ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। ସୁଫି ସନ୍ୟାସୀଙ୍କ ଦେହାନ୍ତ ପରେ, ସନ୍ଥ ଜଣକ ସେଠାରେ ନିଜର ଗୋଟିଏ ଛୋଟ କୁଡ଼ିଆରେ ରହିଲେ। କୁଡ଼ିଆ ଚାରିପାଖରେ ଛୋଟ ବଗିଚାଟିଏ। ସର୍ବମୋଟ ତାଙ୍କ ରହିବା ସ୍ଥାନକୁ ଏକ ଆଶ୍ରମ କୁହାଯାଇ ପାରେ। ସେ ସନ୍ଥ ଥିଲେ ସତ୍ୟ, ଅହିଂସା ଏବଂ ସଦାଚାର’ର ମୂର୍ତ୍ତିମନ୍ତ ଅବତାର।

କିନ୍ତୁ, ସେ କେବେ ବି ତାଙ୍କୁ ଅନୁସରଣ କରିବାକୁ କି, ତାଙ୍କୁ ସମ୍ମାନ ଜଣାଇ ପୂଜା ପ୍ରାର୍ଥନା କରିବାକୁ, କାହାକୁ ପ୍ରବର୍ତ୍ତାଉ ନଥିଲେ। ଚାନ୍ଦା ଦାନ ଦକ୍ଷିଣା ଇତ୍ୟାଦି ଠାରୁ ସେ ଥିଲେ ଦୂରରେ। ଯଦି କେବେ କେଉଁ ଦୀନ ଦୁଃଖିଙ୍କୁ ସାହାଯ୍ୟ କରିବାପାଇଁ କିଛି ଆବଶ୍ୟକ ପଡୁଥାଏ, ସେତେବେଳେ ସେ ନିକଟସ୍ଥ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସେହି ଦୀନ ଦୁଃଖୀଙ୍କୁ ସାହାଯ୍ୟ କରୁଥିଲେ। ସମସ୍ତଙ୍କୁ ଶ୍ରଦ୍ଧା କରିବା ଓ ସମସ୍ତ କାର୍ଯ୍ୟ ଠିକ ସମୟରେ ସମ୍ପାଦନ ହେବାପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ, ସେ ତାଙ୍କ ପାଖକୁ ଆସୁଥିବା ଲୋକଙ୍କୁ ବୁଝାଉ ଥିଲେ। ତାଙ୍କର ଥିଲେ ଜଣେ ମାତ୍ର ଶିଷ୍ୟ।

କିଛି ଦିନପରେ ନିକଟସ୍ଥ ଗୋଟିଏ ସହରରେ ବାହାରିଲା ଏମିତି ଜଣେ ଯୁବକ, ଯିଏକି ସେହି ସନ୍ଥଙ୍କ ବାଣୀ ଓ ପ୍ରଦର୍ଶିତ ମାର୍ଗ ବିଷୟରେ ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲା। ସନ୍ଥଙ୍କ ବାଣୀ ଓ ମୂଲ୍ୟବୋଧ ସବୁର ଶିକ୍ଷା ଦେବାର ବ୍ୟବସ୍ଥା ସେଠାରେ କରାଗଲା। ସ୍ଥାନୀୟ ଲୋକମାନେ ଯୁବକଙ୍କୁ ସାଧୁବାଦ ଜଣାଇଲେ। ସହରରେ ସେହି ସନ୍ଥଙ୍କ ଭକ୍ତସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଲା।

ଦିନେ କୌଣସି କାମରେ ସନ୍ଥ ମହାଶୟ ସେହି ସହରକୁ ଆସିଥିଲେ।

ସେ, ସେଠାରେ ତାଙ୍କ ନାଆଁ’ରେ ଗଢ଼ା ଅନୁଷ୍ଠାନ ଓ ଏସବୁ କାରବାର ଦେଖି ଖୁବ୍ ଅସନ୍ତୁଷ୍ଟ ହେଲେ। ଏବଂ ଏସବୁ ଅନୁଷ୍ଠାନ’ର ଆୟୋଜନ କରିଥିବା ଯୁବକକୁ କହିଲେ -“ତୁମେ ଏସବୁ କଣ କଲ ? ଏହା ଆଦୌ ଭଲ କଥା ନୁହେଁ।”

ଯୁବକ ବିସ୍ମିତ ହୋଇ କହିଲା -“ଗୁରୁ ଦେବ, ମୁଁ ଆପଣଙ୍କ ଜୀବନଦର୍ଶନ’ରେ ଅନୁପ୍ରାଣିତ ହୋଇ, ତା’ର ପ୍ରଚାର ପ୍ରସାର ପାଇଁ କିଞ୍ଚିତ ଉଦ୍ୟମ କରିଛି.. ହେଲେ, ଆପଣ ଖୁସି ନୁହଁନ୍ତି !!”

ଏହା ଶୁଣି ସନ୍ଥ କହିଲେ, -“ଖୁସି ତ ନୁହେଁ। ଏବଂ କାହିଁକି ଖୁସି ନୁହେଁ ଏକଥା ଜଣେଇବାକୁ ଏବେ ତୁମକୁ ଗୋଟିଏ କଥା ଦେଖେଇବି; ଦେଖ !!”

ଏତିକି କହି ସେ ତାଙ୍କ ସାଙ୍ଗରେ ଆସିଥିବା ଏକମାତ୍ର ଶିଷ୍ୟକୁ ଆସ୍ତେ କରି ତା କାନ ପାଖରେ କିଛି କହିଲେ। ସନ୍ଥଙ୍କ ଇଙ୍ଗିତରେ ଶିଷ୍ୟ ଜଣକ ରାସ୍ତାର ମଝିଆମଝି ଏକ ଛକ ସ୍ଥାନରେ ଛିଡ଼ା ହୋଇ, ସନ୍ଥଙ୍କ ନାଆଁ ଧରି ସନ୍ଥଙ୍କୁ ନିନ୍ଦା କରିବାରେ ଲାଗିଲା।

ଅଳ୍ପ ସମୟ ମଧ୍ୟରେ ସେଠାରେ କିଛି ଲୋକ ଜମା ହୋଇଗଲେ। ଶିଷ୍ୟଟି ମୁହଁରେ ସନ୍ଥଙ୍କ ନିନ୍ଦା ଶୁଣି ତାଙ୍କ ଆଦର୍ଶ’ର ଅନୁଗାମୀ ସେହି ଲୋକମାନେ ଅତ୍ୟନ୍ତ ଉତ୍ୟକ୍ତ ହୋଇ ମାଡ଼ି ଆସିଲେ, ଏବଂ ଶିଷ୍ୟକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ।

ଠିକ୍ ଏତିକି ବେଳେ ସନ୍ଥ ନିଜେ, ଆଗକୁ ବାହାରି ଆସି ସେ ଉତ୍ୟକ୍ତ ଲୋକମାନଙ୍କୁ ଅଟକାଇଲେ। ତା’ପରେ ସେଠାରେ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ସେହି ଯୁବକକୁ କହିଲେ -“ଏବେ ଦେଖୁଛ ତ କି ଅବସ୍ଥା..!! ବୁଝିପାରୁଛ ତ, ମୁଁ ନିଜେ କାହିଁକି ଅନୁଷ୍ଠାନଟିଏ ପ୍ରତିଷ୍ଠା କରି ମୋ ଆଦର୍ଶର ଶିକ୍ଷା କାହାକୁ ଦେଉ ନଥିଲି !! ତୁମେ ଓ ତୁମର ଏହି ଅନୁଷ୍ଠାନ ଯୋଗୁଁ ମୋ ଆଦର୍ଶର ଗୁଣଗାନ କରୁଥିବା ଲୋକମାନେ ମୋ ଆଗରେ ହିଁ ମୋ ଆଦର୍ଶକୁ ହତ୍ଯା କଲେ। ସେମାନେ ହିଂସା କରିବାକୁ ଆଗେଇ ଆସିଲେ।'”

ପୁଣି କହିଲେ ସନ୍ଥ -“ମୋ ଜୀବନ କାଳରେ ମୋ ଆଦର୍ଶକୁ ଅନୁସରଣ କର। ମୋ ପରେ ବି ଅନୁସରଣ କଲେ ଭଲ। କିନ୍ତୁ ସେସବୁ ଏ ପୃଥିବୀର ଚିରନ୍ତନ ଚାଲି ଆସିଥିବା ସତ୍ୟ ଦୟା ଓ ଅହିଂସା ର ଭାବନା। ଯାହାସବୁ ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଅବତାର ଗ୍ରହଣ କରିଥିବା ମହାପୁରୁଷ ମାନେ, ଜ୍ଞାନୀ ବିଦୁଷୀ ନାରୀ ଓ ପୁରୁଷ ମାନେ ବିଭିନ୍ନ ଭାଷାରେ କହି ଆସିଛନ୍ତି। ଏ ସବୁ ସଦଗୁଣ, ସତବାଣୀ; ମୋର ବା ଆଉ କାହାର ବ୍ୟକ୍ତିଗତ ସମ୍ପତ୍ତି କିମ୍ବା କେଉଁ ଅନୁଷ୍ଠାନର ଅବଦାନ ନୁହେଁ।

ଯେତେବେଳେ ଗୋଟିଏ ଅନୁଷ୍ଠାନ ପକ୍ଷରୁ ଏସବୁ ପ୍ରଚାର ପ୍ରସାର କରାଯିବ, ସେତେବେଳେ ସେହି ଅନୁଷ୍ଠାନକୁ ସମର୍ଥନ କରୁଥିବା ଗୋଟିଏ ଅନୁଚର ବର୍ଗ ସୃଷ୍ଟି ହେବେ। ସେମାନେ ନିଜ ଶ୍ରଦ୍ଧା, ବିଶ୍ୱାସ, ଓ ଆସ୍ଥା ସବୁକୁ ନେଇ ଗୋଟିଏ ଦଳ ବା ଗୋଷ୍ଠୀ ଗଠନ କରିବେ। ବିଭିନ୍ନ ସମୟରେ ସେମାନଙ୍କର ଏହି ଅନୁଷ୍ଠାନ’ର ସୁରକ୍ଷା, ପ୍ରଚାର ଓ ବୃଦ୍ଧି ପାଇଁ ସେମାନେ ବଳ ପ୍ରୟୋଗ କରିବେ। ଏବଂ ସେସବୁର ପରିଣାମ ତୁମେ ତୁମ ନିଜ ଆଖିରେ ଦେଖିଲ।

ଯେଉଁ ଦୁଇଟି ମାତ୍ର ବାଣୀ ‘ଶ୍ରଦ୍ଧା କରିବା ଓ ଧର୍ଯ୍ୟ ଧରିବା’ କୁ ମୁଁ ଗୁରୁତ୍ୱ ଦେଇ ଆସିଛି, ସେହି ଦୁଇଟା ହିଁ ମୋ ସମ୍ମୁଖରେ ମୋ ଅନୁଚର ବୋଲି ଦାବି କରୁଥିବା ଲୋକେ ସର୍ବ ପ୍ରଥମେ ହତ୍ୟା କଲେ। ତାହେଲେ କେଉଁ କାରଣରୁ ତୁମର ଏହି ଅନୁଷ୍ଠାନ ଦେଖି ମୁଁ ଖୁସି ହେବି !!”

ଯେକୌଣସି ଆଦର୍ଶର ଔପଚାରିକତା ତା’ର ଅନ୍ତର୍ନିହିତ ମୂଲ୍ୟବୋଧକୁ ନଷ୍ଟ କରିଦିଏ। ଆଜି ଏମିତି ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ବିଭିନ୍ନ ଦଳ; ନିଜର – କର୍ତ୍ତୁତ୍ଵ ଆର୍ଥିକ ଓ ରାଜନୈତିକ ଶକ୍ତି ଆଧାରରେ ବିଭିନ୍ନ ଅନୁଷ୍ଠାନ ମଠ ମନ୍ଦିର ଗୁରୁଦ୍ୱାର ମସଜିଦ ଗିର୍ଜା ଆଶ୍ରମ ବାଟିକା ଇତ୍ୟାଦି ନିର୍ମାଣ କରି ନିଜ ଦଳର ଅହଙ୍କାର ପ୍ରଦର୍ଶନ କରୁଛନ୍ତି ସିନା; ଶ୍ରଦ୍ଧା କରିବା ଓ ଧୈର୍ଯ୍ୟ ଧରିବା ପରି ଦୁଇଟି ମାତ୍ର ସାଧୁବାଣୀ ନିଜ ଜୀବନରେ ପାଳନ କରିବାକୁ ଅଯୋଗ୍ୟ।

—–###——-

ବିଜୟ କୁମାର ଜେନା,
ଦାମନଯୋଡି।

You May Also Like

More From Author

+ There are no comments

Add yours