ଆର୍ଯ୍ୟଭୂମି ଲଦାଖ (ଭାଗ ୩)

ଲେହରେ ଦ୍ଵିତୀୟ ଦିନ। ସକାଳୁ ଉଠିବା ବେଳକୁ ଲାଗୁଥିଲା ଯେମିତି କି ଏଇ ଟିକିଏ ଆଗରୁ ରୁମ୍ ର ଅକ୍ସିଜେନ୍ ସରି ଯାଇଛି, ଆମକୁ ଶୀଘ୍ର ରିଫିଲ୍ କରିବା ଦରକାର। ଇଛା ଥିଲେ ବି ଉଠିବା ବେଳକୁ ଅବଶ ଲାଗୁଥିଲା। ଝରକା ଗୁଡ଼ା ଖୋଲିଦେଲା ପରେ ଟିକେ ତାଜା ଲାଗିଲା। କିନ୍ତୁ ବାହାରୁ ରୁମ୍ କୁ ଆସୁଥିବା ପବନ ହିମ ଶୀତଳ। ଗତ ରାତିରେ ଡିନର ଖାଇସାରିବା ସଙ୍ଗେ ସଙ୍ଗେ ଟୋପି ରୁ ମୋଜା ପର୍ଯ୍ୟନ୍ତ ପିନ୍ଧି ପକେଇ, କମ୍ବଳ ଘୋଡ଼ି ହୋଇ ଶୋଇଥିଲି।

ଯାହା ହେଉ, ସକାଳୁ ସକାଳୁ ଉଷୁମ ପାଣି ଗ୍ଲାସେ ସହ ଗରମ ଚାହା କପେ ମିଳିଯାଇଛି। ମୁହଁ ଧୁଆ ରୁ ଗାଧୁଆ ଓ ପିଆ – ଏଠି ସବୁ ଗରମ ପାଣିରେ। ଗରମ ନହେଲେ ନ ଚଳେ। ନିତ୍ୟକର୍ମ ସାରି, ପୁରା ପୋଷାକରେ ଜଳଖିଆ ଖାଇ ଆମେ ଚାରି, ପୂର୍ବ ଦିନରୁ ଆଣିଥିବା ବାଇକ୍ ଧରି ବାହାରିଲୁ – ଯିବାର ଥିଲା ଲେହ’ର ପଶ୍ଚିମ କୋଣରୁ ବାହାରି ଯାଇଥିବା ‘ଲେହ କାରଗିଲ ଶ୍ରୀନଗର ହାଇୱେ’ରେ। ଲକ୍ଷ ସ୍ଥଳ ଥିଲା, ଇଣ୍ଡସ ଓ ଝଂସ୍କାର ନଦୀର ପବିତ୍ର ସଙ୍ଗମ; ଓ ଯିବା ବାଟରେ ମ୍ୟାଗ୍ନେଟିକ ହିଲ୍ ସମେତ ଆଉ କିଛି ଭିଉ ପଏଣ୍ଟ ଦେଖିବା।

ଲେହ’ରୁ ବାହାରି ପଶ୍ଚିମ ଦିଗରେ ବାଇକ୍ ଛୁଟିଲା। ସହର ସରୁ କି ନ ସରୁ କିନ୍ତୁ ଆର୍ମି ପୋଷ୍ଟ, ମିଲିଟାରୀ କ୍ୟାମ୍ପ ସରୁ ନଥାଏ। କିଛି କିଛି ବ୍ୟବଧାନରେ ନିଶ୍ଚୟ କ୍ୟାମ୍ପ ଟିଏ ଥିବ। ଆଗରୁ ପଛରୁ ଯେତିକି ଛୋଟ ବଡ଼ ଗାଡ଼ି ଚାଲିଥାଏ ସେଥିରୁ ଶତକଡ଼ା ପ୍ରାୟ ଅଶି ଭାଗ ମିଲିଟାରୀ ଗାଡ଼ି। ଅନ୍ୟ ଗାଡ଼ି ପରି ସେସବୁ ଗାଡ଼ିରେ ନମ୍ବର ନଥାଏ, ଥାଏ ଗାଡ଼ି ଟି ରହୁଥିବା ଆର୍ମିକ୍ୟାମ୍ପ ନମ୍ବର ମିଶେଇ କୌଣସି ଏକ କ୍ରମିକ ସଂଖ୍ୟା।

