Wed. Oct 14th, 2026
କବି, ଲେଖକ, ଶିକ୍ଷକ, ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ, ରାଜନୀତିଜ୍ଞ , ସମାଜ ସଂସ୍କାରକ ଉତ୍କଳମଣି ଗୋପବନ୍ଧୁ ଦାସ।
ଆମେ; ଆମେ ବୋଇଲେ ମୋ ସମସାମୟିକ ମଣିଷମାନେ ସଂସାରକୁ ଆସିବା ବେଳକୁ, ଆମ ଭିତରୁ ଉତ୍କଳମଣି ଗୋପବନ୍ଧୁ ଦାସ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ। କିନ୍ତୁ ଆମ ଭିତରେ ମଣି ସଦୃଶ ସମ୍ମାନର ସହ ଚିରଞ୍ଜିବୀ ହେଇ ରହିବାପାଇଁ ଅନେକ କାର୍ଯ୍ୟକ୍ରମ ସେ ନିଜେ କରି ଯାଇଛନ୍ତି।
ଆମେ ବିଦ୍ୟାଳୟରେ ସାହିତ୍ୟ ପଢ଼ିବା ଭିତରେ କେତେବେଳେ ଯେ, “ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ।” କବିତା ମାଧ୍ୟମରେ ଗୋପବନ୍ଧୁ ଆମ ଅନ୍ତରରେ ପ୍ରଵେଶ କଲେ। ତା ଆଗରୁ ଶୈଶବରେ “ହଇ ହୋ ଚିଙ୍ଗୁଡ଼ି କାହିଁ, ଘୁଙ୍ଗୁଡ଼ି ମାରିବା କାହାକୁ ଖାଇ?” ଆମକୁ ଗୋପବନ୍ଧୁଙ୍କ ସାମ୍ୟକ ସ୍ପର୍ଶ ମିଳିଥିଲା। ତାପରେ ଆମେ ପଢ଼ିଲୁ, ଜାଣିଲୁ, ବୁଝିଲୁ – କେଡ଼େ ମହାନ୍ ଏ ବ୍ୟକ୍ତିତ୍ଵ। ନହେଲେ କି ଲୋକେ ତାଙ୍କୁ ଉତ୍କଳଭୂମି’ର ମଣି ଆଖ୍ୟା ଦେଇଥାନ୍ତେ !
ଆମେ ଶୁଣୁଥିଲୁ, ସତ୍ୟବାଦୀରେ ବନବିଦ୍ୟାଳୟ ସ୍ଥାପନା କରି ଗୋପବନ୍ଧୁ ସମେତ ତତ୍କାଳୀନ ପଞ୍ଚସଖା, ନବ ଉତ୍କଳର ନିର୍ମାତାମାନଙ୍କୁ ଗଠନ କରିବାର ଦାୟିତ୍ଵ ନେଇଥିଲେ। ସେହି ସମୟରେ ବକୁଳ ଛୁରିଅନାର ଶୀତଳ ଛାୟାରେ ପାଠ ପଢିବା ପାଇଁ ସୁଯୋଗ ପାଇଥିବା ବିଦ୍ୟାର୍ଥୀମାନେ କେତେ ଭାଗ୍ୟବାନ ହେଇ ନ ଥିବେ !
ଗୋପବନ୍ଧୁ ଆରମ୍ଭ କରିଥିଲେ, ସମାଜ। ଓଡ଼ିଶାରେ, ସମାଜ କହିଲେ ଖବର କାଗଜକୁ ହିଁ ବୁଝାଉଥିଲା। ଓଡ଼ିଶାର ଘରେ ଘରେ ମାତ୍ର ଏକ ପଇସାରେ ଖବରକାଗଜ ଯୋଗାଇ ଦେବାକୁ ଚେଷ୍ଟାକରି ତାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହେଇଥିବା ସମାଜ, ଆଜିବି ଓଡ଼ିଶାର ଅଦ୍ୱିତୀୟ ଖବରକାଗଜ।
ବନ୍ୟା ବାତ୍ୟା ମରୁଡ଼ି ମହାମାରୀ ଆସିଲେ ଲୋକେ ଆଜିବି ସେଇ ମହାନ୍ ସମାଜସେବୀ ଗୋପବନ୍ଧୁଙ୍କ ପରି ମଣିଷ ଖୋଜନ୍ତି, ଯିଏ ଲୋକଙ୍କ ବିପଦ ସମୟରେ ପାଖରେ ଠିଆ ହେଇ ପାରିବ।
ଆହା, ଆମେ ଆଉଥରେ ଏ ଭୂମିରେ ଏମିତି ମଣିଷଟିଏ ପାଇବା ନାହିଁ କି ..!!
—–###—–
ବିଜୟ କୁମାର ଜେନା।
bijayjena

Leave a Reply

Your email address will not be published. Required fields are marked *