ଲେହ ବଜାରର ଗୋଟିଏ ଟ୍ରାଭଲସ୍ ରୁ ଦୁଇ ଦିନ ପାଇଁ ଦୁଇଟା ବାଇକ୍ ଭଡ଼ାରେ ଆଣିଲେ ଚିକୁ ଓ ଅଜିତ୍। ଲେହ ବଜାରରେ ଏମିତି ଅନେକ ଟ୍ରାଭଲ୍ସ ଏଜେଣ୍ଟ ଓ ଟୁର ଅପରେଟର ଅଛନ୍ତି, ଯେଉଁଠୁ ସହଜରେ ବିଭିନ୍ନ ପ୍ରକାରର ଗାଡ଼ି ସ୍କୁଟର ମୋଟର ସାଇକଲ ଆଦି ଭଡ଼ାରେ ମିଳିଯାଏ। ଆଧାର କାର୍ଡ ଓ ଆବଶ୍ୟକୀୟ ଅର୍ଥ ପୈଠ କରିବା ପରେ ଗାଡ଼ି ଓ ପ୍ରତି ଦୁଇଚକିଆ ଗାଡ଼ି ପାଇଁ ଦୁଇଟା ହେଲମେଟ ଦିଅନ୍ତି। ଗାଡ଼ିରେ ପେଟ୍ରୋଲ ଖୁବ ଅଳ୍ପ ଥାଏ, ନିଜେ ପେଟ୍ରୋଲ ଭରିବାକୁ ହୁଏ।
ବାଇକ୍ ହାତରେ ପଡ଼ିଲା ପରେ, ଚିକୁ ଓ ଅଜିତ’ଙ୍କର ଯେମିତି ଡେଣା ଲାଗିଗଲା। ଖୁବ୍ ଦୂରରୁ ଦେଖା ଯାଉଥିବା ଲଦାଖ ପ୍ୟାଲେସ ଓ ବୌଦ୍ଧସ୍ତୁପ ମାନେ ଏବେ ଯେମିତି ହାତ ପାଆନ୍ତାରେ। ଚିକୁ ପଛରେ ବସିଲେ ଦେବରାଜ ଓ ଅଜିତ୍ ପଛରେ ମୁଁ, ଏମିତି ଆମେ ଚାରି। ବାଇକ୍ ରେ ପେଟ୍ରୋଲ ଭର୍ତ୍ତି କରିସାରି ହେଲମେଟ ପିନ୍ଧିନେଇ ବାହାରିଲୁ ଲେହ ସହର ବୁଲିବାକୁ। ସେତେବେଳେକୁ ଅପରାହ୍ନ। ପ୍ରଥମ ଲକ୍ଷ୍ୟସ୍ଥଳ ଥିଲା ଲେହ ପ୍ୟାଲେସ୍ – ଯାହାକି ଆମ୍ ସାମନାରେ ଥିବା ପାହାଡ଼ ଉପରେ ଦେଖା ଯାଉଥାଏ। ମୋବାଇଲ ଫୋନରେ ରାସ୍ତା ଖୋଜି ଖୋଜି ବାଆଁ ଡାହାଣ ଆଗ ପଛ ବୁଲୁଛୁ – କୋଉଠି ୱାନ୍ ୱେ ଟ୍ରାଫିକ କୋଉଠି ଆଗରେ ରାସ୍ତା ବନ୍ଦ। ଚିକୁ ୟା ଭିତରେ ନିଜେ ନିଜେ ଆମ ଗାଇଡ୍ ହୋଇଯାଇଥାଏ, କିନ୍ତୁ ତା ନିର୍ଦ୍ଦେଶନା ବେକାର ହେବାକୁ ଲାଗିଲା। ଧିରେ ଧିରେ ଯେମିତି ଲେହ ପ୍ୟାଲେସ ଆମଠାରୁ ଅପହଞ୍ଚ ହେଇ ଯାଉଥାଏ, ପୁଣି ସୂର୍ଯ୍ୟାସ୍ତ ପାଖେଇ ଆସୁଥାଏ।
