ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କାଚରେ ତିଆରି। ସେ କାଚ କାନ୍ଥ ଭିତରୁ ସ୍ପଷ୍ଟ ଭାବରେ ଦେଖା ଯାଉଥିଲା ପାଙ୍ଗଙ୍ଗ କୁଳର ଦୃଶ୍ୟ। ଆମେ ରହୁଥିବା ତମ୍ବୁ ପାଖରୁ ପାଞ୍ଚ ମିନିଟ ଚାଲିଲେ ଥ୍ରୀ ଇଡିଅଟ ସୁଟିଂ ହେଇଥିବା ସ୍ଥାନ ପାଖରେ ପହଞ୍ଚି ହେବ।

ତମ୍ବୁ ଭିତରୁ ଦେଖୁଥିଲି, ହ୍ରଦ କୂଳରେ ଧୀରେ ଧୀରେ ଲୋକମାନେ ପହଞ୍ଚୁଥିଲେ। ଦୂରରୁ କଳା ଛାଇ ପରି ଦେଖା ଯାଉଥିଲେ। କାରଣ ତାଙ୍କ ପୃଷ୍ଠଭୂମିରେ ସନ୍ଧ୍ୟା ଆଲୁଆରେ ଚମକୁଥିଲା ହ୍ରଦର ପାଣି ଓ ଆର କୁଳର ପାହାଡ଼ ମାଳା।

ମୁଁ ଅପେକ୍ଷା କରୁଥିଲି କେତେବେଳେ ଅଜିତ ଚିକୁ ଓ ଦେବରାଜ ଫେରିବେ ତମ୍ବୁ ଭିତରକୁ ଓ ଆମେ ଏକତ୍ର ଚା ପିଇବୁ। ଅଳ୍ପ ସମୟ ପରେ ସେ ତିନି ଫେରିଲେ, ଆସୁ ଆସୁ ଜଣେଇ ଦେଲେ ଯେ – ରାତିରେ କ୍ୟାମେରା ଧରି ପୁଣି ଥରେ ଯିବେ ହ୍ରଦ କୂଳକୁ। ରାତିରେ ଦେଖାଯିବ ଅଜସ୍ର ତାରା ଗ୍ରହ ନକ୍ଷତ୍ର ଓ ଛାୟାପଥ। ସେଦିନ ଆକାଶ ବି ଥିଲା ସମ୍ପୂର୍ଣ ମେଘମୁକ୍ତ। ଏଠି ମୋବାଇଲ ସିଗନାଲ ବିଲକୁଲ ନଥାଏ। ତେଣୁ କାହାର ଫୋନ୍ ଆସିବାର ପ୍ରଶ୍ନ ହିଁ ନାହିଁ, କି ଶୋଇବା ପୁର୍ବରୁ ଫୋନ୍ କରି ଘରକୁ ସେଦିନର ଦୈନିକ ବିବରଣୀ ଦେବାର ଦାୟିତ୍ଵ ମଧ୍ୟ ନାହିଁ। ଏହି ସ୍ଥାନରେ ମୋବାଇଲ ମାନେ, କେବଳ କ୍ୟାମେରା ଓ ନୋଟପ୍ୟାଡ।

