୍ତ ଭାତ’, ଝାଡ଼ଖଣ୍ଡ ଓ ବିହାରରେ ‘ମାରା ଭାତ’, ଛତିଶଗଡ଼ରେ ‘ବୋରେ ଭାତ’, ମାଲାୟାଲାମରେ ‘ବଲ୍ଲୁ ଚୋରୁ’ ଓ ତାମିଲନାଡ଼ୁରେ ‘ବକାଲ ବାତ’ ବୋଲି କୁହାଯାଏ । ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କୁ ଛାଡ଼ି ଦେଲେ ଅନ୍ୟ କେଉଁଠି ଭାତକୁ ପାଣିରେ ରଖି ବାସୀ ତୋରାଣି ସହ ଖାଇବାର ପରମ୍ପରା ନାହିଁ ।
+ There are no comments
Add yours