Wed. Oct 14th, 2026

ପାଙ୍ଗଙ୍ଗ ହ୍ରଦରୁ ଲେହ ଅଭିମୁଖେ ଲେଉଟାଣି ଯାତ୍ରା। ଡାହାଣ ପାଖରେ ସିୟୋକ୍ ନଦୀ। ଲକ୍ଷ ଆମର, ବାଟରେ ଚାଙ୍ଗ ଲା ପାସ୍ ଉପରେ ବରଫ’ର ମଜା ନେବୁ। ମଧ୍ୟାହ୍ନ ଭୋଜନ କରିବୁ ହେମିସ୍ ଅଭୟାରଣ୍ୟ ପାଖାପାଖି କୋଉଠି ଗୋଟିଏ ଜାଗାରେ। ଗାଡ଼ି ସିୟୋକ ନଈର ଧାରେ ଧାରେ ଅଙ୍କେଇ ବଙ୍କେଇ ଯାଇଥିବା ସଡ଼କରେ ଗଡ଼ି ଚାଲିଥିଲା ଆଗରେ ଦେଖା ଯାଉଥିବା ବରଫ ପାହାଡ଼ ଆଡ଼କୁ।

ଏହି ରାସ୍ତାର ଦୁଇ ପାଖରେ ପାହାଡ଼। ଡାହାଣ ପାଖେ ପାହାଡ଼କୁ ଲାଗି ରହିଛି ଅଙ୍କା ବଙ୍କା ସଡ଼କ ଓ ବାଆଁ ପାଖରେ ସିୟୋକ ନଦୀ ପଠା ବା ଉପତ୍ୟକା। ଶହେ କି ଦୁଇ ଶହ ମିଟର ଚଉଡ଼ା’ର ଉପତ୍ୟକା, ତାପରେ ସେପାଖରେ ବି ପାହାଡ଼। ହୁଏତ ସେସବୁ ପାହାଡ଼ରୁ ବରଫ ତରଳି ତରଳି ସିୟୋକ ନଦୀକୁ ପୃଷ୍ଟ କରି ଆସୁଛି ଆବାହମାନ କାଳରୁ। ରାସ୍ତା ଓ ପାଣି ଧାର ମଧ୍ୟରେ ଅଳ୍ପ କେଇ ହାତ ଉଚ୍ଚତାର ବ୍ୟବଧାନ ଓ କେତେଟା ସ୍ଥାନରେ ପିଚୁ ସଡ଼କ ବି ପାଣି ଧାରା’କୁ ଲାଗି ରହିଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ‘ବି ଆର ଓ’କୁ ଧନ୍ୟବାଦ ଦେଉଥିଲୁ ଆମେ – ଏମିତି ଏକ ସ୍ବର୍ଗପୁରୀ ଭିତରେ ଆମକୁ ବାଟ କଢ଼େଇ ଆଣିବା ବ୍ୟବସ୍ଥା କରିଥିବାରୁ। ପ୍ରତି ମିନିଟରେ ଇଚ୍ଛା ହେଉଥିଲା ଗାଡ଼ି ଅଟକାଇ ବାହାରକୁ ବାହାରି ଆସି କିଛି ସମୟ ସେ ନୈସର୍ଗିକ ଶୋଭା ମଣ୍ଡଳ ଭିତରେ ହଜି ଯିବାକୁ; କିନ୍ତୁ ସମୟ କମି କମି ଆସୁଥାଏ। ତେଣୁ ଗାଡ଼ି ଝରକା ଦେଇ ଯେତିକି ସମ୍ଭବ ସେତିକି ଫୋଟ ଉଠେଇନେଇ ମନକୁ ବୋଧ କରୁଥିଲୁ।

ଗୋଟିଏ ସେମିତି ଅଳ୍ପ ସମତଳ ସ୍ଥାନରେ ଆଉ ସମ୍ଭାଳି ନପାରି ଗାଡ଼ିରୁ ଓହ୍ଲାଇ ପଡ଼ିଲୁ। ରାସ୍ତା ଧାର ପାହାଡ଼ ପାଦଦେଶରେ ଦଳେ ୟାକ ବା ଚମରୀ ଗାଈ ଚରୁଛନ୍ତି। ଅଧିକାଂଶ କଳା ରଙ୍ଗର ଓ କେତୋଟି କଳା ଧଳା ମିଶା। କିନ୍ତୁ ଆଶ୍ଚର୍ୟ୍ଯ ହେଲି ଯେ, ପ୍ରାୟ ସବୁ ୟାକ ମାନଙ୍କର ଲାଞ୍ଜ ଅଂଶଟା ଧଳା। କାଁ ଭାଁ କୋଉଠି ଗୋଟେ କଳା ଲାଞ୍ଜ ବାଲା ଯାକ ଦେଖା ଯାଉଥିଲା। ମନେ ପଡ଼ିଲା, ମୋ ବାପାଙ୍କ କଥା; ସେ କହିଥିଲେ -“ପାଇବୁ ଯଦି କଳା ରଙ୍ଗର ଚମରୀ ଗାଈ ଲାଞ୍ଜ ବା ରୁମ ଆଣିଦେବୁ – ଚାମର କରିବି।” କଳା ରଙ୍ଗ’ର ଚାମର ଦୁଷ୍ପ୍ରାପ୍ୟ ହେଉଥିବାର କାରଣ ଏଇଠି ବୁଝିଲି। (ଯାହା ହେଉ, ଏଠାକୁ ଆସିବା ଆଗରୁ ଲେହ ବଜାରରୁ ମୁଁ କଳା ରଙ୍ଗର ଚମରୀଗାଈ ଲାଞ୍ଜ ରୁମ ବିଡ଼ାଏ କିଣି ସାରିଥିଲି)। ହଁ, ୟାକ୍ ଦଳ ସହ ଫଟୋ ଉଠାଇବା ପାଇଁ ଆମ ଭିତରେ ପ୍ରତିଯୋଗିତା ଲାଗିଗଲା। ଆମେ ଯେତେ ଯେତେ ସେମାନଙ୍କ ପାଖକୁ ଯାଉଥିଲୁ, ସେମାନେ ତରକି ଯାଇ ଆଗକୁ ଆଗେଇ ଯାଉଥିଲେ। ଯେତିକି ସମ୍ଭବ ସେତିକିରେ ଫୋଟ ଉଠେଇ ସାରି, ବଢ଼ିଲୁ ଆଗକୁ।

ବାଟ ସାରା ଗୋଟିଏ ଜିନିଷ ଲକ୍ଷ୍ୟ କରୁଥିଲି, ମଝିରେ ମଝିରେ ଖାଲି ସ୍ଥାନରେ ଛୋଟ ଛୋଟ ପରିସ୍ରାଗାର ଓ ପାଇଖାନା ତିଆରି ହେଇଛି। ପାଣି ବ୍ୟବସ୍ଥାରେ, କୋଉଠି ନଳକୂଅ ତ କୋଉଠି ପାଇଖାନା ପାଖ ଦେଇ ଧାରେ ଝରଣା ବହି ଯାଇଛି। ଆମ ପରି ପର୍ଯ୍ୟଟକ ମାନେ ମଧ୍ୟ ସେସବୁ ଶୌଚାଳୟ’କୁ ବ୍ୟବହାରରେ ଲଗାଉଥାନ୍ତି। ଆମେ ବି ସେୟା କରୁଥିଲୁ।

ୟା ଭିତରେ ପଡ଼ିଲା ଟ୍ୟାଙ୍ଗସ୍ତେ, ସେଇଠି ଆମେ ଗରମ ଚା’ର ମଜା ନେଲୁ। ଚାହା ବା କଫି – ସବୁ ସେଇଠି ପଚାଶ ଟଙ୍କା ପ୍ରତି କପ୍। ଆମ ଏଠାର ଦାମ୍ ଠାରୁ ପାଞ୍ଚଗୁଣ ଅଧିକ। ପାଙ୍ଗଙ୍ଗ ଲେକ୍ ରୁ ବାହାରିଲେ ବାଟରେ ଟ୍ୟାଙ୍ଗସ୍ତେ, ତାପରେ ଆଉ ଏକ ସ୍ଥାନ ଦୂର୍ବୁକ ଓ ତାପରେ ଆରମ୍ଭ ହେଇଯିବ ଚାଙ୍ଗ ଲା ପାସ୍।

ବାଟ ସାରା ଅନବରତ ଭାବେ ଭାରତୀୟ ସେନାବାହିନୀ’ର ଗାଡ଼ି ଚାଲୁ ଥାଏ। କୋଉଥିରେ ଖାଦ୍ୟ ପାନୀୟ ସାମଗ୍ରୀ କେଉଁଥିରେ ଯୱାନ୍ ପୁଣି କେଉଁ ଗାଡ଼ିରେ ଅସ୍ତ୍ର ଶସ୍ତ୍ର। ସବୁ ଆର୍ମି ଗାଡ଼ି କିନ୍ତୁ ଆଗତୁରା ସାଧରଣ ଲୋକ ଓ ପର୍ଯ୍ୟଟକଙ୍କ ଗାଡ଼ିମାନଙ୍କୁ ବାଟ ଛାଡ଼ି ଦେଉଥାଆନ୍ତି।

ଚାଙ୍ଗଲା ସମୁଦ୍ରପତ୍ତନ ଠାରୁ ୫୩୯୧. ୩ ମିଟର ବା ୧୭୬୮୮ ଫୁଟ ଉଚ୍ଚତାରେ ଅବସ୍ଥିତ। ଏହି ଘାଟି ରାସ୍ତାଟି ମୋଟାମୋଟି ଭାବରେ ସିୟୋକ୍ ନଦୀର ଉପତ୍ୟକା ଓ ଲେହ ସହର ମଝିରେ ଏକ ପ୍ରାଚୀର ସଦୃଶ। ଚାଙ୍ଗ ଲା ପରେ ପରେ ଛୋଟ ସହର ଟିଏ ଜିଂଗ୍ରାଲ ଓ ପରେ ସାକ୍ତି ଏମିତି ହେଇ ରାସ୍ତା ଇଣ୍ଡସ ବା ସିନ୍ଧୁ ନଦୀ କୂଳେ କୂଳେ ଲେହ ପର୍ଯ୍ୟନ୍ତ ଯାଇଛି। ଚାଙ୍ଗ ଲା ଘାଟିର ଗୋଟିଏ ପଟେ ପାଙ୍ଗଙ୍ଗ ଆଡ଼କୁ, ସିୟୋକ ନଦୀ ଓ ତା’ର ବାଲି ପଥର ଉପତ୍ୟକା ଓ ଆର ପଟ ଲେହ ଆଡ଼କୁ ଅଳ୍ପ ସବୁଜିମା ସହ ଅଙ୍କା ବଙ୍କା ସିନ୍ଧୁ ଉପତ୍ୟକା।

ଆମେ ଚାଙ୍ଗ ଲା ଘାଟିର ଦୃଶ୍ୟ ଦେଖିବାକୁ ଉତ୍ସୁକ ହୋଇ ରହିଥାଉଁ। ଆମ ଡ୍ରାଇଭର ସୌକତ ଅଲି କିନ୍ତୁ ତା ସମସ୍ୟା ନେଇ ବ୍ୟତିବ୍ୟସ୍ତ। ଏମିତିରେ ସରୁ ରାସ୍ତାରେ ଆର୍ମି ଗାଡ଼ି ଅନବରତ ଚାଲିଛନ୍ତି। ଏପଟେ ଘାଟି ଅଧାରୁ ରାସ୍ତାରେ ବରଫ ପଡ଼ି ସାରିଛି, ବ୍ରେକ୍ ଦେଲେ ଟାୟାର ଖସିବା ଭୟ ରହୁଛି। ଅବଶ୍ୟ ରାସ୍ତା ଉପରୁ କିଛି ମାତ୍ରାରେ ବରଫ ତରଳି ଗଲାଣି, ଯଦ୍ୱାରା ରାସ୍ତା କଡ଼ କାଦୁଅ ଉପରେ ମଡ଼େଇ କି ଗାଡ଼ି ନେବାଦ୍ଵରା ଟାୟାର ଖସଡ଼ିଯିବା ଭୟ କମ୍ ରହୁଥାଏ। ଆମେ ଦୁଇ ପାଖର ବରଫ ପାହାଡ଼ ଦେଖି ଦେଖି ଯାଉଥାଉଁ ହଠାତ୍ ବର୍ଷା ବିନ୍ଦୁ ପରି ଆହୁରି ବରଫ ପଡ଼ିବା ଆରମ୍ଭ ହେଇଗଲା। କିନ୍ତୁ ସେଦିନ ଖାର୍ଦୁଙ୍ଗ ଲା ପାସ୍ ପ୍ରବେଶ ପଥରେ ବରଫ ଓ ତୁଷାରପାତ ଦେଖି ଆମେ ଯେମିତି ଉତ୍ସାହିତ ହେଉଥିଲୁ, ଆଜି ଚାଙ୍ଗ ଲା ପଥ’ରେ ସେ ଉତ୍ସାହ ପରିଲକ୍ଷିତ ହେଉ ନଥିଲା। ମନେ ପଡ଼ିଲା କଥାଟିଏ – ଗଙ୍ଗା ନିକଟେ ଯେତେ ଜନ, ଅତି ପରଚେ ଅପମାନ। ଅଧିକ ସମୟ ବରଫ ଓ ଥଣ୍ଡା ଜଳବାୟୁ ଭିତରେ ରହି ରହି ସେସବୁ ପ୍ରତି ଆଉ ଆଗପରି ଆକର୍ଷଣ ଥିଲା ପରି ଲାଗୁ ନଥିଲା। ପୁଣି ମନେ ପଡ଼ିଲା – ନା ନା, ଆମେ ଓଡ଼ିଶାରୁ ଆସିଛୁ. ଆମେ କଣ ସବୁଦିନେ ବରଫ ପଡ଼ିବା କିମ୍ୱା ବରଫ ପାହାଡ଼ ଦେଖୁଛୁ !! ହେଇ ଏଠାରୁ ଫେରିଲା ପରେ ପୁଣି ଏ ବରଫପାତକୁ ଝୁରି ହେବୁ ସିନା। ଏତିକି ଭାବି ଦେବାରୁ ଆମ ପାଇଁ ପୁଣି ଆକର୍ଷଣୀୟ ହେଇ ଉଠିଲା ଚାଙ୍ଗ ଲା ଘାଟି ର ବରଫ।

