Wed. Oct 14th, 2026

କୋରାପୁଟରେ ଜେଲ ସଂସ୍କାର ବନ୍ଦୀ ଜୀବନ ରେ ନୂତନ ସୁଯୋଗ ଆଣି ଦେଇଛି। ଜେଲ ବର୍ତ୍ତମାନ ବନ୍ଦୀଙ୍କୁ ବଞ୍ଚିବାର ରାହା ଦେଖାଉଛି , ଜେଲ ଭିତରେ ଶିଖିଥିବା ଲୁଗା ବୁଣା ତାଲିମ ଆଗକୁ ରୋଜଗାରର ପନ୍ଥା ଦେଖାଇବ । ମୁକ୍ତ ହୋଇଥିବା ଅନ୍ତେବାସୀଙ୍କୁ ଖାଲି ବାହାରେ ସରକାରୀ ପ୍ରୋତ୍ସାହନର ସୁଯୋଗ ମିଳିଲେ ହେଲା। କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ ଉତ୍ପାଦିତ ହେଉଥିବା ହସ୍ତତନ୍ତ ବସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ଓଡିଶାର ବିଭିନ୍ନ ବଜାରରେ ସୁନାମ ଅର୍ଜନ କରିଛି । କାରାଗାର ସାଜିଛି ଏକ ଉତ୍ପାଦନର କର୍ମଶାଳା ତଥା ଅନ୍ତେବାସୀଙ୍କ ପାଇଁ ଏକ ତାଲିମ କେନ୍ଦ୍ର । କାରାଗାରର ୩୦ ରୁ ୩୫ ଜଣ ଅନ୍ତେବାସୀ ଅରଟ ରେ ସୂତା କାଟି ପାରମ୍ପରିକ ତନ୍ତରେ ବସ୍ତ୍ର ବୁଣୁଛନ୍ତି । ସମ୍ବଲପୁରୀ ଓ ଅନ୍ୟାନ୍ୟ ଡିଜାଇନ ର ଶାର୍ଟ , ରୁମାଲ , ଧୋତି , ଶାଢ଼ୀ ପ୍ରଭୃତି ବୁଣା ଯାଉଥିବା ବେଳେ ମଣ୍ଡଳ କାରାଗାରରେ ବୁଣା ଯାଉଥିବା ବିଭିନ୍ନ ଆକାରର ଦରି ର ଚାହିଦା ସର୍ବତ୍ର ରହିଛି । କାରାଗାର କୁ ଆସିବା ପୂର୍ବରୁ ସୂତା କାଟିବା ଓ ତନ୍ତରେ ସୂତା ବସାଇ ବସ୍ତ୍ର ବୁଣିବା ଜାଣି ନଥିଲେ ମଧ୍ୟ କାରାଗାରରେ କାମ କରିବା ମାଧ୍ୟମରେ ସେମାନେ ତାଲିମ ପାଇଥିବା ଅନ୍ତେବାସୀ ବୁଣାକାର ଗଙ୍ଗାଧର ମାଡକାମୀ ଜଣାଇଛନ୍ତି । ସକାଳ ସାତଟା ବେଳୁ ଅପରାହ୍ନ ଚାରିଟା ବେଳ ପର୍ଯ୍ୟନ୍ତ ଏହି କାମରେ ଲାଗି କାରାଗାର ମଧ୍ୟରେ ଥାଇ ମଧ୍ୟ ଦୁଇ ପଇସା ରୋଜଗାର କରିହେଉଥିବା ସେ ଜଣାଇଛନ୍ତି । ସାର୍ଟ କନାଟିଏ ତନ୍ତରେ ବୁଣିବା ପାଇଁ ଗୋଟିଏ ଦିନ ଲାଗୁଥିବା ବେଳେ ପ୍ରତ୍ୟେକ ଅନ୍ତେବାସୀ ବୁଣାକାର ମାସରେ ଦୁଇ ତିନୋଟି ଶାଢ଼ୀ ଓ ଗୋଟିଏ ଦରି ବୁଣିପାରୁଥିବା ସେ ଜଣାଇଛନ୍ତି । କାରାଗାର ମଧ୍ୟରେ ହସ୍ତତନ୍ତ ବସ୍ତ୍ର ବୁଣିବାର ତାଲିମ ନେଇ ଏହି ୩୦ ରୁ ୩୫ଜଣ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଦକ୍ଷତା ହାସଲ କରିଥିବା ବେଳେ କାରାଗାରରୁ ମୁକ୍ତ ହେବା ପରେ ସରକାରୀ ସହଯୋଗ ମିଳିଲେ ଜୀବନ ଜୀବିକା କ୍ଷେତ୍ରରେ ସ୍ୱାବଲମ୍ବି ହୋଇପାରନ୍ତେ ବୋଲି ସେ ଆଶାପୋଷଣ କରିଛନ୍ତି । ଏଠାରେ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥବା ହସ୍ତତନ୍ତ ବସ୍ତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଆକାରର ଦରି କୁ ମଣ୍ଡଳ କାରାଗାରର ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ରରେ ସ୍ଥାନୀୟ ଲୋକେ କିଣି ନେଉଥିବା ବେଳେ ରାଜ୍ୟ ର ବିଭିନ୍ନ ଯାତ୍ରା ମହୋତ୍ସବ ସମୟରେ ଲାଗୁଥିବା ବଜାରରେ ମଧ୍ୟ ଗ୍ରାହକଙ୍କ ହୃଦୟ ଜିଣିବାରେ ଏହା ସମର୍ଥ ହେଉଥିବା କାରାଗାର ମଧ୍ୟରେ ହସ୍ତତନ୍ତ ବିଭାଗର ଦାୟିତ୍ୱ ରେ ଥିବା ହାବଲଦାର ଜଳଧର ପ୍ରଧାନ ଜଣାଇଛନ୍ତି । ଏହି ସଫଳତାର ମାପକାଠି ଭାବେ ୨୦୨୨/୨୩ ଆର୍ଥିକ ବର୍ଷ ରେ କାରାଗାର ହସ୍ତତନ୍ତ ଉତ୍ପାଦ ତାଥା ଅନ୍ୟାନ୍ୟ ଜିନିଷ ବିକ୍ରି ରୁ ୭.୭୫ଲକ୍ଷ ପାଇଥିବା କାରାଗାର ର ସୁପରିନଟେଣ୍ଡେଣ୍ଟ ମନୋରଞ୍ଜନ ପ୍ରତିହାରୀ ସୂଚନା ପ୍ରଦାନ କରିଛନ୍ତି । କାରାଗାର ପାଇଁ ବ୍ୟବସାୟ ହୋଇଥିବା ବେଳେ ଅନ୍ତେବାସୀଙ୍କ ମଧ୍ୟରେ ଏହା ଉନ୍ନତ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ର ସ୍ଥିତି ସୁନିଶ୍ଚିତ କରିବାରେ ସହାୟକ ହେଉଥିବା ସେ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *