ଗହୀରମଥାରେ ଅଲିଭରିଡଲେଙ୍କ ସମାଗମ

ଓଡିଶାର ଗହୀରି ମଥା ହେଉଛି ଅଲିଭରିଡଲେଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ । ଲକ୍ଷ ଲକ୍ଷ କଉଁଛ ଏଠାରେ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ତାପମାତ୍ରା ବୃଦ୍ଧି ସହ କଇଁଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ଗହୀରମଥାରେ ଅଲିଭରିଡଲେ କଇଁଛଙ୍କର ସମାଗମ ହୋଇଥାଏ । କଇଁଛ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସଚେତନ ଶିବିର ଆରମ୍ଭ ହୋଇଗଲାଣି । ରାଜଧାନୀ ଭୁବନେଶ୍ୱର ଠାରୁ ୧୫୦ କିଲୋମିଟର ଦୂରରେ କେନ୍ଦ୍ରାପଡା ଜିଲ୍ଲାରେ ରହିଛି ଗହିର ମଥା । ସାମୁଦ୍ରିକ ପ୍ରାଣୀ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ସ୍ଥାନ ମନେ କରିଛନ୍ତି । ପ୍ରଶାନ୍ତ ମହାସାଗରରୁ ହଜାର ହଜାର ବିରଳ ଅଲିଭରିଡଲେ କଇଁଛ ଆସିଥାନ୍ତି । ସାଧାରଣତଃ ଗହିରମଥା ବ୍ୟତୀତ ଗଞାମ ଜିଲ୍ଲାର ରୁଷିକୁଲ୍ୟା ଏବଂ ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣରେ ଅଣ୍ଡାଦାନ ପାଇଁ ଆସିଥାନ୍ତି କଇଁଛ । ବର୍ତମାନ କଇଁଛମାନଙ୍କର ପ୍ରଜନନ ଋତୁ ଚାଲିଥିବା ବେଳେ ଦେବୀ ମୁହାଣ ଠାରୁ ଧାମରା ମୁହାଣ ୨୦ କିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଇଁଛମାନେ ଅଣ୍ଡା ଦେବା ପାଇଁ ରାତିରେ କୂଳକୁ ଆସିଥାନ୍ତି । ଅଣ୍ଡା ଦେଇସାରି ପୁଣି ସମୁଦ୍ର ଭିତରକୁ ଚାଲିଯାନ୍ତି । ସେମାନେ ଏକାଥରକେ ପ୍ରାୟ ୧୨୦ ରୁ ୧୫୦ଟି ଅଣ୍ଡା ଦେଇଥାନ୍ତି । ହେଲେ ସବୁ ଅଣ୍ଡାରୁ ଛୁଆ ହୋଇ ନଥାଏ । କିଛି ଅଣ୍ଡାକୁ ଶିକାରୀମାନେ ନେଇଯାନ୍ତି ତ ଆଉ କିଛି ଅଣ୍ଡା ସମୁଦ୍ରରେ ଭାସି ଯାଏ । ୪୫ରୁ ୬୦ ଦିନ ମଧ୍ୟରେ ଏହି ଅଣ୍ଡାରୁ କଇଁଛ ଜନ୍ମ ନିଏ । ଯାହା ଏକ ବିରଳ ପ୍ରାକୃତିକ ଦୃଶ୍ୟ । ଯେଉଁଠି ଶିଶୁମାନେ ନିଜ ମା ବିନା ବଝିଥାନ୍ତି । ବନ ବିଭାଗ ପକ୍ଷରୁ ପାରାଦୀପ, ଶାସନପେଟା, ବତୀଘର ଓ ଡାଙ୍ଗମାଳ ଠାରେ ମତ୍ସଜୀବୀ, ଟ୍ରଲର ମାଲିକ, ସ୍ୱେଛାସେବୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି । ଅନ୍ୟପଟେ ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଏଠି ଟ୍ରଲର ମାଲିକ କଟକଣା ମାନିନଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ବନ ବିଭାଗ ୮ ଟି ଟ୍ରଲର ସହ ୮୦ ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି । କଇଁଛମାନଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କଡାକଡି କରାଯିବା ସହ କଇଁଛ ମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟାରେ କଇଁଛ ସମୁହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶା ରଖିଛି ବନ ବିଭାଗ । ଚଳିତ ବର୍ଷ କଇଁଛ ମାନେ କେତେ ସୁରକ୍ଷିତରେ ଅଣ୍ଡାଦାନ କରି ଫେରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଫାଇଦା ହେବାର ଆଶା କରାଯାଉଛି ।

You May Also Like

More From Author

+ There are no comments

Add yours