ଚାଙ୍ଗ ଲା – ଯେମିତି ଗୋଟେ ଅଞ୍ଚଳ, ଅଧା ସ୍ବର୍ଗରେ ଅଟକି ରହିଛି।। ତିନି ଆଡ଼େ ଧଳା ବରଫ ଆଚ୍ଛାଦିତ ପାହାଡ଼ ଓ ଗୋଟିଏ ପଟେ ବହୁତ ଦୂରରେ ଓ ଅନେକ ତଳେ, ଅଳ୍ପ ଅଳ୍ପ ଦେଖା ଯାଉଥିବା ଗାଢ଼ ମାଟିଆ ସବୁଜ ମିଶାମିଶି ରଙ୍ଗର ଭୂମି। କେତେ ଉପରେ ଆମେ..!! ପ୍ରକୃତିର ଏ ନୈସର୍ଗିକ ଶୋଭା ଦେଖିବା ଗୋଟେ ଭାଗ୍ୟର କଥା। ଏତିକି ଦିନ ମଧ୍ୟରେ ଆମେ ଅକ୍ସିଜେନ ଅଭାବ ସହ ଚଳିବାରେ ଅଭ୍ୟସ୍ତ ହେଇ ଯାଇଥିଲୁ ବୋଧହୁଏ। ତେଣୁ, ଆମେ ଗାଡ଼ିରୁ ଓହ୍ଲେଇ ମନଇଛା ବରଫରେ ଖେଳିଲୁ, ସେଦିନ ପରି କ୍ଳାନ୍ତ ଲାଗିଲା ନାହିଁ। ଡ୍ରାଇଭର’ର ତାଗିଦ୍ କୁ ଖାତିର ନକରି ଜାଗାଟିକୁ ମନେ ରଖିଲା ପରି ଦେଖିଲୁ, ଏପାଖ ସେପାଖ ବୁଲିଲୁ ଟିକେ- ବିଭିନ୍ନ ଜାଗାର ଫୋଟ ନେଲୁ। ଆମପରି ଅନେକ ଦେଶୀ ବିଦେଶୀ ପର୍ଯ୍ୟଟକ ସେଇଠି ଅଟକୁ ଥାଆନ୍ତି।

ରାସ୍ତାକଡ଼ରେ ବରଫ ଉପରେ ଉପରେ ଟିକେ ଉଠାଣି ଉଠିଲେ ଛୋଟ ମନ୍ଦିରଟିଏ, ଚାଙ୍ଗ ଲା ବାବା’ଙ୍କ ମନ୍ଦିର। ଭିତରେ ଶିବଲିଙ୍ଗ ପୁଜା ପାଉଛନ୍ତି। ବାହାରେ ବରଫ ଓ ଭିତରେ ବାବା ଭୋଳାନାଥ। ଏତେ ଦିନ ରହଣୀ ଓ ବୁଲାବୁଲି କରିବା ଭିତରେ ଏଇଠି ହିଁ ଗୋଟେ ହିନ୍ଦୁ ମନ୍ଦିର ଦେଖାଗଲା। ବାକି, ବାଟସାରା ବୌଦ୍ଧ ସ୍ତୁପ, ବୌଦ୍ଧ ବିହାର ଗୁରୁଦ୍ୱାର ଓ କାଁ ଭା କୋଉଠି ମସଜିଦ ବା ଗିର୍ଜା ଘରଟିଏ ନଜରକୁ ଆସିଥିଲା।

