ଆର୍ଯ୍ୟଭୂମି ଲଦାଖ-ଭାଗ ୯

ଗୋଟିଏ ପଟେ ଚଳଚ୍ଚିତ୍ର କିମ୍ୱା ସ୍ୱପ୍ନରେ ଦେଖିଥିବା ପରି ନୀଳ ରଙ୍ଗର ଆକାଶ ଓ ତଳେ ନୀଳ ଜଳରାଶି। ଆମ ଗାଡ଼ି ଚାଲିଥାଏ ପାହାଡ଼ ଓ ପାଣି ମଝିରେ ଉପର ତଳ ହେଇ – ରାସ୍ତା ଯେଉଁ ପାଖକୁ ଯେମିତି ଢଳିଛି। ଗାଡ଼ି ଚଲାଉ ଚଲାଉ ଡ୍ରାଇଭର ସୌକତ ପାଙ୍ଗଙ୍ଗ ଲେକ’ର ଠିକଣା ବି କହିଦେଲା, – ପାଙ୍ଗଙ୍ଗ ଲେକ, ସ୍ପାଙ୍ଗମିକ, ମେରକ୍।

ସେଇଠି କୋଉଠି ପାଣିକୁ ଲାଗି ନିର୍ମିତ ହେଇଥିବା ‘ନେଟିଭ ହଟ’ ନାମକ ଏକ ତମ୍ବୁ ରହଣି ଭିତରେ ଆମର ଦୁଇଟା ତମ୍ବୁ ଆଗରୁ ସଂରକ୍ଷିତ କରି ରଖା ଯାଇଛି। ରାସ୍ତା ଉପରେ ତୀର ଚିହ୍ନ – ୱେ ଟୁ ଥ୍ରୀ ଇଡିଅଟ୍ ପଏଣ୍ଟ ଓ ତା ତଳକୁ ବିଭିନ୍ନ ଏଜେନ୍ସି ଙ୍କ ନାଆଁ – ଯେଉଁମାନେ ସେଇଠି ତମ୍ବୁ ସହ ଖାଦ୍ୟ ପାନୀୟ ଯୋଗେଇ ଦିଅନ୍ତି। ସେଇଠି ଗାଡ଼ି ରଖି ଆମ ଇପ୍ସିତ ତମ୍ବୁ ଖୋଜିଲୁ। ଗୋଟିଏ ଛୋଟ ଧଳା ରଙ୍ଗଦିଆ ଟିଣ ଚାଦର ଉପରେ ହାତ ଲେଖା ସାଇନ୍ ବୋର୍ଡ ଟିଏ – ୱେ ଟୁ ନେଟିଭ୍ ହଟ। ତାପରେ ଗାଡ଼ିକୁ ସେଇ ଦିଗ ଅର୍ଥାତ୍ ପାଙ୍ଗଙ୍ଗ କୁଳ ଆଡ଼କୁ ମୁହାଁଇଲୁ। ଗୋଡ଼ି ପଥରକୁ ସମତୁଲ କରାଯାଇ ଗାଡ଼ି ଗଡ଼ି ପାରିଲା ଭଳି ରାସ୍ତା କରାଯାଇଛି। ରାସ୍ତାର ବାମ ପାଖରେ ଧାଡ଼ି ଧାଡ଼ି ତମ୍ବୁ। ଆମେ ବୁକ୍ କରିଥିବା ତମ୍ବୁ ସାମନାରେ ଗାଡ଼ି ରହିଲା। ସୌଭାଗ୍ୟର କଥା ଯେ, ଆମ ତମ୍ବୁ ସାମନାରେ ଆଉ ତମ୍ବୁ ନାହିଁ। ତମ୍ବୁ ଭିତରୁ ଖଟରେ ଶୋଇ ଶୋଇ ବି ପାଙ୍ଗଙ୍ଗ ହ୍ରଦକୁ ବେଶ୍ ପାଖରୁ ଦେଖି ହେବ। ହୁଏତ ତିନି ମିନିଟ ଲାଗିବ ପାଣି ଛୁଇଁବାକୁ ତମ୍ବୁ ରୁ ଚାଲିକି ଗଲେ।

