ଓଃ, କି ଶୀତ !! ନୁବ୍ରା ଭ୍ୟାଲିରେ ଗୋଟିଏ ରାତି ତମ୍ବୁ ରହଣି ବୋଧହୁଏ ମୋ ଜୀବନରେ ଭୋଗିଥିବା ସବୁଠାରୁ ଅଧିକ ଶୀତ ରାତି। ତମ୍ବୁ ଭିତରେ ପାଞ୍ଚ ମିନିଟ କଟେଇ ସାରି ବହାରକୁ ଆସି ଦେଖିଲା ବେଳକୁ, ଆମେ ବସିଥିବା ଚେୟାର ସବୁ ଉପରେ ଇଞ୍ଚେ ବହଳର ବରଫ ପଡ଼ି ସାରିଥାଏ। ଶରୀର’ର ଆପାଦମସ୍ତକ ପଶମ କପଡ଼ାରେ ଢାଙ୍କି ହୋଇ ଦୁଇ ଦୁଇଟା ମୋଟା କମ୍ବଳ ଘୋଡ଼ିହେଇ ଶୋଇଲେ ବି, ନିଃଶ୍ୱାସ ନେବାକୁ ଟିକେ ଫାଙ୍କା କଲା ବେଳକୁ ଭିତରକୁ ହେମାଳ ପଶି ଯାଉଥାଏ ସେଇ ଫାଙ୍କରେ। ଉଠିକି କମ୍ବଳରୁ ବାହାରି ବାଥରୁମ ଯିବାଟା ସବୁଠାରୁ କଷ୍ଟ କାମ ଲାଗୁଥାଏ। ସକାଳେ କ୍ୟାମ୍ପ ବାଲା ଚାହା ଆଣିଦେଲା। କିଚେନ’ରୁ ଟେଣ୍ଟ କୋଡ଼ିଏ ମିଟର ଦୂରତା – ସେଇଠୁ ସେତିକି ଆସିଲା ବେଳକୁ ଚାହା ଥଣ୍ଡା ହେଇଯାଉ ଥାଏ। କ୍ୟାମ୍ପ ବାଲା, ଦୁଇ ବାଲଟି ଗରମ ପାଣି କହି ମାତ୍ର ନଖ ଉଷୁମ ପାଣି ଆଣିଦେଲା। ଯାହା ହେଉ, ସେତିକିରେ ନିତ୍ୟକର୍ମ ସାରି ଟେଣ୍ଟ ବାହାରକୁ ବାହାରି ଆସି ଦେଖିଲା ବେଳକୁ ଆମେ ଗତ ରାତିରେ ଯେଉଁଠି ନିଆଁ ଚାରିପାଖରେ ବସିଥିଲୁ, ସେଇଠି ପଡ଼ିଥିବା ଚେୟାର ସବୁ ଉପରେ କେଇ ଇଞ୍ଚ ମୋଟ’ର ବରଫ ଜମି ଯାଇଛି। ଆମ ଡ୍ରାଇଭର ସୌକତ ଅଲି ତା ଟିକି ତମ୍ବୁ କୁ ଖୋଲିଦେଇ ଗାଡ଼ି ଭିତରେ ରଖୁଛି। ଚାରିଆଡ଼େ ଈଷତ୍ ଧୁଆଁଳିଆ ଗୁଣ୍ଡ ଗୁଣ୍ଡ ଜଳବିନ୍ଦୁ ଉଡ଼ି ବୁଲୁଛି। ଦିଗବଳୟ’ରେ ଆକାଶ ଛୁଆଁ ପାହାଡ଼ ଅଗରେ ଜମିଥିବା ବରଫ ସବୁ ସକାଳର ସୂର୍ଯ୍ୟାଲୋକରେ ଚମକୁଛି ସୁନେଲି ରଙ୍ଗରେ।ସକାଳ ଆଠଟା ବେଳକୁ ଡି ନୁଵ୍ରା କ୍ୟାମ୍ପ ଡାଇନିଂ ହଲ’ରେ ଜଳଖିଆ ପ୍ରସ୍ତୁତ। ବଫେ – ବ୍ରେଡ ଆମ୍ଲେଟ୍, ପରଟା ରାଜମା ତରକାରି ଏବଂ ଟିକେ ଟିକେ ସେଇ ଅଞ୍ଚଳର ଆଞ୍ଚଳିକ ମିଠା। ଜଳଖିଆ ଓ ଉଷୁମ କଫି କପେ ଲେଖାଏଁ ସାରିଦେଇ ଆମେ ବସିଗଲୁ ଗାଡ଼ିରେ। ଗାଡ଼ି ଚାଲିଲା ଉପତ୍ୟକାର ଡାହାଣ ପାଖେ ପାଖେ ସିୟୋକ ନଦୀର କୁଳେ କୂଳେ।