Thu. Oct 15th, 2026

By :# ବିଜୟ କୁମାର ଜେନା,
ଦାମନଯୋଡି#

କୋରାପୁଟ: ହଜାରେ ପାହାଡ଼ ଘେରା କୋରାପୁଟର ପାହାଡ଼ରୁ ଝରି ଆସେ କିସମ କିସମର ଝରଣା। ବିଭିନ୍ନ ସ୍ଥାନ ସହ ତାଳ ଦେଇ ବିଭିନ୍ନ ଆକାର ପ୍ରକାର ରଙ୍ଗ ଓ ଶବ୍ଦରେ ରଙ୍ଗାୟିତ ଓ ଶବ୍ଦାୟିତ; ଭିନ୍ନ ଭିନ୍ନ ନାଆଁରେ ନାମିତ ଏସବୁ ଝର ଝରଣା ଓ ପ୍ରପାତ। ସେସବୁ ଭିତରୁ ଗୋଟିଏ ଗାଲୀଗବଦାର ଜଳପ୍ରପାତ। ସରୁ ଧାର’ର ଧାରା – ସୁଧାଧାରା। ଉପରୁ ତଳକୁ ଗଡ଼ି ଆସୁ ଆସୁ ବେଶ୍ ଲମ୍ବା ପତଳା ଦେଖାଯାଏ। ଯେମିତିକି ଲହ ଲହକା ତନୁ ପାତଳୀ ନହୁଲୀ ସରିତା – ସାଉଁଳି ସାବନୀ ଲବଙ୍ଗ ଲତା।

କୋରାପୁଟରୁ ପଟାଙ୍ଗି ପ୍ରାୟ ପଚାଶ କିଲୋମିଟର। ଆନ୍ଧ୍ର ପ୍ରଦେଶରୁ ସାଲୁର୍-ସୁଙ୍କୀ ଘାଟି ଦେଇ ଓଡିଶା ଆସିଲେ, ଠିକ୍ ପଟାଙ୍ଗୀରେ ଘାଟି ସରେ। ସାଲୁର ରୁ ଉଠି ଉଠି ଆସି ପହଞ୍ଚି ଯିବେ ପଟାଙ୍ଗୀରେ। ସମୁଦ୍ର ପତ୍ତନ ଅଞ୍ଚଳ ବ୍ରହ୍ମପୁର ଗୋପାଳପୁର ଶ୍ରୀକାକୁଲମ ଠାରୁ, ଏପରିକି ଘାଟି ଉଠାଣି ଆରମ୍ଭ ସ୍ଥାନ ସାଲୁର୍ ଠାରୁ ପଟାଙ୍ଗୀର ତାପମାତ୍ରା ପ୍ରାୟ କୋଡ଼ିଏ ଡିଗ୍ରୀ କମ ରହିଥାଏ। ଏତେ ଉଚ୍ଚରେ ପୁଣି ଅଛି କେତୋଟି ମାଳି ପାହାଡ଼; ଦେଓମାଳି ପଞ୍ଚପଟ୍ଟମାଳି କୋଡିଙ୍ଗା ମାଳି ଇତ୍ୟାଦି। ସେମିତି ଏକ ମାଳି ପାହାଡ଼ର ଅଣ୍ଟାରେ ଜାତୀୟ ରାଜପଥ ନଂ ୨୬ ବେଢ଼ି ଯାଇଛି କୋରାପୁଟ ଆଡ଼କୁ। ସେଇ ରାଜପଥର ଧାରେ ଧାରେ କୁନି ନିଦ୍ରାବତୀ ସହରଟିଏ ପଟାଙ୍ଗୀ। କୋରାପୁଟ ଆଡ଼ୁ ଆସିଲେ, ପଟାଙ୍ଗୀ ପ୍ରବେଶ କରିବେ ଏକ ବାଙ୍କ ଦେଇ – ଅତି ପୁରାତନ ଗଣେଶ ମନ୍ଦିର ପାଦ ତଳେ ବଙ୍କେଇ ଯାଇଥିବା ରାଜପଥରେ। ଠିକ୍ ପରେ ପରେ ଅଛନ୍ତି ମା ଗଙ୍ଗେଶ୍ୱରୀ। ଯେମିତିକି, ପାହାଡ଼ ଉପରୁ ପାହାଚ ଅତିକ୍ରମ କରି ଝରି ଆସୁଥିବା କ୍ଷୀଣ ଜଳଧାର ମା ଗଙ୍ଗା, ଗଣେଶ ମନ୍ଦିର ଧାରରେ ପୁତ୍ର ଗଣେଶକୁ ସସ୍ନେହ ଆଶୀର୍ବାଦ ପ୍ରଦାନ କରି ରାଜପଥର ଅପର ପାର୍ଶ୍ଵରେ ମା ଗଙ୍ଗେଶ୍ଵରୀ ରୁପରେ ପୁଜା ପାଉଛନ୍ତି। ଜାତୀୟ ରାଜପଥରେ ଯାଉଥିବା ପ୍ରତ୍ୟେକ ଗାଡ଼ି ଏଇଠି ଟିକିଏ ଅଟକିଯାଏ। ମା ଗଙ୍ଗେଶ୍ବରୀଙ୍କ ଭୋଗ ନଡ଼ିଆ ଖଣ୍ଡେ ଖାଇ, ମା’ଙ୍କ ସିନ୍ଦୂର ଟିକେ ମୁଣ୍ଡରେ ଛୁଆଁଇ ଦେଇ, ଯାତ୍ରୀମାନେ ସୁଙ୍କୀଘାଟି ସୁରକ୍ଷିତ ଭାବରେ ପାର ହେବାପାଇଁ ଆଶୀର୍ବାଦ ଓ ଆତ୍ମବିଶ୍ବାସ ପାଇ ଯାଇ ଥାଆନ୍ତି ଯେପରି। ମା ଗଙ୍ଗେଶ୍ବରୀ ମନ୍ଦିର ଠାରୁ ଜାତୀୟ ରାଜପଥରେ ପ୍ରାୟ ଶହେ ମିଟର ପରେ, ବାଆଁ ପଟକୁ ସଡ଼କଟିଏ – ପଟାଙ୍ଗୀ ଗାଆଁ, ଥାନା, ହାଟ ପଡ଼ିଆ ଓ ମୂଖ୍ୟ ଚିକିତ୍ସାଳୟ ସାମନା ଦେଇ ଏଗାର କିଲୋମିଟର ଉଠି ଯାଇଛି ପାହାଡ଼ ଉପରକୁ।