ଏୟାରପୋର୍ଟ’ରୁ ଲେହ ସହରକୁ ଚାହିଁଲେ, ସହରର ଉପର ଅଂଶରେ ବରଫ ଆଚ୍ଛାଦିତ ପାହାଡ଼ ଅଣ୍ଟାରେ ଗୋଟିଏ ବୌଦ୍ଧ ସ୍ତୁପ ଦେଖାଯାଏ; ଯାହାକି ଲେହ ସହର’ର କପାଳରେ ଧଳା ତିଳକ ଗାର ଟାଣିଲା ପରି ଦିଶେ। ସଞ୍ଜ ନଇଁବା ଆଗରୁ ଆମକୁ ସେଇ ବୌଦ୍ଧସ୍ତୁପ ବା ‘ଶାନ୍ତି ସ୍ତୁପ’ ଦେଖିବାର ଥାଏ। କେବଳ ବାଆଁ ଆଡ଼କୁ ଯାଇଥିବା ରାସ୍ତା ଆଡ଼କୁ ମାଡ଼ି ମାଡ଼ି ଚାଲିଲୁ। ସୂର୍ଯ୍ୟାସ୍ତର ବେଶ୍ କିଛି ସମୟ ଆଗରୁ ଆମେ ପହଞ୍ଚିଲୁ ଶାନ୍ତି ସ୍ତୁପ ପାଖରେ।
ସେପ୍ଟେମ୍ବର ସରି ଆସୁଥିବାରୁ ଟୁରିଷ୍ଟ ଆସିବା କମି ଗଲାଣି। ଅକ୍ଟୋବର ରୁ ଫେବୃୟାରୀ ଏଠି ପ୍ରବଳ ଶୀତ ଓ ଲଗାତାର ଭାବେ ବରଫ ପଡ଼େ – ତେଣୁ ଏହି ସମୟରେ ଟୁରିଷ୍ଟ ଆସନ୍ତି ନାହିଁ। ଏହି ପାଞ୍ଚ ମାସ ଟୁରିଷ୍ଟଙ୍କ ପାଇଁ ଲଦାଖ ପ୍ରାୟ ବନ୍ଦ ରହେ। ସବୁ ଭଲ ହୋଟେଲ, ରେଷ୍ଟୁରାଣ୍ଟ ଓ ବ୍ୟବସାୟ ପ୍ରତିଷ୍ଠାନ ଏହି ସମୟରେ ବନ୍ଦ ଥାଏ। ମାର୍ଚ୍ଚ ଅଧାରୁ ଲାଦଖ ପୁଣି ଥରେ ଟୁରିଷ୍ଟଙ୍କ ପାଇଁ ଖୋଲିଯାଏ।
ସେପ୍ଟେମ୍ବର ଶେଷ ସପ୍ତାହର ସୁନେଲୀ ଅପରାହ୍ନରେ ସୁଉଚ୍ଚ ଶାନ୍ତି ସ୍ତୁପ ଉପରୁ ଲେହ ସହରର ଦୃଶ୍ୟ..! ଆହା, ଏକ ଅନନ୍ୟ ଅନୁଭୂତି। ଚାରିଆଡ଼େ ଧଳା ଧୂସର ପାହାଡ଼ – ବରଫ ମୁକୁଟ ପିନ୍ଧି ଠିଆ ହୋଇଛନ୍ତି ଗୋଲାକାର ପ୍ରାଚୀର ସଦୃଶ ଘେରି ରହି। ମଝିରେ ସିନ୍ଧୁ ଅବବାହିକାରେ ଚିତ୍ରିତ ଉପତ୍ୟକା ଓ ତାଆରି ମଝିରେ ସବୁଜ ଗଛ ଓ ଧଳା କୋଠା ମିଶ୍ରିତ ରଙ୍ଗର ସହର ଲେହ। ରାସ୍ତା ସବୁ ସିଧା ଦେଖାଯାଉଥାଏ କିଛି, ପୁଣି ବାକି ସବୁ ପାହାଡ଼ ଅଣ୍ଟାରେ ବେଢ଼ି ହେଇ ମୁଣ୍ଡ ପର୍ଯ୍ୟନ୍ତ ମାଡ଼ି ଯାଇଛି। ଏମିତିରେ ଲେହ’ର ଜନସଂଖ୍ୟା ମାତ୍ର ଏକତିରିଶ କି ବତିଶ ହଜାର ଭିତରେ। କିନ୍ତୁ ଲୋକ ଥାଆନ୍ତି ପାଖାପାଖି ସତୁରୀ ହଜାର। ଅଧିକ ଅଛନ୍ତି ଆର୍ମି। ବି ଏସ୍ ଏଫ୍ ର ଅନେକ ପ୍ରକାରର ଶାଖା, ସୈନ୍ୟଛାଉଣୀ ଓ ଶିବିର ପକେଇ ଘେରି ରହିଛନ୍ତି ଯେମିତି – କେବଳ ଲେହ ସହରକୁ ନୁହେଁ, ସାରା ଲଦାଖ। ଏମିତିରେ ଲେହ ଏୟାରପୋର୍ଟ ବି ଆର୍ମି ବେସ୍ ରେ ରହିଛି, ଆର୍ମି ସାହାଯ୍ୟରେ ଚାଲିଛି। ସହରରେ ଅଟୋରିକ୍ସା’ର ଚିହ୍ନ ବର୍ଣ୍ଣ ନାହିଁ। ବାକି ସବୁ ଯାନ ବାହାନ ଚଳାଚଳ କରୁଥାଏ। କିଛି ଅଧିକ ଲୋକ ଗହଳି ହୁଅନ୍ତି ଗ୍ରୀଷ୍ମ କାଳରେ – ଦେଶ ବିଦେଶରୁ ଟୁରିଷ୍ଟ ଆସନ୍ତି – ହୋଟେଲ ସବୁ ଖୋଲିଯାଏ – ବଜାର ବସେ।।
