Wed. Oct 14th, 2026

କହରା ରଙ୍ଗର ବଉଦ ତରଳି
ଟିପି ଟିପି ପଡ଼େ ପାଣି,
ଉଡୁଥିଲା ବର୍ଷା ପବନ ସହିତେ
କେଶ ଝାଡ଼େ ମେଘରାଣୀ।

ପ୍ରେମର ବରଷା ବରଷି ଯାଅ ଗୋ
ଶ୍ରାବଣ ଯାଇଛି ସରି,
ଚଗଲା ସୁଅରେ ଚହଲି ଯାଉଛି
କଅଁଳ ପୀରତି ବାରି।

ଗୋଟିଏ ଛତାରେ ଦୁହେଁ ଚାଲୁଥିଲେ
ଫାଳେ ଦେହ ଥିଲା ଓଦା,
କାଗଜ ଡଙ୍ଗାରେ ଭସେଇ ଦେବାକୁ
ସପନ ବି ଥିଲା ଅଧା।

ଟାଣି ହେଉଥିଲ ମିଛରେ ମିଛରେ
ପଣତ କଣ୍ଟାରେ ଲାଗେ,
ସେଇ ବାହାନାରେ ଅଟକି ରହିଲ
କିଏ ସେ ଥିଲା କି ଆଗେ ?

ଦୁଷ୍ଟ ପ୍ରଜାପତି ଫୁଲରୁ ଫୁଲକୁ
ଛୁଇଁ ଛୁଇଁ ଯାଏ ଉଡ଼ି,
ବରଷା ବନରେ ଫୁଲଙ୍କ ପ୍ରେମରେ
କେବେ ବି ଯାଇନି ବୁଡ଼ି।

ଅଳପ ମେଘରେ ଚଳେଇ ଦେଇଛି
ଅଳପ ଟିକିଏ ତୂଳୀ,
ଏଥର ବରଷା ରୁଷିଛ କାହିଁକି
କିଏସେ ଦେଲାକି ଗାଳି !!

ବିରହି ପ୍ରିୟ’ର ପ୍ରଣୟ ବାରତା
ମେଘଦୂତ ନିଏ ବହି,
ଶ୍ରାବଣ ସରିଛି ପ୍ରଣୟୀ ଝୁରୁଛି
ନୀରବେ ଯାଉଛି ସହି।

ବରଷା ରଙ୍ଗରେ ଏକାକାର ସବୁ
ପାହାଡ଼ ଆକାଶ ଭୂଇଁ,
ସବୁଜ ଧରିତ୍ରୀ ଭିଜା ସକାଳରେ
ମେଘକୁ ଦେଉଛି ଛୁଇଁ।

ପ୍ରିୟାର କବରୀ ଖୋଲିଗଲେ ଏଠି
ଉଠେଇ ଆସୁଛି ମେଘ,
ପ୍ରିୟାର ଆଖିରୁ ଲୁହ ଝରିଗଲେ
ବରଷି ଯାଉଛି ମେଘ।

ଦରଗାଧୁଆ ଏ ବନାନୀ କାନନ
ଆକାଶ ଦେଖୁଛି ମୁହଁ,
ଏଥର ବରଷା ଅଳପ ଆସିଛି
କେମିତି ଭିଜିବ ଦେହ !!

ମେଘ ତଳେ ବସି ମେଘବତୀ କନ୍ୟା
କାହାକୁ ଅପେକ୍ଷା କରେ,
କେବେ କିଏ ଆସି ଛୁଇଁବ ପ୍ରେମରେ
ସାଇତିଛି ସରାଗରେ।

ମେଘ ତୁମେ ଆସ ଆହୁରି ପାଖକୁ
ଭିଜିବା ରହିଛି ବାକି,
ଏଥର ପୃଥିବୀ ଭାଦ୍ରବ ମାସରେ
ଶୁଖିଲା ଦିଶେ କାହିଁକି ?

ମେଘରେ ମେଘୁଆ ସଜଳ ଆକାଶ
ସବୁଜ ଗାଲିଚା ବିଛା,
ତହିଁରେ ସୁନ୍ଦରୀ ପାହାଡି କନିଆଁ
ଚାଲିବ କରିଛି ଇଚ୍ଛା।

ସବୁଜ ପାହାଡ଼ ମେଘ ଛୁଇଁ ଛୁଇଁ
ଶ୍ରାବଣୀ ପ୍ରିୟାକୁ ଖୋଜେ,
ଆହୁରି ଆହୁରି ଆଗକୁ ବଢ଼ିଲେ
ଭିଜା ବାଦଲରେ ହଜେ।

ସବୁଠୁ ମଧୁର ତୁମ ରିମି ଝିମି
ଅମୃତ ତୁମରି ସ୍ପର୍ଶ,
ବର୍ଷା ଗୋ ତୁମେ ବିନ୍ଦୁରେ ହିଁ ସିନ୍ଧୁ
ତୁମେ ପ୍ରାଣ ତୁମେ ହର୍ଷ।

—-###—–

ବିଜୟ କୁମାର ଜେନା, ଦାମନଯୋଡି

Leave a Reply

Your email address will not be published. Required fields are marked *