#ଯେତେ ଯେତେ ଆଗକୁ ବଢ଼ିବେ, ସେତେ ସେତେ ଖୋଲି ଆସୁଥିବ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ରିତ ବିଭବ। ଦନ୍ତୁରିତ ପାହାଡ଼ ଶ୍ରେଣୀ, ମଝିରେ ମଝିରେ କୁନି କୁନି ଝରଣା ଓ ପାହାଡ଼ ସନ୍ଧିରେ ଛୋଟ ଛୋଟ ଆଦିବାସୀ ପଲ୍ଲୀ। ଋତୁ ଅନୁସାରେ ରଙ୍ଗ ବଦଳୁଥିବା କ୍ଷେତ ଓ ପାହାଡି ନଦୀ ତଟ। #
“କୋରାପୁଟ ସହରରୁ କୋରାପୁଟ ସହରରୁ ଦକ୍ଷିଣ ଦିଗବଳୟ ଆଡ଼େ ଚାହିଁଲେ ଝାପ୍ସା ଦେଖାଯାଏ। କିନ୍ତୁ ସୁନାବେଡ଼ା ସେମିଳିଗୁଡା ଓ ଦାମନଯୋଡି ଠାରୁ ସ୍ପଷ୍ଟ ଭାବରେ ଦେଖାଯାଏ ଇଂରାଜୀ ଅକ୍ଷର M ସଦୃଶ୍ୟ ଦୁଇ ମୁଣ୍ଡିଆ ପାହାଡ଼ ଚୁଡ଼ା। ଗୋଟିଏ ଚୁଡ଼ା ଠାରୁ ଆର ଟି ଟିକେ ଅଧିକ ଉଚ୍ଚ। ଯେ କେହି ବି କହିଦେବ, – “ହେଇ, ସେଇଟା ଦେଓମାଳି।”
ପାହାଡ଼ ପର୍ବତ ଘେରା କୋରାପୁଟ, କୋରାପୁଟର ମୁକୁଟ ଗିରିରାଜ ଦେଓମାଳି – ଓଡ଼ିଶାର ଉଚ୍ଚତମ ପର୍ବତ। ପୂର୍ବଘାଟ ପର୍ବତମାଳାର ପାହାଡ଼ ଶ୍ରେଣୀର ଗୋଟିଏ ଅଂଶ ଏହି ମାଳି ପାହାଡ଼ ସମୂହ। ମାଳି ପାହାଡ଼ ଉପରେ ରାଜା ହେଲା ଦେଓମାଳି।
ସ୍ବର୍ଗ ଓ ପୃଥିବୀ ମଧ୍ୟବର୍ତ୍ତୀ ଏକ ଛୋଟ ସମତଳ ଚଟାଣ, ଦୁଇ ପଟରେ ଦୁଇଟି ମଥାନ ସଦୃଶ ଦୁଇ ଶୃଙ୍ଗ। ଦୂରରୁ ଏହି ଅଂଶ ଅଲଗା ବାରି ହୋଇ ପଡ଼େ। କୋରାପୁଟ ସହରରୁ ଦକ୍ଷିଣ ଦିଗବଳୟ ଆଡ଼େ ଚାହିଁଲେ ଝାପ୍ସା ଦେଖାଯାଏ। କିନ୍ତୁ ସୁନାବେଡ଼ା ସେମିଳିଗୁଡା ଓ ଦାମନଯୋଡି ଠାରୁ ସ୍ପଷ୍ଟ ଭାବରେ ଦେଖାଯାଏ ଇଂରାଜୀ ଅକ୍ଷର M ସଦୃଶ୍ୟ ଦୁଇ ମୁଣ୍ଡିଆ ପାହାଡ଼ ଚୁଡ଼ା। ଗୋଟିଏ ଚୁଡ଼ା ଠାରୁ ଆର ଟି ଟିକେ ଅଧିକ ଉଚ୍ଚ। ଯେ କେହି ବି କହିଦେବ, – “ହେଇ, ସେଇଟା ଦେଓମାଳି।”
ବିଶାଖାପାଟଣାରୁ ରାୟପୁର ଯାଉଥିବା ଜାତୀୟ ରାଜପଥ ୨୬ ହେଉଛି ଦେଇମାଳିର ନିକଟତମ ମୂଖ୍ୟ ସଡ଼କ। ଆନ୍ଧ୍ରପ୍ରଦେଶ ପଟରୁ ଆସିଲେ, ଓଡିଶା ସୀମା ଠାରୁ ସୁଙ୍କି, ପଟାଙ୍ଗୀ ଦେଇ ପ୍ରାୟ ୩୫ କିଲୋମିଟର ପରେ ପଡ଼େ କୁନ୍ଦୁଲି ହାଟ ପଡ଼ିଆ। ସ୍ଥାନୀୟ ପନିପରିବା, ଅଦା, ଗାଜର, କୋରାପୁଟିଆ ଦେଶୀ କୁକୁଡ଼ା ଇତ୍ୟାଦି ପାଇଁ ବିଖ୍ୟାତ ଏ ହାଟ। କୋରାପୁଟ ଠାରୁ ବି ପ୍ରାୟ ସେତିକି ଦୁର ଆସିଲେ କୁନ୍ଦୁଲିରେ ପହଞ୍ଚିବେ। କୁନ୍ଦୁଲିର ଉତ୍ତର ଦିଗରେ ଅଛି ଏକ ସ୍ବାଗତ ତୋରଣ; ସେଠାରୁ ଦେଓମାଳି ୨୩ କିଲୋମିଟର – ବାଟରେ ପଡ଼ିବ ଥୁରିଆ ଗାଆଁ; ଏବଂ କୁଟିଆକୁ ଯିବା ପାଇଁ ଏକମୁଖି ପକ୍କା ସଡ଼କ।
ଦେଓମାଳି – ମେଘକୁ ଅନାଇଁ ରହିଛି ଯେମିତି। ଦକ୍ଷିଣରୁ ଆସୁଥିବା ମୌସୁମୀ ବାୟୁ, ଦେଓମାଳିକୁ ପ୍ରଥମେ ସ୍ପର୍ଶ କରିବା ପରେ ଓଡିଶା ଭିତରେ ପ୍ରବେଶ କରେ। ମେଘ ଋତୁରେ ବାଦଲକୁ ଛୁଇଁ ଛୁଇଁ ମେଘବତୀ କନ୍ୟା ତା ସଖୀ ସହଚରୀ ମାନଙ୍କ ସହ ଦେଓମାଳି ଚୁଡ଼ାରେ ନୃତ୍ୟାଭାସ କରେ ଅବିରତ, ମଲ୍ହାର ରାଗିଣୀ ତାଳରେ। ଦୂରରୁ ଦେଖିଲେ, ପାହାଡ଼ର ଦୁଇ ଚୁଡ଼ା କେତେବେଳେ ମେଘ ଭିତରେ ଲୁଚି ଯାଇଛି ପୁଣି କେତେବେଳେ ଧଳା ପାଉଁଶିଆ ମେଘର ଓଢ଼ଣୀ ଖସେଇ ଦେଇ ଓଢ଼ଣୀ ଫାଙ୍କରୁ ହାତଠାରି ଡ଼ାକୁଛି। ବର୍ଷାର ପଦପାତରେ ପାହାଡ଼ର ଦୁଇ ଚୁଡ଼ା ଓ ମଧ୍ୟସ୍ତ ସମତଳ ଚଟାଣରୁ ଝରିଆସେ ନିର୍ମଳ ଜଳଧାରା। ଦେଓମାଳିର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ – ଚାରି ଦିଗରୁ ଝରି ପଡ଼ୁଛି ଛୋଟ ବଡ଼ ଅନେକ ଝରଣା।
ସେମିତି ଏକ ଝରଣାକୁ ପ୍ରଥମେ ସ୍ପର୍ଶ କରିବେ କୁନ୍ଦୁଲି ନିକଟସ୍ଥ ପ୍ରବେଶ ତୋରଣ ପାଖରୁ। ଆଗକୁ ବଢ଼ିବା ରାସ୍ତାର ବାମ ପାଖରେ ଝରଣା ଓ ଡାହାଣ ପାଖରେ ପାହାଡ଼। ଯେତେ ଯେତେ ଆଗକୁ ବଢ଼ିବେ, ସେତେ ସେତେ ଖୋଲି ଆସୁଥିବ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ରିତ ବିଭବ। ଦନ୍ତୁରିତ ପାହାଡ଼ ଶ୍ରେଣୀ, ମଝିରେ ମଝିରେ କୁନି କୁନି ଝରଣା ଓ ପାହାଡ଼ ସନ୍ଧିରେ ଛୋଟ ଛୋଟ ଆଦିବାସୀ ପଲ୍ଲୀ। ଋତୁ ଅନୁସାରେ ରଙ୍ଗ ବଦଳୁଥିବା କ୍ଷେତ ଓ ପାହାଡି ନଦୀ ତଟ।
ଏଇଠି, ବର୍ଷାରେ ଘନ ନୀଳ ପାହାଡ଼ ସାଙ୍ଗକୁ ସବୁଜ ଉପତ୍ୟକା; କୋରାପୁଟିଆ ଦେଶୀ ଧାନ କିଆରୀ। ବର୍ଷା ଏଠି ଅଧିକ ଦିନ ରହିଥାଏ। ବର୍ଷା ଛାଡ଼ୁ ଛାଡ଼ୁ ଆସେ ଶୀତ ଓ ଶୀତ ସହ ପାହାଡ଼ ଢାଲୁ ଗଡାଣି କ୍ଷେତରେ ହସି ହସି ଫୁଟି ଉଠେ ଅଳସୀ। ଅଳସୀ ଫୁଟିବା ସମୟ ଅକ୍ଟୋବର ନଭେମ୍ବର। ସୁନାରଙ୍ଗି ଅଳସୀ କ୍ଷେତରେ ଗୁଣୁ ଗୁଣାନ୍ତି ଲକ୍ଷ୍ୟ ଲକ୍ଷ୍ୟ ମହୁମାଛି। ଚାରିଆଡ଼େ ଗୁଣୁଗୁଣୁ ଶବ୍ଦ ସହ ମହକି ଉଠେ ଅଳସୀ ଫୁଳର ସୁନା ସୁନା ବାସ୍ନା। ଜୀବନରେ ଥରେ ଅନ୍ତତଃ ଏହି ସମୟରେ କୋରାପୁଟ ଜିଲ୍ଲା ଓ ଦେଓମାଳି ପାହାଡ଼ ଛୁଡ଼ା ବୁଲି ଦେଖିବା ଦରକାର ଅଛି। ଆମ ହାତ ପାଆନ୍ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେ ଏତେ ସୁନ୍ଦର ହେଇପାରେ, ଦେଖିଲେ ହିଁ ପ୍ରକୃତରେ ଅନୁଭବ କରିହେବ।
ଅଳସୀ ଫୁଲ ଫୁଟି ସରିବା ବେଳକୁ ପାଚିଆସେ ଧାନ। ଓଃ, ସେତେବେଳେ ସେ କିଆରୀ ସବୁ ତ ଆଉଟା ସୁନା ପରି ସୁନେଲୀ ରଙ୍ଗର ଢେଉରେ ଚମତ୍କାର ଦିଶେ; ଆହୁରି ମନ ମୁଗ୍ଧକର ସେ ଧାନ କିଆରୀର ମହ ମହ ବାସମତୀ ବାସ୍ନା। ଖାଣ୍ଟି ଦେଶୀ ଧାନର ଚହଟା ସୁବାସ।
ତାପରେ ଆସେ ପତ୍ରଝଡ଼ା। ନଗ୍ନ ପାଦପ ମାନଙ୍କର ଅଙ୍ଗ ସୌଷ୍ଠବରେ ଲଜ୍ଜ୍ୟାନତ ଦେଓମାଳି ଉପତ୍ୟକା କିଛି ସମୟ ପାଇଁ ନୀରବି ଯାଏ। କେବଳ ପକ୍ଷୀ ବଣ କୁକୁଡ଼ା ଓ କିଛି କିଛି ଅଲାଜୁକ ପଶୁ ବହାରି ଆସନ୍ତି ପାଣି ପିଇବା ବାହାନା କରି ଓ ଆଖି ପଡ଼ିବା ମାତ୍ରେ ହଠାତ୍ ଲୁଚି ଯାଆନ୍ତି ସରମରେ। ପତ୍ରଝରାର ସୁଯୋଗରେ ସିମିଳି ଗଛ ସବୁ ନାଲି ଗୋଲାପୀ ଫୁଲ ଫୁଟାଇ ଜଣେଇ ଦିଅନ୍ତି ଯେ, ଏବେ ଏଠିକି ମାଘ ମାସ ଆସିଗଲା। ଅଳ୍ପ ହେଲେବି ସେତିକି ବେଳକୁ କୁନ୍ଦୁଲି ଥୂରିଆ କୁଟିଆ ଅଞ୍ଚଳର ଆମ୍ବ ଗଛରେ ବଉଳ ଆସେ ଓ କଠା ପଣସର ହାଟ ବସେ। ଚଇତ ପରବ ଗୀତ ବାଦ୍ୟ ଭିତରେ ଗ୍ରୀଷ୍ମ କେତେବେଳେ ଆସି ଚାଲିଯାଏ ଜଣା ପଡ଼େ ନାହିଁ। କିନ୍ତୁ ଦେଓମାଳି ଉପରୁ ମେଘ ଗର୍ଜନ କରି ଜଣେଇ ଦିଏ ଯେ, ପୁଣି ମୌସୁମୀ ଆସିବା ସମୟ ହେଲାଣି।
ତେବେ ଆସନ୍ତୁ ନା, ଦେଖିବା ଦେଓମାଳି ଚୁଡ଼ାରୁ ଉପରୁ ତଳକୁ !! ଏଠି ସର୍ବଦା ନିଶବ୍ଦ। ପବନ ବି ଶୀତଳ। ତଥାପି ବେଶି ଶୀତ ହୁଏ ନାହିଁ, କିନ୍ତୁ ପବନ ଅନବରତ ବହୁଥାଏ। ପାହାଡ଼ ଚୁଡ଼ାର ନିସ୍ତବ୍ଧତା ଭିତରେ ଡୁଙ୍ଗୁ ଡୁଙ୍ଗୁ ଶୁଭେ କିଛି ପହାଡ଼ି