ମାନବ ଅଧିକାର ପାଇଁ ଲଢୁଆ ମଣିଷର ଆତ୍ମକାହାଣୀ
ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ, ଆଜିର ମଣିଷ ଅନବରତ ସଂଗ୍ରାମ କରି ଚାଲିଛି । ‘ଆପେ ବଞ୍ଚିଲେ ବାପାର ନାଁ ’ ଜୀବନ ଆଦର୍ଶକୁ ଜାବୁଡ଼ି ଧରି ମାନବିକତା ଠାରୁ ପଛଘୁଞ୍ଚା ଦେଇ ଚାଲିଛି । କାଗଜ କଲମରେ ସମ୍ବିଧାନ ଚାଷ କରୁଥିବା ମଣିଷମାନେ , ସାମାଜିକ ନ୍ୟାୟ ପ୍ରତିଷ୍ଠା ଠାରୁ ଦୁରେଇ ଯାଇ ବ୍ୟକ୍ତି, ପଦବୀ, ଲିଙ୍ଗ, ଜାତି, ଧର୍ମ, ବର୍ଣ୍ଣ ଆଦିକୁ ପ୍ରାଧାନ୍ୟ ଦେଇ ନ୍ୟାୟ ଅନ୍ୟାୟର ବିଚାର କରୁକରୁ ବାଟବଣା ହୋଇଯାଆନ୍ତି। ଯାହା ଫଳରେ ‘ସାଧାରଣ ଜନତା’ ର ଅଧିକାର ଭୂଲୁଣ୍ଠିତ ହୋଇଥାଏ । ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ଆଦି ବିଭିନ୍ନ କ୍ଷେତ୍ରରେ ନିଷ୍ପେସିତ ହୋଇ ଆସୁଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ଗଢ଼ିବା ସହିତ ବିଭିନ୍ନ ସାମାଜିକ କର୍ମୀ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ଯାହା ଅତ୍ୟାଚାରିତ ଲୋକଙ୍କ ମନରେ ଚେନାଏ ହସ ଫୁଟାଇବାରେ ସାହାର୍ଯ୍ୟ କରୁଛି । ଅନ୍ୟ ପାଇଁ କିଛି ଟିକେ କରିଦେଇ ପ୍ରଚାର ପ୍ରସାର ନୁହେଁ,ବରଂ ସେବା ଓ ସମର୍ପଣ ମନୋବୃତ୍ତିର ଜଣେ ଭିନ୍ନ ମଣିଷଟିଏ ରାଧାକାନ୍ତ ତ୍ରିପାଠୀ । ସମାଜ ସେବା,ଜୀବନର ବ୍ରତ ,ଯେମିତି ନିତିଦିନିଆ ଚଳଣି । ମାନବାଧିକାର ସୁରକ୍ଷା ସଂପର୍କିତ କେସ୍ ପାଇଁ କାହାରି ଠାରୁ କାଣି କଉଡ଼ିର ସାହାଯ୍ୟ ନନେଇ, ସେ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟକୁ ବଳି ପକାଇଛନ୍ତି । ଭଦ୍ରକ ମାଟିରେ ଜନ୍ମ,କିନ୍ତୁ କର୍ମ ପରିସର ସମଗ୍ର ଭାରତ ବର୍ଷ । ବିଭିନ୍ନ ଘାତ, ପ୍ରତିଘାତ, ବାଧା, ବିପତ୍ତିକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନିରବଚ୍ଛିନ୍ନ ଭାବେ ସେ ଜାରି ରଖିଛନ୍ତି ଅନ୍ୟର ଦୁଃଖ ଦୂର କରିବାର ପ୍ରୟାସ । ପରିବେଶ ସୁରକ୍ଷା ତଥା ମାନବାଧିକାର ସୁରକ୍ଷା କ୍ଷେତ୍ରରେ ସେ ଭାରତର ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ୱ। ଆସନ୍ତୁ ତାଙ୍କ ସହ କଥା ହେବା ଓ ଅଧିକ ଜାଣିବା
ରାଧାକାନ୍ତ ତ୍ରିପାଠୀଙ୍କ ସହ କଥାବାର୍ତ୍ତା