ଆମକୁ ଦେଖି ତମ୍ବୁ ଦ୍ଵାର’ର ଚାବି କାଠି ଧରି ଆସିଗଲେ ପାରମ୍ପରିକ ଲଦାଖି ପୋଷକ ‘ସୁଲମା’ ପରିହିତା ଜଣେ ଲାଦାଖି ମହିଳା। ପଛେ ପଛେ ପାଟିରେ ପାଟିଏ ହସ ରଖି ନମସ୍କାର ଭଙ୍ଗିରେ “ଜୁଲେ” କହି ଅଭିବାଦନ କଲେ, ଲଦାଖି ପୋଷାକ ‘ଗୋଞ୍ଚା’ ପରିହିତ ପୁରୁଷ ଜଣେ। ଉଭୟେ ମଧ୍ଯବୟସ୍କ। ଅବଶ୍ୟ ପରେ ଜାଣିଲୁ ଯେ ଏ ଦୁହେଁ ସ୍ୱାମୀ ସ୍ତ୍ରୀ। ୟାଙ୍କ ପୁଅ ବୋହୁ ଓ ଝିଅ ମଧ୍ୟ ସାଙ୍ଗରେ ରୁହନ୍ତି। ତାଙ୍କ ପରିବାର’ର ସମସ୍ତ ପାଞ୍ଚଜଣ ଏହି ତମ୍ବୁ ସାରଣୀ’ର ଯତ୍ନ ନିଅନ୍ତି, ତମ୍ବୁକୁ ଲାଗି ଥିବା ରେଷ୍ଟୁରାଣ୍ଟ ଚଳାନ୍ତି ଓ ଅତିଥିମାନଙ୍କ ଖାଇବା ପିଇବା ଶୋଇବା ଗରମ ପାଣି ପହଞ୍ଚାଇବା ଆଦି ବୁଝାବୁଝି କରନ୍ତି। ପନିପରିବା, ରେସନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଆଣିବାକୁ ରୀତିମତ ତାଙ୍କ ପୁଅ ଯାଏ ଲେହ। ଦିନରେ ସକାଳୁ ଗାଡ଼ି ଧରି ବାହାରି ଯାଏ ଓ ତହିଁ ଆରଦିନ ରାତି ସୁଦ୍ଧା ଜିନିଷ ପତ୍ର ଧରି ଫେରି ଆସେ।

ସେ ଦୁହିଁ’ଙ୍କୁ, “ଶୀଘ୍ର ଚାହା ଚାରିକପ ଦରକାର..” କହି ଆମେ ପାଖାପାଖି ଦୁଇଟି ତମ୍ବୁରେ ଆମ ଜିନିଷ ପତ୍ର ରଖିଦେଲୁ। ଚାହା ପିଇଦେଇ କ୍ୟାମେରା ଇତ୍ୟାଦି ଧରି ପାଙ୍ଗଙ୍ଗ କୂଳରେ ପହଞ୍ଚିଲା ବେଳକୁ ଘଡ଼ିରେ ଚାରିଟା ବାଜିବ। କିନ୍ତୁ ଲାଗୁଥାଏ ଅପରାହ୍ନ ଦୁଇଟା କି ଅଢେ଼ଇଟା। କାରଣ, ସ୍ଥାନଟିର ଅକ୍ଷାଂଶ ଦ୍ରାଘିମା ଦୃଷ୍ଟିରୁ, ଏଠି ସୂର୍ଯ୍ୟାସ୍ତ ବିଳମ୍ବରେ ହୁଏ। ଉଜ୍ଜ୍ବଳ ସୂର୍ଯ୍ୟାଲୋକ, ନୀଳ ଆକାଶ ଓ ଘନ ନୀଳ ଜଳରାଶି। ଚାରି ପାଖରେ ଆକାଶ ଛୁଆଁ ଧଳା ଓ ଧୂସର ପାହାଡ଼। ସବୁ ପାହାଡ଼ ଆଧାରୁ ଅଧିକ ବରଫରେ ଢାଙ୍କି ହୋଇଛି। ପବନ କିନ୍ତୁ ସେମିତି ଲଦାଖିଆ, କନକନିଆ ଥଣ୍ଡା।