ଗାଇଙ୍କ ବେକରେ ବନ୍ଧାଥିବା କାଠ ଘଣ୍ଟି। କେହି ଥାଆନ୍ତୁ କି ନଥାନ୍ତୁ, ଏହି ଗାଈ ମାନଙ୍କୁ ଭାରି ଭଲ ଲାଗେ ଗଛ ପତ୍ର ନଥିବା ଲଣ୍ଡା ପାହାଡ଼ ଚୁଡ଼ାର ଖଜୁରୀ ଜାତୀୟ ଗଛ ସନ୍ଧିର ଚୁନା ଚୁନା ଘାସ। ଏଠାରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମ୍ପୂର୍ଣ ନିଆରା। ସୁର୍ଯୋଦୟ ସୁନେଲି ପୁଣି ସୂର୍ଯ୍ୟାସ୍ତ ନାରଙ୍ଗୀ ନାଲି। ପାହାଡ଼ ଉପରୁ ଦେଖିଲେ ଢେଉ ଢ଼େଉକା ଅଜସ୍ର ପାହାଡ଼। କାହିଁ କେଉଁ ଦୂରରେ ଛୋଟ ଛୋଟ କିଛି ଗାଆଁ ଓ ଧୂଆଁ ଛାଡୁଥିବା ସିଗାରେଟ ପରି ଦାମନଯୋଡିର ନାଲକୋ ଚିମିନୀ। ଋତୁ ଅନୁସାରେ ରଙ୍ଗ ବଦଳୁଥିବା ବିସ୍ତୀର୍ଣ୍ଣ ଉପତ୍ୟକା।
ଯାହା ବି ହେଉ, ପାହାଡ଼ର ଦୁଇ ଶୃଙ୍ଗ ମଧ୍ୟବର୍ତ୍ତୀ ସମତଳ ପର୍ଯ୍ୟନ୍ତ ଅଛି ପକ୍କା ସଡ଼କ। ଏପରିକି ଉଚ୍ଚତମ ବିନ୍ଦୁ ଠାରୁ କେତେ ମିଟର ଦୁର ପର୍ଯ୍ୟନ୍ତ ରାସ୍ତା ତିଆରି ଚାଲିଛି। ଦେଓ ମାଳି ପାହାଡ଼ ଉପରେ ପର୍ଯ୍ୟଟକ ମାନଙ୍କ ପାଇଁ କିଛି ଭିଉ ପଏଣ୍ଟ, ବସିବା ବେଞ୍ଚ ଓ ରୋଷେଇ କରି ଖାଇବା ପାଇଁ ଆସ୍ଥାନ ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ଅଳ୍ପ ଛାତ ସହ ବସିବା ସ୍ଥାନ କେତୋଟି ନିର୍ମିତ ହେଇଛି। ପିଇବା ପାଣି ବା ବିଦ୍ୟୁତ୍ ସଂଯୋଗ ନାହିଁ, କିନ୍ତୁ ମୋବାଇଲ ସିଗନାଲ ଆସିଯାଏ ବଳେ ବଳେ। କୋରାପୁଟରେ ରେଳ ଷ୍ଟେସନ ଅଛି, ଯାହାକି କୋଲକାତା ବିଶାଖାପାଟଣା ଭୁବନେଶ୍ୱର ସହ ସଂଲଗ୍ନ। ରହିବା ପାଇଁ କୋରାପୁଟ ସେମିଳିଗୁଡା ସୁନାବେଡ଼ା ରେ ଭଲ ହୋଟେଲ ମିଳିଯିବ। ଏସବୁ ସ୍ଥାନରୁ ଟ୍ୟାକ୍ସି ସର୍ଭିସ ବି ଉପଲବ୍ଧ ଅଛି।
ଆମ ପର୍ଯ୍ୟଟକ ମାନେ କିନ୍ତୁ ପରିଷ୍କାର ପରିଚ୍ଛନ୍ନ କରିବା କଥା ପ୍ରାୟ ଭୁଲି ଯାଇଥାନ୍ତି। ଦେଓମାଳି ଉପରେ ବି ଦୃତ ଗତିରେ ଜମା ହେଲାଣି ପ୍ଲାଷ୍ଟିକ କାଚ ଗ୍ଲାସ୍, କାଗଜ ଓ ପ୍ଲାଷ୍ଟିକ ମିଶା ଖାଇବା ଥାଳି, ବିଭିନ୍ନ ଖାଦ୍ୟ ସାମଗ୍ରୀ ମାନଙ୍କର ଖାଲି ଖୋଳ ଓ ଅନେକ ପ୍ରକାରର ବୋତଲ ସହ ବିଭିନ୍ନ ବର୍ଜ୍ୟ ବସ୍ତୁ। ପ୍ରକୃତି ପ୍ରେମୀ ପର୍ଯ୍ୟଟକ ମାନଙ୍କୁ ଅନୁରୋଧ, ଆପଣ ମାନେ ଦେଓ ମାଳି ବୁଲିବାକୁ ଆସନ୍ତୁ; କିନ୍ତୁ ପାହାଡ଼ ଚୁଡ଼ା କୁ ଅପରିଷ୍କାର କରନ୍ତୁ ନାହିଁ। ଯାହା ସବୁ ଆଣୁଛନ୍ତି, ବ୍ୟବହାର ପରେ ସବୁ ବର୍ଜ୍ୟ ବସ୍ତୁକୁ ଖାଲି ଅଖା କିମ୍ୱା କଣ୍ଟେନର ଭିତରେ ରଖି ତଳକୁ ନେଇ, ଅନ୍ୟତ୍ର ଯେଉଁଠି ଏସବୁ ପକାଇବା ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଅଛି, ସେଇଠି ପକାନ୍ତୁ।
ଟେବେ ଆସନ୍ତୁ ବର୍ଷା ଶରତ ହେମନ୍ତ ଶୀତ ଓ ବସନ୍ତର ଶୀତଳ ସ୍ପର୍ଶ ନେବା, ଦେଓମାଳି ପାହାଡ଼ ଚୁଡ଼ାରୁ। ଦେଓମାଳିକୁ ପାଖରୁ ଦେଖିବା। ଉଠିବା ଅଙ୍କା ବଙ୍କା ସର୍ପିଳ ପଥରେ, ସମୁଦ୍ର ପତନ ଠାରୁ ଉଚ୍ଚକୁ – ଅନେକ ଉଚ୍ଚକୁ।
(ମତାମତ ଦେବେ sabdaodisha@gmail.com)
ସୂଚନା:
ଲେଖକଙ୍କ ଗପବହି ଏବେ ଆମାଜନରେ ଉପଲବ୍ଧ। ପଢିବେ ନିଶ୍ଚୟ, ଅନେକ କଥା ଜାଣିବେ।
କୋରାପୁଟ ର ମାଟି ପାଣି ପବନ ଭିତରେ ରହି, କୋରାପୁଟ ର ନୈସର୍ଗିକ ଶୋଭା ବିଷୟରେ ଅଳ୍ପ କିଛି ଲେଖି, ଏହି ମାଟି ପ୍ରତି ମୋର କୃତଜ୍ଞତା ଜଣାଇଛି।
ଅତି ସୁନ୍ଦର ପରିପାଟୀ ରେ ଶବ୍ଦ ଓଡ଼ିଶା ଏହା ପ୍ରକାଶ କରିଛନ୍ତି।
ଶବ୍ଦ ଓଡ଼ିଶାର ପ୍ରତିଟି ଆଲେଖ୍ୟ ମନମୁଗ୍ଧକର।
Beautiful descriptions, beautiful pictures, beautiful natural surroundings.
Bowing to the presenter Bijay Sir, only a well known nature lover can describe the beauty of Koraput and deomali, so vividly.
I have theoughly read the Deomali hill. It is very excited.
However, it’s not developed like other places, particularly Kerala. Koraput district and its natural beauty will definitely more than Kerala. Request to explore the natural beauty of other places. Your emphasize on the clean environment on the hills is very much essential. Thanks.