





ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଶୁକ୍ରବାର (୧୪ ଜୁଲାଇରେ) ଉତ୍କ୍ଷେପଣ କରିଛି। ଦ୍ବିପ୍ରହର ୨.୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରିହରିକୋଟା ସ୍ଥିତ ସତିଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯାଇଥିଲା।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ ମିଶନକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ‘ଚନ୍ଦ୍ରଯାନ -୩’ ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅଭିଳାଷକୁ ଉଚ୍ଚସ୍ଥରକୁ ନେଇଛି। ଏହି ମହତ୍ବପୂର୍ଣ୍ଣ ସଫଳତା ଆମର ବୈଜ୍ଞାନିକମାନଙ୍କ ନିରନ୍ତର ଉତ୍ସର୍ଗୀଗୃତ ସାଧାନାର ଏକ ପ୍ରମାଣ। ମୁଁ ତାଙ୍କ ଭାବନା ଏବଂ ପ୍ରତିଭାକୁ ନମସ୍କାର କରୁଛି!’
ଶୁକ୍ରବାର LVM3M4 ରକେଟ୍ ଇସ୍ରୋ’ର ବହୁପ୍ରତିକ୍ଷିତ ‘ଚନ୍ଦ୍ରଯାନ -୩’ କୁ ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ରକୁ ଯାତ୍ରା କରିଛି। ଏହି ରକେଟକୁ ପୂର୍ବରୁ ଜିଏସଏଲଭିଏମକେଥ୍ରୀ (GSLVMK3) କୁହାଯାଉଥିଲା। ଭାରୀ ଯନ୍ତ୍ରପାତି ବହନ କରିବାର କ୍ଷମତା ହେତୁ ମହାକାଶ ବୈଜ୍ଞାନିକମାନେ ଏହାକୁ ‘ଫ୍ୟାଟ୍ ବଏ’ ବୋଲି ମଧ୍ୟ କହୁଛନ୍ତି। ଯଦି ସବୁ ଠିକ୍ ଠାକ୍ ରହେ, ତେବେ ଅଗଷ୍ଟ ଶେଷ ସୁଦ୍ଧା ଏହା ଚନ୍ଦ୍ରରେ ଅବତରଣ କରିବ ବୋଲି କୁହାଯାଉଛି।
ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ମଧ୍ୟ ମହାକାଶ ବିଜ୍ଞାନୀମାନେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ‘ସ୍ଥିର ଅବତରଣ’ ପାଇଁ ଲକ୍ଷ୍ୟ ରଖିଛନ୍ତି। ‘ଚନ୍ଦ୍ରଯାନ-୨’ ମିଶନ ସମୟରେ, ଶେଷ ମୁହୂର୍ତ୍ତରେ, ଲେଣ୍ଡର ‘ବିକ୍ରମ’ ସଠିକ୍ ମାର୍ଗ ନପାଇ ସଫ୍ଟ ଲ୍ୟାଣ୍ଡିଂ କରିପାରି ନଥିଲା। ଯଦି ଏହି ମିଶନ ସଫଳ ହୁଏ, ତେବେ ଆମେରିକା, ଚୀନ୍ ଏବଂ ପୂର୍ବ ସୋଭିଏତ୍ ସଂଘ ଭଳି ଦେଶ ତାଲିକାରେ ଭାରତ ସାମିଲ ହେବ, ଯେଉଁମାନେ ପୂର୍ବରୁ ଏପରି ସଫଳତା ହାସଲ କରିଛନ୍ତି।