ବର୍ତ୍ତମାନ ଆପଣ ଭାରତବର୍ଷରେ ଜଣେ ଆଗ ଧାଡ଼ିର ମାନବାଧିକାର କର୍ମୀ, ଏଥିପାଇଁ ଆପଣ କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର -ଆଗଧାଡ଼ିର ମାନବାଧିକାର କର୍ମୀ କହିଲେ କ’ଣ ବୁଝାଯାଏ ମୁଁ ଜାଣେନା । କିଛି ଲୋକ ହାତଗଣତି କାମ କରି ନିଜକୁ ଲବ୍ଧ ପ୍ରତିଷ୍ଠିତ କର୍ମୀ ଭାବେ ଦାବୀ କରନ୍ତି । ଗୋଟେ ଗୋଟେ ଘଟଣାରେ ଗଣମାଧ୍ୟମ କାହାକୁ କାହାକୁ ଆଗଧାଡ଼ିରେ ପହଞ୍ଚାଏ । ମୁଁ କେବେ ଆଗଧାଡ଼ିକୁ ଯିବାପାଇଁ ଚେଷ୍ଟା କରି ନାହିଁ ଲୋକମାନଙ୍କ ସାଙ୍ଗରେ ରହି ସେମାନଙ୍କ ହାନୀଲାଭ ବୁଝିବାକୁ ମୁଁ ମୋ ଜୀବନର ବ୍ରତଭାବେ ଗ୍ରହଣ ନେଇଛି । ଏହି କାର୍ଯ୍ୟ ପାଇଁ ପ୍ରେରିତ ହେବା ପଛରେ ଅନେକ ଲୋକଙ୍କ ଜୀବନାଦର୍ଶ ଯୋଡ଼ି ହୋଇ ରହିଛି । ମୋର ପରିବାର ସଦସ୍ୟ, ଶିକ୍ଷକ, ସାଙ୍ଗସାଥି ଓ ଶୁଭେଚ୍ଛୁ ମାନଙ୍କ ସାଥିରେ ମିଶିଲାବେଳେ ସେମାନଙ୍କ ମଧ୍ୟରେ ଅପ୍ରକାଶିତ ହୋଇ ରହିଥିବା ମାନବବାଦୀ ଚିନ୍ତା ଓ ଚେତନା କୁ ମୁଁ ସାକାର କରିବା ପାଇଁ ପ୍ରୟାସ ଜାରି ରହିଛି ।
ଆପଣ ବିସ୍ଥାପିତ ମାନଙ୍କ ପାଇଁ ଲଢ଼େଇ କରି ଆସୁଛନ୍ତି ତାହେଲେ ଆପଣଙ୍କ କାର୍ଯ୍ୟ କ’ଣ ବିକାଶର ପରିପନ୍ଥୀ ?
ଉତ୍ତର- ମୁଁ ଆଦୈା ‘ବିକାଶ’ ବିରୋଧି ନୁହେଁ । ବରଂ ମୁଁ ସାମୁହିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛି । ସାଳନ୍ଦୀ-ନାଳିଆ ସଂସ୍କାର, ହୀରାକୁଦ, ରେବ-କପାଳୀ, ସୁକ୍ତେଲ, ଇନ୍ଦ୍ରାବଦୀ ଆଦି ନଦୀବନ୍ଧ ପ୍ରକଳ୍ପରେ କ୍ଷତିଗ୍ରସ୍ତ ଜନତା ଏପର୍ଯ୍ୟନ୍ତ ସେମାନଙ୍କ ନାର୍ଯ୍ୟ ଦାବି ହାସଲ କରି ପାରି ନାହାଁନ୍ତି ଏହା କ’ଣ ‘ବିକାଶ’? ଏମାନଙ୍କ ପାଇଁ ଲଢ଼େଇ କରିବା କ’ଣ ପାପ? ସରକାରୀ କଳକୁ ଲୋକାଭିମୂଖୀ କରିବା ପାଇଁ ମୋର ପ୍ରୟାସ ଏଥିପାଇଁ ମୁଁ ମୋର ଜୀବନ ଊତ୍ସର୍ଗ କରିବା ପାଇଁ ପ୍ରସ୍ତୁତ । ମୋ ଆଇନଗତ ସଂଗ୍ରାମ ପରେ ଏ ସବୁ ପ୍ରକଳ୍ପ ତଥା ଏହି ପରି ଅନେକ ପ୍ରକଳ୍ପରେ ପ୍ରଭାବିତ ଲୋକ ନ୍ୟାୟ ପାଇଛନ୍ତି ।
ବିଭିନ୍ନ ପ୍ରକାର ଅତୁଳନୀୟ କାର୍ଯ୍ୟ ପାଇଁ ଆପଣଙ୍କ ନାଁ ‘ଲିମ୍କା ବୁକ୍ ଅଫ୍ ରେକର୍ଡ଼ସ’ ତଥା ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ’ ରେ ସ୍ଥାନ ପାଇଛି, ସେ ସମ୍ପର୍କରେ କିଛି କହିବେ କି?