ତମୁ ଭିତରୁ, ‘ନେଟିଭ ହଟ ତମ୍ବୁ କ୍ୟାଣ୍ଟିନ’ର ଚାହା ଓ ଆମେ ସାଙ୍ଗରେ ନେଇଥିବା ମିକଶ୍ଚର୍ ର ମଜା ନେବା ସମୟରେ କାଚ ଝରକା ଦେଇ ଦେଖୁଥିଲି କେମିତି ସମଗ୍ର ହ୍ରଦ ଓ ପାହାଡ଼ମାଳାକୁ କଳା ଅନ୍ଧାର ଘୋଡ଼େଇ ଦେଲା। ଆମେ ଏପଟେ ଆରାମ କରୁଥିବା ସମୟରେ ଆମଠାରୁ ଅନତି ଦୂରରେ ଥିବା ଆର୍ମି କ୍ୟାମ୍ପ ଭିତରେ ରାତ୍ରୀ ପହରା ଦେବା କାର୍ଯ୍ୟ ଆରମ୍ଭ ହେଇଯାଇଥିବ। ପାହାଡ଼ ଆରପଟେ ଚୀନ। ପାହାଡ଼ ବାଟରେ ଏବଂ ହ୍ରଦ ଭିତର ଦେଇ ଚୀନା ଅନୁପ୍ରବେଶକାରୀମାନେ ପଶି ଆସିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଏତେ ଥଣ୍ଡା ଓ ନିଶବ୍ଦ ଅଞ୍ଚଳରେ ରାତି ରାତି ଅନିଦ୍ରା ରହି ପହରା ଦେବା କାର୍ଯ୍ୟ କେତେ କଷ୍ଟ ନ ହେଉଥିବ !

ରାତି ନ’ଟା ପୂର୍ବରୁ ଡିନର ଖାଇଦେବାକୁ ଆମକୁ ନିର୍ଦ୍ଦେଶ ଦେଇଥିଲେ ପୂର୍ବ ବର୍ଣ୍ଣିତ ଲଦାଖି ଦମ୍ପତ୍ତି। ତମ୍ବୁ ପାଇଁ ଜେନେରେଟର ରୁ ବିଜୁଳି ଆଲୁଅ ଆସେ – ସନ୍ଧ୍ୟା ସାଢ଼େ ଛ’ଟା ରୁ ସାଢ଼େ ଦଶ ପର୍ଯ୍ୟନ୍ତ। ତା ପରେ ସମ୍ପୂର୍ଣ୍ଣ ଅନ୍ଧାର।

କ୍ୟଣ୍ଟିନରେ ଏଲ ଇ ଡି ଆଲୁଅ। ଆମ ଚାରିଙ୍କୁ ମିଶେଇ ଅଳ୍ପ ଲୋକ ଥିଲେ। ଭିତରେ ବେଶ୍ ଉଷୁମ ଥିଲା। ସମ୍ପୁର୍ଣ୍ଣ କ୍ୟାଣ୍ଟିନ’ର ଚଟାଣ ନରମ କାର୍ପେଟ’ରେ ଆଚ୍ଛାଦିତ ହୋଇଥାଏ। ବଫେ ଡିନରରେ ସୁସ୍ୱାଦୁ ଆମିଷ ଭୋଜନ ମାନେ, ଅଣ୍ଡା ତରକାରୀ। ଆଶ୍ଚର୍ୟ୍ଯର କଥା, ସେଠାକାର ଅଣ୍ଡା ତରକାରୀ’ର ସ୍ଵାଦ ନିଆରା – ଖୁବ ସ୍ଵାଦିଷ୍ଟ। ସାଙ୍ଗରେ ଗରମ ସୁପ୍, ପରଟା, ପନିର ମଟର ତରକାରୀ, ଆଳୁ ଭର୍ତା, ଡାଲି ଓ ସାଲାଡ଼। ଦିନରେ ଆସିବା ବେଳେ ରାସ୍ତାରେ ମଧ୍ୟାହ୍ନ ଭୋଜନ ଏତେ ଭଲ ହେଇନଥିଲା, ତେଣୁ ମନ ବୋଧ କରି ଡିନର ଖାଇଦେଲୁ। ଗରମ ପିଇବା ପାଣିର ବ୍ୟବସ୍ଥା ଥିଲା, ପୁଣି ଥିଲା ଡିନର ପରେ କଫି। ଆମେ ସୂପ ଠାରୁ କଫି ପର୍ଯ୍ୟନ୍ତ ସବୁ ଗୁଡ଼ିକର ମଜା ନେଲୁ। ଖାଇସାରି ଟିପ୍ସ ବାକ୍ସ’ରେ ପଇସା ଦେଲୁ। ଆଗରୁ କହିଥିଲି କି, ଲଦାଖରେ ରେଷ୍ଟୁରାଣ୍ଟମାନଙ୍କ କାଉଣ୍ଟରରେ କିମ୍ୱା ମ୍ୟାନେଜର ନିକଟରେ ଟିପ୍ସ ବାକ୍ସ ଥାଏ। ଗ୍ରାହକମାନେ ଯାହା ଖୁସିରେ ଦିଅନ୍ତି ଏହି ବାକ୍ସ ଭିତରେ ପଡ଼େ; ପରେ ସମସ୍ତେ ଭାଗ କରି ନିଅନ୍ତି।

