ଲେହ’ରେ ପହଞ୍ଚିବା ବେଳକୁ ଘଡ଼ିରେ ବାଜିଥିଲା ସକାଳ ସାଢ଼େସାତ। ଆମେ ୨୦୨୨ ସେପ୍ଟେମ୍ବର ୨୭ର ସୂର୍ଯ୍ୟୋଦୟ ଦେଖିଥିଲୁ କିଛି ସମୟ ଆଗରୁ ଆକାଶରୁ – ହିମାଳୟ ପର୍ବତମାଳା ଉପରୁ – ନୂଆଦିଲ୍ଲୀରୁ ଲେହ ଆସୁଥିବା ସ୍ପାଇସ ଜେଟ୍ ବିମାନ’ର ଝରକାରୁ। କିନ୍ତୁ ଲେହ’ରେ ସକାଳଟା ଭୋର୍ ପାଞ୍ଚଟାରେ ଯେମିତି ଲଟକି ରହିଛି। ବିମାନଘାଟି ବାହାରେ ଥଣ୍ଡା – ଲାଗୁଥାଏ କି ଶୁନ ଡିଗ୍ରୀ ତଳକୁ ତାପମାତ୍ରା।
ବିମାନରୁ ଓହ୍ଲେଇ ତାଙ୍କ ଏୟାର ପୋର୍ଟ ବସ୍ ରେ ଚଢ଼ିଲୁ ଆଗପଛ ହୋଇ ଆମେ ଚାରି – ମୁଁ, ପୁଅ ଚିକୁ ଜୋଇଁ ଦେବରାଜ ଓ ଆମ ପାରିବାରିକ ବନ୍ଧୁଙ୍କ ପୁଅ ଅଜିତ। ମୋର ଚାକିରି ଆଉ ଦୁଇ ବର୍ଷ ବାକି ଥିବା ବେଳେ ଦେବ ରାଜ ଓ ଅଜିତ୍ ଦୁହେଁ ଟାଟା ଷ୍ଟିଲ କମ୍ପାନୀରେ ଇଞ୍ଜିନିୟର ଅଛନ୍ତି ଓ ଚିକୁ ପି.ଏଚ.ଡି କରୁଛି ଏନ୍ ଆଇ ଟି ରାଉରକେଲାରେ। ଠିକ୍ ସମୟରେ ପହଞ୍ଚି ପାରିଥିବାରୁ ଆମେ ସମସ୍ତେ ଖୁବ୍ ଉତଫୁଲିତ ଥିଲୁ। ଅସହ୍ୟ ଆନନ୍ଦ ପ୍ରକାଶ କରିବା ଚାପରେ ବଶବର୍ତ୍ତୀ ହୋଇ ଅଜିତ ଫୋନ୍ ଲଗେଇଲା ତା ସାଙ୍ଗକୁ। ଏମିତିରେ ବି ତାଆରି ହିଁ ଫୋନ୍ ରେ ଲଦାଖ’ରୁ ସେବା ଓ ସିଗନାଲ୍ ଆସୁଥିଲା। ଆମେ ଆମର କଥା ହେଉଥିଲୁ – କେମିତି ଆମ ହୋଟେଲରେ ଶୀଘ୍ର ପହଞ୍ଚି ସେଠାକାର ୱାଇ ଫାଇ’ରେ ୱାଟସଆପ୍ କଲ କରିବୁ।
ଏହା ଭିତରେ ବସ୍ ରୁ ବାହାରି ଲଗେଜ କନଭେୟର ରୁ ନିଜ ନିଜର ବ୍ୟାଗ୍ ଲଗେଜ୍ ବସ୍ଥାନି ଧରି ଏୟାର ପୋର୍ଟ ବାହାରକୁ ବାହାରୁଛୁ… ବେଲ୍ଟ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଅଜିତ ଆବିଷ୍କାର କଲା – ତା’ର ଗୋଟିଏ କାନ୍ଧଝୁଲା ବ୍ୟାଗ୍ ଅନୁପସ୍ଥିତ। ଆଉ କି ଫୋନ୍ କରିବ !! ସେ ଫୋନ କାଟିଦେଇ ବ୍ୟାଗ୍ ଖୋଜିଲା। ଅଜିତ ସହ ଆମେ ତିନି ମଧ୍ୟ ଖୋଜି ଲାଗିଲୁ। ଫ୍ଲାଇଟ ରୁ ଏୟାରପୋର୍ଟ ବସ କି ଫ୍ଲାଇଟ୍ ଭିତରେ କୋଉଠି ରହି ଯାଇଛି ବ୍ୟାଗ’ଟି।