ଉତ୍ତର-କୈାଣସି ରେକର୍ଡ଼ ବୁକ୍ରେ ସ୍ଥାନ ପାଇବା ମୋର ଜୀବନର ଲକ୍ଷ୍ୟ ନୁହେଁ ବରଂ ଲୋକଙ୍କ ହୃଦୟରେ ରହି ମାନବାଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମୋର ପ୍ରୟାସ ଏ କାର୍ଯ୍ୟ ଜଣେ ବ୍ୟକ୍ତି ଦ୍ୱାରା ଅସମ୍ଭବ । ଏଥିପାଇଁ ସାମୂହିକ ପଚେଷ୍ଟା ଜରୁରୀ । ହଁ ମୋର ନାମ ‘ଲିମ୍କା ବୁକ୍ ଅଫ୍ ରେକର୍ଡ଼ସ’ରେ କ୍ରମାଗତ ତିନିଥର ଓ ଦୁଇଥର ଇଣ୍ଡିଆ ବୁକ୍ ରେକର୍ଡ଼ସରେ ସ୍ଥାନିତ ହୋଇଛି ଯାହାକୁ ମୁଁ ଲୋକ ମାନଙ୍କର ଭଲପାଇବାର ସନ୍ତକ ଭାବେ ମନେକରେ ।
ଆପଣଙ୍କର ପେଷା କୁ କିଭଳି ସମାଜସେବା ସହିତ ଯୋଡ଼ି ପାରିଛନ୍ତି?
ଉତ୍ତର -ପେଷାରେ ମୁଁ ଜଣେ ଆଇନଜୀବୀ, (ଅନ୍ୟାୟ) ଜାଲରେ (ବେଆଇନ ଭାବେ) ଛନ୍ଦିହୋଇ ପଡ଼ିଥିବା ମଣିଷକୁ ନ୍ୟାୟ ଦେବା ପାଇଁ ମୋର ସଂଗ୍ରାମ । ସମାଜ ସେବା ପାଇଁ ପ୍ରଥମେ ଅର୍ଥ ନୁହେଁ ବରଂ ସମର୍ଥ ଦରଦୀ ହୃଦୟର ଆବଶ୍ୟକତା ରହିଛି । ସେଥିପାଇଁ କେବଳ ନିଜକୁ ପେଷା ଓ ଅର୍ଥ ଉପାର୍ଜନ ମଧ୍ୟରେ ସୀମିତ ନରଖି ମୋର କାର୍ଯ୍ୟ ପରିସରକୁ ସମଗ୍ର ଭାରତବର୍ଷରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉତ୍ସର୍ଗ କରିଛି ।
ଉତ୍ତର -ଆମ ସମସ୍ତଙ୍କର ଜୀବନ ଅନ୍ୟ ମାନଙ୍କର ସାହାଯ୍ୟ ଓ ସହଯୋଗରେ ପରିପୁଷ୍ଟ । ଆମେ ଯେଊଁ ରାସ୍ତାରେ ଚାଲୁଛୁ, ବିଦ୍ୟାଳୟରେ ପଢ଼ୁଛୁ, ଡାକ୍ତରଖାନାରେ ଚିକିତ୍ସିତ ହେଉଛୁ । ତାହା ଅନ୍ୟର ଅବଦାନ । ଗୋଟିଏ ସଭ୍ୟ ସମାଜରେ ବଞ୍ଚିବାକୁ ହେଲେ କେବଳ ସ୍ୱାର୍ଥପର ଭାବରେ ନିଜର ଅଧିକାରକୁ ଜାବୋଡ଼ି ଧରି ଅନ୍ୟମାନଙ୍କ କଥା ଭୁଲିଯିବା ମୁର୍ଖାମି । ମୋର ଶିକ୍ଷା ସମସ୍ତଙ୍କୁ ନିଜର ପରିବାରର ସଦସ୍ୟ ଭାବେ ଗ୍ରହଣ କରି ସେମାନଙ୍କର ହାନିଲାଭ ବୁଝିବା ପାଇଁ ଶିଖାଇଛି ।
ଭାରତ ବର୍ଷରେ ବର୍ତ୍ତମାନର ‘ମାନବାଧିକାର’ ର ସ୍ଥିତି କ’ଣ?