ଠିକ୍ ରାତ୍ରୀ ନ’ଟା ରେ ଗୁଡ ନାଇଟ୍ କହି ମୁଁ ଫେରିଲି ମୋ ତମ୍ବୁ’କୁ। ତମ୍ବୁ ଭିତରେ ପଶିଯିବାର ଅଳ୍ପ କିଛି ସମୟ ପରେ ବିଜୁଳୀ ବତୀ’ଟି ଆପେ ବନ୍ଦ ହେଇଗଲା। ସେ ଦିନର ବିଜୁଳୀ କୋଟା ସରିଲା, ସରବରାହ ବନ୍ଦ। ବତୀ ଜଳିବ ପୁଣି ତହିଁ ଆରଦିନ ସନ୍ଧ୍ୟାରେ ସେତିକି ସମୟ ପାଇଁ। ବରଫିଆ ହିମାଳୟ ଶୀତକୁ ଖାତିର ନକରି ଡକାଡାକି ହେଇ ଏ ତିନି ଟୋକା ଚାଲି ଗଲେ ତାରା ଭରା ରାତି ଦେଖିବାକୁ – ଫୋଟୋ ଓ ଭିଡ଼ିଓ କରିବାକୁ, ହ୍ରଦ କୂଳ ବାଲି ପ୍ରାନ୍ତରକୁ।।

ତମ୍ବୁ ଭିତରୁ ମୁଁ ଦେଖୁଥାଏ, ଯେତିକି ଦେଖାଯାଉଥିଲା ଆକାଶର ଅଂଶ – ସେଇ ଆକାଶଖଣ୍ଡରୁ ଖୋଜୁଥାଏ ମୋ ପସନ୍ଦର ତାରା ଗ୍ରହ ନକ୍ଷତ୍ର। ମନକୁ ଆସିଲା ଆମ ଡ୍ରାଇଭର କଥା। ଆମ ଡ୍ରାଇଭର ସୌକତ କୋଉଠି ଖାଇବ ଓ ଶୋଇବ ସେକଥା ସେ ଆଗରୁ ସ୍ଥିର କରିଥାଏ। କୌଣସି ବି ସ୍ଥାନରେ ସେ ଆମ ସାଙ୍ଗରେ ଖାଇ ନାହିଁ କି କୋଉଠି ରହିବ କିଛି ପଚାରି ନାହିଁ। କିନ୍ତୁ ଠିକ୍ ସମୟରେ ଗାଡ଼ି ପାଖରେ ହାଜିର୍ ଥାଏ।

ଆପାଦମସ୍ତକ ଘୋଡ଼େଇ ହୋଇ ରାତିରେ ପାଙ୍ଗଙ୍ଗ ହ୍ରଦ ଦେଖିବାକୁ ତମ୍ବୁ ଭିତରୁ ବାହାରିଲି। ପବନ ଥିଲା ଆହୁରି ଶୀତଳ ଓ ଆକାଶ ଅଜସ୍ର ତାରାରେ ଝଲସୁ ଥିଲା। କେଜାଣି କେଉଁ ଅଜଣା ଅପସରା ଗନ୍ଧର୍ବ ଅବା ଦେବୀ ଦେବତାଙ୍କ ବୁଲିବା ସମୟ ହେଇଥିବ ଏ ଶାନ୍ତ ଶୀତଳ ରାତ୍ରୀ। ସେମିତି କିଛି ପବିତ୍ର ଅନୁଭବ ଆଣୁଥିଲା ସେଦିନର ସେ ସମୟ ଓ ପରିବେଶ। ଏମିତି ତାରାଭରା ଆକାଶ ଦେଖିବାରେ ମୋ ଜୀବନର ପ୍ରଥମ ଅନୁଭୂତି ଏ ରାତ୍ରୀ – ହୁଏତ ଶେଷ ରାତ୍ରୀ ବି। କାରଣ କାଲି ସକାଳୁ ଏଠାରୁ ଫେରି ଯିବାର ଅଛି। ଭୁପୃଷ୍ଠର ଗୋଟିଏ ଉଚ୍ଚ ସ୍ଥାନରେ ଠିଆ ହେଇ ମେଘମୂକ୍ତ ଆକାଶକୁ ରାତିରେ ଦେଖିପାରିବା ଭଳି ସୁଯୋଗ କେବଳ ଏଇଠି ଅଛି। ଅତ୍ୟନ୍ତ ଦୁର୍ମୂଲ୍ୟ ଏ ଅନୁଭୂତି।

ଏ ତିନି ଯୁବକ – ଚିକୁ ଅଜିତ ଓ ଦେବରାଜ’ଙ୍କୁ “ଶୀଘ୍ର ଫେରିଆସ..!” ଡାକଟିଏ ମାରିଦେଇ ମୁଁ ଫେରିଲି ତମ୍ବୁ ଭିତରକୁ ଓ କେବଳ ଜୋତା ଖୋଲି, ବାକି ସମସ୍ତ ପୋଷାକ ସହ ପଶିଗଲି କମ୍ବଳ ଭିତରେ। ଝରକା ପରଦା ଖୋଲା ଥାଏ – ଆଶା ଥିଲା, ଯଦି କୌଣସି ଦେବ ପୁରୁଷ ବା ଦେବକନ୍ୟା ନିଶାର୍ଦ୍ଧରେ ଅବତରଣ କରନ୍ତି, ଅନ୍ତତଃ ଏହିଠାରୁ ତାଙ୍କୁ ଦେଖିହେବ।

ସକାଳ ପାଞ୍ଚଟା’ରେ ନିଦ ଭାଙ୍ଗିଲା। ଥର୍ମଫ୍ଲାସ୍କ ରୁ ଗରମ ପାଣି ଟିକେ ପିଇ ଦେଇ ଜୋତା ପିନ୍ଧି ବାହାରି ଆସିଲି ବାହାରକୁ। ଶୋଇବା ପୁର୍ବରୁ ସମସ୍ତ ଗରମ ପୋଷକ ଦେହରେ ଥିଲା। ସକାଳଟା ଗତ ସଞ୍ଜ ପରି ଏତେ ବେଶି ଶୀତୁଆ ନ ଥିଲା। କେଜାଣି, ହୁଏତ ସାମୟିକ ରହଣି ଭିତରେ ତାପମାତ୍ରା ସହ ଆମ ଶରୀର ଅଭ୍ୟସ୍ତ ହୋଇ ଯାଇଥିବ। ମୋତେ ଦେଖି ତମ୍ବୁ ପାଖରୁ ସର୍ ସର୍ କରି ଦୌଡ଼ି ପଳେଇ ଗଲେ କିଛି ଶିଆଳ କି କଟାସ ଆକାର’ର ଜୀବ। ଅନ୍ଧାର ଯୋଗୁଁ ଠିକ୍ ରେ ଦେଖା ଯାଉ ନଥିଲା। ହୁଏତ ଯାତ୍ରୀମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିବା କିଛି ଖାଦ୍ୟର ଗନ୍ଧ ଏମାନଙ୍କୁ ଆକର୍ଷିତ କରି ଆଣିଛି।