ପାଙ୍ଗଙ୍ଗ କୂଳରେ ପହଞ୍ଚି ଆମ ଚାରିଜଣଙ୍କ ମନ ଆନନ୍ଦରେ ଅସମ୍ଭାଳ। ଭାରତର ଉତ୍ତର ସୀମାରେଖା ଛୁଇଁଥିବା ହିମାଳୟ’ର ପବିତ୍ର ଭୂମିରେ ଆମେ। ପ୍ରଥମେ ଆଞ୍ଜୁଳାଏ ପାଣି ଟେକି ଧରିଲି ଆଖି ସାମନାରେ। ସ୍ଫଟିକ ସ୍ୱଚ୍ଛ ଜଳ। ଟିକେ ମୁହଁରେ ଲଗେଇଲି – ଆମ ଚିଲିକା ହ୍ରଦର ପାଣି ପରି ଲୁଣିଆ, କିନ୍ତୁ ଗନ୍ଧହୀନ ରଙ୍ଗହୀନ। ସ୍ମୃତି ପାଇଁ ପାଣି ଭିତରୁ ଦୁଇଟି ବଡ଼ ବଡ଼ ବାଲି ଗରଡ଼ା ପଥର ଉଠେଇ ଆଣି ବ୍ୟାଗ୍ ଭିତରେ ରଖିଦେଲି। ଚିକୁ ତା କ୍ୟାମେରା ସଜାଡ଼ିଲା, ଦେବରାଜ ଓ ଅଜିତ ପୋଜ ଦେଉଥାନ୍ତି; ଅବଶ୍ୟ ସମସ୍ତେ ନିଜ ନିଜର ମୋବାଇଲ କ୍ୟାମେରା ମାଧ୍ୟମରେ କିଏ କେତେ ଭଙ୍ଗୀରେ ଫୋଟ ଉଠେଇବ, ସେଇ ଚେଷ୍ଟାରେ ଲାଗିଥାନ୍ତି। ମୁଁ ମୋ ମୋବାଇଲ କ୍ୟାମେରା’ରେ ଫୋଟ ଉଠେଇବା କାମରେ ଲାଗିଗଲି। ଆମେ ଆସ୍ଥାନ ଜମେଇଥିବା ସ୍ଥାନରେ ଦଳେ ଧଳା ରଙ୍ଗର ସିଗଲ ଇତଃସ୍ତତ ହୋଇ ବସିଥାନ୍ତି, ପୁଣି ମଝିରେ ମଝିରେ ହ୍ରଦ ଉପରେ ଘେରାଏ ଉଡ଼ି ଆସୁଥାନ୍ତି ପାଣି ଉପରେ ବସି ପଡୁଥାନ୍ତି; ସତେ ଯେମିତି ସେ ଇଲାକାର ମାଲିକ ସେମାନେ ଓ ଆମେ ହେଲୁ ଅନୁପ୍ରବେଶକାରୀ।

ଧୀରେ ଧୀରେ ତମ୍ବୁ ମାନଙ୍କରୁ ବାହାରିଲେ ଟୁରିଷ୍ଟ। ଅଳ୍ପ ସମୟ ମଧ୍ୟରେ ହ୍ରଦ କୁଳର ବାଲି ଉପରେ ଲୋକଙ୍କ ଗହଳି ଲାଗିଗଲା। ସେଥିରେ ଅନେକ ବିଦେଶୀ ଟୁରିଷ୍ଟ ବି ଥିଲେ। ଇୟୁରୋପିଆନ ଆଫ୍ରିକାନ ତ ବାରି ହୋଇ ପଡୁଥିଲେ, କିନ୍ତୁ ଚାଇନା ଜାପାନ ପରି ଏସିଆନ ଟୁରିଷ୍ଟ ଆଉ ଲଦାଖି ଲୋକଙ୍କ ମଧ୍ୟରେ ଅଳ୍ପ ଫରକ ଥିଲା – ଶରୀରର ରଙ୍ଗ। ଲଦାଖି’ଙ୍କ ରଙ୍ଗ ବାକି ମାନଙ୍କ ଠାରୁ ଟିକେ ଗାଢ଼ ଓ ପୋଷାକ ସମ୍ପୂର୍ଣ୍ଣ ଭିନ୍ନ। ମହିଳା ଯାତ୍ରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଅତି ନଗନ୍ୟ। ଆମେ ଓଡ଼ିଆରେ କଥା ହେଉଥିଲୁ। ଆମ କଥା ଶୁଣି କିଛି ଯାତ୍ରୀ ଓଡ଼ିଆରେ ପଚାରିଲେ, “କୋଉଠୁ ଆସିଛନ୍ତି, କେତେଦିନ ରହିଲେଣି, କଣ ସବୁ ଦେଖିଲେ” କିମ୍ୱା”ଆଉ କଣ ସବୁ ଦେଖିବାର ଯୋଜନା କରିଛନ୍ତି” ଇତ୍ୟାଦି। ଭଲ ଲାଗିଲା, ଯେ କେବଳ ଆମେ ନୋହୁଁ, ଅନେକ ଓଡ଼ିଆ ଆଜିକାଲି ଭ୍ରମଣ ର ଆନନ୍ଦ ନେଉଛନ୍ତି।