ରାସ୍ତା ଦୁଇ ପାଖକୁ ଦେଖି ଦେଖି କିଛି ବାଟ ଆମେ ଯାଇଛୁ, ଲାଗିଲା ସବୁଠି ଟିକେ ଟିକେ ଅଟକି ଅଟକି ଯିବା। ବାଆଁ ପଟେ ଅଙ୍କା ବଙ୍କା ସିନ୍ଧୁ ନଦୀ, କୂଳରେ କୂଳରେ ଛୋଟ ଛୋଟ ଜନବସତି ତା ପଛକୁ ବରଫ ଆଚ୍ଛାଦିତ ଧୂସର ପାହାଡ଼। ଡାହାଣ ପାଖରେ ପାହାଡ଼ ଓ ପାହାଡ଼ ଗଡାଣିରେ ଛୋଟ ବଡ଼ ଆର୍ମି କ୍ୟାମ୍ପ। ପ୍ରାୟ ବାର କିଲୋମିଟର ଯିବା ପରେ ଗୋଟେ ମୋଡ଼ରେ ସିନ୍ଧୁ ଉପତ୍ୟକାକୁ ମନଭରି ଦେଖିବା ପାଇଁ ଅଟକିଲୁ। ଏକ ଦୁଇ ତିନି ଜଣିଆ ଫୋଟ ଆଉ ଗ୍ରୁପ୍ ସେଲ୍ଫି ସବୁ ଉଠେଇ ସାରିଲା ପରେ ସେଠାରେ ଲଗା ହୋଇଥିବା ଏକ ସୁଦୃଶ୍ୟ ଫଳକ ଉପରେ ନଜର ପଡିଲା, ଲେଖା ହୋଇଛି – ଗୁଫୁକ୍ସ ଭିଉ ପଏଣ୍ଟ। ଲଦାଖର ସବୁଠାରୁ ଅଧିକ ଦର୍ଶକ ଦେଖିଥିବା ଭିଉ ପଏଣ୍ଟ। ସତରେ, ଲେହ କାରଗିଲ ରାଜରାସ୍ତାରେ ଲେହ’ରୁ ଠିକ୍ ତେର କିମି ଗଲାପରେ ଯେଉଁଠି ଆମେ ସ୍ଵତଃ ଅଟକି ଯିବାକୁ ମନ କଲୁ, ସେଇଟା ପ୍ରାୟ ଅଧିକାଂଶ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଦିଲ୍ଲୀ ଆଡ଼ୁ ଆସୁଥିବା ବିମାନ ସବୁ ଠିକ ଏଇଠି ପାହାଡ଼ ଆରପଟୁ ଉଡ଼ି ଆସି ଲଦାଖ ଭୂଇଁକୁ ଛୁଇଁବାକୁ ଅବତରଣ ଆରମ୍ଭ କରିଥାଏ। ସ୍ପିଟୁକ୍ ବୌଦ୍ଧ ସ୍ତୁପ ଓ ମୋନାଷ୍ଟରୀ, ଷ୍ଟକ୍ ଓ ଫାର୍କା ଦୁଇଟି ସୁନ୍ଦର କୁନି କୁନି ଗାଁ ଏହି ରାସ୍ତାରେ ପଡ଼େ। ସେସବୁ ଫେରିବା ବେଳକୁ ଦେଖିବା ପାଇଁ ମନସ୍ଥିର କରି ଆମେ ଚାଲିଲୁ ଆଗକୁ। ଚିକୁ ରହିଲା ଆଗରେ, ତା ପଛରେ କ୍ୟାମେରା ଓ ଗୁଗୁଲ ମ୍ୟାପ୍ ଧରି ଦେବରାଜ ଆଉ ତାଙ୍କୁ ଅନୁସରଣ କରି ଚଳନ୍ତି ବାଇକ୍ ରୁ ଫୋଟ ଉଠାଇ ଉଠାଇ ଅଜିତ ଓ ମୁଁ – ଆମେ ଦୁହେଁ।

