ତପୋଭୂମି

ସ୍ୱର୍ଗକୁ ଛୁଇଁହେଉଥିବା ମଥାନ
ଆକାଶମୁହାଁ ଆଶୀର୍ବାଦ ମାନଙ୍କ ସୁଧର୍ମାସଭା,
ବିସ୍ତାରିତ ଚଟ୍ଟାଣ ର ଚଉହଦି,
ଶିଖାଉଛି ‘ଜୀବନବେଦ ର ଚର୍ଯ୍ୟାଗୀତିକା ,
ଛାତିରେ ଛାତିଏ, ଭୂମିଷ୍ଟ ସନ୍ତାନ ମାନଙ୍କ
ଅଗ୍ନିଗର୍ଭା ଅସନ୍ତୋଷ,
ଖୁଆଇ ପିଆଇ ମଣିଷ କରୁଛି,
ତା’ରି ଭରଷା ରେ
ବସା ବାନ୍ଧିଥିବା ଅସଂଖ୍ୟ
ଝାଡଜଂଗଲ ର ଡଂଗରିଆ ଡଂକମାନକୁଂ,
ପାହାଡ ସଂନ୍ଧିର ଅବହେଳିତ ଅବଦମିତ ସ୍ୱର ମାନଙ୍କୁ,
କିଏ ଚେରେଉଛି ,କିଏ ଶୋଷୁଛି
ତା’ଢାଲୁ ଢାଲୁ ଶୀତଳ ଥନରୁ
ଦୁଇ ପତ୍ରିଆ ଗଜରି ଯିବା ର ମୋହ
ଜଂଗଲି ପରଜାମାନେ ଏବେ
ଗାଉଥିଲେ, ଜଂଗଲି ଗୀତ ର ରକ୍ତଭିଜା ‘ରିଂଜୋଡି ‘।

ଲଥ୍ ଲଥ୍ ଲତାଲତିକା ରେ
ଲହ ଲହ ଅଗ୍ନି ଡେଣା ମନ୍ତ୍ର ,
ଶିଆଡିପତ୍ରରୁ ଥିପୁଛି
ଥଲ୍ ଥଲ୍ ମୃତ୍ୟୁମୁହାଁ ବେକ ମାନଙ୍କ
ହାହାକାର,
ନିରିହ ତଟକା ତଟକା ରକ୍ତ ରେ ତଟସ୍ଥ,
ଆଜି ସଦର ବସନି ଆମ୍ବତୋଟା,
କୋଉ ଶୀଳାଲେଖ ରୁ ଶିଖିଆସିଥିଲା
ଯୁଆନ ପରଜା,କଟାମୁଣ୍ଡ ର କାଉଁରୀ ବିଦ୍ୟା,
ଶାନ୍ତି ସ୍ତୁପ ର ସାତ୍ତ୍ଵିକ ସ୍ତୁତିବାଦ
ଆଜି ,ପାଲଟି ଯାଇଛି ,
ନିଷିଦ୍ଧ ନନ୍ଦନବନର ରକ୍ତଭିଜା’ କୁରେଇଁଫୁଲ’ ।

“ପ୍ରତିହିଂସା ର ପ୍ରତିବେଦନ,
ଶିଖାଇଦେଇଛି ,ସୁନାରୀ ଫୁଲରେ
ନିଆଁ ଝୂଲ ଖଣ୍ଡେ ଥୋପିଦେବାର କ୍ରୁରତା,
ପଥର ଦେହରେ ଲେସି ଦେଇଛି
ହଳାହଳ ହିଂସା ର ଉଗ୍ରବାଦ,
ବାରୁଦ ବାରୁଦ ବାସ୍ନା ରେ
କାକୁସ୍ଥ, ଆଜି ବଣମୂଲକ
ଭାଇଟିଏ , ମାଡିବସି କାଟିଦେଉଛି
ହାତଗୋଡବନ୍ଧା, ନିରିହ ମାଟିମନସ୍କ ଈଶ୍ୱରଙ୍କ ତଣ୍ଟି,
ନାଲି ନାଲି ପୋଷ୍ଟରେ ଲେଖାଥାଉଛି
ବାମପନ୍ଥୀର ବାହାସ୍ଫୋଟ,
ପ୍ରଜାକୋର୍ଟ ରେ କମ୍ରେଡ ର
ଧାଡିକିଆ ରାୟ ,
ଇନ୍ ଫରମର୍ ର ଶେଷ ଫର୍ ମାନ୍
ମୃତ୍ୟୁଦଣ୍ଡ ।”

ତୁଳସୀ ଡଂଗର, ଏକ ପାହାଡ ନୁହଁ,
ଆମ ସ୍ଥିତି ପ୍ରଗତି ର ମୂକ ସାକ୍ଷୀ,
ଦଣ୍ଡକାରଣ୍ୟ ର ଦୁର୍ଲଭ ଭୂସ୍ୱର୍ଗ,
ଶାନ୍ତି ସୌହାର୍ଦ୍ଦପୂର୍ଣ୍ଣ ଯଜ୍ଞଭୂମି,
କୋଣ୍ଡାକାମ୍ବେରୁ ର କୌମୁଦ
ଅହିଂସା ଅମୃତ ର ଶାନ୍ତିସ୍ତୁପ,
ତା’ର ଭୂମି କୁ ଭୂସ୍ୱର୍ଗ ରହିବାକୁ ଦିଅ ,
ତା’ର ପାଣି କୁ ପବିତ୍ର ରହିବାକୁ ଦିଅ,
ତା’ର ସନ୍ତାନ କୁ ସ୍ୱାଧୀନତା ଦିଅ ,
ତା’ର ଅସ୍ତିତ୍ବ କୁ ତାକୁ ସମର୍ପି ଦିଅ ,
ଶାନ୍ତି, ସୁଖ,ମାନବୀୟ ମୂଲ୍ୟବୋଧ ନିମନ୍ତେ,
ଫେରାଇଦିଅ, ଫେରାଇଦିଅ ବଂଧୁ!
ଏ ଦିଅଁ ଦେବତା, ଡୁମା ଡାହାଣୀଙ୍କ
ତପ ତପସ୍ୟା ର ତପୋଭୂମି ତୁଳସୀ ପାହାଡ ।

କୁଡୁମୁଲୁଗୁମ୍ମା ,ମାଲକାନଗିରି ,ମୋ -୯୬୬୮୬୮୮୪୭୪

You May Also Like

More From Author

1 Comment

Add yours

+ Leave a Comment