ଅଜିତ ଆଉ ଚିକୁ ଏ ଦୁହିଙ୍କର ଇଛା ଯେ, ସେଇ ହଳଦିଆ ରଙ୍ଗର ସ୍କୁଟର ଉପରେ ନାଲି ହେଲମେଟ ପିନ୍ଧି ଫୋଟ ଉଠେଇବେ। ମନେ ପକାନ୍ତୁ ତ, ବହୁ ଚର୍ଚ୍ଚିତ ହିନ୍ଦୀ ସିନେମା ‘ଥ୍ରୀ ଇଡିୟଟ’ର ଶେଷ ଦୃଶ୍ୟ। ପାଙ୍ଗଙ୍ଗ ହ୍ରଦର ନୀଳ ଜଳରାଶି – ଶେଷରେ ସେଇଠି ଅଭିନେତା ଅମିର ଖାନ’ଙ୍କୁ ଖୋଜି ବାହାର କରି ପାରିଛନ୍ତି ତାଙ୍କ ସାଙ୍ଗମାନେ। ଓଦା ବାଲି ଉପରେ ବିବାହ ପୋଷାକରେ ଅଭିନେତ୍ରୀ କରିନା କପୁର, ହଳଦିଆ ବଜାଜ ସ୍କୁଟରରେ ନାଲି ହେଲମେଟ ପିନ୍ଧି ପହଞ୍ଚି ଯାଇଥିବା’ର ଦୃଶ୍ୟ। ପୁଣି ହାସ୍ୟ ଅଭିନେତାଙ୍କ ପ୍ୟାଣ୍ଟ୍ ଖୋଲି ନଇଁ ପଡ଼ି “ଜାହଁପାନା ତୁସି ଗ୍ରେଟ୍ ହୋ – ତୋଫା କବୁଲ କରୋ..”। ସେଇ ଜାଗା ଏଇଟା। ଆଲ ଇଜ୍ ୱେଲ୍ ଗୀତ ର ତିନିଟିକିଆ ବେଞ୍ଚ, ଅଧା କଟା ଡ୍ରମ ଇତ୍ୟାଦି ବି ଏଇଠି ଉପଲବ୍ଧ। ଫୋଟ ଉଠେଇବା ପାଇଁ ପ୍ରତି ଟୁରିଷ୍ଟ ଙ୍କ ପାଖରୁ ଶହେ ଟଙ୍କା ନେଉଥାନ୍ତି – ଯେଉଁ ଲଦାଖି ପରିବାର କେତୋଟି ସେଇଠି ତମ୍ବୁ ପକେଇ ଏସବୁ ଆକର୍ଷକ ଜିନିଷକୁ ସଜେଇ ରଖିଛନ୍ତି। ସେମାନଙ୍କ ପାଖରେ ବି ବେଶ୍ ଭିଡ଼। ପାଞ୍ଚୋଟି ହଳଦିଆ ବଜାଜ ସ୍କୁଟର ଟିକେ ଛାଡ଼ି ଛାଡ଼ି ଠିଆ କରିଛନ୍ତି ଏମାନେ। ଆମ ଦଳର ତିନି – ଚିକୁ ଦେବରାଜ ଓ ଅଜିତ ସେଇଠି ଫୋଟ ଉଠାଇଲେ ନିଜ ନିଜର ପସନ୍ଦରେ; ମୁଁ ଏକମାତ୍ର କ୍ୟାମେରାମ୍ୟାନ ସେଇଠି।