ଆଗରୁ ଯାହା ଅଳ୍ପ ବ୍ୟବଧାନରେ କୋଉଠି ଘରଟିଏ କି ଆର୍ମି ଚେକ୍ ପୋଷ୍ଟଟିଏ ନଜରକୁ ଆସୁଥିଲା, କିନ୍ତୁ ଏବେ ଅନେକ ସମୟ ଗାଡ଼ି ଚାଲିବା ପରେ ବି ଜନବସତିର ଚିହ୍ନ ବର୍ଣ୍ଣ ନାହିଁ।ନୁବ୍ରା ରୁ ପ୍ୟାଙ୍ଗଙ୍ଗ ଲେକ୍ ଯିବାପାଇଁ ‘ୱାରି ଲା ପାସ୍’ ଦେଇ ଯିବାକୁ ହୁଏ। ବାଟରେ ପଡ଼ିବ ଖାଲସାର, ଅଘାମ୍, ସିୟୋକ, ଦୂର୍ବୁକ୍, ତାଙ୍ଗତସେ ତାପରେ ଆସେ ଆକର୍ଷଣ ର ଅନ୍ତିମ ବିନ୍ଦୁ – ସ୍ପାଙ୍ଗମିକ୍ ବା ପାଙ୍ଗଙ୍ଗ ଲେକ।ସିୟୋକ ନଦୀ ଉପତ୍ୟକା ମଝିରେ ପାଣିଧାର କଡ଼େ କଡ଼େ ପାହାଡ଼ରୁ ଝରୁଥିବା ବାଲି ବାଲିରଗଡା ଓ ପଥର ଉପରେ ତିଆରି ହେଉଛି ସଡ଼କ। ଏହି ସଡ଼କ ଟି ବି ଅର୍ ଓ ଦ୍ୱାରା ୨୦୧୦ ପରଠାରୁ ଅଦ୍ୟାବଧି ତିଆରି ଚାଲିଛି। ଅଧିକାଂଶ ଭାଗର କାମ ସରିଛି ଓ ବାକିଥିବା ମାର୍ଗ ଯାହା କି, ନଈ କୁଳିଆ ଓଦାମାଟି ପଥର ଓ ବାଲିଗରଡ଼ା ଉପରେ ଗାଡ଼ି ଚାଲୁଛି। ହୁଏତ ଏହି ମାର୍ଗ’ଟି ବର୍ଷା ସମୟରେ ନଦୀ ପାଣିରେ ବୁଡ଼ି ଯାଉଥିବ; ପୁଣି ପାହାଡ଼’ରୁ ମାଟି ଅତଡ଼ା ଖସି ପୋତି ହୋଇ ଯାଉଥିବ। କେତେ କଷ୍ଟ ଓ ଭୟଙ୍କର ହେଉଥିବ ସେ ସମୟର ଯାତ୍ରା !!ଉପରେ ନୀଳ ଆକାଶ। ଉଜ୍ଜ୍ବଳ ସୂର୍ଯ୍ୟାଲୋକରୁ ଆସୁଥିବା ଅତି ବାଇଗଣୀ ରଶ୍ମି ଯୋଗୁଁ ଆଖି ଉପରେ ଚାପ ଅନୁଭବ କରୁଥିଲୁ ଆମେ। ଆଗରୁ ଜାଣିଥିଲୁ ଏ ବିଷୟରେ, ତେଣୁ କଳା ଚଷମା ସାଙ୍ଗରେ ଆଣିଥିଲୁ। କଳା ଚଷମା ପିନ୍ଧି ଟିକେ ଆରାମ ଲାଗିଲା। ପବନ କିନ୍ତୁ ସେମିତି ବରଫିଆ ଶୀତଳ ବାଆ। ଦିନ ଗୋଟାଏ ବେଳକୁ ଭୋକ ଲାଗିଲା। ଯାହାହେଉ ଠିକ ସମୟରେ ଆଗରେ ଗୋଟେ ବୌଦ୍ଧ ସ୍ତୁପକୁ ଆଶ୍ରା କରି ରହିଛି ଛୋଟ ଛୋଟ କେତୋଟି ରେଷ୍ଟୁରାଣ୍ଟ ଦୋକାନ ଓ ତିନି ମୁହାଣୀ ଛକ। ଡଗ ଡଗ ହେଇ ଓହ୍ଲେଇ ପଡ଼ିଲେ ସମସ୍ତେ। ପ୍ରାୟ ଲୋକେ ସେଇଠି ବସି ଚାଓମିନ ଖାଉଛନ୍ତି। ଆମକୁ ଆମ ପସନ୍ଦର ଚିକେନ ରାଇସ୍ ମିଳିଗଲା। ଚିକେନ ବିରିଆନି ଚିକେନ ପଲାଉ ପରେ ତୃତୀୟ ସ୍ଥାନରେ ରହିବ ଏହି ଚିକେନ ରାଇସ। ସେଠାକାର ସାଧାରଣ ତାପମାତ୍ରାରେ ଥିବା ମୃଦୁ ପାନୀୟ ଥମ୍ସଅପ୍ ସହ ଚିକେନ ରାଇସ ତରତରରେ ଢୋକି ଦେଲୁ। ରେଷ୍ଟୁରାଣ୍ଟ ଟି ସ୍ଵାମୀ ସ୍ତ୍ରୀ ପୁଅ ଝିଅ ମିଶି ଗୋଟିଏ ଲଦାଖି ପରିବାର ଚଳାଉଛନ୍ତି। ସେ ଜାଗାରେ ଏତିକି ମିଳିଗଲା ଖାଇବାକୁ; ଆମ ପାଇଁ ଯଥେଷ୍ଟ; ଦାମ୍ କେତେ କଣ ପଚାରିଲେ, ଭୋକରେ ରହିଯିବ।ଦିନ ତିନିଟା ବେଳକୁ ଆମକୁ ଲାଗିଲା ସିୟୋକ ନଦୀ ଧୀରେ ଧୀରେ ଛୋଟ ହେଇ ଯାଉଛି। ଯେମିତି କି ଏଇଠି କୋଉଠି ଅଛି ତା ଉତ୍ପତ୍ତି ସ୍ଥଳ ପାଙ୍ଗଙ୍ଗ ହ୍ରଦ। ଆମେ ବ୍ୟସ୍ତ ହେଉଥିଲୁ ଯେ ସୂର୍ଯ୍ୟାସ୍ତ ପୂର୍ବରୁ ପାଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚି ଯିବା ପାଇଁ। କାହିଁକି ନା, ଥ୍ରି ଇଡିୟଟ ସିନେମାରେ ଦେଖିଥିବା ପାଙ୍ଗଙ୍ଗ ହ୍ରଦର ନୀଳ ଜଳରାଶି ଆମକୁ ସ୍ଵଚକ୍ଷୁରେ ଦେଖିବାର ଅଛି। ନୀଳ ଆକାଶ ତଳେ ଉଜ୍ଜ୍ବଳ ସୂର୍ଯ୍ୟାଲୋକରେ ହିଁ ହ୍ରଦର ଜଳରାଶି ସେମିତି ନୀଳ ଦିଶିବ। ବାଟରେ ଇଣ୍ଡିଆନ୍ ଆର୍ମି ଟ୍ରକ୍ ଗୋଟିଏ ପରେ ଗୋଟିଏ ଆସୁଛି ନହେଲେ ଯାଉଛି। ସେଇ ଧୂସର ପାହାଡ଼ ଓ ମଝିରେ ମଝିରେ କେଉଁଠି ୟାକ୍ ଦଳେ ଚରୁଥିବା ନଜର’କୁ ଆସୁଛି। ନରମ ସୁନେଲୀ ଖରାରେ ଚଳନ୍ତା ଗାଡ଼ି ଭିତରୁ ଆମେ ଆମ ଆଖି ସାମନା ଦିଗନ୍ତକୁ ଅନେଇ ରହିଥାଉଁ। ଗୋଟାଏ ଉଠାଣିଆ ବାଙ୍କ ମୋଡ଼ିବା ପରେ ସାମନାରେ ତେରେଛା ଭାବରେ ଦେଖାଗଲା ନୀଳ ଜଳ ଭଣ୍ଡାର ର ପ୍ରଥମ ଝଲକ। ଡ୍ରାଇଭରକୁ ପଚାରିଲୁ -“ଏଇଟା କଣ ?” ପ୍ରଥମ ଥର ବୋଧେ ସୌକତ ଅଲ୍ଲୀ ହସିଲା, କହିଲା -“ପାଙ୍ଗଙ୍ଗ ଲେକ୍ ଏଇଟା।”