ଶାନ୍ତି ସ୍ତୁପ ଉପରୁ ଚାହିଁଲେ ଦେଖାଯାଏ, ବାଆଁ ପଟ ପାହାଡ଼ ପାଚେରୀ ଉପରେ ଲେହ ପ୍ୟାଲେସ୍। ସାମନାରେ ସର୍ପିଳ ଗତିରେ ବହି ଯାଉଥିବା ଇଣ୍ଡସ ବା ସିନ୍ଧୁ ନଦୀ। ଆମ ଓଡ଼ିଶାର ଧଉଳୀ ଶାନ୍ତିସ୍ତୁପ ପରି ଏଇଠି ମଧ୍ଯ ସ୍ତୁପର ଚାରି ଦିଗରେ ବୁଦ୍ଧଙ୍କର ଚାରୋଟି ପ୍ରତିମା। ଏସବୁ ଦେଖିବା ଭିତରେ ଶୀତ ବଢ଼ୁଥାଏ, ପୁଣି ବଢ଼ୁଥାଏ ପବନ।
ସୂର୍ଯ୍ୟାସ୍ତ ପୂର୍ବରୁ ସେଠାରୁ ଫେରିଲୁ ଆମେ। ଥଣ୍ଡା ବଢୁଥିଲା, ବାଟରେ କପେ କପେ ଚା ପିଇଲୁ – ଏଠି ଚା କପେ ଚାଳିଶ ଟଙ୍କା, ପାଣି ବୋତଲ ବି ଚାଳିଶ ଟଙ୍କା। ଅନେକ ଗୁଡ଼ିଏ ଜିନିଷ ଆମ ଏଠାରୁ ଦୁଇଗୁଣ ଦାମରେ ବିକ୍ରୀ ହେଉଛି ଲଦାଖରେ। ନ ହେବ ବା କେମିତି !! ସେଠାକୁ ମୂଳ ଭୂଖଣ୍ଡ’ରୁ ଟ୍ରେନ୍ ଲାଇନ୍ ନାହିଁ। ଶ୍ରୀନଗରରୁ, ଦିଲ୍ଲୀରୁ ଏମିତି ବହୁତ ଦୂରରୁ ଟ୍ରକ୍ ରେ ଲଦାଖ’କୁ ଜିନିଷ ଆସେ – ନହେଲେ ଆସେ ଫ୍ଲାଇଟ୍ ରେ।
ଛୋଟ ହେଲେବି ଭଲ ବଜାର କେତୋଟି ଅଛି ଲେହରେ। ଅଧିକାଂଶ ସ୍ଥାନରେ ସ୍ୱେଟର ସାଲ୍ ଜାକେଟ ଟୋପି ମୋଜା ର ଦୋକାନ। ପଶ୍ଵିନା ଛେଳି ରୁମ ଓ ଚମରି ଗାଈ ରୁମରେ ବିଭିନ୍ନ ପ୍ରକାରର ଶୀତ ଜିନିଷ ବିକ୍ରି ହେଉଥାଏ। ତା’ଛଡ଼ା ତିବତ୍ତିୟ କଳା କାରିଗରୀର ଜିନିଷ, ବିଭିନ୍ନ ଧାତୁ କାଠ ପଥର ଏବଂ ହାଡ଼ରେ ନିର୍ମିତ ମୂର୍ତ୍ତି, ବାସ୍ତୁ ଶାସ୍ତ୍ର ସମ୍ପର୍କୀୟ ଜିନିଷ ଓ ଗହଣା’ର ଅନେକ ଦୋକାନ ଏଠି। ପୁଣି ଏଠାରେ ମିଳେ ଭଲ ଜାଫ୍ରାନୀ ବା କେଶର, ଶିଳାଜିତ୍, କାଶ୍ମିରୀ ଚାହା – କାହୱା, ହେଙ୍ଗୁ, କସ୍ତୁରୀ, ଏବଂ ଅଖୋରଟ, ଆଫ୍ରିକଟ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଡ୍ରାଇ ଫ୍ରୁଟସ୍। ଯାହା ବି ହେଉ, ତେଲ ଛଣା ଜିନିଷ ଏଠାରେ ପ୍ରାୟ ବିକ୍ରୀ ହୁଏ ନାହିଁ।
