Wed. Oct 14th, 2026

ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ ପଦବୀ ଏବଂ ସମସ୍ତ ୧୬ଟି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ (ଡିପିଏସୟୁ)ରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ସୁବିଧା ସହିତ ଚାକିରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।

ଦେଶରେ ଅଗ୍ନିବୀରଙ୍କୁ ସ୍ଥାୟୀ ଚାକିରି ପାଇଁ ଆନ୍ଦୋଳନ ଚାଲିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଅଗ୍ନିବୀରଙ୍କୁ ଭବିଷ୍ୟତରେ ଚାକିରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।  ଯେଉଁ ୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ), ଭାରତ ଅର୍ଥ ମୁଭର୍ସ ଲିମିଟେଡ (ବିଇଏମଏଲ), ଭାରତ ଡାଇନାମିକ୍ସ ଲିମିଟେଡ (ବିଡିଏଲ), ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ଏଣ୍ଡ ଇଞ୍ଜିନିଅର୍ସ (ଜିଆରଏସଇ) ଲିମିଟେଡ, ଗୋଆ ଶିପୟାର୍ଡ ଲିମିଟେଡ (ଜିଏସଏଲ), ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ (ଏଚଏସଏଲ), ମଝଗାଓଁ ଡକ୍‌ ଶିପବିଲ୍ଡର୍ସ (ଏମଡିଏଲ), ମିଶ୍ରା ଧାତୁ ନିଗମ (ମିଧାନି) ଲିମିଟେଡ, ଆର୍ମରର୍ଡ ବାହନ ନିଗମ ଲିମିଟେଡ (ଏଭିଏନଏଲ) ଆଡଭାନ୍ସ ୱେପନ୍ସ ଏଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ (ଏଡବ୍ଲୁ ଏଣ୍ଡ ଇଆଇଏଲ), ମୁନିଶନ୍ସ ଇଣ୍ଡିଆ ଲିମିଟେଡ୍ (ଏସଆଇଏଲ), ୟନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ), ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ (ଜିଆଇଏଲ), ଇଣ୍ଡିଆ ଅପ୍ଟେଲ ଲିମିଟେଡ (ଆଇଓଏଲ) ଏବଂ ଟ୍ରୁପ୍‌ କମ୍ଫୋର୍ଟସ ଲିମିଟେଡ (ଟିସିଏଲ) । ଅବସରପ୍ରାପ୍ତ ସୈନିକମାନଙ୍କୁ ମିଳୁଥିବା ସଂରକ୍ଷଣ ଅତିରିକ୍ତ ଏହି ସଂରକ୍ଷଣ ସୁବିଧା ମିଳିବ ।

ଏହି ବ୍ୟବସ୍ଥାକୁ ଲାଗୁ କରିବା ଲାଗି ପ୍ରାସଙ୍ଗିକ ନିଯୁକ୍ତି ନିୟମରେ ଆବଶ୍ୟକ ସଂଶୋଧନ ମଧ୍ୟ ଲାଗୁ କରାଯିବ ।  ନିଯୁକ୍ତି ନିୟମରେ ସମାନ ସଂଶୋଧନ କରିବା ଲାଗି ଡିପିଏସୟୁମାନଙ୍କୁ ପରାମର୍ଶ ଦିଆଯିବ । ଉପରୋକ୍ତ ଚାକିରିରେ ଅଗ୍ନିବୀରମାନଙ୍କ ନିଯୁକ୍ତି ପାଇଁ ଆବଶ୍ୟକ ବୟସ ସୀମାକୁ କୋହଳ କରିବାର ବ୍ୟବସ୍ଥା ମଧ୍ୟ କରାଯିବ । ଖାଲି ସେତିକି ନୁହେଁ ଉତ୍ତରପ୍ରଦେଶ ସରକାର, କର୍ଣ୍ଣାଟକ ସରକାର, ମଧ୍ୟପ୍ରଦେଶ ସରକାର, କର୍ଣ୍ଣାଟକ ସରକାର ମଧ୍ୟ ସରକାରୀ ଚାକିରିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି । ତେବେ ଏହି ସବୁ ସୁବିଧା ସତ୍ତ୍ବେ ଆନ୍ଦୋଳନ କମୁଛି ନା ନାହିଁ ତାହା ପରେ ଜଣାପଡିବ।

Leave a Reply

Your email address will not be published. Required fields are marked *