ଉତ୍ତର – ଜନସଂଖ୍ୟାର ଅହେତୁକ ବୃଦ୍ଧି ବିଭିନ୍ନ ସରକାରୀ ସୁବିଧା, ସୁଯୋଗ ସାମନାରେ ପ୍ରତିବନ୍ଧକ ଭାବରେ ଛିଡ଼ା ହୋଇଛି । ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ଆମର ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମନ୍ତବାଦ ଅଦ୍ୟାବଧି ଥିଲାପରି ଲାଗୁଛି । ଯାହା ଫଳରେ ଗରୀବ ଓ ଧନୀ ମାନଙ୍କ ମଧ୍ୟରେ ଥିବା ସ୍ଥିତି ଓ ସଂଜ୍ଞା ବଦଳିଥିଲେ ମଧ୍ୟ ବିଲୋପ ହୋଇ ପାରିନାହିଁ । ଏଥିପାଇଁ କେବଳ ସରକାରୀ କଳକୁ ଦାୟୀକଲେ ଚଳିବ ନାହିଁ ବରଂ ତୃଣମୂଳ ସ୍ତରରୁ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି ହେବା ଦରକାର । ମାନବାଧିକାରର ସୁରକ୍ଷା କରିବାକୁ ହେଲେ ସାମନାରେ ଜାତିବାଦ, ଧର୍ମୀୟ ସଂକୀର୍ଣ୍ଣତା, ଲିଙ୍ଗଭେଦ, ଆଞ୍ଚଳିକ ବୈଷମ୍ୟ ଆଦିକୁ ସଠିକ ଭାବରେ ସମାଧାନ କରାଯିବା ଦରକାର ।
ଆପଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଦିବସ ପାଳନ ସମ୍ପର୍କରେ ଆପଣଙ୍କର ମତାମତ କ’ଣ?
ଉତ୍ତର -ପ୍ରଥମେ ମୁଁ ମାଟି, ପାଣି ଓ ପବନର ସୁରକ୍ଷା ପାଇଁ ‘ବିଶ୍ୱ କର୍ଦ୍ଦମ ଦିବସ’ ଆରମ୍ଭ କରିଥିଲି ଯାହା ବର୍ତ୍ତମାନ ଆଦୃତ । ମୋର ସଂଘର୍ଷ ଊଭୟ ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ଅତ୍ୟାଚାରର ବିଲୋପ କରିବା ଊଦ୍ଦେଶ୍ୟରେ ‘ପଡ଼ୋଶୀ ଦିବସ’ ପାଳନ କରି ସମ୍ପର୍କର ସେତୁକୁ କିଭଳି ସୁଦୃଢ଼ କରାଯାଇ ପାରିବ ସେଥିପାଇଁ ମୁଁ ପ୍ରଚେଷ୍ଟା ଜାରି ରଖିଛି । ପଡ଼ୋଶୀ ମାନଙ୍କର ଅଧିକାର ଓ ସେମାନଙ୍କ ପ୍ରତି ଆମର ଦାୟିତ୍ୱ ପ୍ରତି ଆମେ ସଚେତନ ହେବା ଦରକାର । ସମାଜରେ ଥିବା ବିଭିନ୍ନ ବିଯୁକ୍ତାତ୍ମକ ଚିନ୍ତାଧାରାକୁ ବିଶ୍ରାମ ଦେଇ କିଭଳି ଭାଇଚାରା କୁ ଦୃଢ଼ କରାଯାଇ ପାରିବ ଏବଂ ସନ୍ତୁଳୀତ ଜୀବନରେ ବିଶ୍ରାମର ଗୁରୁତ୍ୱ ପାଇଁ ‘ବିଶ୍ରାମ ଦିବସ’ ର ପରିକଳ୍ପନା କରିଛି । ସତ କହିବାକୁ ଗଲେ ଏହି ଦିବସ ଗୁଡ଼ିକ ପାଳନ କରିବା ସମୟରେ ମୋତେ ସମାଜକୁ ଆହୁରି ପାଖରୁ ଦେଖିବାକୁ ସୁଯୋଗ ମିଳିଛି ।
ଆପଣ ସାରା ଭାରତ ବର୍ଷରେ କେଉଁ କେଉଁ ମୂଖ୍ୟ ସମସ୍ୟା ଗୁଡ଼ିକ ଉପରେ କାର୍ଯ୍ୟ କରି ଆସୁଛନ୍ତି?
