Wed. Oct 14th, 2026

ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀବିଗ୍ରହମାନଙ୍କର “ଚାଚେରୀ ବେଶ “ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ବେଶ କରାଯାଇଥାଏ। ଏହି ବେଶରେ ପ୍ରଥମେ ମେକାପ ସର୍ବାଙ୍ଗ (ଚନ୍ଦନଲାଗି) ଓ ବୋଇରାଣୀ (ବସ୍ତ୍ର) ମାଧାବଳୀ ଇତ୍ୟାଦି ନୂଆ ଲୁଗାମାନ ଲାଗି ହୋଇ ଠାକୁରଙ୍କୁ ଛଅ ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯାଏ।
ଏହାପରେ ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରକୁ ବିଜେ ହୋଇଥାନ୍ତି। ସେଠାରେ ଶ୍ରୀବିଗ୍ରହମାନଙ୍କର ଚାଚେରୀ ବେଶ ବଢିବା ପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ବାହାର ଦେଉଳି ଭୋଗ ହୋଇଥାଏ ଓ ତତପରେ ରତ୍ନସିଂହାସନକୁ ବିଜେ ହୋଇଥାନ୍ତି। ଏହି ସମୟରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି। ଚାଚେରୀ ଭୋଗ ସରି ପାଣି ପଡ଼ି ଘଣ୍ଟ ଛତା ସର୍ବାଙ୍ଗ ତିନି ବାଡ଼ରେ ହୋଇଥାଏ। କେବଳ ମହାପ୍ରଭୁ (ଶ୍ରୀଜଗନ୍ନାଥ) ଙ୍କ ବାଡ଼ରେ ସୁନ୍ଦର, ଚନ୍ଦନ, ଫଗୁ, ଝିମିରି ଫଗୁ, ପ୍ରସାଦ ଲାଗି ଓ ବନ୍ଦାପନା ହୋଇଥାଏ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କ ବାଡ଼ରେ ଆଉ ଏକ ଗୋଟି କର୍ପୂର ଆଳତି ହୁଏ। ମୁଦିରସ୍ତ ଚାମର ଆଲଟ କରି ସିଂହାସନ ତଳକୁ ଓହ୍ଲାଇବେ। ତିନି ବାଡ଼ରେ ଫଗୁ ଆଞ୍ଜୁଳି ଦେଇ ସାରିବା ପରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ସିଂହାସନ ଉପରକୁ ଉଠି ପ୍ରସାଦ ମଇଲମ କରିବେ। ଏହାପରେ ପୂଜାପଣ୍ଡା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦେଇ ଶ୍ରୀଅଙ୍ଗରୁ ସାମାନ୍ୟ ଦୂରକୁ ଛଡ଼ାଇଦେବାପରେ ମହାଜନ (ପୁଷ୍ପାଳକ) ମାନେ ହାତରେ ବିଜେ କରି ଜୟ ବିଜୟ ଦ୍ଵାରଠାରେ ଉଭା କରିବା ସମୟରେ ମୁଦିରସ୍ତ ପ୍ରସାଦ ଲାଗି, କର୍ପୂର ଆଳତି, ଦୃବାକ୍ଷତ, ସାତବତି, ସଞ୍ଜ କାହାଳି, ବନ୍ଦାପନା ଇତ୍ୟାଦି ନୀତି କରାଯାଏ। ଏହିପରି ଚାଚେରୀ ବେଶ ସମୟରେ ହେଉଥିବା ଭୋଗ ମଧ୍ୟରେ ସାନ ଆରିସା, ବଡ଼ ଆରିସା, ଧଉଳା,ଘିନାଡି, ମରିଚିନଡ଼ୁ, ଖିରି ପ୍ରଭୃତି ଅନ୍ୟତମ ଅଟେ। କଥିତ ଅଛି ଯେ ଶ୍ରୀମହାପ୍ରଭୁମାନଙ୍କ “ଚାଚେରୀ ବେଶ “ଦର୍ଶନରେ ଭକ୍ତମାନଙ୍କ ମନରେ ଅପାର ସନ୍ତୋଷ ମିଳିଥାଏ। ସର୍ବତ୍ର ଚାଚେରୀ ଭୋଗ ଓ ଚାଚେରୀ ଭ୍ରମଣ ବହିରାଗତ ଦେବତାମାନଙ୍କ ଉଦେଶ୍ୟରେ କରାଯାଉଥିବାବେଳେ ଜଗନ୍ନାଥଙ୍କର ଚାଚେରୀ ଭୋଗ ଓ ଚାଚେରୀ ବେଶ କରାଯାଏ। ଜଗନ୍ନାଥ ମହାପ୍ରଭୁଙ୍କର ପ୍ରତିନିଧି ଭାବରେ ଦୋଳଗୋବିନ୍ଦ ଓ ରାଧାଙ୍କ ପରିବର୍ତ୍ତେ ଲକ୍ଷ୍ମୀ ସରସ୍ୱତୀ ଚାଚେରୀ ବୁଲାରେ ଭାଗ ନିଅନ୍ତି। ଅନ୍ୟତ୍ର ଶ୍ରୀରାଧାଙ୍କର ଓ ଶ୍ରୀକୃଷ୍ଣଙ୍କର ଚାଚେରୀ ବୁଲା ପାଳିତ ହେଉଥିବାବେଳେ ଶ୍ରୀକ୍ଷେତ୍ରରେ ଶ୍ରୀଦୋଳଗୋବିନ୍ଦ ଓ ଶ୍ରୀଦେବୀ, ଭୂଦେବୀଙ୍କର ଚାଚେରୀ ଯାତ୍ରା ଓ ଭୋଗ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ଶ୍ରୀମନ୍ଦିରର ମାହାତ୍ମ୍ୟ ଓ ଶ୍ରୀକ୍ଷେତ୍ରର ପ୍ରାଧାନ୍ୟକୁ ପୃଥକ ଭାବେ ଦର୍ଶାଉଛି। ଚାଚେରୀ ଶବ୍ଦର ଅର୍ଥ ହେଲା ଉତ୍ସବ, ଗୀତବାଦ୍ୟ ଓ ହର୍ଷୋଲ୍ଲାସ ସୌରାଗୋତ୍ସବ। ବିଶେଷ କରି ଦୋଳ ଉତ୍ସବର ଆନନ୍ଦ କଳରୋଳ ଫଗୁଖେଳ ପାଇଁ ଏହି ଶବ୍ଦଟି ବ୍ୟବହୃତ ହୋଇଛି।

Leave a Reply

Your email address will not be published. Required fields are marked *