ଚିନ୍ତା ବଢାଇଲା ବିଶ୍ୱବ୍ୟାଙ୍କ

ପ୍ରତିବର୍ଷ ଭାରତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତନ ବୋଲି କୁହାଯାଉଛି । ଭାରତରେ ଗତ କିଛି ସମୟ ହେଲା ଗ୍ରୀଷ୍ମ ଲହର ଚିନ୍ତାଜନକ ରହିଛି । ଗ୍ରୀଷ୍ମ ଋତୁରେ ହେଉଥିବା ଏହି ଲହରକୁ ନେଇ ବିଶ୍ୱବ୍ୟାଙ୍କ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁଥିରେ ଏପରି ଗ୍ରୀଷ୍ମ ଲହରୀର ସାମନା କରୁଥିବା ବିଶ୍ୱର ପ୍ରଥମ ଦେଶ ଭାରତ ପାଲଟିବ ବୋଲି କୁହାଯାଇଛି । ଏହି ଗ୍ରୀଷ୍ମ ଲହର ମଣିଷର ସହନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିବ । ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ‘କ୍ଲାଇମେଟ ଇନଭେଷ୍ଟିମେଂଟ ଅପର୍ଚ୍ୟୁନିଟିଜ୍ ଇନ୍ କୁଲିଂ ସେକ୍ଟର ଇନ୍ ଇଣ୍ଡିଆ’ ଶୀର୍ଷକ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଭାରତରେ ଗ୍ରୀଷ୍ମ ଅପେକ୍ଷାକୃତ ଅଧିକ, ଯାହା ଖୁବ୍ ଶୀଘ୍ର ଆରମ୍ଭ ହୋଇଯାଉଥିବା ବେଳେ ବେଶ୍ ଅଧିକ ସମୟ ପର୍ଯ୍ୟନ୍ତ ରହୁଛି । ଏପ୍ରିଲ ୨୦୨୨ ରେ ସମୟ ପୂର୍ବରୁ ଭାରତରେ ଗ୍ରୀଷ୍ମ ଲହରୀ ଚାଲିବା ଆରମ୍ଭ ହୋଇଯାଇଥିଲା । ସେତେବେଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ବୃଦ୍ଧିର ସାକ୍ଷ ପାଲଟିଥିଲା । ମାର୍ଚ୍ଚ ମାସ ଦଶନ୍ଧୀର ସବୁଠୁ ଅଧିକ ଉତାପ ମାସ ଥିଲା । ଏହି ରିପୋର୍ଟକୁ ତିରୁଅନନ୍ତପୁରମରେ କେରଳ ସରକାରଙ୍କ ସହଯୋଗରେ ବିଶ୍ୱବ୍ୟାଙ୍କ ଆୟୋଜନ କରୁଥିବା ‘ଇଣ୍ଡିଆ କ୍ଲାଇମେଟ ଏଣ୍ଡ ଡେଭଲପମେଂଟ ପାର୍ଟନର୍ସ’ ଶୀର୍ଷକ ବୈଠକରେ ଉପସ୍ଥାପନ କରାଯାଇଛି । ଅଗଷ୍ଟ ୨୦୨୧ ରେ ‘ଇଂଟର ଗଭର୍ଣ୍ଣମେଂଟାଲ ପାନେଲ ଫର କ୍ଲାଇମେଟ ଚେଞ୍ଜ’ ତାର ଷଷ୍ଠ ଆକଳନ ରିପୋର୍ଟରେ ଭାରତୀୟ ଉପ ମହାଦ୍ୱୀପରେ ଆଗାମୀ ଦଶକ ମାନଙ୍କରେ ଅଧିକ ଗ୍ରୀଷ୍ମ ପ୍ରବାହର ମାମଲା ସାମନାକୁ ଆସିବ ବୋଲି ଚେତାବନୀ ଦେଇଛି । ରିପୋର୍ଟ ଅନୁସାରେ ୨୦୨୧ ରେ ‘ଜି-୨୦ କ୍ଲାଇମେଟ ରିସ୍କ ଏଟଲାସରେ’ ମଧ୍ୟ ଏନେଇ ସତର୍କ କରାଯାଇଛି । ଏଥିରେ ଯଦି କାର୍ବନ ଉତ୍ସର୍ଜନ ସ୍ତର ଅଧିକ ରହିବ ତେବେ ପୁରା ଭାରତରେ ୨୦୩୬ରୁ ୨୦୬୫ ମସିହା ପର୍ଯ୍ୟନ୍ତ ୨୫ ଗୁଣା ଅଧିକ ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି ।

ବର୍ଦ୍ଧିତ ଗରମ ଭାରତର ଆର୍ଥିକ ଉତ୍ପାଦକତା କମ କରିପାରେ ବୋଲି ଆକଳନ କରାଯାଉଛି । ରିପୋର୍ଟରେ କୁହାଯାଇଛି ଯେ ଭାରତର ୭୫ ପ୍ରତିଶତ କାର୍ଯ୍ୟବଳ ଅର୍ଥାତ ୩୮ କୋଟି ଲୋକ ଏପରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଯେଉଁମାନଙ୍କୁ ଉଷ୍ମ ବାତାବରଣରେ ରହିବାକୁ ପଡୁଛି । ଏପରିକି ଅନେକ ସମୟରେ ସେମାନଙ୍କୁ ବିପଦ ଜନକ ତାପମାତ୍ରାରେ ମଧ୍ୟ କାମ କରିବାକୁ ପଡୁଛି । ଏଣୁ ୨୦୩୦ ସୁଦ୍ଧା ଗରମ ଯୋଗୁଁ ଉତ୍ପାଦକତା ହ୍ରାସ କାରଣରୁ ବୈଶ୍ୱିକ ସ୍ତରରେ ୮ କୋଟି ନିଯୁକ୍ତି ହରାଇବାର ସମ୍ଭାବନା ରହିଛି । ସେଥିରେ କେବଳ ଭାରତରେ ୩.୪ କୋଟି ଲୋକେ ଚାକିରୀ ହରେଇବ ବୋଲି କୁହାଯାଇଛି ।

You May Also Like

More From Author

+ There are no comments

Add yours