ବିକାଶ ନାଁରେ ସରକାରୀ ବାବୁଙ୍କ ହରିଲୁଟକୁ ସାମ୍ନାକୁ ଆଣିଲେ ଆଦିବାସୀ ମହିଳା

ନିୟମଗିରି ପାର୍ବତ୍ୟ ମାଳାରେ ରହୁଥିବା ଆଦିମ ଜନଜାତିଙ୍କ କୃଷିର ବିକାଶ ନାରାଦେଇ ଚାଟିକଣା ଠାରେ ଓପିଲିପି ଅଧିନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ (ଓପିଲିପି) କରୁଛି ପ୍ରତାରଣା । ପ୍ରବେଶ ଦ୍ୱାରରେ ଓଡିଶା ସରକାର, ଆଇଫାଡ ଓ ଓପିଲିପିର ବଡବଡ ସୁଚନା ଫଳକ ଲଗାଇ ପାହାଡ ଭିତରେ ନିରୀହ ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରୁଛନ୍ତି ଏହି ବିଭାଗର ତଳ ଠାରୁ ଉପର କର୍ମଚାରୀମାନେ । ଆଉ ଋତୁଭିତ୍ତିକ ଚାଷ ବ୍ୟବସାୟ ନାମରେ ୨୭ହଜାର ଟଙ୍କା ଦେଇ ସେଥିରୁ ୬ହଜାର ୫ଶହ ଟଙ୍କା କିଭଳି ବାଟମାରଣା କରିନେଇଛନ୍ତି ଏହି ବାବୁମାନେ ତାହା ଅଭିଯୋଗ କରିବାକୁ ପାହାଡରୁ ଓଲ୍ହାଇ ଆସିଥିବା ଡଙ୍ଗରିଆ ମହିଳା ଟିମି ପୁଷିକା ପହଞ୍ଚିଛି ଜିଲ୍ଲାପାଳଙ୍କ କାର୍ଜ୍ୟାଳୟରେ । ଅଭିଯୋଗ କରିବା ପରେ ଏହାର ପର୍ଦ୍ଦାଫାସ ହୋଇଛି ।ବିରଳ ପ୍ରଜାତିର ଜନଜାତି ଡଙ୍ଗରିଆ ମହିଳା ଟିମି ପୁଷିକା ଗୁରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲା । ଆଉ ବ୍ୟବସାୟ ନାମରେ ଦିଆଯାଇଥିବା ୨୭ହଜାର ଟଙ୍କାରୁ ୬୫୦୦ ଟଙ୍କା କିପରି ଡିକେଡିଏ ଅଧିନରେ କାର୍ଯ୍ୟ କରୁଥିବା ଓପିଲିପିର ବାବୁମାନେ ବାଟମାରଣା କରିଛନ୍ତି ସେ ସମ୍ପର୍କରେ ଅଧିକାରୀଙ୍କୁ ଅନର୍ଗଳ କହିଚାଲିଥିଲା । ନିୟମଗରି ପାର୍ବତ୍ୟମାଳାରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ କୃଷି କ୍ଷେତ୍ରରେ ବିକାଶ ପାଇଁ ଓଡିଶା ସରକାରଙ୍କ ସହ ହାତ ମିଶାଇ ଆନ୍ତର୍ଜାତୀୟ ସଂସ୍ଥା ଆଇଫାଡ ଶହ ଶହ କୋଟି ଟଙ୍କା ବିନିଯୋଗ କରିଆସୁଛି । ଆଉ ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ (ଓପିଲିପି) ସହିତ ଆକୁସୁସ ନାମକ ଏକ ଏନଜିଓ ଦ୍ୱାରା ଏହି ଯୋଜନାକୁ ସାକାର କରିବା କାର୍ଯ୍ୟ ତୁଲାଇ ଆସୁଛି । ତେବେ ଏହି ସମସ୍ତ ବିଭାଗର ବାବୁମାନେ କିଭଳି ଟଙ୍କା ମାଗିନେଇଛନ୍ତି ଆଉ ନିଜର ପ୍ରାପ୍ୟ ପାଇବା ପାଇଁ ପାହାଡ ଛାଡି ଅସିଥିବା ଜଣେ ଡଙ୍ଗରିଆ ମହିଳାଙ୍କ କଥା ଶୁଣିବା ପରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଛନ୍ତି ।ବିଷମକଟକ ବ୍ଲକର ଚାଞ୍ଚଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ବାଲାପାଇ ଗାଁ । ବ୍ୟବସାୟ କରିବା ପାଇଁ ଗ୍ରାମର ଟିମି ପୁଷିକାଙ୍କୁ ୨୭ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ଟିମିଙ୍କ ଜମା ଖାତାକୁ ଆସିବା ପରେ ବାବୁମାନେ ଟିମିଙ୍କ ଘର ଦାଣ୍ଡରେ ଆସି ପହଞ୍ଚିଥିଲେ । ଆଉ ଓଜନ କରିବା ପାଇଁ ଡିଜିଟାଲ ନିକିତି ଯାହାର ଦାମ ୭ହଜାର ୯ଶହ ଟଙ୍କା, ସେହିପରି ୫ହଜାର ୫ଶହ ଟଙ୍କା ମୂଲ୍ୟର ଗେଟିଏ ସାଇକେଲ ଏବଂ ୮ଶହ ଟଙ୍କା ଦେଇ ଦୁଇଟି ଚୌକି କିଣିଦେଇଥିଲ । ପରେ ଆସି ତା ଜମା ଖାତରେ ଥିବା ଟଙ୍କାରୁ ୬୫୦୦ ଟଙ୍କା ମାଗି ନେଇଯାଇଥିବା ଟିମି ପୁଷିକା ଅଧିକାରୀଙ୍କ ଆଗରେ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ଆଗରେ ରମେଶ ନାଲା, ସହଦେବ ଭଳି କିଛି ବ୍ୟକ୍ତିବିଶେଷଙ୍କ ନାମ ଟିମିଙ୍କ ମୁହଁରୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଥିଲା । ଅଫିସରମାନେ ସବୁ ଏ ଟଙ୍କା ନେବେ ବୋଲି ରମେଶ ଓ ସହଦେବ ତାକୁ ଭିଡିଓ କଲ ମାଧ୍ୟମରେ କହିଥିଲେ ବୋଲି ସେ କହିଥିଲା । ତା ପାଖରେ ମୂଳଧନ ନାହିନ ବୋଲି ସେ କହିଥିଲା । ଆଉ ସେଥିପାଇଁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜୋର କରି ପଚାରିଥିଲା, “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?”ପାହାଡ ଭିତରର ମାତ୍ର ଗୋଟିଏ ଗାଁ ବାଲାପାଇର ଏହା ହେଉଛି ବିକଳ ଚିତ୍ର । କେବଳ ୬୫୦୦ ଟଙ୍କା ବାବୁମାନେ ଛାଡିଲେ ନାହିଁ । ବାବୁମାନେ ବାଣ୍ଟିନେବେ କହି ନିରୀହ ଡଙ୍ଗରିଆ ମହିଳାଙ୍କ ଠାରୁ ଠକି ନେଇଗଲେ । ତେବେ ପ୍ରଶ୍ନ ଉଠୁଛି ଯେ ଡିକେଡିଏ ଚାଟିକଣା ଅଧିନରେ ଆସୁଥିବା ବିଷମକଟକ ଓ ମୁନିଗୁଡା ବ୍ଲକର ୧୦୦ ରୁ ଅଧିକ ଗାଁମାନଙ୍କରେ ଆଦିମ ଜନଜାତିଙ୍କ ବିକାଶର ଅର୍ଥ କେତେ ସୁରକ୍ଷିତ ? ନିୟମଗିରି ପାହାଡରେ ଡିକେଡିଏ ଦ୍ଵାରା ୧୧କୋଟି ୧୧ଲକ୍ଷ ଟଙ୍କା କେବଳ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରକଳ୍ପ ଅଟକଳ କରି ଖର୍ଚ୍ଚ କରାଯାଇଛି । ଏହି ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ପାଇଁ ଲୋକଙ୍କ ଟିକସରୁ ବେତନ ଦେଇ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକଙ୍କ ସମେତ ୧୨ଜଣ କର୍ମଚାରୀ ନିୟୋଜିତ କରିଛନ୍ତି ।ଏହାର ସଫଳ ରୁପାୟନ ପାଇଁ ଆକସୁସ ନାମକ ଏକ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି । ସେମାନେ ମଧ୍ୟ ୩୦ରୁ ଅଧିକା କର୍ମଚାରୀ ନିୟୋଜନ କରିଛନ୍ତି । ତେବେ ବାଡ ଯଦି ଫସଲ ଖାଇଯିବ, ତେବେ ଗୁହାରି କରିବା କାହାକୁ ? ଟିମି ପୁଷିକାର ଅଭିଯୋଗ ପରେ ଏହା ଏକ ବଡ ପ୍ରଶ୍ନ ହୋଇ ଠିଆହୋଇଛି । ଡଙ୍ଗରିଆ ଝିଅଟିର ବିକଳ ସ୍ୱର ଶୁଣିବା ପରେ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ଭାର ଦିଆଯିବ ବୋଲି କହିଛନ୍ତି । ସମ୍ପୃକ୍ତ ଝିଅର ଘରକୁ ଯାଇ ସମସ୍ତ ବିଷୟ ତଦନ୍ତ କରି ଆସିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

You May Also Like

More From Author

+ There are no comments

Add yours