ପଟାଙ୍ଗୀରୁ ଗାଲିଗବଦାର ମାତ୍ର ଏଗାର କିଲୋମିଟର – କିନ୍ତୁ ପ୍ରତି କିଲୋମିଟର ମଧ୍ୟରେ ଥରେ ଥରେ ରହି ଯିବାକୁ ମନ ହେବ। ଭରପୁର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଣ୍ଡି ହେଇଥିବା ଅଙ୍କା ବଙ୍କା ଉପର ମୁହାଁ ସଡକ। ପାହାଡ଼ ଉପରେ ପ୍ରଥମେ ପଡ଼ିବ ଏକ ଭିଉ ପଏଣ୍ଟ। ସେଠାରୁ ଠିଆ ହେଇ ଦେଖିବେ ସରୁ ସୂତା ପରି ଲମ୍ବି ଯାଇଥିବା ସାବନୀ ଡେଙ୍ଗୀ ଜଳ ପ୍ରପାତ ଟିଏ କେମିତି ଲୁଚି ଯାଉଛି ପାହାଡ଼ ତଳେ। ଏତିକି ଦୂରରୁ ଗାଲିଗବଦାର ର ଦୃଶ୍ୟ ଅତୀବ ମନୋରମ। ତାପରେ ଆସିବ ଏହି ତନୁ ପାତଳୀ ନହୁଲୀ ସରିତା ଗାଲିଗବଦାରର ମସ୍ତକ ଓ ସେଇଠାରୁ ପାଣିଗଡ଼ାଣି ମୁଁହ।

ଏହି ସ୍ଥାନରେ ସରକାରଙ୍କ ତରଫରୁ ବେଶ୍ ଚଉଡ଼ା ପରିଷ୍କାର ପରିଚ୍ଛନ୍ନ ଗାଡ଼ି ପାର୍କିଂ ବ୍ୟବସ୍ଥା, ଅପେକ୍ଷା ଗୃହ, ପ୍ରପାତ ଦେଖିବାକୁ ଅଳିନ୍ଦ ବା ଟେରେସ ଇତ୍ୟାଦି ତିଆରି ହୋଇଛି। ପାଣି ଧାରେ ଧାରେ ଖୁବ ସତର୍କରେ ତଳକୁ ଓହ୍ଲାଇ ଗଲେ, ପ୍ରପାତକୁ ନିକଟରୁ ଦେଖିହେବ, ଛୁଇଁ ହେବ ଓ ଛଳ ଛଳ କଳ କଳ ଜଳ ଝରଣା ସଙ୍ଗୀତ ଶୁଣିହେବ।

