Wed. Oct 14th, 2026


କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ବ୍ଲକ ର ତଳଗୁମାଣ୍ଡି ଅନ୍ତର୍ଗତ ଭିତରପୋଡା ସ୍ଥିତ କୋର୍ଣ୍ଣାକୋଣ୍ଡାମାଳି ବକ୍ସାଇଟ ପାହାଡ଼କୁ ସଂଯୋଗ ପାଇଁ ନାଲକୋ ଦ୍ୱାରା ପ୍ରଦତ୍ତ ପାରିପାର୍ଶ୍ଵିକ ପାଣ୍ଠିରୁ କୋରାପୁଟ ଜିଲା ପରିଷଦ କାର୍ଯ୍ୟାଳୟ ଚିଠି ନମ୍ବର ୧୩୮୬ ତାରିଖ ୩୦.୦୩.୨୨ରେ ନାରାୟଣ ପାଟଣା ବ୍ଲକ କାର୍ଯ୍ୟାଳୟକୁ ଅନୁଦାନ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଣ୍ଣାକୋଣ୍ଡାମାଳି ପାହାଡ଼ରୁ ବକ୍ସାଇଟ ଖଣି ପରୀକ୍ଷା ପାଇଁ ୫୯ ଗୋଟି କୂଅ ଖୋଳିବାକୁ ଭିତ୍ତିଭୂମି ତଥା ରାସ୍ତା ନିର୍ମାଣ ଓ ଉନ୍ନତିକରଣ ନିମନ୍ତେ ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ତେବେ ନାରାୟଣ ପାଟଣା ବ୍ଲକ କାର୍ଯ୍ୟାଳୟ ତଳଗୁମାଣ୍ଡି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବିଭାଗୀୟ କାର୍ଯ୍ୟ ଦେଶ ପ୍ରଦାନ କରି ୨୦ ଲକ୍ଷ ଅର୍ଥ ବ୍ୟୟରେ କାର୍ଯ୍ୟ ସମ୍ପାଦନ ହେବା ସହିତ ପ୍ରାପ୍ତ ପାଣ୍ଠି ଖର୍ଚ୍ଚ କରାଯାଇଛି । ତେବେ ନାଲକୋ ଦ୍ବାରା ପ୍ରଦତ୍ତ ପାଣ୍ଠି ବିଭିନ୍ନ ଆଳରେ ବା ଖର୍ଚ୍ଚ ଦେଖାଇ ମିଥ୍ୟା ବିଲ କରିବା ଓ ଅଳ୍ପ କାମ କରି ଅଧିକ କାମ ହୋଇଥିବା ଦର୍ଶାଇ ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଜିଲାପାଳ ଆବଦଲ ମହମ୍ମଦ ଅଖତର ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଭୂଷିତ କୁମାର ବିଡିକା । ସୂଚନା ଆଇନ ଅଧିକାର ଦ୍ୱାରା ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ବ୍ୟୟରେ ନିର୍ମିତ ଦୁଇଟି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଉଭୟ ପ୍ରକଳ୍ପରେ ଶ୍ରମିକ ଓ ମେସିନ ବ୍ୟବହାର କରି ଡ୍ରେନ,ଘାଟ କଟିଂ ହୋଇଥିବା ବିଲରେ ଜନୈକ ଯନ୍ତ୍ରୀ ଉଲ୍ଲେଖ କରିଛନ୍ତି । ତଳଗୁମାଣ୍ଡି ଛକ ଠାରୁ ଭିତରପଡ଼ା ଗ୍ରାମକୁ ଉନ୍ନତିକରଣ ପାଇଁ ୩ ମିଟରରୁ ଉର୍ଦ୍ଧ ଡ୍ରେନ କାମ ହୋଇଥିବା ଓ ଘାଟ କଟିଂ ବାବଦକୁ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିବା ଉଲ୍ଲେଖ ହୋଇଛି । ତେବେ ବାସ୍ତବ କ୍ଷେତ୍ର ରେ ହୋଇଥିବା କାମକୁ ନେଇ ସନ୍ଦେହ ଓ ବହୁତ ପାତର ଅନ୍ତର ଦେଖିବାକୁ ମିଳିଛି । ପ୍ରାୟ ୩ କିମି ଡ୍ରେନ କଟିଂ ହୋଇଥିବା ବିଲରେଅଛି,ହେଲେ ବାସ୍ତବ ଚିତ୍ର ଓ ରାସ୍ତାର ଉଭୟ ପାର୍ଶ୍ୱକୁ ଦେଖିଲେ ଘଂଚ ବୁଦା ଦେଖିବାକୁ ମିଳିଛି। ମିଥ୍ୟା ବିଲ ହୋଇଥିବା ଦାବି କରିଛନ୍ତି ଅଭିଯୋଗକାରୀ । ସେପଟେ ୨୦୧୬ ମସିହାରେ ଏନ୍ ବି ସି ସି ଉକ୍ତ ରାସ୍ତାରେ ନୂତନ ରାସ୍ତା ନିର୍ମାଣ କରିଥିବା ତଥ୍ୟ ଥିବା ବେଳେ ବ୍ଲକ କର୍ତ୍ତୁପକ୍ଷ ଉକ୍ତ ସ୍ଥାନରେ କାମ ଆରମ୍ଭ ପୂର୍ବରୁ ଓ ପରେ ଜିଓ ଟ୍ୟାଗ୍ ଫୋଟ ଉତ୍ତୋଳନ କରି ନ ଥିବା କିମ୍ବା ଏନ୍ନି ବି ସି ସି ନିକଟରୁ କୌଣସି ସମ୍ମତି ପତ୍ର ନ ପାଇ କାମ କରିବା ମଧ୍ୟ ବିପୁଳ ଅର୍ଥ ଆତ୍ମସାତକୁ ପ୍ରତିପାଦିତ କରୁଛି । ପୁରୁଣା କାମରେ ଅଳ୍ପ କାମ କରି ଅର୍ଥ ଆତ୍ମସାତ କରିଥିବା ସ୍ପଷ୍ଟ ହେଉଛି। ଉକ୍ତ ପ୍ରକଳ୍ପ ରେ ୫୦୦ରୁ ଉର୍ଧ୍ଵ ଦିନ କାମ କରିଥିବା ଶତାଧିକ ଶ୍ରମିକଙ୍କ ନାମ ଉଲେଖ ଥିବା ବେଳେ କୌଣସି ଜଣେ ଶ୍ରମିକ ଭିତରପୋଡା ଗ୍ରାମର ନ ଥିବା ଜଣାପଡିଛି । ଖାଲି ଏତିକିରେ ଯନ୍ତ୍ରୀଙ୍କ ଜାଲିଆତି ସରି ନାହିଁ, ମୋଷ୍ଟର ରୋଲରେ ଉଲେଖ ଶ୍ରମିକଙ୍କ ନାମ,ଦସ୍ତଖତ ଓ ଟିପି ଚିହ୍ନ ମଧ୍ୟ ଜାଲିୟାତି ବୋଲି ସ୍ପଷ୍ଟ ବାରି ହୋଇଛି । ଏପରିକି ଶ୍ରମିକ ସୁରକ୍ଷା ନିୟମାନୁସାରେ କୌଣସି ଶ୍ରମିକ ୪୮ଘଂଟାରୁ ଅଧିକ ଅର୍ଥାତ ସପ୍ତାହକୁ ୬ ଦିନରୁ ଅଧିକ କାମ କରିବାକୁ ବାରଣ ଥିବା ବେଳେ ମୋଷ୍ଟର ରୋଲରେ ୭ ଦିନ ଉଲ୍ଲେଖ ହୋଇଛି ଯାହାକି ତଦନ୍ତ ସାପେକ୍ଷ । ସେପଟେ ଯଦି ଶ୍ରମିକଙ୍କ ତାଲିକା ଯଦି ମିଥ୍ୟା ତେବେ ଏତେ ଅର୍ଥ କାହା ପକେଟକୁ ଗଲା ବୋଲି ବିରାଟ ପ୍ରଶ୍ନ ଉଭା ହୋଇଛି । ସେହିଭଳି ଦୁଇଟି ପ୍ରକଳ୍ପରେ ଘାଟ କାଟିବା,ଡ୍ରେନ କାଟିବା ପାଇଁ ନିୟୋଜିତ ମେସିନ ଭଡା ବାବଦକୁ ୩,୯୦,୫୪୩ ଓ ୭,୭୧୫୩୩ଟଙ୍କା ଘଂଟା ପିଛା ୨୫୦୦ ଟଙ୍କା ଦରରେ ମାଲିକ ତଥା ଠିକାଦାର ରଞ୍ଜିତ ନାୟକଙ୍କୁ ଅର୍ଥ ପ୍ରଦାନ କରାଯାଇଛି । ଅର୍ଥାତ ସରକାରୀ ଏଷ୍ଟିମେଟରେ ମେସିନ ବାବଦକୁ ଘଂଟା ପିଛା ଦର ନ ଥିବା ବେଳେ ଯନ୍ତ୍ରୀ ଜଣକ କିଭଳି ବେଆଇନ ପନ୍ଥା ଗ୍ରହଣ କରିଛନ୍ତି ତାହା ତଦନ୍ତ କରାଯିବା ଅତି ଜରୁରୀ ବୋଲି ଜିଲାପାଳଙ୍କୁ ଦର୍ଶାଇଛନ୍ତି । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ସହିତ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି ଓ ଏହା ସହିତ ଏହାର ନିରପେକ୍ଷ ତଦନ୍ତ କରିବାକୁ ଜିଲାପାଳ ଅବଦଲ ଏମ ଆଖତର ଙ୍କୁ ଲିଖିତ ଅଭିଯୋଗ କରିବା ପରେ ଆସନ୍ତା ଗସ୍ତରେ ନାରାୟଣ ପାଟଣା ଯାଇ ପ୍ରକଳ୍ପର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲାପାଳ । ଅଭିଯୋଗର ସମସ୍ତ ନକଲ ଓଡିଶା ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ଫାଇବ ଟି ଅଧ୍ୟକ୍ଷ ଓ ସଚିବ,ଖଣି ସଚିବ,ଦୁର୍ନୀତି ନିବାରଣ ନିର୍ଦ୍ଦେଶକ, ରାଜ୍ୟ ସରକାର,ଜୟପୁର ଦୁର୍ନୀତି ନିବାରଣ ଜୟପୁର ଦୁର୍ନୀତି ନିବାରଣ ଅଧିକ୍ଷକ,ଜୟପୁର ଯୁଗ୍ମ ଶ୍ରମ କମିଶନର,ସିଏମଡି ନାଲକୋ ଭୁବନେଶ୍ୱର, ଇଡି ନାଳକ ଦାମନଯୋଡି ଓ ନାରାୟଣପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଏ ସମ୍ପର୍କ ରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଆଜି ଦୁର୍ନୀତି ନିବାରଣ ବିଭାଗ ଅତିରିକ୍ତ ଏସ ପି ଅରୁଣ ନାୟକ ଙ୍କୁ ଭେଟି ସମସ୍ତ ତଥ୍ୟ ପ୍ରଦାନ ସହ ତଦନ୍ତ ଦାବି କରିଛନ୍ତି। ପ୍ରକାଶ ଥାଉ କି ବକ୍ସାଇଟ ପରୀକ୍ଷା ପାଇଁ ବ୍ଳକ ପ୍ରଶାସନ ଦ୍ୱାରା ଆୟୋଜିତ ଜନ ଶୁଣାଣିକୁ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରିଥିବା ବେଳେ ରାସ୍ତା କାମରେ ନିୟଜିତ ମେସିନ ପୋଡ଼ି ଅଭିଯୋଗରେ ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ମଧ୍ୟ ଜଣା ପଡ଼ିଛି। କୋରାପୁଟ ଜିଲ୍ଲାରେ ଉନ୍ନୟନ ନାମ ରେ ଆଭ୍ୟନ୍ତରୀଣ ଅଞ୍ଚଳ ମାନଙ୍କ ରେ ଏପରି ହରିଲୁଟ ହେଉଥିବା ଅଭିଯୋଗ ଉଠୁଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରି ବାକୁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *