ପ୍ରକାଶିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଶବ୍ଦମିଡ଼ିଆ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୀତିକୁ ନେଇ ଗୋଲାପୀ ଚିତ୍ର ଆଙ୍କିଛନ୍ତି ରାଜ୍ୟ ସରକାର । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮ ପ୍ରତିଶତରୁ ୮.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଏଥିରେ ଆକଳନ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ୭.୮ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ରାଜସ୍ୱ ଆୟ ବଢ଼ିଥିବା ବେଳେ ଆଗୁଆ ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା । ରୋଜଗାର ବୃଦ୍ଧି ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କ ଆତ୍ମନିଯୁକ୍ତି କ୍ଷେତ୍ରରେ ଜାତୀୟ ହାରଠାରୁ ଅଧିକ ସଫଳତା ପାଇଛି ଓଡ଼ିଶା । ରାଜ୍ୟର ହାରାହାରି ମାସିକ ମୁଦ୍ରାସ୍ଫୀତି ମଧ୍ୟ ଜାତୀୟ ହାର ଠାରୁ କମ୍ ।

୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ୬ ପ୍ରତିଶତ ହେବ ବୋଲି ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣରେ ଦର୍ଶାଯାଇଛି । ସେହିପରି ଶିଳ୍ପ କ୍ଷେତ୍ରରେ ୬.୦୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେବାକ୍ଷେତ୍ର ୮.୭୯ ପ୍ରତିଶତ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଛି । ୨୦୨୧-୨୨ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଓ ପ୍ରଦର୍ଶନ ଭଲ ରହିଥିବା ଦର୍ଶାଯାଇଛି । ୨୦୨୨-୨୩ରେ ଏହି ଧାରା ଜାରି ରହିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ଓଡ଼ିଶାରେ ୪୬.୮ ପ୍ରତିଶତ ଲୋକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। ରାଜ୍ୟର ମୋଟ ମୂଲ୍ୟଯୋଗ ବା ଜିଏସଭିଏରେ କୃଷିର ଯୋଗଦାନ ୨୦୨୨-୨୩ରେ ୨୨.୫ ପ୍ରତିଶତ । ହେଲେ କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବିକାଶ ହାର ଜାତୀୟ ହାର ତୁଳନାରେ ପାଖାପାଖି ଦୁଇଗୁଣା ରହିଛି । ୨୦୨୨-୨୩ ଆର୍ଥିକ ବ‌ର୍ଷ ପାଇଁ ଦେଶରେ କୃଷି କ୍ଷେତ୍ରର ବିକାଶ ୩.୫ ପ୍ରତିଶତ ଥିବାବେଳେ ଓଡ଼ିଶାର କୃଷି ବିକାଶ ହାର ୬ ପ୍ରତିଶତ ରହିବା ନେଇ ଅର୍ଥନୈତିକ ସର୍ଭେରେ କୁହାଯାଇଛି ।

୨୦୨୧-୨୨ ତୁଳନାରେ ଚଳିତବର୍ଷ ଓଡ଼ିଶାର କୃଷି କ୍ଷେତ୍ର ଯଥେଷ୍ଟ ଅଧିକ ମାତ୍ରାରେ ଆଗକୁ ବଢ଼ିଛି । ୨୦୨୧-୨୨ରେ ଓଡ଼ିଶାର କୃଷିକ୍ଷେତ୍ରର ଅଭିବୃଦ୍ଧି ୨.୪ ପ୍ରତିଶତ ରହିଥିଲାବେଳେ ଦେଶର କୃଷି ଅଭିବୃଦ୍ଧି ୩ ପ୍ରତିଶତ ରହିଥିଲା । ମାଛଚାଷ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ରହିଥିବା କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ କୃଷି କ୍ଷେତ୍ରର ବିକାଶ ପାଇଁ ଜଳସେଚନର ସର୍ବାଧିକ ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଛନ୍ତି । ୨୦୧୮-୧୯ରେ ରାଜ୍ୟରେ ୬୧ ଲକ୍ଷ ହେକ୍ଟର ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଥିଲା । ୨୦୨୧-୨୨‌ ବେଳକୁ ଏହା ୬୬.୯ ଲକ୍ଷ ହେକ୍ଟରରେ ପହଞ୍ଚିଛି । ଉପରୋକ୍ତ ୪ ବର୍ଷ ମଧ୍ୟରେ ଜଳସେଚନ ପାଇଁ ୧୮,୭୪୫ କୋଟି ଟଙ୍କା ନିବେଶ ହୋଇଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଚାଷଜମିରୁ ୫୨ ପ୍ରତିଶତ ଜମିରେ ଧାନ ଓ ଗହମ ଭଳି ଫସଲ ହେଉଛି । ଏହାଛଡ଼ା ୨୨.୩ ପ୍ରତିଶତ ଜମିରେ ଡାଲିଜାତୀୟ ଫସଲ, ୮.୨ ପ୍ରତିଶତ ଜମିରେ ପନିପରିବା, ୬.୬ ପ୍ରତିଶତ ଜମିରେ ତୈଳବୀଜ, ୪.୨ ପ୍ରତିଶତ ଜମିରେ ଫଳ ଏବଂ ୬.୮ ପ୍ରତିଶତ ଜମିରେ ଅନ୍ୟାନ୍ୟ ଫସଲ ହେଉଥିବା ସଂପର୍କରେ ସର୍ଭେରେ ସୂଚନା ଦିଆଯାଇଛି ।

You May Also Like

More From Author

+ There are no comments

Add yours