ଶବ୍ଦମିଡ଼ିଆ ବ୍ୟୁରୋ:କଟକରେ ସିଏମସି ଦ୍ୱାରା ଆରମ୍ଭ ହୋଇଛି ‘ମୋ ୱାର୍ଡ’ ଅଭିଯାନ।କଟକ ମେୟର ସୁବାସ ସିଂହ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି।ମେୟର ହେବା ପରେ ସୁବାସ ସିଂହ କହିଥିଲେ କଟକରେ ରହିବନି କୌଣସି ସମସ୍ୟା ଲୋକଙ୍କ ପାଖକୁ ଯାଇ ମୁଁ ନିଜେ ତାହାର ସମାଧାନ କରିବି। ଆଜି ନିଜର ସେହି କଥା ରଖିଛନ୍ତି ମେୟର ସୁବାସ ସିଂହ।ପ୍ରଥମେ ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା କଲେ । ପରେ ବସ୍ତି ବୁଲି ଦେଖିଲେ । ସଂଧ୍ୟା ସମୟରେ ବସ୍ତି ଭିତରେ ବସି ବାସିନ୍ଦାଙ୍କ ସହିତ ସେଠାରେ କାର୍ଯ୍ୟକାରୀ ହୋଇଥିବା ପ୍ରତିଟି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ । ଗୁରୁବାର ଏହିଭଳି ଅଭିନବ ଢଙ୍ଗରେ ୱାର୍ଡବାସୀଙ୍କ ପାଖରେ ପହଞ୍ଚି ‘ମୋ ୱାର୍ଡ’ ଅଭିଯାନ ଆରମ୍ଭ କରିଛନ୍ତି କଟକ ମହାନଗର ନିଗମର ମେୟର୍ ସୁବାସ ସିଂହ ।
ଶ୍ରୀ ସିଂହ ବସ୍ତିରେ ଖାଇବା ସହ ରାତି ବି କାଟିଛନ୍ତି ।
ଭାତ ସାଙ୍ଗକୁ କୋଳଥ ଡାଲି, ବାଇଗଣ ଭର୍ତ୍ତା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ବଡି ଚୂରା, ଭେଣ୍ଡି ଆଳୁ ଭଜା, ସଜନା ଛୁଇଁ ଭଜା ଓ ପାମ୍ପଡ ଭଳି ୯ରୁ ଅଧିକ ଖାଦ୍ୟର ପସରା । ସାଧାରଣ ଲୋକଙ୍କ ଭଳି ବସ୍ତିର ଏକ ପକ୍କା ଘରେ ବସି କଦଳୀପତ୍ରରେ ବଢ଼ାଯାଇଥିବା ଏଭଳି ରାତ୍ରିଭୋଜନ ଖାଇଥିଲେ ମେୟର୍ ସୁବାସ ସିଂହ । ଏମିତିକି ରାତିରେ ବସ୍ତିର ଏକ ଘରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶଯ୍ୟାରେ ମୁଣ୍ଡ ତଳେ ଗାମୁଛା ଦେଇ ଶୋଇଥିଲେ । ୱାର୍ଡର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ମୋ ୱାର୍ଡ ଅଭିଯାନର ପ୍ରଥମ ଦିନରେ ସାଧାରଣ ଲୋକଙ୍କ ମେଳରେ ଏଭଳି ସମୟ ବିତାଇଥିଲେ ମେୟର ଶ୍ରୀ ସିଂହ ।
ଗୁରୁବାର ବସ୍ତିରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ପରେ ରାଧାକିଶୋର ବସ୍ତିର ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ଘରେ ମେୟର ରାତି କାଟିଥିଲେ । ମେୟର ତାଙ୍କ ସମର୍ଥକଙ୍କ ସହିତ ଶ୍ରୀ ପତିଙ୍କ ଘରେ ପହଞ୍ଚି ପ୍ରଥମେ ପରିବାର ଲୋକଙ୍କ ଭଳି ଆଜବେଷ୍ଟସ୍ ଘରେ ବସି କଥାବର୍ତ୍ତା ହୋଇଥିଲେ । ପରେ କର୍ପୋରେଟର, ସମର୍ଥକ ଓ ପରିବାର ଲୋକଙ୍କ ସହିତ ମିଶି ରାତ୍ରି ଭୋଜନ କରିଥିଲେ । ମେୟରଙ୍କ ଚର୍ଚ୍ଚା କରିବାକୁ ଯାଇ ଶ୍ରୀ ପତି ଅନେକ ପ୍ରକାରର ଖାଦ୍ୟ କରି ପରଷିଥିଲେ । ଏମିତିକି ରାତିରେ ମେୟର କେମିତି ଭଲରେ ଶୋଇବେ ସେଥିପାଇଁ ପୂରା ପରିବାର ଚେଷ୍ଟା ଚଳାଇଥିଲେ । କିନ୍ତୁ ମେୟର ସାଧାରଣ ଲୋକଙ୍କ ଭଳି ମୁଣ୍ଡ ତଳେ ଗାମୁଛା ଓ ମୁଣ୍ଡ ପାଖରେ ଟେବୁଲ୍ ଫ୍ୟାନ୍ ଲଗାଇ ଶୋଇଥିଲେ ଯାହା ଫୋଟ ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଛି।