ଆଜି ଯଶୋଦା ମା ଫାଉଣ୍ଡେସନ ତରଫରୁ ସୀତାନାଥ ନଗରରେ ୫ ଟି ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କୁ ନେଇ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖିକା, ଗାଳ୍ପିକା,କବୟିତ୍ରୀ ତଥା ସମାଜସେବୀ ଶ୍ରୀମତୀ ବନ୍ଦନା ପଣ୍ଡା ଯୋଗ ଦେଇ ଗୁରୁ ଦିବସର ମହନୀୟତା ସମ୍ପର୍କରେ ପିଲା ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରଥମେ ଜନନାୟକ, ମହାନ୍ ଦାର୍ଶନିକ, ବିଶିଷ୍ଟ ଶିକ୍ଷାବିତ୍, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ ପରେ ପିଲା ମାନେ ଗୁରୁ ଦିବସ ସମ୍ପର୍କରେ ଅଭିଭାଷଣ ଦେବା ସହ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ଆକର୍ଷିତ କରିଥିଲେ। ସାମାଜିକ କର୍ମୀ ତଥା କବି ପ୍ରତ୍ୟୁଷ ଭଞ୍ଜ ମଞ୍ଚ ପରିଚାଳନା କରିଥିବା ବେଳେ ଯଶୋଦା ମା ଫାଉଣ୍ଡେସନ ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ନିବେଦିତା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ବର୍ଣ୍ଣବୋଧ ପାଠଶାଳାର ଗୁରୁମା ମାନଙ୍କୁ ଶାଢ଼ୀ ଉପହାର ଦେଇ ସମ୍ମାନୀତ କରାଯିବା ସହ ସବୁ ପିଲା ମାନଙ୍କୁ ସାଧାରଣ ଜ୍ଞାନ ବହି,କଲମ ଓ ଜଳଖିଆ ପ୍ୟାକେଟ ବଣ୍ଟନ କରାଯାଇଥିଲା।