ହଠାତ୍ ଖୁସିରେ ଉଛୁଳି ପଡ଼ିଲା ପରେ ଦୁଃଖୀ ହେବାକୁ ଇଚ୍ଛା କରୁ ନଥିବା ଅସୁବିଧାର ଅଜିତ; ତାକୁ ଦେଖି ସମାନ ଅବସ୍ଥାରେ ଆମେ ତିନି। ଆମ ଟିମ୍ ରୁ କେହି ବାହାରକୁ ବାହାରି ଗଲେ ପୁଣି ଭିତରକୁ ଆସିବା ଅସୁବିଧା। ସମସ୍ତେ ଭିତରେ ରହି ହିଁ ବ୍ୟାଗ୍ ଖୋଜି ବାହାର କରିବାକୁ ହେବ। ଏୟାରପୋର୍ଟ ଭିତରେ ସିକ୍ତୁରିଟି’ରେ ଥିଲେ ଦୁଇ ଲାଦଖି ମହିଳା ଅଫିସର। ବ୍ୟାଗ୍ ହଜିଛି ଶୁଣି ତାଙ୍କ ମଧ୍ୟରୁ ଜଣେ, ଏୟାରପୋର୍ଟ ମୂଖ୍ୟଙ୍କ କାର୍ଯ୍ୟାଳୟ ଭିତରକୁ ଗଲେ ଏ କଥା ଜଣେଇ ଦେବାକୁ। ଅନ୍ୟ ଜଣକ – “ବ୍ୟସ୍ତ ହୁଅନି ମିଳିଯିବ…!” ଅଧା ହିନ୍ଦୀ ଇଂରାଜୀ ମିଶା ଭାଷାରେ କହି ଆମକୁ ଆଶ୍ଵାସନା ଦେଉଥିଲେ। ସେକ୍ୟୁରିଙ୍କ ପାଖରୁ ଶୁଣି, ଆମ ପାଖକୁ ସଙ୍ଗେ ସଙ୍ଗେ ଆସିଲେ ତାଙ୍କ ମୁଖ୍ୟ – ବ୍ୟାଗ୍ ର ରଙ୍ଗ ଆକାର ପ୍ରକାର ପଚାରି ବୁଝି, ପୁଣି ଭିତରକୁ ଗଲେ।
ଦୁଇ ମିନିଟ ଯାଇନି, ଦେଖିଲି ଅଜିତ ର ଈଷତ୍ ନୀଳ ରଙ୍ଗର ବ୍ୟାଗ୍ ଟି ଧରି ହସି ହସି ଆଗେଇ ଆସୁଥାନ୍ତି ସେଇ ଅଫିସର ଜଣକ। ତାଙ୍କୁ ଦେଖି ଆମ ମୁହଁରେ ହସ – ଆମ ହସ ଦେଖି ହସିଲେ ସେଇ ମହିଳା ସେକ୍ୟୁରୀଟି ଅଫିସର ଦୁହେଁ। ଆଉ ତାପରେ ବ୍ୟାଗ୍ ଧରି ବାହାରିବା ବେଳକୁ ସାରା ଏୟାରପୋର୍ଟ ଭିତରେ ହସ ବୁଣି ହେଇ ଗଲାଣି। ଅବଶ୍ୟ ଗୋଟେ ବଡ଼ ଅଫିସ୍ ଆକାରର ଛୋଟ ଏୟାର ପୋର୍ଟ’ଟିଏ – ସୀମିତ ପରିସରରେ ଅଳ୍ପ କର୍ମଚାରୀ। ସମସ୍ତେ ସମସ୍ତଙ୍କୁ ଦେଖି ପାରୁଥାନ୍ତି।