ଧୀରେ ଧୀରେ ଆଲୁଅ ଆସିଲା, ଧୀରେ ଧୀରେ ତମ୍ବୁ ଭିତରୁ ଯାତ୍ରୀ ମାନଙ୍କ ମଧ୍ୟରୁ କିଛି କିଛି ଆସିଲେ ହ୍ରଦ କୂଳରେ ପ୍ରାତଃ ଭ୍ରମଣ କରିବା ପାଇଁ। ଚିକୁ ବି ତା କ୍ୟାମେରା ଧରି ମୋ ପଛରେ ହାଜର ହେଇଗଲା। ଗୋଟିଏ ସମତଳ ସ୍ଥାନ ଖୋଜି, ସେଇଠି ସେ ତା କ୍ୟାମେରାକୁ ଷ୍ଟାଣ୍ଡରେ ବସେଇଲା। ସମ୍ପୁର୍ଣ୍ଣ ସକାଳ ଓ ସୁର୍ଯୋଦୟ ସମୟକୁ କ୍ୟାମେରାରେ ଧରି ରଖିବ। ମୁଁ ବି ତା ସହ ମିଶି ତା ନିର୍ଦ୍ଦେଶନାରେ ଯଥା ସମ୍ଭବ ଚିତ୍ର ଉତ୍ତୋଳନ କରି ଚାଲିଲି।

ଆନ୍ଧାର’ରୁ ଆଲୋକ ଭିତରେ ପ୍ରଵେଶ କରୁଥିବା ବରଫଢଙ୍କା ପାହାଡ଼, ମୋ ଆଖି ଆଗରେ ରଙ୍ଗ ବଦଳାଉ ଥିଲା। ପ୍ରଥମେ ଗାଢ଼ ନାଲି ପରେ ପରେ ସୁନେଲୀ ପୁଣି ରୁପେଲି ଓ ଧଳା। କୋଉଠି ଲୁଚି ରହିଥିବା ସି’ଗଲ ପକ୍ଷୀ ଆସି ଆମ ମୁଣ୍ଡ ଉପାରେ ଚକ୍କର କାଟିବାକୁ ଲାଗିଲେ। ଲାଗୁଥିଲା ପରଦାରେ ଦେଖୁଛି କଳାଧଳା ସିନେମା – ଧୀରେ ଧୀରେ ଯେମିତି ରଙ୍ଗୀନ୍ ହେଇ ଆସୁଛି। କଳା ଧଳା ଉପରେ ରଙ୍ଗ କହିଲେ ମାତ୍ର ଗୋଟିଏ ରଙ୍ଗ ନୀଳ – ହାଲକା ନୀଳ ରଙ୍ଗ ଯୋଡ଼ି ହେଇଗଲା ଦୃଶ୍ୟ ପଟରେ ଥିବା ଆକାଶ ଓ ହ୍ରଦର ପାଣିରେ।

ଖରା ପଡ଼ିବା ପରେ ତମ୍ବୁ ପାଖରେ ପହଞ୍ଚିବା ବେଳକୁ ଦୁଇ ହାତରେ ଦୁଇ ବାଲଟି ଗରମ ପାଣି ଆଣି ଠିଆ ହେଇଛି ରେଷ୍ଟୁରାଣ୍ଟ ପରିଚାରିକା ଲଦାଖି ମହିଳା ଜଣକ। “ଶୀଘ୍ର ନିତ୍ୟକର୍ମ ସାରି, ଜଳଖିଆ ଖାଇବା ପାଇଁ ଆସି ଯାଆନ୍ତୁ ରେଷ୍ଟୁରାଣ୍ଟ ଭିତରକୁ….” ତା ମୁହଁରୁ କଥା ସରିବା ଆଗରୁ ପଚାରିଲି “ଚା ମିଳିବ ?”
“ଫ୍ଲାସ୍କ’ରେ ଆଣି ବେଡ୍ ସାଇଡ’ରେ ରଖି ଦେଇଛି ସାହେବ – ଦୁଇଟା କପ୍ ବି।” ହସି ହସି କହି ଦେଇ ଚାଲିଗଲା। ସିଏ ବି ପିନ୍ଧିଥିଲା ସେଇ ପୋଷାକ, ସୁଲମା’ ଯାହା ରାତିରେ ପିନ୍ଧିଥିଲା – ରେଷ୍ଟୁରାଣ୍ଟରେ ଥିବା ବେଳେ। ହୁଏତ ଏଠି ପୋଷାକକୁ ନେଇ ବିଶେଷ ପ୍ରକାର ବା ବିଭିନ୍ନତା ନାହିଁ। ହିମାଳୟ ର କଠୋର ଶୀତ ଏମାନଙ୍କୁ ସେଇ ସୀମିତ ପ୍ରକାରର ପୋଷାକ ସୁଲମା ଓ ଗୋଞ୍ଚା ଭିତରେ ଘୋଡ଼େଇ ରଖିଛି।

