ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା, ମାଗଣା ଚାଉଳକୁ ନେଇ ଆରମ୍ଭ ହେଲା ନୂଆ ରାଜନୀତି ।

ଶବ୍ଦ ଓଡିଶା ବ୍ୟୁରୋ: ବର୍ଷ ଆରମ୍ଭରୁ କେନ୍ଦ୍ରର ବଡ ନିଷ୍ପତ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଯୋଗାଇବାକୁ ଘୋଷଣା କରିଛନ୍ତି ମୋଦୀ ସରକାର । ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଆଉ କିଲୋ ପିଛା ଟଙ୍କାଟିଏ ଦେବାକୁ ପଡିବ ନାହିଁ । ପୂର୍ବରୁ ଟଙ୍କିକିଆ ଚାଉଳ ପାଉଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଥିଲେ । ରାଜ୍ୟ ସରକାରଙ୍କ ଭାଗ ଥିଲା ୨ ଟଙ୍କା । ହିତାଧିକାରୀ ଦେଉଥିଲେ ୧ ଟଙ୍କା ।
ତେବେ ଏହି ନିଷ୍ପତ୍ତି ରାଜ୍ୟରେ ବଡ ପରିବର୍ତ୍ତନର ସଙ୍କେତ ଦେଉଛି । ରାଜ୍ୟରେ ବିଜେଡି ସରକାରଙ୍କ ବଡ ଭୋଟ ବ୍ୟାଙ୍କ ପାଲଟିଥିବା ଏହି ଟଙ୍କିକିଆ ଚାଉଳରେ କେନ୍ଦ୍ରର ଭାଗ କେତେ ସେନେଇ ବାରମ୍ବାର ବିଜେପି କହିଆସୁଛି । ୨୦୧୯ ପୂର୍ବରୁ ଓଡିଶା ଆସି ପ୍ରଧାନମନ୍ତ୍ରୀ ମୋଦୀ ଟଙ୍କିକିଆ ଚାଉଳର ହିସାବ ଦେଇଥିଲ । ୨୦୦୮ରେ ପ୍ରଥମେ ନବୀନ ପଟ୍ଟନାୟକ ସରକାର ୨ଟଙ୍କାରେ କିଲେ ଚାଉଳ ଦେଉଥିଲେ । ୨୦୧୩ରେ ଖାଦ୍ୟ ସୁରକ୍ଷା ଆସିବା ପରେ ଏହାକୁ ୧ ଟଙ୍କା କରାଯାଇଥିଲା। ତେଣୁ ହିତାଧିକାରୀଙ୍କ ଭିତରେ ଧାରଣା ଯେ ନବୀନ ସରକାର ଶସ୍ତାରେ ଚାଉଳ ଦେଉଛନ୍ତି । କେନ୍ଦ୍ର ସରକାର ବର୍ତ୍ତମାନ ଏହାକୁ ଶେଷ କରିବା ପାଇଁ ବଡ ରାଜନୈତିକ ଗୋଟି ଚାଳନା କରିଛି । ଏହି ବାର୍ତ୍ତା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୋଦୀ ମାଗଣା ଚାଉଳ ଦେବାକୁ ଘୋଷଣା କରିଛନ୍ତି ।
କେନ୍ଦ୍ରର ଘୋଷଣା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡିଥିବା ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ମଧ୍ୟ ମାଗଣା ଚାଉଳ ଘୋଷଣା କରିଛନ୍ତି । ଅର୍ଥାତ ଏମାନଙ୍କ ଦାୟିତ୍ୱ କେବଳ ରାଜ୍ୟ ସରକାର ନେବେ । ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୮୧ କୋଟି ୩୫ ଲକ୍ଷ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ଚାଉଳ ଘୋଷଣା କରିଛନ୍ତି । କିନ୍ତୁ କରୋନା ସଂକ୍ରମଣ ବେଳେ ୨୦୨୦ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଦିଆଯାଇଛି । ଏହି ଯୋଜନାରେ ମଧ୍ୟ ମାସକୁ ୫ କିଲୋ ଚାଉଳ ବଣ୍ଟନ କରାଯାଉଥିଲା । ଏହାକୁ ଯଦି ଆଉ ଗୋଟିଏ ବର୍ଷ ସରକାର ଚଳାଇଥାନ୍ତେ ତେବେ ତାଙ୍କ ଉପରେ ୧.୭ ଲକ୍ଷ କୋଟିର ଆର୍ଥିକ ବୋଝ ବଢିଥାନ୍ତା । ଏବେ କିନ୍ତୁ କେବଳ ୨୦ ହଜାର କୋଟିର ଅତିରିକ୍ତ ବୋଝ ସହିବାକୁ ପଡୁଛି । ତେଣୁ ମୋଦୀ ସରକାର ବର୍ତ୍ତମାନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

You May Also Like

More From Author

+ There are no comments

Add yours