ବ୍ୟାଗ୍ ଟି ମିଳିଗଲା ପରେ ପୁଣି ଥରେ ସମ୍ପୂର୍ଣ୍ଣ ଫେରି ଆସିଲା ଆମ ଉଲ୍ଲାସ; ତା ସହିତ ଲଦାଖର ଶୀତଳ ହାୱା, ଏବଂ ଆସିଲା ଏକ ସ୍ବାଗତ ସମ୍ଭାଷଣ – ସାମନାରେ ଠିଆ ହେଇଥିବା ଜଣେ ଲାଦାଖି ଟ୍ୟାକ୍ସିବାଲା’ର ଡାକ ଭିତରେ। ଟ୍ୟାକ୍ସିରେ ଜିନିଷପତ୍ର ରଖି ଆମେ ବାହାରିଲୁ ସେଠାରୁ ଚାରି କିମି ଦୂରରେ ଥିବା ହୋଟେଲ, ସାଙ୍ଗାୟେ ଲା ପାଲେସ ଅଭିମୁଖେ।
ଏମିତିରେ ଲେହ ସହରଟି ସମୁଦ୍ର ପତନ ଠାରୁ ଚାରି କି ପାଞ୍ଚ କିଲୋମିଟର ଉଚ୍ଚରେ ଅବସ୍ଥିତ। ସମଗ୍ର ଲଦାଖ ପାଖାପାଖି ସେଇ ଉଚ୍ଚତାରେ। ବାୟୁମଣ୍ଡଳରେ ଯଦିଓ କୌଣସି ପ୍ରଦୂଷଣ ନାହିଁ କିନ୍ତୁ ଅତ୍ୟଧିକ ଥଣ୍ଡା ସାଙ୍ଗକୁ ଅମ୍ଳଜାନ ମାତ୍ରା ଟିକେ କମ। ଟିକେ ଚାଲିଲେ ଧଇଁ ସଇଁ ହୋଇ ଯାଆନ୍ତି। ଆମର ବି ସେଇ ଅବସ୍ଥା।
ଲେହ ଉପକଣ୍ଠରେ ବଙ୍କେଇ ବଙ୍କେଇ ବହି ଯାଇଛି ଇଣ୍ଡସ ବା ସିନ୍ଧୁ ନଦୀ। ଳେହ ସହରକୁ ଘେରି ରହିଛି ସମ୍ପୂର୍ଣ ନିର୍ବସ୍ତ୍ର କିନ୍ତୁ ବରଫର ଟୋପି ପିନ୍ଧା ଲଣ୍ଡା ଟାଙ୍ଗରା ପାହାଡ଼ମାଳା।
ହୋଟେଲ ସାଙ୍ଗାୟେ ଲା ପାଲେସ – ଆମେ ଅନଲାଇନ’ରେ ଆଗରୁ ନିର୍ବାଚିତ କରି ସେଇଠି ଦୁଇଟା ରୁମ୍ ସଂରକ୍ଷିତ କରିଥିଲୁ। ହୋଟେଲଟି ଖୁବ ସୁନ୍ଦର – କାଠ ଉପରେ ତିବ୍ବତୀୟ କାରୁକାର୍ଯ୍ୟ, କଳା କାରିଗରୀର ଅଧିକାଂଶ ଅଂଶରେ ଡ୍ରାଗନ୍, ପୁଚୁକାଗାଲିଆ ଲାଫିଂ ବୁଦ୍ଧ ଓ ପଦ୍ମଫୁଲ। ହୋଟେଲ ଚାରିପାଖେ ବିସ୍ତୃତ ନହେଲେ ବି ସୁନ୍ଦର ଲନ, ଗାର୍ଡେନ ଚେୟାର ସବୁ’କୁ ଫୁଲ ଗଛ ଘେରି ରହିଛି – କିନ୍ତୁ ସବୁଠାରୁ ଅଧିକ ଆକର୍ଷଣ ଥିଲା ଅନେକ ଗୁଡ଼ିଏ ଫଳ ଭର୍ତ୍ତି ଆପେଲ୍ ଗଛ। ସ୍ଥାନୀୟ ତାପମାତ୍ରାକୁ ଆଖିରେ ରଖି, ହୋଟେଲ୍ ରୁମ୍ ରେ ଏସି ନାହିଁ କି ଏସି ର ଆବଶ୍ୟକତା ବି ନାହିଁ। ନିତ୍ୟକର୍ମ ସାରି ଆମେ ଡାଇନିଂ ହଲ’କୁ ଆସିଲୁ – ସେଇଠି ସଜାହେଇଛି ସକାଳ ଜଳଖିଆ ବଫେ। ସାଧାରଣ ଭାରତୀୟ ଜଳଖିଆ ପୁରୀ ଉପମା ପରଟା ଅମଲେଟ ସହ ଅନ୍ୟାନ୍ୟ ବିଭିନ୍ନ ଖାଦ୍ୟ – ତା ସହିତ ମିଳୁଥିଲା ଏକ ପ୍ରକାର ଟିକି ଟିକି ଖଟା କୋଳିର ରସକୁ ବ୍ୟବହାର କରି ହେଇଥିବା କମଳା ରଙ୍ଗର ଖଟାମିଠା ପାନୀୟ।