ଧୀରେ ଧୀରେ ସଞ୍ଜ ନଇଁ ଆସୁଥାଏ। ତମ୍ବୁ ଓ ଆମ ସମସ୍ତଙ୍କ ପଛରେ ଥିବା ବରଫ ପାହାଡ଼ ର ଲମ୍ବା ଲମ୍ବା ଛାଇ ଆମ ସମସ୍ତଙ୍କୁ ଘୋଡ଼େଇ ଆଣୁଥିଲା, ଆଉ ପବନ ହେଉଥିଲା ଆହୁରି ଶୀତଳ। ଆଗପଛ ହେଇ ଆମେ ଫେରିଲୁ ତମ୍ବୁ ଆଡ଼କୁ। ହ୍ରଦ କୁଳରୁ ପିଚୁ ସଡ଼କକୁ ଛୁଇଁ ଥିବା ସେଇ ଗୋଟିଏ ହିଁ ରାସ୍ତା ପାହାଚ ପାହାଚ ହେଇ ଉଠି ଯାଇଛି – ସମ୍ମୁଖରେ ସୂର୍ଯ୍ୟକୁ ଆଢ଼ୁଆଳ କରିଥିବା ବରଫ ପାହାଡ଼ ଓ ଡାହାଣ ପାଖେ ତମ୍ବୁମାଳା।

ଥଣ୍ଡା ପବନକୁ ବେଖାତିର କରି ଗୋଟିଏ ପାହାଚ ଉପରେ ଦଳ ବାନ୍ଧି ବସି ଗପସପ ହେଉଥିଲେ ସୂଲମା ପିନ୍ଧା କିଛି ଲଦାଖି ମହିଳା। ସୁଲମା ଉଜ୍ଜ୍ୱଳ ଓ ଗାଢ଼ ରଙ୍ଗର ଏକ ଗାଉନ ପରି ମହିଳାଙ୍କ ପୋଷାକ, ଯାହାକି ପାଦ ପର୍ଯ୍ୟନ୍ତ ଲମ୍ବି ଥାଏ। ଉପରେ ପଶମ କପଡ଼ାର ପୁରାହାତ ବ୍ଲାଉଜ ଓ ଅଣ୍ଟାରେ ଟିକେ ଭିନ୍ନ କିନ୍ତୁ ଆଖି ଦୃଶିଆ ରଙ୍ଗର ମଫଲର ଭଳି, ସ୍କେରାଗ ଗୁଡ଼େଇ ବାନ୍ଧିଥାନ୍ତି। ସେମାନଙ୍କ ମୁଣ୍ଡରେ ଥାଏ ଲଦାଖି ଟୋପି, ଘ-ରାମ୍ ‘ଟିବି’ ଓ କେତେଜଣଙ୍କ ମୁଣ୍ତରେ ସେର-ପୋ ଟିବି’। ପ୍ରାୟ ବିବାହିତା ଲଦାଖି ମହିଳାମାନେ ସୁଲମା ପିନ୍ଧନ୍ତି। ଅତ୍ୟଧିକ ଶୀତରୁ ରକ୍ଷା ପାଇବା ପାଇଁ ସେଠାକାର ପୋଷାକ, ନାମ୍ବୁ ବା ପଶମ ସୂତା ର କପଡ଼ା ରେ ତିଆରି ହୋଇଥାଏ। ପୋଷାକରେ ସୂତା ସହ ପଷମ ବ୍ୟବହାର ହୋଇଥାଏ ଓ ସୁନ୍ଦର ଦେଖାଯିବା ପାଇଁ ରେଶମ ସୁତାରେ ବୁଣାକାମ ହେଇଥାଏ। ପୁରୁଷମାନଙ୍କ ପୋଷାକ ଗୋଂଚା ବି ସେମିତି ବେକ ଠାରୁ ପାଦ ପର୍ଯ୍ୟନ୍ତ ଲମ୍ବିଥିବା ହାଲକା ପଶମ ପୋଷାକ ଏବଂ ଅଣ୍ଟାରେ ପଷମ ସୂତାରେ ବୁଣା ବେଲ୍ଟ ଭଳି ସ୍କେଇରାକ୍ସ ଗୁଡ଼େଇ ଥାଆନ୍ତି। ପୋଷକରେ ନାମ୍ବୁ କପଡ଼ା ବହୁଳ ଭାବରେ ପ୍ରୟୋଗ ହୋଇଥାଏ – ଟୋପି, ବେଲଟ୍, ଜୋତା ର ଉପରି ଭାଗ ଏମିତି ବିଭିନ୍ନ ଜାଗାରେ।