ହଠାତ୍ ଅଟକାଇଲେ ମାସ୍କ ପିନ୍ଧା ମହିଳା ପୋଲିସ୍ ଅଫିସର ଜଣେ, ତାଙ୍କ ପଛରେ ସେମିତି ମାସ୍କ ପିନ୍ଧା ଯୁବକ ଜଣେ ତାଙ୍କ ଆସିଷ୍ଟାଣ୍ଟ। ଆମକୁ ଭିଜିଟର୍ସ ପାସ୍ ଦେଖେଇବାକୁ କହିଲେ। ସେଇ ପାସ୍ ନଥିଲେ ଲେହ ସହର ବାହାରକୁ ବାହାରି, ବୁଲାବୁଲି କରି ପାରିବେ ନାହିଁ। ସେଠାରେ ଆମ ଆଇ.ଡି କାର୍ଡ ସବୁ କିଛି କାମକୁ ନୁହେଁ। ମାଡାମଙ୍କୁ କହିଲି ଯେ ଆସନ୍ତା କାଲି ଠାରୁ ଆମ ବୁଲିବା ଦାୟିତ୍ଵ ଗୋଟେ ଟୁର୍ ଅପରେଟର୍ ନେଇଛି। ସେ ଫୁଲ୍ ପେମେଣ୍ଟ ନେଇଛନ୍ତି, ତାଙ୍କ ଦାୟିତ୍ୱ – ସେ ଆମ ପାଇଁ ପାସ ବନେଇ ଦେବେ। ମାଡମ କିନ୍ତୁ ଶୁଣିବାକୁ ନାରାଜ। ସେଇଠି ଠିଆ ହୋଇ ଅନ୍ ଲାଇନ୍ ରେ ପାସ୍ କରେଇ ନେବାକୁ ପରାମର୍ଶ ଦେଇ, ମାଡ଼ାମ୍ ଗଲେ ଅନ୍ୟ ଜଣେ ଯାତ୍ରୀଙ୍କ ପାଖକୁ। ତାଙ୍କ କହିବା ଅନୁଯାୟୀ, ପାସ୍ ପାଇଁ ଜଣକା ଟ. ୪୫୦/- ଦେବାକୁ ପଡ଼ିବ। ଆଉ ଏ ପାସ୍ ଛ ମାସ ଯାଏଁ ବଳବତ୍ତର ରହିବ।

ଡେରି ନକରି ଚିକୁ ଅଜିତ ତାଙ୍କ ମୋବାଇଲ ଫୋନ ଅନ୍ କରି ସେ ମଡାମ କହିଥିବା ସାଇଟ୍ ଖୋଜିଲେ, ଆଉ ମୋତେ ଆଧାର କାର୍ଡ ର ଫୋଟ ମାଗିଲେ।

“ଆରେ ସେ ଟ୍ରାଭାଲ ଏଜେଣ୍ଟ’କୁ ଫୋନ୍ କର, ହୁଏତ ସେ ଭିଜିଟର୍ସ ପାସ୍ କରିଦେଇଥିବ ଆମ ପାଇଁ, ନହେଲେ ଏବେ ଆମେ ଯେଉଁ ପଇସା ପୈଠ କରିବା, ସେ ଆମ ପ୍ୟାକେଜ୍ ରୁ କାଟିବ ବୋଲି ଆଗୁଆ ଜଣେଇ ଦିଅ !!” ପାଟି କରି କହିଲି ମୁଁ।