ସ୍ଥାନଟିରେ ଟିକେ ଖରା ପଡ଼େ। ପାଖରେ ଗଛ ପତ୍ର ଟିକେ କମ। କିନ୍ତୁ ସେଠାରୁ ଦେଖାଯାଉଥିବା ଢେଉ ଢେଉକା ନୀଳ ସବୁଜ ପାହାଡ଼ ଶ୍ରେଣୀ – ଯାତ୍ରୀଙ୍କୁ ସଦା ଶୀତଳ ଅନୁଭବ ପ୍ରଦାନ କରେ। ପ୍ରପାତ ଆର ପଟକୁ ସଡ଼କ ଯାଇଛି। ତମ୍ବୁ ପକାଇ ରହିଯିବାକୁ ସେ ସ୍ଥାନ ଯେମିତି କିଏ ଆଗରୁ ନିରୁପିତ କରି ରଖିଛି। ଆଖି ଯେତିକି ପ୍ରାକୃତିକ ସୋନ୍ଦର୍ଯ୍ୟ ଖୋଜି ପାଇଲେ ଖୁସି ହେବ; ତାଠାରୁ ଆହୁରି ଅଧିକ ସୋନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନ। ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କ କାକଳିରେ ମୁଖରିତ ଏହି ଉପତ୍ୟକା ଓ ପାହାଡ଼ର ଉଚ୍ଚନୀଚ ରାସ୍ତା। ଟିକେ ଆଗକୁ ଗାଲିଗବଦାର ଗାଆଁ। ସହରର ଗହଳି ଠାରୁ ଦୂରରେ – ପକ୍ଷୀ ଓ ପ୍ରପାତ ଶବ୍ଦରେ ଶବ୍ଦାୟିତ ଏହି ସ୍ଥାନ।

ଏଠାକୁ ଆସି ବଣଭୋଜି କରିବେ ଯଦି, ସାଙ୍ଗରେ ସବୁକିଛି ନେଇ ଆସିବେ ପୁଣି ଗଲାବେଳକୁ ସମସ୍ତ ବର୍ଜ୍ୟବସ୍ତୁ ସାଙ୍ଗରେ ନେଇଯିବେ। ଏଠି ଏପର୍ଯ୍ୟନ୍ତ କୌଣସି ଦୋକାନ ବଜାର ନାହିଁ; ତେଣୁ ନାହିଁ ପ୍ଲାଷ୍ଟିକ ପଲିଥିନ ଇତ୍ୟାଦି। ଏ ସ୍ଥାନ ଯେମିତି ପରିଷ୍କାର ପରିଚ୍ଛନ୍ନ ରହିଛି, ଏହାର ସ୍ଥିତା ଅବସ୍ଥା ବଜାୟ ରଖିବା ମନନେଇ ଆସନ୍ତୁ। ଏଠି ଏପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ସହ ଆଧୁନିକ ସୁବିଧା ସୁଯୋଗର କୌଣସି ବ୍ୟବସ୍ଥା ନାହିଁ। କିମ୍ବା ରାତ୍ରୀରେ ଆଲୋକ ପାଇଁ କୌଣସି ବ୍ୟବସ୍ଥା ନାହିଁ। ହୁଏତ ଆଗକୁ ଏସବୁ ଏଠାରେ ଉପଲବ୍ଧ ହେବ। ଏଠାକୁ ଆସି ବୁଲି ଯିବା ପାଇଁ, କୋରାପୁଟ କିମ୍ବା ସିମିଳିଗୁଡାରୁ ଟ୍ୟାକ୍ସି ଇତ୍ୟାଦି ପାଇଯିବେ।

ଦେଖିବେ, ନିକାଞ୍ଚନ ବଣ ପାହାଡ ଉପରେ, ପାତଳୀ ପ୍ରପାତଟିଏ କେମିତି କଳା ସାବନା ପଥର ଦେହରେ ଘଷି ହେଇ ପ୍ରେମରେ ବହି ଯାଇଛି ତଳକୁ ତଳକୁ। ମଝିରେ ମଝିରେ ପହାଚରୁ ଡେଇଁ ଡେଇଁ ଶବ୍ଦ କରି ପ୍ରଣୟ ପାଇଁ ଆହ୍ବାନ କରୁଛି ଯେମିତି।

Leave a Reply

Your email address will not be published. Required fields are marked *