ଜୟନାରାୟଣଙ୍କ ବଡ଼ ବୟାନ: ନବଙ୍କୁ ହତ୍ୟାପାଇଁ ନବୀନ ନିବାସରୁ ହୋଇଥିଲା ଷଡ଼ଯନ୍ତ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜିନୀତିର ସବୁଠାରୁ ବଡ଼ ଚର୍ଚ୍ଚିତ ଘଟଣା। ଏହି ହତ୍ୟାକାଣ୍ଡକୁ ସାଧାରଣ ରାଜ୍ୟବାସୀଙ୍କ ଠାର ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଦାଇତ୍ୱ ହସ୍ତାନ୍ତର କରିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଦୁଇ ବିରୋଧୀ ଦଳ ବିଜେପି କଂଗ୍ରେସ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏହାରି ଭିତରେ ବିଧାନସଭାରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ଗତକାଲି ବିଧାନସଭା ମୋସନ ଆଲୋଚନାରେ ଜୟନାରାୟଣ ବଡ଼ ମନ୍ତବ୍ୟ ଦେଇ କହିଥିଲେ, ନବ ଦାସଙ୍କୁ ହତ୍ୟା ପାଇଁ ନବୀନ ନିବାସରୁ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରୁଛି।

ତେଣୁ 5T ସଚିବ ଓ ଯାଜପୁର ବିଧାୟକଙ୍କ କଲ୍ ରେକର୍ଡ ଯାଞ୍ଚ ହେଉ।

ନବଙ୍କ ମୃତ୍ୟୁର ୪ ଦିନ ପୂର୍ବର କଲ୍ ରେକର୍ଡ ଯାଞ୍ଚ ହେଉ ବୋଲି ଜୟନାରାୟଣ ଦାବି କରିଛନ୍ତି। ସେ କହିଛନ୍ତି, ‘ମୋ ସୂତ୍ର କହୁଛି ସେଦିନ ନବୀନ ନିବାସରେ ବୈଠକ ହୋଇଥିଲା। 5T ସଚିବ, ବବି ଦାସ ଓ ସୁଶାନ୍ତ ସିଂଙ୍କ ମଧ୍ୟରେ ମିଟିଂ ହୋଇଥିଲା। ସେଇଠୁ ହିଁ ଷଡ଼ଯନ୍ତ୍ର ହୋଇଥିବା ଆମେ ସନ୍ଦେହ କରୁଛୁ ବୋଲି ଜୟନାରାୟଣ କହିଛନ୍ତି। ତା’ସହ ସେ କହିଛନ୍ତି, ଶାସକ ବିଜେଡ଼ିର ମନ୍ତ୍ରୀ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ସମ୍ପୃକ୍ତି ରହିଥିବା କହୁଛନ୍ତି। ଯଦି ସନ୍ଦେହ ହେଉଛି, ତା’ହେଲେ ଆମକୁ ବି ତଦନ୍ତ ପରିସରଭୁକ୍ତ କରାଯାଉ।

ସେପଟେ ସରଗରମ ଆଲୋଚନା ପରେ ଗୃହରେ ବିବୃତ୍ତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସବୁ ଦିଗକୁ ଧରି ତଦନ୍ତ କରାଯାଉଛି। ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟାନ୍ୟ ସାକ୍ଷୀ, ନବ ଦାସଙ୍କ ପରିବାରବର୍ଗ, ସଂପର୍କୀୟ, ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସହକର୍ମୀଙ୍କୁ ପଚରାଉଚରା କରାଯାଇଥିବା ନେଇ ବିବୃତ୍ତିରେ ଦର୍ଶାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।

ନବ ଦାସଙ୍କୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଆଣିବା ନେଇ ବିରୋଧୀଙ୍କ ପ୍ରଶ୍ନରେ ବିବୃତ୍ତି ରଖି ତୁଷାରକାନ୍ତି କହିଛନ୍ତି, ଆପୋଲୋରେ ଉନ୍ନତମାନର ଚିକିତ୍ସା ପାଇଁ ନବ ଦାସଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିଲା। ସେହିପରି ତଦନ୍ତରେ ସ୍ୱଚ୍ଛତା ଏବଂ ମାମଲାର ତଦାରଖ ପାଇଁ ହାଇକୋର୍ଟର ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ମନୋନୀତ ପାଇଁ ରାଜ୍ୟ ସରକାର ଜାନୁଆରୀ ୩୦ ତାରିଖରେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି.ଦାସଙ୍କୁ ମନୋନୀତ କରିବା ସହ ଫେବୃଆରୀ ୧ ତାରିଖରେ ଜଣାଇଥିଲେ ବୋଲି ବିବୃତ୍ତି ରଖିଛନ୍ତି ତୁଷାରକାନ୍ତି ବେହେରା।

ତଦନ୍ତ ସମୟରେ ଅଭିଯୁକ୍ତ କିଛି ମାନସିକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେଣୁ ସେ ସମ୍ବନ୍ଧୀୟ ଦସ୍ତାବିଜକୁ ସଂଗ୍ରହ କରି ଯାଞ୍ଚ କରାଯାଇଛି। ପୂର୍ବରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ଦ୍ୱାରା ଗୋପାଳଙ୍କ ମାନସିକ ଅବସ୍ଥାକୁ ଯାଞ୍ଚ ସହ LVA ଏବଂ ଫରେନସିକ ସାଇକୋଲଜିକାଲ ଆସେସ୍‌ମେଣ୍ଟ କରାଯାଇଛି। ଧାରା ୧୬୪ ଅନୁଯାୟୀ, ନ୍ୟାୟିକ ବିଚାରପତିଙ୍କ ସାମ୍ନାରେ ରେକର୍ଡ ହୋଇଥିବା ବୟାନରେ ଅଭିଯୁକ୍ତ ନବ ଦାସଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ବୋଲି ନିଜ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ବିବୃତ୍ତିକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ବିରୋଧୀ।

You May Also Like

More From Author

+ There are no comments

Add yours