ମୋ ମୁହଁରୁ ଓଡ଼ିଆ ଶୁଣି, ସେଇ ଯୁବ ପୋଲିସ ଜଣକ ତାଙ୍କ ଆଡ଼ୁ ଓଡ଼ିଆରେ ପଚାରିଦେଲେ, – “ଆପଣମାନେ ଓଡ଼ିଶାର କୋଉଠୁ ଆସିଛନ୍ତି ?” ମୁଁ କହିଲି “ଦାମନଯୋଡି ରୁ”। ଓଡ଼ିଶାରୁ ଏତେ ଦୂରରେ କୌଣସି ଅଚିହ୍ନା ଲୋକଙ୍କ ଠାରୁ ନିଜ ମାତୃଭାଷା ଓଡ଼ିଆ ଶୁଣି ଉଭୟଙ୍କୁ ଭଲ ଲାଗିଲା। ଅଳ୍ପ ଟିକେ ଭଲମନ୍ଦ ପଚରା ଉଚୁରା କରିବା ପରେ ସେ, ତାଙ୍କ ଆଡ଼ୁ କହିଲେ, “ଏବେ ଆଉ ଅନ୍ ଲାଇନ୍ ରେ ପାସ୍ କରନ୍ତୁ ନାହିଁ। କାରଣ ଏଠି ଟ୍ରାଭେଲ୍ ଏଜେଣ୍ଟ ମାନେ ତାଙ୍କ କଷ୍ଟମରଙ୍କ ପାଇଁ ପାସ୍ କରନ୍ତି। କାଲି ଆପଣମାନେ ବାହାରିବା ବେଳକୁ ସେ ପାସ୍ କରିଦେଇଥିବ। ସେମିତି ହିଁ ଆଗକୁ ଯାଆନ୍ତୁ ଆପଣମାନେ, ବୁଲିକି ଆସିଯିବେ।”

ସତରେ ଭାରି ଭଲ ଲାଗିଲା ଆମକୁ। ମାସ୍କ୍ ଥିବାରୁ ତାଙ୍କ ମୁହଁଟି ପୁରା ଦେଖିପାରି ନଥିଲେ ବି ଲାଗୁଥିଲା ଖୁବ କମନୀୟ ହେଇଥିବ। ବୁଲିବା ବେଳେ କିଛି ଅସୁବିଧା ହେଲେ, କଣ୍ଟାକ୍ଟ କରିବାକୁ ହେବ ବୋଲି ଅଜିତ୍ ତାଙ୍କ ଫୋନ୍ ନମ୍ବର ରଖିଲା। ଆମକୁ ଆଗଉଥିବା ଦେଖି ମ୍ୟାଡମ୍ ସେପଟୁ ତାଙ୍କ ସହକର୍ମୀ ଏଇ ଓଡ଼ିଆ ଯୁବକଙ୍କୁ ପଚାରିଲେ – “ୟାଙ୍କର ପାସ୍ ହେଇଗଲା ?” ଯୁବା ପୋଲିସ୍ ତାଙ୍କୁ ଉତ୍ତର ଦେଲେ – “ହଁ”। ଖୁସିଟାଏ ହେଇ ଯୁବକଙ୍କ ଆଖିରେ ଆଖି ମିଶାଇ ଧନ୍ୟବାଦ୍ ଜଣାଇ ଆମେ ଛୁଟିଲୁ ଆଗକୁ। ଲକ୍ଷ୍ୟ – ସିନ୍ଧୁ ଝଂସ୍କାର୍ ନଦୀର ସଙ୍ଗମ ସ୍ଥଳ।