ହ୍ରଦ କୂଳରେ ଅନେକ ଗୁଡ଼ିଏ ତମ୍ବୁ ସାରଣୀ ଅଛି ଅଲଗା ଅଲଗା ଟ୍ୟୁରିଷ୍ଟ ଏଜେନ୍ସୀ ମାନଙ୍କର। ଏହି ଲଦାଖି ମହିଳାମାନେ ତାଙ୍କ ସ୍ଵାମୀ ସନ୍ତାନ ପରିବାର ସହ ଏ ତମ୍ବୁ ଓ ଅତିଥିମାନଙ୍କର ଦେଖାଶୁଣା କରନ୍ତି। ତମ୍ବୁ ଗୁଡ଼ିକର ପ୍ରକୃତ ମାଲିକମାନେ ଦିଲ୍ଲୀ ଲେହ କିମ୍ୱା ଶ୍ରୀନଗର’ରୁ ଅନ୍ ଲାଇନ୍ ରେ ବୁକିଙ୍ଗ କରେଇ ଥାନ୍ତି ଓ ପରିଚାଳନା କରନ୍ତି। ଯେତେବେଳେ ଟୁରିଷ୍ଟମାନେ ହ୍ରଦ କୁଳରେ ଜମା ହେଇ ଯାଆନ୍ତି, ସେତେବେଳେ ତମ୍ବୁ ଦେଖାଶୁଣା କରୁଥିବା ଲଦାଖି ମହିଳାମାନେ ଟିକେ ଫୁରୁସତ ପାଆନ୍ତି। ହାତରେ କଫି ଚା କିମ୍ୱା କହ୍ୱା କପ୍ ଧରି ଗପସପରେ ମଜ୍ଜି ଯାଆନ୍ତି।

ମୁଁ ସେମାନଙ୍କ ଆଡ଼କୁ ଅନେଇ ଟିକେ ସ୍ମିତହସ ଦେଇ ଆଗେଇ ଯାଉଥିଲି, ଜଣେ ମହିଳା ଖଣ୍ଡି ହିନ୍ଦୀରେ ପଚାରିଲା, – “ଚା ନା କଫି ପିଇବେ ?” ଚାହିଁଲି, ସେ ଆମ ତମ୍ବୁ ର ପରିଚାରିକା। “ଚାରି କପ୍ ଚାହା ଆଉ କିଛି ସ୍ନାକସ ପଠେଇଦେବ ଟେଣ୍ଟ କୁ, ଅଧଘଣ୍ଟା ପରେ।” – କହିଲି। ଶୀତ ଅଧିକ ବୋଲି ମୁଁ ସିନା ତମ୍ବୁ ଆଡ଼କୁ ଫେରି ଆସିଲି, ଏ ତିନି ଟୋକା ଆହୁରି ବୁଲୁଛନ୍ତି ହ୍ରଦ କୂଳରେ।

ତମ୍ବୁ ଭିତରୁ କାଚ ଝରକା ଦେଇ ହ୍ରଦ ସ୍ପଷ୍ଟ ଦେଖା ଯାଉଥିଲା। ଟୁରିଷ୍ଟ ମାନେ ଧୀରେ ଧୀରେ ଏପାଖ ସେପାଖ ହେଉଥିଲେ। ନିଜ ନିଜ ବାଇକ୍ ଧରି ଆସିଥିବା କେତୋଟି ଯୁବକ, ଆମ ତମ୍ବୁ ଓ ହ୍ରଦ’ର ପାଣି ମଧ୍ୟବର୍ତ୍ତୀ ସ୍ଥାନରେ ଟିକି ଟିକି ତମ୍ବୁ ଠିଆ କରାଉ ଥିଲେ – ପାଙ୍ଗଙ୍ଗ କୂଳରେ ରାତ୍ରୀ ରହଣୀ ପାଇଁ।

——###—–

ବିଜୟ କୁମାର ଜେନା
ଦାମନଯୋଡି।

You May Also Like

More From Author

+ There are no comments

Add yours