ପାଙ୍ଗଙ୍ଗ ଲେକ ସମୁଦ୍ର ପତନ ଠାରୁ (4350m) ୪୩୫୦ ମିଟର ଉଚ୍ଚତାରେ ଅବସ୍ଥିତ। ପୃଥିବୀର ଉଚ୍ଚତମ ସ୍ଥାନରେ ଏହା ଏକ ଲବଣାକ୍ତ ହ୍ରଦ। ଏହାର ଜଳ ରାଶି ଏତେ ନୀଳ ଦିଶେ ଯେ, ଲାଗେ ନୀଳରଙ୍ଗ କୁ ତୂଳୀରେ ନେଇ କେହି ହ୍ରଦର ପାଣିକୁ ନୀଳରଙ୍ଗ କରି ଦେଇଛି। ହ୍ରଦର ଲମ୍ବା ୧୩୪ କିଲୋ ମିଟର ବା ୮୩ ମାଇଲ। ପ୍ରାୟ ୫୦ ପ୍ରତିଶତ ଅଂଶ ଚିନ୍ ଅଧିକୃତ ତିବ୍ବତରେ ରହିଛି, ୪୦ ପ୍ରତିଶତ ଭାରତର ଲଦାଖରେ ରହିଛି ଏବଂ ଦଶ ପ୍ରତିଶତ ରହିଛି ଭାରତ ଓ ଚିନ ଉଭୟଙ୍କ ଦାବି ଭିତରେ। ଏହି ସୁନ୍ଦର ହ୍ରଦରେ କିନ୍ତୁ ମାଛ ନଥାନ୍ତି। କାରଣ ଏହାର ପାଣିରେ ମାଛଙ୍କ ଖାଦ୍ୟ ପାଇଁ ଆବଶ୍ୟକୀୟ ଦଳ କିମ୍ୱା ଶିଉଳି ନଥାଏ। ଜଳ ଜୀବ ଭାବରେ ଶାମୁକା ଗେଣ୍ଡା କିମ୍ୱା ଶଙ୍ଖ ପରି ଖୋଳପା ଥିବା ସନ୍ଧିପଦ ଜୀବ ଅଳ୍ପ କିଛି ଅଛନ୍ତି। କେଜାଣି କେଉଁ ଖାଦ୍ୟ ଆଶାରେ ଦଳେ ସିଗଲ ପକ୍ଷୀ ଉଡ଼ୁଥିବାର ଆମେ ସେଦିନ ଦେଖିଲୁ। ହ୍ରଦ କୂଳରେ ଯେଉଁଠି ମୁଁ ଚିକୁ ଅଜିତ ଓ ଦେବରାଜ, ଆମେ ଚାରି ଆମ ଡେରା ଜମାଇ ବସିଥିଲୁ, କେତୋଟି ସିଗଲ ଆମ ପାଖକୁ ଉଡ଼ିଆସି ଆମ ହାତ ପାଆନ୍ତାରୁ ଆମେ ପକାଇଥିବା କିଛି ଖାଦ୍ୟ, କାଜୁ କିସମିସ ଇତ୍ୟାଦି ନେଇଗଲେ। ପୁଣି ଉଡ଼ି ଆସି ଅପେକ୍ଷାରେ ରହିଲେ, ଆମ ହାତରୁ ହୁଏତ କିଛି ଗଳି ପଡ଼ିବ।ପାଙ୍ଗଙ୍ଗ ହ୍ରଦ ଏତେ ସୁନ୍ଦର ଦେଖାଯାଏ ଯେ, ଯାହାକୁ ପହଁରା ଜଣାଥିବ, ସେ ଚାହିଁବ ଘେରାଏ ପହଁରି ଯିବାକୁ କି ବୁଡ଼ଟିଏ ପକେଇ ଦେବାକୁ। ପାଣି ଲୁଣିଆ ହେଲେ ମଧ୍ଯ ପରିଷ୍କାର। କିନ୍ତୁ ପାଙ୍ଗଙ୍ଗ ପାଣିରେ ଗାଧୋଇବା କିମ୍ୱା ଗୋଡ଼ ଧୋଇବାକୁ ବାରଣ କରାଯାଇଛି। କାରଣ ସ୍ଥାନୀୟ ବୌଦ୍ଧ ମାନେ ଏହାକୁ ଅତି ପବିତ୍ର ମାନନ୍ତି। ପର୍ଯ୍ୟଟକ ମାନଙ୍କୁ ଅନୁରୋଧ ଏ ହ୍ରଦରେ ଗାଧୋଇବା ବା ପହଁରିବା ପାଇଁ ଆଦୌ ମନ ବଳେଇବେ ନାହିଁ। ଏମିତିରେ ତ ଏହା ଏକ ପବିତ୍ର ପ୍ରାକୃତିକ ଜଳ ଭଣ୍ଡାର, ଏହାର ପାଣି କୁଣିଆ ଓ ଅତି ଶୀତଳ। ଏମିତି ପାଣିରେ ଗାଧୋଇଲେ ଯଦି କିଛି ଅସୁବିଧା ହୁଏ, ପ୍ରାୟ ଚାଳିଶ କିଲୋମିଟର ଭିତରେ କୌଣସି ଡାକ୍ତରଖାନା ବା ଚିକିତ୍ସା ସୁବିଧା ନାହିଁ।କ୍ରମଶଃ……—–###—–ବିଜୟ କୁମାର ଜେନା।