ବଜାର ଭିତରେ ବୁଲୁବୁଲୁ ନଜରରେ ପଡ଼ିଲା କଳା ରଙ୍ଗର ଚମରି ଗାଈ ଲାଞ୍ଜ ରୁମ। ଆମେ ପ୍ରାୟ ଧଳା ରଙ୍ଗର ଦେଖିଥାନ୍ତି – ବିଭିନ୍ନ ମଠ ମନ୍ଦିର ବା ଗୁରୁଦ୍ୱାର ମାନଙ୍କରେ ରୂପା କିମ୍ବା ସୁନା ପାଣି ଦିଆ ପିତ୍ତଳ ବେଣ୍ଟ ଲଗା ଚାମର’ରେ ବ୍ୟବହୃତ ହୋଇଥାଏ। ମୋ ବାପାଙ୍କ ପାଖରେ ଗୋଟେ ଅଛି ଧଳା ରଙ୍ଗର। ସେ କହୁଥିଲେ କିଏ ଯଦି କୋଉଠୁ କଳା ରଙ୍ଗର ଚମରିଗାଈ ଲାଞ୍ଜ ପାଆନ୍ତି, ଆଣି ଦେବାକୁ – ଚାମର କରିବେ। ଆଉ ବିଳମ୍ବ ନକରି ସେଇ କଳା ଚମରିଗାଈ ଲାଞ୍ଜ ରୁମ କେରାକ କିଣିଲି। ୟା ଭିତରେ ଆମ ସମସ୍ତେ ସେଠାର ସ୍ଥାନୀୟ ସିମ୍ କାର୍ଡ କିଣି ଆମ ମୋବାଇଲରେ ପକେଇ କାର୍ଯ୍ୟକ୍ଷମ କରି ସାରିଥିଲୁ। ଫୋନ୍ କରି ବାପାଙ୍କୁ ଆମ ଅବସ୍ଥିତି ଓ ତାଙ୍କ ଇପ୍ସିତ ଚାମର ମିଳିଥିବା କଥା ଜଣେଇ ଦେଲି।
ଲେହରେ ଆମ ରହଣି’ର ପ୍ରଥମ ଦିନ ସରି ଆସୁଥିଲା। ସେତିକି ବୁଲାବୁଲି ଭିତରେ ଟିକେ ଟିକେ ମୁଣ୍ଡବିନ୍ଧା ଆରମ୍ଭ ହେଇଗଲା। ବାଇକ୍ ନେଇ ଫେରିଲା ବେଳେ ଆଖିରେ ପଡ଼ିଲା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଗ୍ରୁପ୍ କରିମ୍ ର ବ୍ରାଞ୍ଚ ଟିଏ ସେଇଠି ଅଛି। ଅକ୍ସିଜେନ ଅଭାବ ସମ୍ପର୍କିତ ମୁଣ୍ଡବିନ୍ଧାକୁ ଖାତିର ନକରି ଆମେ ଚାରି କେତେବେଳେ ଯେ ଲିଫ୍ଟରେ ଚଢ଼ି କରିମ୍ ରେଷ୍ଟୁରାଣ୍ଟ’ର ଡାଇନିଂ ହଲରେ ପଶି ସାରିଲୁଣି। ଟୁରିଷ୍ଟ ଅଳ୍ପ ଥିଲେ ବି ରେଷ୍ଟୁରାଣ୍ଟ’ର ପ୍ରାୟ ଟେବୁଲ୍ ରେ ଗ୍ରାହକ। ଟିକେ ଅପେକ୍ଷା ପରେ ଆମକୁ ମଧ୍ଯ ଚାରି ଟିକିଆ ଚେୟାର ବାଲା ଟେବୁଲ ଟିଏ ମିଳିଗଲା।
କ୍ରମଶଃ…
—-###—-
ବିଜୟ କୁମାର ଜେନା।
+ There are no comments
Add yours