ରେଷ୍ଟୁରାଣ୍ଟ’ର ଜଳଖିଆରେ ପୁରୀ ଆଳୁ ମଟର ତରକାରୀ ବ୍ରେଡ୍ ସ୍ୟାଣ୍ଡଉଇଚ୍ ଆମେଲେଟ ଓ କଫି। ସେସବୁ ସାରି, ପରିଚରିକା’କୁ “ଗୁଡବାଇ” କହି ଆମ ଜିନିଷପତ୍ର ଗାଡ଼ିରେ ଲଦିଲୁ।

ପାଙ୍ଗଙ୍ଗ ହ୍ରଦକୁ ପଛ କରି ଆମ ଗାଡ଼ି ଷ୍ଟାର୍ଟ ହେବା ବେଳକୁ ଘଣ୍ଟାରେ ଠିକ୍ ନ’ଟା ବାଜିଥିଲା। ଗାଡ଼ି ଭିତରୁ ଦିଶୁଥିଲା ହ୍ରଦ କୂଳରେ ନୀରବ ନିଶବ୍ଦ ହେଇ କେତୋଟି ହଳଦିଆ ସ୍କୁଟର ଠିଆ ହୋଇଛି, ଫୋଟ ପ୍ରେମୀଙ୍କ ଅପେକ୍ଷାରେ। ଓ ହ୍ରଦ ଚାରିପାଖରେ ଆକାଶଛୁଆଁ ପାହାଡ଼ – ସମସ୍ତେ ବରଫ ମୁକୁଟ ପିନ୍ଧିଥିଲେ, ସେସବୁ ବି ତାଙ୍କ ନିତି ଦିନିଆ ପୋଷକ ଯେମିତି।

ଏଠାରୁ ଶୀଘ୍ର ବାହାରି ଗଲେ ଆମେ ପହଞ୍ଚିବୁ ଚାଙ୍ଗ ଲା ପାସ୍ ବା ଚାଙ୍ଗ ଲା ଘାଟିରେ, ଯାହାକି ପୃଥିବୀର ଦ୍ଵିତୀୟ ଉଚ୍ଚତମ ସଡ଼କ ଥିବା ଘାଟି ରାସ୍ତା। ଏବଂ ସେଠାରୁ ଯିବୁ ହେମିସ୍ ବୌଦ୍ଧ ବିହାର। ହେମିସ – ଅତି ପୁରାତନ ବୌଦ୍ଧ ବିହାର। କିନ୍ତୁ ବାଟରେ ମଜା ନେବା ପାଇଁ ଅପେକ୍ଷା କରିଛି ସିୟୋକ ଅବବାହିକା’ର ପଥୁରିଆ ଉପତ୍ୟକା ଓ ବରଫାବୃତ ଚାଙ୍ଗ ଲା ପାସ୍ ବା ଚାଙ୍ଗ ଲା ଘାଟି।

କ୍ରମଶଃ….

—–###—–

ବିଜୟ କୁମାର ଜେନା।

You May Also Like

More From Author

+ There are no comments

Add yours