ଆସାମ, ମିଜୋରାମ ଓ ତ୍ରିପୁରା ରେ ଥିବା ଶରଣାର୍ଥୀ ସମସ୍ୟା ସୀମାନ୍ତବର୍ତ୍ତୀ ରାଜ୍ୟ ମାନଙ୍କରେ ହେଉଥିବା ମିଥ୍ୟା ଏନ୍କାଉଣ୍ଟର, ଡାହାଣୀ ସନ୍ଦେହରୁ ହତ୍ୟା, ଶିଶୁ ଶ୍ରମିକ ପ୍ରଥା, ବିଭିନ୍ନ ମୈାଳିକ ସୁବିଧାରୁ ବଞ୍ଚିତ ଜନତା, ଜାତୀୟ ମାନବାଧିକାର ଆୟୋଗ ସାମନା କରୁଥିବା ବିଭିନ୍ନ ସମସ୍ୟା, ସର୍ବୋପରି ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଜନତା ଆଦି ପ୍ରସଙ୍ଗରେ ମୁଁ କାର୍ଯ୍ୟ କରିଆସୁଛି ଏବଂ ମୋର କେଶ୍ ମାଧ୍ୟମରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ର ଆଶା ରଖିଛି । ଉତ୍ତର -ଭାରତ ବର୍ଷରେ ଯେତିକି ଆଇନ ଅଛି, ସେଗୁଡ଼ିକର ବାସ୍ତବ କ୍ଷେତ୍ରରେ ଲାଗୁକଲେ କଲେ ଓ ଯୁଗ-ଉପଯୋଗୀ ଆଇନ ପ୍ରଣୟନ କରି ତାକୁ ସଠିକ ଭାବେ କାର୍ଯ୍ୟକାରୀ କଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ଆଇନ ବହିରେ ସୁସ୍ଥ ସମାଜ ପାଇଁ ଅନେକ କିଛି ବ୍ୟବସ୍ଥା ଥିବା ବେଳେ ବାସ୍ତବ ଦୁନିଆରେ ସେଗୁଡ଼ିକ ମରୀଚିକା ପରି ମନେ ହେଊଛି । ଶିକ୍ଷା ଅଧିକାର ଆଇନ ଲାଗୁକରି ବିଦ୍ୟାଳୟରେ ତା’ର ଊଲ୍ଲଂଘନ କରିବା, ବରୀଷ୍ଠ ନାଗରିକ ଅଧିକାର ଆଇନ ଥିବାବେଳେ ବାସ୍ତବରେ ସେମାନଙ୍କ ଅବସ୍ଥା ନ କହିଲେ ଭଲ । ସରକାରୀ କାର୍ଯ୍ୟାଳୟରେ ସଠିକ ଭିତ୍ତିଭୂମି, ଉପଯୁକ୍ତ କର୍ମଚାରୀ, ଆର୍ଥୀକ ଅନୁଦାନ ସହିତ ତଦାରଖ ମାଧ୍ୟମରେ ଆଇନ ବାସ୍ତବ ରୂପରେଖ ପାଇ ପାରିବ ।
ବିଭିନ୍ନ ଜାତୀୟ ଆୟୋଗରେ ଖାଲି ପଡ଼ିଥିବା ପଦବୀ ପାଇଁ ଆପଣ ବିଭିନ୍ନ ସମୟରେ ଜନସ୍ୱାର୍ଥ ମାମଲା ଫାଇଲ କରିଛନ୍ତି । ଯେତେବେଳେ ସରକାର ଉକ୍ତ ଆୟୋଗ ଗୁଡ଼ିକ ଚଳାଇବା ପାଇଁ ପ୍ରତିବଦ୍ଧ ସେତେବେଳେ ଆପଣଙ୍କର କେଶ୍ ଫାଇଲ କରିବା କଣ ଦରକାର?