ଚାଙ୍ଗ ଲା ବାବାଙ୍କ ଦର୍ଶନ କରିବା ପରେ, ସେଇଠି ଗୋଟେ ଛୋଟ ଚାହା ଦୋକାନରେ ଆମେ କାଶ୍ମୀରୀ କାହ୍ୱା ପିଇଲୁ। କାହ୍ଵା – ବିଭିନ୍ନ ପ୍ରକାରର ସୁଖା ମସଲା ସିଝା ପାଣି, ନାଲି ଚା ପରି ଦେଖାଯାଏ। କିନ୍ତୁ ପିଇ ଦେଲା ପରେ ଖୁବ ଆରାମ ଲାଗେ। ଆହୁରି କିଛି ସମୟ ବସିବାକୁ ଇଛା ହେଉଥିଲା। ବରଫ ପଡ଼ିବାର ମାତ୍ରା ବଢ଼ୁଥିବାରୁ, ଡ଼୍ରାଇଭର ସୌକତ ଆସି ତାଗିଦ୍ କରିଦେଲା – “ଏବେ ଆମେ ଘାଟି ରାସ୍ତାରେ ତଳକୁ ଗଡ଼ିବା। ବରଫ ବଢ଼ିଲେ ଗାଡ଼ି ସ୍ଲିପ କରିବ। ଶୀଘ୍ର ଯାଇ ହେବ ନାହିଁ। ଏଠାରୁ ଶୀଘ୍ର ବାହାରି ଗଲେ ସିନା ଆପଣମାନେ ଆଜି ହେମିଶ୍ ମୋନେଷ୍ଟ୍ରୀ ଦେଖି ପାରିବେ !!” ୟା ପରେ, ଚାଙ୍ଗ ଲା’ରେ ଆମେ ଆଉ ରହିବା କୋଉ ଖୁସିରେ ? ପୋଷାକ ଉପରୁ ବରଫ ଝାଡ଼ିଝୁଡ଼ି ହୋଇ ଆମେ ଗାଡ଼ିରେ ନିଜ ନିଜ ସ୍ଥାନରେ ବସିଗଲୁ।

ଗାଡ଼ି ଗଡ଼ିଲା ତଳକୁ। ଓଃ ଡାହାଣ ପାଖ ଝରକାରେ ଦେଖିଲେ କେଉଁ ଅଥଳ ତଳେ ଦେଖା ଯାଉଛି ଅଳ୍ପ ଅଳ୍ପ ଉପତ୍ୟକା। ବାଆଁ ପାଖରେ ଦରଫ ଢଙ୍କା ପାହାଡ଼ ମାଳା। ବଙ୍କେଇ ବଙ୍କେଇ ଗାଡ଼ି ଗଡୁଥାଏ ଓ ପ୍ରତି ମିନିଟରେ କେତୋଟି ଆର୍ମି ଗାଡ଼ିକୁ ଓଭର ଟେକ୍ କରି ଚାଲିଥାଏ। ଲାଗୁଥାଏ ଏମିତି ସରୁ ଘାଟି ରାସ୍ତାରେ ଟ୍ରକ୍ ମାନଙ୍କୁ ଓଭରଟେକ୍ କରି କରି ଗାଡ଼ି ଚାଲେଇବାରେ ଖୁବ ଅଭ୍ୟସ୍ତ ଆମ ଡ୍ରାଇଭର। ଆମ ମନରେ ଥିଲା, ଆଉ କେତେ ସମୟ ପରେ ପଡ଼ିବ ହାମିସ ଜାତୀୟ ଉଦ୍ୟାନ ଓ ବୌଦ୍ଧ ବିହାର।

କ୍ରମଶଃ…..

—–###—–

ବିଜୟ କୁମାର ଜେନା

Leave a Reply

Your email address will not be published. Required fields are marked *