ଆଗକୁ ଆଗକୁ ଶୁନଶାନ ସଡ଼କରେ କାଁ ଭାଁ ଗାଡ଼ି। ତା ଭିତରେ ଆମ ଫୋଟଉଠା ଚାଲିଥାଏ। ଖରା ଖୁବ୍ ଉଜ୍ଜ୍ବଳ। ହିମାଳୟ’ର ଏହି ଅଞ୍ଚଳଟା ପୃଥିବୀର ଛାତ କାହିଲେ ଭୁଲ୍ ହେବ ନାହିଁ। ସୂର୍ଯ୍ୟ କିରଣରେ ଅତି ବାଇଗଣୀ ରଶ୍ମୀ ବା ଅଲଟ୍ରା ଭାଇଓଲେଟ୍ ରେ ଅଧିକ୍ ରହିଥାଏ। ଆଖିର ସୁରକ୍ଷା ପାଇଁ ଆମେ ସମସ୍ତେ କଳା ଚଷମା ବ୍ୟବହାର କରୁଥିଲୁ। ପାହାଡ଼ରେ ଘାସ କି ପତ୍ର କିଛି ଦେଖା ଯାଉନଥାଏ। ରାସ୍ତା କଡ଼ରେ କୋଉଠି ଗୋଟେ ଗୋଟେ ଛୋଟ ଘାସ ବୁଦା ନଜରକୁ ଆସୁଥାଏ। ସେଥିରେ ଜୁଆଣି କିମ୍ବା ପାନମହୁରୀ ଗଛ ପରି ଟିକି ଟିକି ହଳଦିଆ ରଙ୍ଗର ଫୁଲ ଫୁଟିଥାଏ। ଏହି ଦୁଷ୍ପ୍ରାପ୍ୟ ଘାସ ଗୁଡିକ ସେଠାକାର ଛେଳି – ଯାହାକି ପଶ୍ଵୀନା ଛେଳି କୁହନ୍ତି, ଅଳ୍ପ କିଛି ଗାଈଗୋରୁ, ସାଧାରଣ ଛେଳି, ଖଚର, ଚମରି ଗାଈ ଇତ୍ୟାଦି’ଙ୍କ ଖାଦ୍ୟ। ପଶୁମାନେ ବରଫାବୃତ୍ତ ଟାଙ୍ଗରା ପାହାଡ଼’ର ପାଦଦେଶରୁ ଉପର ଯାଏଁ, ଖୋଜି ଖୋଜି ଏ ଘାସ ଓ ପତ୍ର ଖାଇଥାନ୍ତି।

ବାଟରେ ପଡ଼ିଲା ମ୍ୟାଗ୍ନେଟିକ୍ ହିଲ୍ ବା ଚୁମ୍ବକୀୟ ଶକ୍ତି ଥିବା ପାହାଡ଼। ସେଇ ପାହାଡ଼ କଡ଼ ଦେଇ ଯାଇଥିବା ରାସ୍ତାରେ ଗାଡ଼ି ନିଉଟ୍ରାଲ କରି ବ୍ରେକ୍ ଛାଡ଼ିଦେଲେ, ଗାଡ଼ି ମନକୁ ମନ ଉଠାଣି ଆଡ଼କୁ ଗଡ଼ି ଯାଉଥାଏ। ସତରେ ଚୁମ୍ବକ ପାହାଡ଼ ଟାଣି ନେଉଛି ନା, ରାସ୍ତାର ଉଠାଣି ଗଡାଣି ଭିତରେ ଏହା ଏକ ଭ୍ରମ – କହି ହେବନି। କିନ୍ତୁ ଆମକୁ ମଜା ଲାଗିଲା।

ୟା ଭିତରେ ସୂର୍ଯ୍ୟ ମୁଣ୍ଡ ଉପରେ। ଠିକ୍ ମଧ୍ୟାହ୍ନ ସମୟରେ ରାସ୍ତାର ବାଆଁ ପଟକୁ ଚାହିଁଲୁ – ଖୁବ୍ ତଳେ, ଆମେ ଆସୁଥିବା ରାସ୍ତା ସହ ସମାନ୍ତରାଳ ଭାବେ ବହି ଚାଲିଥିବା ସିନ୍ଧୁ ନଦୀ ସହ ସେପଟ ପାକିସ୍ତାନ ଆଡ଼ୁ ଆଉ ଗୋଟିଏ ନଦୀ ଆସି ମିଶିଛି। ସେଇଟା ହିଁ ଇଣ୍ଡସ ଓ ଝଂସକାର ନଦୀର ସଙ୍ଗମ – ଖୁବ୍ ସୁନ୍ଦର ଦୃଶ୍ୟ। ସଙ୍ଗମ ସ୍ଥାନରେ ଆଠ କି ଦଶ ଜଣ ମଣିଷ ଥିବାର ଦିଶୁଥାନ୍ତି ଉପରୁ – ଆହୁରି ଟିକି ଟିକି ଦିଶୁଥାଏ ପମ୍ପ ଦିଆ ଡଙ୍ଗା ମୁଣ୍ଡେଇ ଠିଆ ହେଇଥିବା କେତୋଟି ଗାଡ଼ି। ସର୍ପିଳ ଗତିରେ ବୁଲି ବୁଲି ଆମ ଗାଡ଼ି ଓଲ୍ହାଉ ଥିଲା। ଠିକ୍ ପାଣି ପାଖରୁ କେଇ ହାତ ଦୁରରେ ବାଇକ୍ ରଖି ଓଲ୍ହେଇଲୁ ଆମେ।

ଭାରତର ମସ୍ତକରେ ଥିବା ଶୁଦ୍ଧ ବରଫରୁ ତରଳି ବହି ଆସୁଥିବା ଜଳ ସମ୍ବଳିତ ପବିତ୍ର ସିନ୍ଧୁ ସଙ୍ଗମରେ ବୁଡ଼ ପକାଇବା ପାଇଁ କାହିଁ କେଉଁ ଦିନରୁ ମୁଁ କହି ଆସୁଥିଲି ଘରେ, ବନ୍ଧୁ ମହଲରେ। କେହି ଜଣେ ସହଯୋଗ କରୁନଥିଲେ ବୋଲି ବିରକ୍ତ ହେଉଥାଏ ମନେ ମନେ। ମୋ ଜୀବନ କାଳରେ ଅନ୍ୟ କୌଣସି ବହୁଳ ପ୍ରଚାରିତ ନଦୀ ସଙ୍ଗମରେ ସ୍ନାନ କରିବାକୁ କେବେ ବି ଇଚ୍ଛା ହେଇନି। ବାଧ୍ୟ ବଧକତାରେ ହୁଏତ ନାସିକ’ର ଗୋଦାବରୀ, ହରିଦ୍ଵାର’ର ଗଙ୍ଗା, କନ୍ୟାକୁମାରୀ’ର ତ୍ରିସାଗର ସଙ୍ଗମ କିମ୍ବା ଯାଜପୁର’ର ବୈତରଣୀ’ରେ ବାରୁଣୀ ସ୍ନାନ କରିଛି। କିନ୍ତୁ ଲୋକ ଗହଳିର ସେ ଗୋଳିପାଣି କେବେ ମୋତେ ଏମିତି ଆକର୍ଷିତ କରିନାହିଁ। ସାଙ୍ଗରେ ନେଇଥାଏ ଧୋତି ଗାମୁଛା। ଲୁଗା ପାଲଟି ଓଡ଼ିଆ କଛା ମାରି ପଶିଲି ପାଣିରେ। ଓଃ କି ଥଣ୍ଡା !! ପାଖ ଦେଇ ପତଳା ପତଳା ବରଫ ଖଣ୍ଡ ଭାସି ଯାଉଥାଏ। ନଦୀର ପାଣି ଦୂରରୁ ପାଉଁଶିଆ ଦେଖା ଯାଉଥିଲା, କିନ୍ତୁ ପାଖରୁ ଦେଖିଲେ ମିନେରାଲ ୱାଟର ଭଳି ଖୁବ ପରିଷ୍କାର। ସେଇ ଥଣ୍ଡା ପାଣିରୁ ଦୁଇ ଆଞ୍ଜୁଳା ପିଇ ଦେଲି ଖୁସିରେ। ପାହାଡରୁ ଝରି ଯାଉଛି ଚିରସ୍ରୋତା ସିନ୍ଧୁ – ନଦୀରେ ମଧ୍ୟମ ଧରଣର ସୁଅ। ମୋ ପାଇଁ ଅଜଣା ଏ ତୁଠ। ତେଣୁ ବେଶି ଗଭୀରକୁ ନଯାଇ ପେଟେ ପାଣିରେ ଠିଆ ହୋଇ ବୁଡ଼ିଲି ଗୋଟେ ବୁଡ଼। ପ୍ରଥମ ଆଞ୍ଜୁଳା ପାଣି ମୋ ବୋଉ ଉଦ୍ଧେଶ୍ୟରେ ଉତ୍ସର୍ଗ କରି ପୁଣି ଗୋଟେ ବୁଡ଼। ବାରମ୍ବାର ବୁଡ଼ୁଥିବା ଦେଖି ଚିକୁ ଏପଟେ ବ୍ୟସ୍ତ ହୋଇ ପାଟିକଲା -“ବାବା, ସେତିକି ଥାଉ ! ଦେହ ସନ୍ନିପାତ ହେଇଯିବ ଥଣ୍ଡାରେ।” ଯାହା ବି ହେଉ, ପିଲାଙ୍କ ତାଗିଦ୍ କୁ ଅବଜ୍ଞା କରି ତିନି ପୁରୁଷଙ୍କ ପାଇଁ ପାଣି ଟେକିଲି। ସାଙ୍ଗରେ ନେଇଥିବା ତିଳ ତଣ୍ଡୁଳ ଇତ୍ୟାଦିରେ ତର୍ପଣ ଅର୍ପଣ ସୂର୍ଯ୍ୟ ନମସ୍କାର ଆଦି ସାରିଦେଇ ପୁଣି ଏକ ଅନ୍ତିମ ବୁଡ଼ ପକାଇ ଉଠିଲି କୂଳକୁ। ଉପରୁ ଖରା, ତଳେ ଶୁନ ଡିଗ୍ରୀ ତଳକୁ ଥିବା ଥଣ୍ଡା କନକନିଆ ପବନ – ଗୋଟେ ମିନିଟ୍ ମଧ୍ୟରେ ଦେହ ଶୁଖିଗଲା।

