କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ…
ଆଶ୍ୱିନ ପୂର୍ଣ୍ଣିମାକୁ ଓଡ଼ିଶାରେ କେବଳ କୁମାର ପୂର୍ଣ୍ଣିମା ହିସାବରେ ପାଳନ କରାଯାଏ । ଏହି ଦିବସଟି ଆଶ୍ୱିନର ଶେଷ ଦିନ ଓ କାର୍ତ୍ତିକ ମାସର ଆରମ୍ଭର ପୂର୍ବ ଦିନ । କାର୍ତ୍ତିକ କୃତ୍ତିକା ନକ୍ଷେତ୍ରର ମାସ । କୃତ୍ତିକାଙ୍କର ପୁତ୍ର ହେଉଛନ୍ତି କୁମାର ବା କାର୍ତ୍ତିକେୟ । କାର୍ତ୍ତିକ ନିଜେ ଚିର କୁମାର, ଶ୍ରେଷ୍ଠ ପୁରୁଷ ଏବଂ ଦେବତାମାନଙ୍କର ସେନାପତି ଥିବାରୁ ସମ୍ଭବତଃ ତାଙ୍କରି ପବିତ୍ର ପୌରାଣିକ ସ୍ମୃତିରେ ଉଦ୍ବୋଧନ ପାଇଁ ଏହି ପୂଜାର ସୃଷ୍ଟି ହୋଇଥିବା ସମ୍ଭବ । ଏହିଦିନ ଚନ୍ଦ୍ର ଅଶ୍ୱିନୀ ନକ୍ଷତ୍ରରେ ରୁହନ୍ତି । ବୈଦିକ କାଳରୁ ଅଶ୍ୱିନୀଙ୍କ ସଂଗେ କୁମାରଙ୍କର ନିତ୍ୟ ସମ୍ବୋଧ । ତେଣୁ ଏହି ଅଶ୍ୱିନୀ ଚନ୍ଦ୍ର ହେଲେ ‘ଅଶ୍ୱିନୀ କୁମାର’ । ଏହି ପୁର୍ଣ୍ଣିମା ହେଲେ ‘କୁମାର’ । ଏହି ପରି ହୁଏତ ଏ ଦିନଟିର ନାମ ହୋଇଛି କୁମାର ପୂର୍ଣ୍ଣିମା ।’ ମହର୍ଷି ସୁଶ୍ରୁତ ଲେଖିଛନ୍ତି ‘କୁମାର’ ବା ‘ସ୍କନ୍ଦ’ ଏକ ଗ୍ରହ । ମଙ୍ଗଳଙ୍କର ଅନ୍ୟନାମ ମଧ୍ୟ କୁମାର । ଏମାନଙ୍କର କୁମାର ବା’ ବାଳୁତମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ହେତୁ ଆୟୁର୍ବେଦୀୟ ମତରେ ଏହି ଦିନଟି ସେମାନଙ୍କର କୋପ ଦୃଷ୍ଟିରୁ ରକ୍ଷାନିମନ୍ତେ ଉପଚାର କରାଯାଏ ।
ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ ପଶା ଖେଳୁଥିଲେ । ଠିକ୍ ଏତିକି ବେଳେ କଟ ନାମ ଏକ ରାକ୍ଷସ ସକ୍ରାଜିତ ମଣି ଲୋଭରେ ସତ୍ୟଭାମାଙ୍କୁ ଆକ୍ରମଣ କରନ୍ତେ ଗରୁଡ଼ ଦ୍ୱାରା ସେ ନିହତ ହେଲା ଅଥଚ ସେ ସକାଳକୁ ବଞ୍ଚି ଯାଇଥିଲା ।ଏକଥା ସତ୍ୟଭାମା କୃଷ୍ଣଙ୍କୁ ପୁଛନ୍ତେ ସେ କହିଲେ : କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ରାଲୋକରୁ ଅମୃତ ବର୍ଷିତ ହୁଏ । ଏହି ରାକ୍ଷସଟି ସେ ଅମୃତ ଭକ୍ଷଣକରି ସଂଜୀବୀତ ହୋଇଛି । ଏହାକୁ ଆଧାରକରି ଦେହର ପୁଷ୍ଟି ଓ ମନର ପ୍ରଫୁଲ୍ଲତା ବୃଦ୍ଧି ନିମନ୍ତେ ନାରୀମାନେ ସ୍ୱାମୀଙ୍କ ସହ ଉଜାଗର ରହି ଦାମ୍ପତ୍ୟ ଜୀବନର ସୁଖଲାଭ କରନ୍ତି । ଏହି ଦିବସଟି ପ୍ରତିଟି ମଣିଷ ପାଇଁ ପାପ ନାଶିନୀ ପୂର୍ଣ୍ଣିମା ରୂପେ ବିଚାର୍ଯ୍ୟ ।
କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ଶୀତଳ( ସ୍ୱଭାବର ରାଗି ନୁହେଁ) ବର ମିଳିଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ । କୁମାର ପୂର୍ଣ୍ଣିମାର ଅନ୍ୟନାମ ‘କୌମୁଦି ପୂର୍ଣ୍ଣିମା’ ରହିଥିବା ଅନେକ କହନ୍ତି ।
ଆଶ୍ୱିନ ମାସ ଏକ ପବିତ୍ର ମାସ ବର୍ଷାୠତୁ ଧରାପୃଷ୍ଠରୁ ବିଦାୟ ନେଇଛି । ଶରତଋତୁ ଆଗମନରେ ପୃଥିବୀ ମାତା ଉଲ୍ଲସିତା ହୋଇଛି । କବିଙ୍କ ଭାଷାରେ –
” ଉପଗତ ହେଲା ଧାରାରେ ରମ୍ୟ ଶରଦ କାଳ, ବରଷାର ବଳ ହଟିଲା ନଭ ହେଲା ନିର୍ମଳ ।”
ଆକାଶ ସ୍ୱଚ୍ଛ, ନିର୍ମଳ । ଲତାରେ ଜହ୍ନି ଫୁଲ ହସୁଛି । ରାତିରେ ଜହ୍ନର ଧବଳ ଜ୍ୟୋସ୍ନା କୁମାରୀମାନଙ୍କର ଜହ୍ନି ଓଷା ଗୀତ ‘ଜହ୍ନି ଫୁଲ ଠୋ ଠୋ, କାକୁଡି ଫୁଲ ଠୋ ଠୋ’ , ଗ୍ରାମ୍ୟ ପରିବେଶକୁ ଆନନ୍ଦ ମୁଖରିତ କରିଥାଏ । ଦଶହରା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାର ଉତ୍ସବ ପାଳନ କରାଯାଏ । ଏହି ଦିନ ମାନଙ୍କରେ ତାସ ଖେଳ, ପଇସା ଖେଳ, କଉଡ଼ି ଖେଳ ଆଦି ଚାଲିଥାଏ । ପୂର୍ଣ୍ଣମୀ ଦିନ ତାସଖେଳ ବା ପଇସା ଖେଳରେ ହାରିଲେ ଆଗାମୀ ବର୍ଷ ଭଲରେ କଟିବ ବୋଲି ବିଶ୍ୱାସ ରହିଛି ।ଧାର୍ମିକ ସାମାଜିକ ଭାବଧାରା ପରିପୂର୍ଣ୍ଣ ଏ ପୂର୍ଣ୍ଣିମା । ଏହିଦିନ କୁମାରୀମାନେ ମାସବ୍ୟାପୀ କରିଆସୁଥିବା ଜହ୍ନିଓଷାର ଉଦଯାପନ କରନ୍ତି । ନାଚ,ଗୀତ, ମଉଜ, ମଜଲିସରେ ଏହି ଉତ୍ସବ ଅଧିକ ମନୋରମ ଓ ଆକର୍ଷଣୀୟ ହୋଇଉଠେ ।
ଇତିହାସ କହେ- କନ୍ୟା କୁମାରୀ ଠାରୁ କାମକ୍ଷା ଯାଏଁ ଦକ୍ଷିଣ ଓ ପୂର୍ବ ଭାରତରେ କୁମାରୀ ପୂଜାର ପରମ୍ପରା ଅଷ୍ଟମ ଶତାବ୍ଦୀରୁ ରହି ଆସିଛି ।‘କୁମାରୀ ତନ୍ତ୍ର’ ଅନୁସାରେ ତନ୍ତ୍ରିକମାନେ ଅବିବାହିତ ବା କୁମାରୀ କନ୍ୟାମାନଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ । କ୍ରମଶଃ ଦେଶରେ କୁମାରୀ ପୂଜା ପାଳନ ହେଉଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହା ସାମାଜିକ ପରମ୍ପରାରେ ପରିଣତ ହୋଇଗଲା। ଏହି ଦିନ ଘରର କୁମାରୀମାନେ ଭୋର୍ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।
ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ତୁଳସୀ ଜଣେ ସତୀ – ସ୍ୱାଧୀ ଏବଂ ପତିବ୍ରତା ପତ୍ନୀ । ତାଙ୍କର ସତୀତ୍ୱ ବଳରୁ ରାକ୍ଷସ ଜଳନ୍ଧର ବଳିୟାନ ଥିଲେ । ସେ ବର ପାଇଥିଲା ଯେ, ତୁଳସୀଙ୍କ ପତିବ୍ରତା ନଷ୍ଟ ନହେଲା ଯାଏଁ ତାକୁ କେହି ମାରିପାରିବେ ନାହିଁ । ଏପଟେ ଜଳଧରର ବିନାଶର ଆବଶ୍ୟକତା ଥିଲା । ଏଣୁ ବିଷ୍ଣୁ ନିଜେ ଜଳନ୍ଧର ବେଶରେ ଯାଇ ତୁଳସୀଙ୍କର ସତୀତ୍ୱ ଅପହରଣ କଲେ । ଫଳରେ ଜଳନ୍ଧର ବଧହେଲା ଅନ୍ୟପକ୍ଷରେ ଏଥିପାଇଁ ତୁଳସୀ ମର୍ତ୍ତ୍ୟରେ ପ୍ରତିଘରେ ଏବଂ ଶୁଭରେ ପୂଜା ପାଇବା ନିମନ୍ତେ ସେ ତାଙ୍କୁ ବରଦେଲେ । ପୁନଶ୍ଚ ତୁଳସୀ ହେଉଛନ୍ତି ଭକ୍ତି – ପ୍ରୀତି – ଶାନ୍ତି – ମୈତ୍ରୀର ନିଦର୍ଶନ । ସେ ସକଳ ବାଞ୍ଛା ପୁରାଣ କରନ୍ତି ବୋଲି ବିଶ୍ୱାସ ।ସେଥିପାଇଁ ଏହି ଦିନ ତୁଳସୀଙ୍କର ପୂଜା କରାଯାଏ ।
ତୁଳସୀ ମୂଳେ ଦେଲି ଜାଗର ।
ତୁଳସୀ ବୋଇଲେ ମାଗେ ବର ।।
କାନକୁ ସୁନାପେଡ଼଼ି କନ୍ୟା ।
ବାର ବରଷର ଧାନ ପୁରୁଣା ।।
କାଖେ ପୁଅ ପଣନ୍ତେ ପୁଅ ।
ଜୀବନ ଥିଲାଯାକ ଅହ୍ୟ ହୁଅ ।।
ମରିଗଲେ ବୈକୁଣ୍ଠ ଯାଅ ।
ତୁଳସୀଙ୍କୁ ପାଥେୟ କରି କୁମାରୀ କନ୍ୟାମାନେ ଯେଉଁ ଓଷା ଇନ୍ଦୁ ପୂର୍ଣ୍ଣିମା ଠାରୁ ଆଶ୍ୱିନ ପୂର୍ଣ୍ଣିମା ଯାଏଁ ପାଳନ କରନ୍ତି, ତାକୁ ଜହ୍ନି ଓଷା କହନ୍ତି । ଜହ୍ନି ଓଷା ଜହ୍ନି, ତା’ ଫୁଲ ଓ ଫଳକୁ ଆଧାର କରି ଚାନ୍ଦ ପୂଜା କରାଯାଏ । କୁମାର ପୂର୍ଣ୍ଣିମା ଜହ୍ନି ଓଷାର ଉଦ୍ଯାପନ ଦିବସ । ଏହିଦିନ ଏହି କୁମାରୀ କନ୍ୟାମାନେ ମଧ୍ୟ ଉଜାଗରରେ ନାଚ, ଗୀତ ଓ ଖେଳ ଇତ୍ୟାଦିରେ ଚମକାନ୍ତି ରାତି ଓ ଛାତି । ତାଙ୍କ କଣ୍ଠରେ ମଧୁର ସ୍ୱରରେ ଥାଏ :
‘ଜହ୍ନି, ଜହ୍ନି, ଜହ୍ନି ଆଞ୍ଜୁଳି
ନିତି ପକାଏ ତିନି ଆଞ୍ଜୁଳି
ଦୋଳିରେ ଯାଏ ଦୋଳିରେ ଆସେ
ପଟା ପିଢ଼ା ଖଣ୍ଡିମାଡ଼ି ବସେ,
ମୋ ବୋହୂ ମୋ କୋଳରେ ବସେ ।
ନାତୁଣୀ ବୋହୂ ଭାତ ପରଶେ,
ହାଣ୍ଡି ପୋଛା ଭାତ ଖାଏ,
ବଡ଼ ଘର ଝିଅ ବୋଲେଇ ଥାଏ ।’
ଜହ୍ନି ଫୁଲ ଠୋ ଠା
କାକୁଡ଼ି ଫୁଲ ଠୋ ଠା
ଗୁଣ୍ଡୁଚି ମୂଷା କହିଯାଇଛି
ଚାଉଳ ମୁଠେ ଥୋଇଥା ।
ଧାର୍ମିକ ଦୃଷ୍ଟିକୋଣରୁ କୁମାର ପୂର୍ଣ୍ଣିମାର ବିଶେଷତ୍ୱ ନିଶ୍ଚିତ ଭାବରେ ଅଛି । ସେହିପରି ପଶ୍ଚିମ ଓଡ଼ିଶାରେ କୁମାର ପୂର୍ଣ୍ଣିମାର ପୂର୍ବଦିନ ଓ ପୂର୍ଣ୍ଣିମା ଦିନ ଗାଈ ମାନଙ୍କର ‘ବଏଲ ଯାତ୍ରା’ ଅନୁଷ୍ଠିତ ହୁଏ ।
+ There are no comments
Add yours