ଚଞ୍ଚଳୀ ଝରଣା’ର ଘର, ଚମ୍ପିଝର – ଗଦଗଦା

ହଠାତ୍ ଯେମିତି ପାହାଡ଼ ଆଢ଼ୁଆଳରୁ ବାହାରି ଆସି ଚପଳା ଚଞ୍ଚଳା କିଶୋରୀ ଝରଣାଟିଏ କଳା ଗ୍ରାନାଇଟ ପଥର ଉପରୁ ଖସି ପଡ଼ୁଛି ମା କୋଳରେ – ହସି ହସି ଗଡ଼ି ଯାଉଛି – ଆଖୁ, ବାଜରା ଓ ଧାନ କିଆରୀର ପାହାଚ ଅତିକ୍ରମ କରି। ବହୁତ ଚଉଡ଼ା ଚିକଣ ପଥର ଖଣ୍ଡ ସବୁ କେଉଁ ବିନ୍ଧାଣି ଗଢ଼ିଛି କେଜାଣି !

ଅନେକ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସମୃଦ୍ଧ କୋରାପୁଟର ଆଉ ଏକ ପ୍ରାକୃତିକ ଜଳପ୍ରପାତ ହେଉଛି ଚମ୍ପିଝର। ପ୍ରକୃତି ଏଠି ମନ୍ଦ ମଧୁର ସ୍ଵରରେ ସଙ୍ଗୀତ ପରିବେଷଣ କରେ। ଚଞ୍ଚଳୀ ଝରଣା ଛମ୍ ଛମ୍ ହେଇ ଝରିଯାଏ ତଳକୁ ତଳକୁ। ଚପଳ କିଶୋର କିଶୋରୀ ଓ ଛୋଟପିଲା ମାନେ ତ ପାଣି ସାଙ୍ଗରେ ସାଙ୍ଗ ହେଇ ପଥର ଶିଉଳୀ ଉପରେ ଡେଇଁ ଡେଇଁ ତଳକୁ ଗଡ଼ି ଯାଆନ୍ତି। ଯେଉଁମାନେ ଯାଇ ପାରିବେ ଝରୁଥିବା ପାଣି ଧାରେ ଧାରେ ତଳକୁ ସତର୍କରେ, ତେବେ ସୁନ୍ଦର ପ୍ରପାତର ଦୃଶ୍ୟ ସହ ଶୁଣିବେ ଝରଣାର ସଙ୍ଗୀତ।

“ପଥର ଦେହରେ ଆଉଜି ଆଉଜି

ଚପଳ ଝରଣା ଝରେ,

ସାତ ପାହାଡ଼ର ଚଳନ୍ତା ପାଣିରେ

ଶ୍ୟାମଳ ଶିଉଳୀ ଥରେ,”

କୋରାପୁଟରୁ କିମ୍ବା ଦାମନଯୋଡ଼ିରୁ ୨୦ କିମି ପରେ କାକିରିଗୁମା; ସେଠାରୁ ଲକ୍ଷ୍ମୀପୁର ଦିଗରେ ଗଲେ ପଡ଼ିବ ତୋୟାପୁଟ – ଗୋଟିଏ ଛୋଟ ଢ଼ିପ ପରି ସ୍ଥାନ ଉପରେ ଛକ ଓ ବସ୍ ରହଣୀ ସ୍ଥାନ।

ସେଇ ଛକରୁ ଜାତୀୟ ରାଜପଥରେ କୋରାପୁଟ ଆଡ଼କୁ ମାତ୍ର ଶହେ ମିଟର – ସାମନାରେ ମଥା ଉପରେ ରେଳ ଓ ତଳେ ଝରଣାଟିଏ। ରାଜପଥରୁ ତୋୟାପୁଟ ଆଡ଼ୁ ଆସିଲେ ଡାହାଣ ଓ କାକିରିଗୁମା ଆଡ଼ୁ ଗଲେ ବାମ ପାର୍ଶ୍ୱରେ ସଡ଼କଟିଏ ସେଇ ଝରଣା କୂଳେ କୂଳେ ଯାଇ ହଜି ଯାଇଛି ଅଙ୍କା ବଙ୍କା ହେଇ ପାହାଡ଼ ଆଢ଼ୁଆଳରେ। ଯାଆନ୍ତୁ ଥରେ ସେଇ ସଡ଼କରେ – କେମିତି ହଜିଯିବେ ପ୍ରକୃତି କୋଳରେ ଅତି ସହଜରେ।

ମାତ୍ର କିଛି ବାଟ ପରେ, ଆଖିରେ ପଡ଼ିବ ଦୂରରୁ; ଚକମକ କରୁଥିବା ଜଳଧାରା – କଳା ଗ୍ରାନାଇଟ୍ ପଥର ଦେହରେ ଘଷି ହେଇ ଖସି ଆସୁଛି ତଳକୁ। ବଙ୍କେଇ ହୋଇ ସଡ଼କଟି ସେଇ ପାହଡ଼ି ଝରଣା ଉପରେ ନିର୍ମିତ ପୋଲ ଉପର ଦେଇ ଆପଣଙ୍କୁ ପହଞ୍ଚେଇ ଦେବ ଏହି କିଶୋରୀ ଝରଣା  ଖସୁଥିବା ସ୍ଥାନକୁ। ପୋଲଟି’ର ପୂର୍ବ ଦିଗରେ ଚମ୍ପି ଗ୍ରାମ ଓ ପଶ୍ଚିମ ଦିଗରେ ଏହି ଜଳପ୍ରପାତ।

ହଠାତ୍ ଯେମିତି ପାହାଡ଼ ଆଢ଼ୁଆଳରୁ ବାହାରି ଆସି ଚପଳା ଚଞ୍ଚଳା କିଶୋରୀ ଝରଣାଟିଏ କଳା ଗ୍ରାନାଇଟ ପଥର ଉପରୁ ଖସି ପଡ଼ୁଛି ମା କୋଳରେ – ହସି ହସି ଗଡ଼ି ଯାଉଛି – ଆଖୁ, ବାଜରା ଓ ଧାନ କିଆରୀର ପାହାଚ ଅତିକ୍ରମ କରି। ବହୁତ ଚଉଡ଼ା ଚିକଣ ପଥର ଖଣ୍ଡ ସବୁ କେଉଁ ବିନ୍ଧାଣି ଗଢ଼ିଛି କେଜାଣି ! ସେଇ ପଥର ସବୁକୁ ସରୁ ସରୁ ପାଣି ତାର, ଧାର ଧାରୁଆ ଆଙ୍ଗୁଳିରେ ଛୁଇଁ ଛୁଇଁ ଝରଣା ହେଇ ଖସୁଛି ତଳକୁ। ସତର୍କ ପାଦ ରଖି ଝରଣା ଧାରେ ଧାରେ ଯେ କେହି ବି ତଳ ଆଡ଼କୁ ଖସିଯାଇ ପାରିବ। ତେବେ ବୟସ୍କ ପ୍ରୁଥୁଳ ମଣିଷଙ୍କ ପାଇଁ ଉପରୁ ଥାଇ ପ୍ରପାତ ଦେଖିବା ସହଜ ହେବ।

ଚମ୍ପୀ ଗ୍ରାମ ବି କିଛି କମ ସୁନ୍ଦର ନୁହେଁ। ଗାଆଁ ମଝିରେ ସୁନ୍ଦର ଶିବ ମନ୍ଦିର ଓ ମୁଣ୍ଡରେ ସୁଦୃଶ୍ୟ ଗ୍ରାମ ଦେବତୀଙ୍କ ମନ୍ଦିର। ବିଭିନ୍ନ ରଙ୍ଗ ବେରଙ୍ଗ କୁକୁଡ଼ା ଦମ୍ପତି ଓ ସେମାନଙ୍କ ଚୁଇଁ ଛୁଇଁ କୁକୁଡ଼ା ଛୁଆ ମାନଙ୍କୁ ନେଇ ଶାନ୍ତଶିଷ୍ଟ ଗ୍ରାମବାସୀମାନେ ଅଜଣା ବିଦେଶୀ ପର୍ଯ୍ୟଟକ ମାନଙ୍କୁ କୁଣିଆ ପରି ସମ୍ମାନ ଜଣାଇ ସ୍ବାଗତ କରନ୍ତି ତାଙ୍କ ଗାଆଁ ଓ ସେଠାର ପ୍ରାକୃତିକ ଐଶ୍ୱର୍ଯ୍ୟକୁ ଦେଖିବାକୁ। ଗ୍ରାମରେ ଥିବା ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସର ଭିତରେ ପହଞ୍ଚିଗଲେ ଅନୁଭବ କରିହେବ ଚମ୍ପି ଗ୍ରାମର ପିଲା ମାନଙ୍କ ପରିଚ୍ଛନ୍ନତା।

ଚମ୍ପିରୁ ଯେଉଁ ସର୍ପିଳ ସଡ଼କ ଆଗକୁ ଯାଇଛି ସେଇଟି ତ ସ୍ବପ୍ନପୁରୀ ଭିତର ଦେଇ ଯାଇଛି ଆଉଗୋଟେ ଦର୍ଶନୀୟ ସ୍ଥାନ ‘କୁଟୁଣୀ ପଦର’ କୁ। ସେ ବିଷୟରେ ବିଶଦ ଭାବେ ଜାଣିବେ ଆଉ ଗୋଟିଏ ଆଲେଖ୍ୟରେ।

ଚମ୍ପୀଝର ପାଖକୁ ବର୍ତ୍ତମାନ ପର୍ଯ୍ୟଟକ ହୁଏତ ଟିକେ କମ୍ ଯାଉଛନ୍ତି; ତଥାପି ଯେତିକି ଯାଉଛନ୍ତି ଭୋଜି ପିକନିକ ପରେ ସେହି ସ୍ଥାନକୁ ସଠିକ ଭାବରେ ସଫା କରିବାକୁ ଭୁଲି ଯାଉଛନ୍ତି। ବେଳେବେଳେ ଶ୍ରୁତିକଟୁ ଗୀତ ବାଦ୍ୟ ଭିତରେ ପ୍ରକୃତିର ନିଜସ୍ୱ ସ୍ବର ଶୁଣା ଯାଉନି। ତେଣୁ, ଅନୁରୋଧ ରହିଲା, ବୁଲିବାକୁ ଆସନ୍ତୁ ଏଠାକୁ। କିନ୍ତୁ କେବଳ ପ୍ରକୃତିକୁ ଶୁଣିବାକୁ ଦେଖିବାକୁ ଆସନ୍ତୁ। ପରିବେଶ ନିର୍ମଳ ରଖିବା ମନ ନେଇ ଆସନ୍ତୁ।

——–####———

You May Also Like

More From Author

+ There are no comments

Add yours