ଭଗବାନଙ୍କ ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।
ଦେବ ବିଗ୍ରହମାନେ ନରେନ୍ଦ୍ର ପୁଷ୍କରିଣିର ଚକଡା ନିକଟରେ ବିଜେ କରିବା ପରେ ଠାକୁରଙ୍କ ଜଳ ଲାଗି, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ସାଧାବେଶ, ଶୀତଳଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାରକୁ ବିଜେ, ବିଡିଆମଣୋହି, ବନ୍ଦାପନା, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡା ବିଜେ ପ୍ରଭୃତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗର ସେବକଙ୍କର ଆବଶ୍ୟକତା ପଡିଥାଏ ।
ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।
ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।
ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି ।
ପରବର୍ତ୍ତୀ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ପାଳନ କରାଯାଏ। ଏହି ଅବସରରେ ବାହାର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ। ଏଥି ମଧ୍ୟରୁ ଜ୍ଯେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ, ଓ ରୁକ୍ମିଣୀ ହରଣ ଏକାଦଶୀ ରେ, ଶ୍ରୀମଦନମୋହନ,ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରି ସେଠାରେ ସୁବାସିତ ଚନ୍ଦନ ଜଳକୁଣ୍ଡ ରେ ବିହାର କରନ୍ତି।
ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ । ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି
ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ଜଗତର ତ୍ରିତାପ (ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି
କ’ଣ ରହିଛି ପୌରାଣିକ ମତ ?
ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି ।
ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ ।
ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ।
+ There are no comments
Add yours