ଉତ୍ତର -ଅନେକ ସାମ୍ବିଧାନିକ ବଚନ ବଦ୍ଧତା ପ୍ରତି ସରକାର ଦାୟିତ୍ୱବାନ ନୁହଁନ୍ତି । କେବଳ ପାର୍ଲାମେଣ୍ଟ କିମ୍ବା ବିଧାନ ସଭାରେ ଆଇନକୁ ପାସ୍ କରିଦେଲେ ଚଳିବ ନାହିଁ ବରଂ ଏହାକୁ କିଭଳି ସଠିକ ଭାବରେ ପାଳନ କରାଯାଇପାରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଦରକାର । ଜଣେ ଓକିଲ ଏବଂ ମାନବାଧିକାର କର୍ମୀ ହିସାବରେ ସରକାରଙ୍କୁ ଆଇନର କାଠଗଡ଼ା, ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଚାପ ପ୍ରୟୋଗ କରି ଜନହିତକର କାର୍ଯ୍ୟ କରିବା ସହିତ ଲୋକମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା ମୋର ଲକ୍ଷ୍ୟ ।
ଏସବୁ ଜନହିତକର କାର୍ଯ୍ୟ କରିବା ସମୟରେ ଆପଣ କେଉଁ କେଉଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି?
ଉତ୍ତର -ଦୁର୍ନିତୀ ଓ ଅରାଜକତା ସମ୍ପନ୍ନ ଶାସନ ବ୍ୟବସ୍ଥା, ବିରୁଦ୍ଧରେ ଲଢ଼ୁ ଥିବାରୁ ସମସ୍ୟା ଗୁଡ଼ିକ ସ୍ଥାନ, କାଳ ଓ ପାତ୍ର ଭେଦରେ ଅଲଗା । କେତେବେଳେ ନିଜ ଜୀବନ ପ୍ରତି ବିପଦ, ବିଭିନ୍ନ ଅସାମାଜିକ ଲୋକଙ୍କ ଠାରୁ ଧମକ ଚମକ, ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପ୍ରତି ଅବହେଳା ସର୍ବୋପରି ଆର୍ଥିକ ଦୁରବସ୍ଥା ମୋର ମାନବାଧିକାର ପ୍ରତିଷ୍ଠା ପାଇଁ ଜାରି ରହିଥିବା ଲଢ଼େଇକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏସବୁ ସତ୍ତ୍ୱେ ମୁଁ ନିର୍ବିକାର ରହିବା ପାଇଁ ଚେଷ୍ଟା କରି ଆସିଛି ।
ଅନ୍ୟର ଅଧିକାର ପାଇଁ ଲଢ଼ି ନୀଜର ତଥା ନିଜ ପରିବାରର ଅଧିକାରକୁ ବଳିଦେବା କେତେଦୂର ପ୍ରାସଙ୍ଗିକ?
ଉତ୍ତର -ତ୍ୟାଗ, ପରୋପକାର, ସେବା ସାମ୍ନାରେ ଏ ପ୍ରଶ୍ନର ଉତ୍ତର ସରଳ । ଅନ୍ୟଥା ଏହା ଏକ ଜଟିଳ ଅଧ୍ୟାୟ ।ଆମେ ଆପଣଙ୍କୁ ବିଶ୍ୱର ଜଣେ ଉତ୍ସର୍ଗୀକୃତ ଏବଂ ବିରଳ ବ୍ୟକ୍ତିତ୍ୱ ହିସାବରେ ସମ୍ମାନ ଦେଉ । ତେବେ ଆପଣଙ୍କ ତ୍ୟାଗ ତୁଳନାରେ ପୁରସ୍କାର, ଅନୁଦାନ, ପରିଚୟ, ପ୍ରତିଷ୍ଠା ମିଳିପାରି ନାହିଁ । ଏଥିପାଇଁ ଆପଣଙ୍କର ପ୍ରତିକ୍ରିୟା କ’ଣ? ଉତ୍ତର – ନୀରବତା ।
କରୋନା ମହାମାରୀ ଭଳି ପ୍ରତିକୂଳ ସମୟରେ ମାନବଧିକାରକୁ ନେଇ ଆପଣ କିଭଳି ଲୋକଙ୍କୁ ସହାୟତା କରୁଛନ୍ତି ?