ସେଦିନ କେବଳ ହୋଟେଲ ରୁମ୍ ରେ ରହିବା କାର୍ଯ୍ୟକ୍ରମ ଥିଲା। ସମତଳ ଅଞ୍ଚଳରୁ ଯାଇ ହଠାତ୍ ଏତେ ଉଚ୍ଚରେ ପହଞ୍ଚିଥିବାରୁ ଶରୀରକୁ ସେଠାକାର ବାୟୁଚାପ ତାପମାତ୍ରା ଓ ଅମ୍ଳଜାନର ମାତ୍ରା ସହ ଖାପ ଖୁଆଇବା ପାଇଁ ଏହି ଦୁଇ ଦିନ ଦରକାର। ହୋଟେଲ ମ୍ୟାନେଜର ମଧ୍ଯ ଜଣେଇ ଦେଲେ – ଏକକାଳୀନ ଦୁଇ ଘଣ୍ଟାରୁ ଅଧିକ ନ ଶୋଇବା ପାଇଁ। ସେମିତି ହେଲେ ଶରୀର ର ଅମ୍ଳଜାନ ମାତ୍ରା ଆହୁରି କମିଯିବ ଓ ଶରୀର ନିସ୍ତେଜ ହୋଇଯିବାର ଆଶଙ୍କା ରହିଛି।
ଯାହା ହେଉ, କିଛି ସମୟ ବିଶ୍ରାମ ପରେ ଆମେ ମଧ୍ୟାହ୍ନ ଭୋଜନ ପାଇଁ ବାହାରିଲୁ ହୋଟେଲ ବାହାରକୁ। ଆମକୁ ଦେଖି ଅତି ସୁନ୍ଦର ହସ ଖେଳାଇ ବାହାରି ଆସିଲେ ହୋଟେଲ ମ୍ୟାନେଜର, ଜଣେ ଲଦାଖି ଯୁବକ। -“ଆସନ୍ତୁ, ମୁଁ ଗାଡ଼ିରେ ନେଇ ଆପଣମାନଙ୍କୁ ମାର୍କେଟରେ ଛାଡ଼ି ଦେଇ ଆସିବି। ଏଠାରୁ ମାର୍କେଟ ଉଠାଣି – ଆପଣମାନେ ଧଇଁ ସଇଁ ହୋଇଯିବେ। ଫେରିବା ବେଳକୁ ଗଡାଣି ପଡ଼ିବ, କିଛି ଅସୁବିଧା ହେବାର ନାହିଁ। ଆସିଛନ୍ତି ଯଦି, ଏଠାର ସ୍ଥାନୀୟ ଲୋକଙ୍କ ଖାଦ୍ୟ ଖାଆନ୍ତୁ। ମୁଁ କହିବି, ଆପଣମାନେ ‘ତିବ୍ବତ କିଚେନ୍’ ରେଷ୍ଟୁରାଣ୍ଟ ରେ ଭଲ ଲଦାଖି ଖାଦ୍ୟ ପାଇବେ।”
ଲଦାଖ’ର ସ୍ଥାନୀୟ ଲୋକେ ଅଧିକାଂଶ ବୌଦ୍ଧ ଓ ଅଳ୍ପ ମୁସଲମାନ। ପ୍ରାୟ ହୋଟେଲ ଗୁଡ଼ିକର ମାଲିକ ହେଲେ ଶ୍ରୀନଗର ଜମ୍ମୁ ଆଡ଼ୁ ଆସିଥିବା କାଶ୍ମୀରୀ ମୁସଲମାନ ଓ କର୍ମଚାରୀମାନେ ସ୍ଥାନୀୟ ଲୋକ। କିନ୍ତୁ ରୋଷେଇ କରନ୍ତି ବିହାରୀ ପଞ୍ଜାବୀ କିମ୍ବା ଅନ୍ୟ କୌଣସି ଭାରତୀୟ ରାଜ୍ୟରୁ ଯାଇଥିବା ରୋଷେୟାମାନେ। ଟ୍ୟାକ୍ସି ବାଇକ୍ ସର୍ଭିସ୍ ଇତ୍ୟାଦି ସ୍ଥାନୀୟ ବୌଦ୍ଧ ଓ କାଶ୍ମିରୀ ମୁସଲମାନ ଯୁବକ ଯୁବତୀମାନେ ଚଲାନ୍ତି। ସମସ୍ତଙ୍କ ବ୍ୟବହାର ଅତି ସୁନ୍ଦର, ସେମିତି ବି ସୁନ୍ଦର ତାଙ୍କ ସର୍ଭିସ୍ – ଯାହା କହିଥିବେ ସେୟା, କଥାରେ ଖିଲାପ ନାହିଁ।
