ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଜାପାନୀ ଜ୍ୱର ପାଇଁ ରାଜ୍ୟ ସ୍ତରୀୟ କମିଟି ଗଠିତ

ଏଣିକି ରାଜ୍ୟରେ କୌଣସି ବ୍ୟକ୍ତି ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ତାହାର ଅଡିଟ୍‌ କରାଯିବ । ସେହିପରି ଏହି ମୃତ୍ୟୁର କାରଣ ସ୍ପଷ୍ଟ କରିବା ଲାଗି ମହାମାରୀ ବିଜ୍ଞାନ ଅନୁସନ୍ଧାନ କରାଯିବ । ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ପୂର୍ବରୁ ଉପରୋକ୍ତ ତିନି ରୋଗକୁ ରାଜ୍ୟ ସରକାର ବିଜ୍ଞପିତ ରୋଗ ଭାବେ ଘୋଷଣା କରିଛନ୍ତି । ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱରର ସମୂଳ ବିଲୋପ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ମୃତ୍ୟୁର ସଠିକ୍‌ କାରଣ ଜାଣିବା ଏଥିପାଇଁ ଜରୁରୀ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ବିଭାଗ ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁର ଅଡିଟ୍‌ ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ କରାଯିବ । ଏଥିରେ ସମ୍ପୃକ୍ତ ସିଡିଏମ୍‌ଓ/ପିଏଚ୍‌ଓ ମୁଖ୍ୟ ରହିବେ ଏବଂ ଜିଲ୍ଲା ହସ୍ପିଟାଲ/ସବ୍‌ ଡିଭିଜନ ହସ୍ପିଟାଲ/ସିଏଚ୍‌ସି ଅଧିକ୍ଷକ, ଏହିପିଏଚ୍‌ଓ, ବିଶେଷଜ୍ଞ ଡାକ୍ତର (ମେଡିସିନ୍‌/ ଶିଶୁ/ ଆଇସିୟୁ ଅଧିକାରୀ) ସଦସ୍ୟ ନିଯୁକ୍ତ ହେବେ । ସେହିପରି ମହାନଗର ନିଗମ ଅଞ୍ଚଳ କମିଟିରେ ସିଡିଏମ୍‌ ଏବଂ ପିଏଚ୍‌ଓ, ଏଡିପିଏଚ୍‌ଓ ଏବଂ ବିଷୟବସ୍ତୁ ସମ୍ପର୍କିତ ବିଶେଷଜ୍ଞ ଡାକ୍ତର ସଦସ୍ୟ ରହିବେ । ଅପରପକ୍ଷେ ମୃତ୍ୟୁର ଏପିଡେମିଓଲୋଜିକାଲ ଅନୁସନ୍ଧାନ ପାଇଁ ଗଠିତ କମିଟିରେ ଏଡିପିଏଚ୍‌ଓ (ଭିବିଡି), ଏପିଡେମିଓଲୋଜିଷ୍ଟ, ଭିବିଡି ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ରହିବେ । ତଦନ୍ତ ଆରମ୍ଭ କରିବାର ୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଜରୁରୀ ହେବ । ଏଥିସହ ରିପୋର୍ଟରେ ସାମ୍ପ୍ରତିକ ସ୍ଥିତି ଏବଂ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ ।

ଅପରପକ୍ଷେ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ)ଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କମିଟି ନିୟମିତ ଭାବେ ସ୍ଥିତିର ସମୀକ୍ଷା କରିବେ । ଏହି କମିଟିରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଡିଏମ୍‌ଇଟି, ନର୍ସିଂ ନିର୍ଦ୍ଦେଶକ, ରକ୍ତ ସୁରକ୍ଷା ନିର୍ଦ୍ଦେଶକ, ବିଭାଗର ଯୁଗ୍ମ ସଚିବ (ଯୋଜନା)ଙ୍କ ସମେତ ମେଡିକାଲ କଲେଜର ମେଡିସିନ୍‌, ଶିଶୁରୋଗ ଏବଂ ଏସ୍‌ପିଏମ୍‌ ବିଶେଷଜ୍ଞ ସଦସ୍ୟ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଉପରୋକ୍ତ ରୋଗରେ ବହୁ ଲୋକଙ୍କ ପ୍ରାଣ ଯାଉଛି । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ମୁକାବିଲା ପାଇଁ ନିଦାନ, ଚିକିତ୍ସା ଠାରୁ ଆରମ୍ଭ କରି ଅନେକ ବ୍ୟବସ୍ଥା କରିଛନ୍ତି । ହେଲେ ରୋଗର ପ୍ରଭାବୀ ମୁକାବିଲା ପାଇଁ ବିସ୍ତୃତ ତଥ୍ୟର ଆବଶ୍ୟକତା ରହିଛି । ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାକୁ ନେଇ ବିଭାଗ ଅଡିଟ୍‌ ବ୍ୟବସ୍ଥା କରିଛି । ତେବେ ଉକ୍ତ ତିନି ରୋଗ ପାଇଁ ଅଡିଟ୍‌ ସହିତ ବୈଜ୍ଞାନିକ ପଦ୍ଧତ୍ତିରେ ପରୀକ୍ଷା ନୀରିକ୍ଷା କରିବାର ଆବଶ୍ୟକତା ଅଛି ।

You May Also Like

More From Author

+ There are no comments

Add yours