ସାହାର୍ଯ୍ୟ କରିବା ଏକ ମାନସିକତା ଓ ପ୍ରବୃତ୍ତି । ନିଜର ସୀମିତ ସମ୍ବଳକୁ ନେଇ ଗାଁ ଗହଳିର ବିଭିନ୍ନ ଅସହାୟ ତଥା ସାହାର୍ଯ୍ୟ ଚାହୁଁଥିବା ଲୋକଙ୍କୁ ରାସନ, ମାସ୍କ,ସାନିଟାଇଜର ବାଣ୍ଟିଛି । ବିଶେଷ ଭାବେ ଭଦ୍ରକର ବିଭିନ୍ନ ଅଞ୍ଚଳରେ ଜୀବଜନ୍ତୁ,ପଶୁପକ୍ଷୀ,ସମାଜର ମାନସିକ ଶାରିରୀକ ଅନଗ୍ରସର ଲୋକଙ୍କୁ ଯଥା ସମ୍ଭବ ଜରୁରୀ ପରିସ୍ଥିତିରେ ସାହାର୍ଯ୍ୟ କରିଛି । ସାଧାରଣ ଲୋକଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା , ରୋଗୀଙ୍କୁ ମେଡିକାଲ ପହଁଚାଇବା ଠାରୁ ଆରମ୍ଭ କରି ଅସହାୟ ମଣିଷଙ୍କ ଶବସତ୍କାରରେ,ଆଗେଇ ଆସିଛନ୍ତି । କରୋନା ବେଳେ ତଳଗୋପବନ୍ଧ ଗାଁର ସ୍ୱେଚ୍ଛାସେବୀଙ୍କୁ ନେଇ ଗଛ ଲଗାଇଛୁ । ସମୟର ଉପଯୋଗ କରି ମଣିଷ ମଣିଷକୁ ସାହାର୍ଯ୍ୟ କରିବାକୁ ଚେଷ୍ଟା କରିଛି ।
——–
ଧନ୍ୟବାଦ ସାର, ସଂସାର ରେ ମୁଁ ଯେଉଁ ପ୍ରକୃତ ମାନବ ର ଖୋଜା ଚାଲିଥିଲା ତାର ଅନ୍ତ ଘଟିଲା ସାର ଆପଣ ଙ୍କୁ ପାଇ ମୋ ଭିତରେ ଏକ ନୂତନ ଆଶା ଉଦ୍ଜୀବିତ ହେଲା, ଆଜି ଅଶେଷ ଧନ୍ୟବାଦ ଓ କୋଟି ପ୍ରଣାମ କରିବି ସେ ପିତା ମାତା ଙ୍କୁ ଯିଏ ମୋ ଓଡିଶା ମାଟି କୁ ଏପରି ଏକ ବୀର ପୁତ୍ର ଓ ମହା ମାନବ କୁ ଜନ୍ମ ଦେଇଛନ୍ତି ତାଙ୍କ ପାଇଁ ଏ ସମଗ୍ର ଭାରତ ଓ ବିଶ୍ୱ ଦିନେ ଚିର ଋଣୀ ରହିବ….. ଆପଣ ଙ୍କୁ କିଛି ବି କର୍ମ ରେ ସହଯୋଗ କରିପାରିବି ନିଜକୁ ଧନ୍ୟ ମନେ କରିବି…. କିଛି ବି ଭୁଲ କହିଥିଲେ ଥିଲେ କ୍ଷମା ଦେବେ…. ଆପଣ ଙ୍କ ମନୋଜ,,, ???… ଜୟ ହିନ୍ଦ