କିନ୍ତୁ ତିବ୍ବତ କିଚେନ୍ ରେଷ୍ଟୁରାଣ୍ଟରେ ସମସ୍ତେ ହେଲେ ସ୍ଥାନୀୟ ଲୋକ – ମାଲିକ ରୋଷେୟା ଓ ଅନ୍ୟ ସବୁ କର୍ମଚାରୀ – ସମସ୍ତେ। କୁହନ୍ତି – ଯେଉଁ ଦେଶ ଯାଇ, ସେଇ ଫଳ ଖାଇ। ଆମେ ପଚାରି ବୁଝି ଲଦାଖ୍ ର ପ୍ରିୟ ଖାଦ୍ୟ ଥେନ୍ତୁକ୍ ଓ ଥୋକପା ଅର୍ଡର ଦେଲୁ। ଗୋଟିଏ ପରିବା ଓ ମାଂସ ଟୁକୁଡ଼ା ମିଶା ସୁପ୍ ଜାତୀୟ ଓ ଆରଟି ବାମ୍ଫ ସିଝା ମଣ୍ଡା ବା ମୋମସ୍ ପରି – ଉଭୟ ଖାଦ୍ୟ ଥିଲା ସ୍ଵାଦିଷ୍ଟ।
ଠିକ୍ ଖାଇବା ଆରମ୍ଭ କରିଛୁ, ଲାଗିଲା କି ଆମ୍ ଟେବୁଲ୍ ର ପାଖ ଟେବୁଲ୍ ରେ ବସିଥିବା ଲୋକଙ୍କ ଭିତରୁ ଜଣେ ଆମର ପରିଚିତ। ଚିକୁ ଆଉ ଡେରି ନ କରି ଉଠିଗଲା ସେଇଠିକୁ -“ନମସ୍ତେ ସାର୍ !! କେମିତି ଅଛନ୍ତି ? ଅଳ୍ପ ଦିନ ଆଗରୁ ଆପଣ ସଙ୍ଗୀତ ପରିବେଷଣ କରିବା ପାଇଁ ଆସିଥିଲେ ଏନ୍ ଆଇ ଟି ରାଉରକେଲା’କୁ – ମୁଁ ଆପଣକୁ ଭେଟିଥିଲି ସେଇଠି।” ଚିକୁ ଯାହା ସହ କଥା ହେଉଥିଲା ସେ ଥିଲେ ଗାୟକ ଜୁବିନ ନୌଟିଆଲ। ନୂଆ ଯାଗାରେ ପରିଚିତ ବ୍ୟକ୍ତିତ୍ଵ ଜଣେ ଦେଖାହେବାଟା ଖୁବ୍ ଆନନ୍ଦ ଦେଲା। ଗପସପ କରି ଖାଇଲୁ ଆମେ। ତାପରେ ଜୁବିନ’ଙ୍କ ସହ ଫଟୋ ଉଠେଇସାରି ବାହାରିଲୁ। ଫେରିବା ବାଟରେ ଦୁଇ ଦିନ ପାଇଁ ଦୁଇଟି ବାଇକ୍ ଭଡ଼ାରେ ନେଇ ସେଇ ବାଇକ୍ ରେ ଫେରିଲୁ ହୋଟେଲ।
ଯାହା ହେଉ, ଲେହର ପ୍ରଥମ ଦିନର ଅଭିଜ୍ଞତା ଥିଲା ଏହି ପ୍ରକାରେ। ଟିକେ ମୁଣ୍ଡ ବିନ୍ଧୁଥିବା ସତ୍ତ୍ୱେ ଅନୁଭୂତି ଥିଲା ଖୁବ୍ ସ୍ଵତନ୍ତ୍ର।
କ୍ରମଶଃ…..
—-###—-
ବିଜୟ କୁମାର ଜେନା
+ There are no comments
Add yours