ତେଣେ ଅଜିତ ଓ ଦେବରାଜଙ୍କ ମଧ୍ୟରେ ବାଜି ଲାଗୁଥିଲା – ଦଶ ହଜାର ଟଙ୍କା ଦିଆଯିବ ଯଦି ତାଙ୍କ ତିନି ଜଣଙ୍କ ଭିତରୁ କିଏ ବୁଡ଼ ପକାଇବ। ନଦୀ ପାଣିକୁ ଆଙ୍ଗୁଳି ଅଗରେ ଛୁଇଁ ଦେଇ ସେମାନେ ସେମାନଙ୍କ ଲକ୍ଷ୍ୟ ସ୍ଥିର କରିଦେଲେ ଯେ, ଶୀଘ୍ର ଏଠାରୁ ବାହାରିବା। ସଙ୍ଗମ ଉପର ଦେଇ ସୁନ୍ଦର ପୋଲଟିଏ ଓ ରାସ୍ତା ଲମ୍ବି ଯାଇଛି ପାକିସ୍ତାନ ସୀମା ଆଡ଼କୁ। ଏଠାରେ ସବୁ ସଡ଼କ ଓ ରାଜପଥ’କୁ ସିମା ସୁରକ୍ଷା ବାହିନୀ ନିୟନ୍ତ୍ରଣରେ ରହି, ବି.ଆର୍.ଓ (BRO) ନିର୍ମାଣ କରିଛି।

ବହୁ ଆକାଂକ୍ଷିତ ଇଛାଟିଏ ପୂରଣ ହେଇଥିବା ଏକ ଗଭୀର ମାନସିକ ଶାନ୍ତି ସହିତ ପିଲଙ୍କ ସହ ମିଶି ଉଠିଲି ଘାଟି ରାସ୍ତା ଦେଇ ଉପରକୁ – ଲେହ ଅଭିମୁଖେ। ଏବେ ଆମ ଚାରି ଜଣଙ୍କ ଇଚ୍ଛା, କେମିତି କୋଉଠି ଚାହା ଟିକେ ପିଇବେ। ଏଠୁ ବାହାରିବା ପରେ ଚାହା ଦୋକାନ ଗୋଟିଏ କି ଦୁଇଟି ଅଛି ସେଇ ମ୍ୟାଗ୍ନେଟିକ୍ ହିଲ୍ ସାମନା ସଡ଼କ କଡ଼ରେ – ଲେହ ଫେରିବା ବାଟରେ।

କ୍ରମଶଃ…..

—–###—–

ବିଜୟ କୁମାର ଜେନା

You May Also Like

More From Author

+ There are no comments

Add yours